କଳାପଥର (ମାନସରଂଜନ ସାହୁ): କଟକ ଜିଲ୍ଲା ବାଙ୍କୀ ବୈଦ୍ୟେଶ୍ୱର ଅଂଚଳର ପିଇବା ପାଣିପାଲଟିଛି ବିଷାକ୍ତ, ନଳକୂଅର ଲୁହାଗୁଣ୍ଡ ମିଶା ପାଣି ଓ ହଳଦିଆ ରଙ୍ଗର ପାଣି ପିଇ ସାରି କିଡନି ରୋଗରେ ଆକ୍ରାନ୍ତ ହୋଇ ଜଣକ ପରେ ଜଣକର ଜୀବନ ଚାଲିଯାଉଥିବା ବେଳେ ଏବେ କିଡନି ରୋଗ ଆତଙ୍କ ସୃଷ୍ଟି କରିଛି। ଭୟରେ ଲୋକେ ନଳକୂଅ ପାଣି ପିଇବାକୁ ଭୟ କଲେଣି। କେତେ ଦିନ ପାଣି ଅନ୍ୟ ଗ୍ରାମରୁ ଆଣି ପିଇବେ , ଏବେ ଜୀବନ ଯିବ ପଛେ ନଳକୂଅ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଆଉ ଗୋଟିଏ ଗାଆଁର ଲୋକେ।
କଟକ ଜିଲ୍ଲାର ବାଙ୍କୀ ବ୍ଲକ୍ ର ଉଆସପଲି, ବୈଦ୍ୟେଶ୍ୱର ମାଳିସାହି ଗାଆଁରେ କିଡନି ରୋଗରେ ଆକ୍ରାନ୍ତ ହୋଇ ବହୁ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଏବେ ବି ଚିକିତ୍ସିତ ହେଉଛନ୍ତି। ଡାକ୍ତରୀ ଟିମ୍ ପହଞ୍ଚି ରକ୍ତ ଓ ପାଣି ନମୁନା ପରୀକ୍ଷା କରିବା ପାଇଁ ନେଇ ରିପୋର୍ଟ ଆସି ନ ଥିବା ବେଳେ ପୁଣି ବୈଦେଶ୍ୱର ଗ୍ରାମ ପଞ୍ଚାୟତର କୋଟ ଗାଆଁରେ କିଡନି ରୋଗୀଙ୍କ ସଂଖ୍ୟା ବଢ଼ିବାର ଅଭିଯୋଗ ହେଉଛି। ଏହି ଗାଆଁରେ କିଡନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ଦୁଇ ବର୍ଷରେ ଛଅ ଜଣଙ୍କର ଜୀବନ ଚାଲି ଯାଇଥିବା ବେଳେ ଗତମାସ ୨୦ ତାରିଖରେ ବିନୋଦ ବେହେରା ନାମକ ବ୍ୟକ୍ତିଙ୍କର ଚିକତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ମୁତ୍ୟୁ ହେବା ପରେ କୋଟ ଗାଆଁରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।
ଗାଆଁରେ ଏବେ ମାୟାଧର ବେହେରା, ନବୀନ ନାୟକ, ଘନଶ୍ୟାମ ବେହେରା, ଅର୍ଜୁନ ମହାନ୍ତି, ଭ୍ରମରବର ସାହୁ ଏହିପରି ସାତ ଜଣ କିଡନି ରୋଗରେ ଚିକିତ୍ସିତ ହେଉଛନ୍ତି। ମାତ୍ର ନଳକୂଅ ପାଣି ପିଇବାରୁ ଏହି କିଡନି ରୋଗରେ ଲୋକେ ଆକ୍ରାନ୍ତ ହେବାରୁ ଲୋକେ ଭୟରେ ପାଣି ପିଇବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ବୈଦେଶ୍ୱର ଗ୍ରାମ ପଞ୍ଚାୟତର କୋଟ ଗାଆଁରେ ସାଢେ଼ ଚାରି ଶହ ଲୋକେ ବସବାସ କରୁଥିବା ବେଳେ କିଡନି ରୋଗ ଭୟରେ ଗାଆଁ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଗାଆଁ ବାହାରେ ରହୁଥିବା ଲୋକେ ଗାଆଁ କୁ ଆସିବାକୁ ଡରି ଗଲେଣି ।କାରଣ ଛୋଟ ଛୋଟ ଶିଶୁ ଓ ଯୁବକମାନଙ୍କ ପାଇଁ ବୟସ୍କମାନେ ଏବେ ଚିନ୍ତାରେ।
ଗ୍ରାମବାସୀମାନେ ବାରମ୍ବାର ବ୍ଲକ୍ ରେ ଅଭିଯୋଗ କରିବା ପରେ ଏବେ ଯେଉଁ ଯେଉଁ ନଳକୂଅରୁ ଲୋକେ ପାଣି ପିଇବାକୁ ବ୍ୟବହାର କରୁଛନ୍ତି, ସେଗୁଡ଼ିକୁ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଏବେ ମେସିନ୍ ସାହାଯ୍ୟରେ ନିଷ୍କାସନ କରୁଛି। ହେଲେ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ହେଉଥିବା ବେଳେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆସୁନାହାନ୍ତି ଜିଲ୍ଲାସ୍ତରୀୟ ଡ଼ାକ୍ତରୀ ଟିମ କିମ୍ବା ନିକଟସ୍ଥ ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତରୀ ଟିମ୍ ।
ଆଜି ପର୍ଯ୍ୟନ୍ତ ପିଇବାକୁ ମିଳି ପାରିଲା ନାହିଁ ବିଶୁଦ୍ଧ ପାଣି
ମହାନଦୀ କୂଳ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଥାଇ ସୁଦ୍ଧା ଆଜି ପର୍ଯ୍ୟନ୍ତ ପିଇବାକୁ ମିଳି ପାରିଲା ନାହିଁ ବିଶୁଦ୍ଧ ପାଣି । ପିଇବା ପାଣି ଟିକେ ପାଇବା ପାଇଁ କୋଟ ଗାଆଁ ଲୋକେ ଡହଳ ବିକଳ। ଖରା ଆରମ୍ଭରୁ ଏହି ଅଵସ୍ଥା। ବ୍ଲକ୍ ରେ ଯେତେ ଅଭିଯୋଗ କଲେ ଫଳ ଶୂନ। ଭଗବାନ୍ ଙ୍କ ଭରସାରେ ସାଢ଼େ ଚାରି ଶହ ଲୋକ। ଗ୍ରାମରେ ତୁରନ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସହିତ ନଳକୂପ ପାଣି ଓ ଗ୍ରାମର ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରିବା ପାଇଁ ଗ୍ରାମର ବୀରବର ବେହେରା, ପ୍ରଭାକର ନନ୍ଦ, ୱାର୍ଡ ମେମ୍ବର, କାମଦେବ ନାୟକ ପ୍ରମୁଖ ଦାବୀ କରିଛନ୍ତି।
Blood Donation Camp ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
ସେପଟେ ବାଙ୍କୀ ଉପ ଜିଲ୍ଲାପାଳ ପ୍ରଣବ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଲେ, ଅଭିଯୋଗ ପାଇ ନ ଥିଲି ଏବେ ପାଣି ପରୀକ୍ଷା କରିବା ପାଇଁ ରାଜ୍ୟ ପରୀକ୍ଷାଗାରକୁ ପଠାଇବା ପାଇଁ ବିଡ଼ିଓଙ୍କୁ କୁହାଯାଇଛି। ଏ ସଂପର୍କ ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ଅମରେଶ ସାହୁଙ୍କୁ ପଚାରିବାରୁ ସେ କହିଲେ ଆମେ ଜାଣି ପାରିଲୁ ନାହିଁ। ଏବେ ଘରକୁ ଘର୍ ଯାଇ ସର୍ଭେ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆ ଯିବ। ତେବେ କିଡନି ରୋଗରେ ଆକ୍ରାନ୍ତ ହୋଇ ଲୋକେ ମୃତ୍ୟୁବରଣ କରିବା ବେଳେ ଆଉ ଭବିଷ୍ୟତ ରେ ଏହାକୁ ରୋକିବା ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।
Follow Us