Crime Branch team raid on Muna Mohanty home in Banki of Cuttack. Photograph: (sambad.in)
ବାଙ୍କୀ: ପୁଲିସ ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲାରେ କୁଖ୍ୟାତ ମୁନା ମହାନ୍ତି ଘରେ କ୍ରାଇମବ୍ରାଞ୍ଚ ଟିମ୍ର ଚଢ଼ଉ ହୋଇଛି। ଆଜି ସକାଳେ କଟକ ଜିଲ୍ଲା ବାଙ୍କୀ କଳାପଥର ସ୍ଥିତ ଘରେ କ୍ରାଇମବ୍ରାଞ୍ଚ ଟିମ୍ର ଚଢ଼ାଉ ଜାରି ରହିଥିଲା। ବୈଦେଶ୍ଵର ପୁଲିସ ମଧ୍ୟ ଏହି ଚଢ଼ଉରେ ସାମିଲ ହୋଇଥିଲା।
ପୁଲିସ କହିଛି ଯେ, ଗତକାଲି ମୁନାକୁ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଗିରଫ କରାଯାଇଥିଲା। ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ଧରାପଡ଼ିଥିଲା ମୁନା ମହାନ୍ତି। ଦଲାଲ ତଥା ମୋଷ୍ଟ ୱାଣ୍ଟେଡ୍ ମୁନା ମହାନ୍ତି ଓ ଶ୍ରୀକାନ୍ତ ମହାରଣାଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ। ଦଶପଲ୍ଲାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଭିମନ୍ୟୁ ଦୋରାଙ୍କୁ ବି ଉଠାଇନେଇଥିଲା କ୍ରାଇମବ୍ରାଞ୍ଚ। ପିଲା ଯୋଗାଡ଼ କରିବା ଏବଂ ବସ୍ରେ ରାଜ୍ୟ ବାହାରକୁ ପଠାଇବାରେ ମୁନା ମହାନ୍ତି ଓ ଶ୍ରୀକାନ୍ତ ମହାରାଣାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି। ଅଭିମନ୍ୟୁ ଦୋରା ତାଙ୍କର ଦଶପଲ୍ଲା ଘରେ ମୁନା ଓ ଶ୍ରୀକାନ୍ତକୁ ଲୁଚାଇ ରଖିଥିବା ଅଭିଯୋଗ ହୋଇଥିଲା। ଗତ ସେପ୍ଟେମ୍ବର ୩୦ରେ ତିନୋଟି ବସ୍ରେ ଯାଉଥିବା ୧୧୪ ପ୍ରାର୍ଥୀଙ୍କୁ ମୁନା ହିଁ ଯୋଗାଡ଼ କରିନେଇଥିବା ଅଭିଯୋଗ ରହିଛି।
ଏହି ଗିରଫ ପରେ ଗିରଫଦାରୀ ସଂଖ୍ୟା ୧୨୧ରେ ପହଞ୍ଚିଥିବା ବେଳେ ମୁନା ମହାନ୍ତିର କଳା ସାମ୍ରାଜ୍ୟର ରହସ୍ୟ ଖୋଲିବାରେ ଲାଗିଛି। ମୁନା ଦଶପଲ୍ଲାରେ ତାର ନେଟ୍ୱୱାର୍କ ଚଳାଇଥିବା ଜଣାପଡ଼ିଛି। ଯାହାକି ଦୁଇ ଦୁଇଟି ହାଇୱା ବାଲିଘାଟରେ ଲଗାଇ ଟଙ୍କା ରୋଜଗାର କରୁଥିଲା। କ୍ରାଇମ୍ ବ୍ରାଞ୍ଚର ଏହି ମାମଲା ପରେ ଦଶପଲ୍ଲାର ଏକ ପେଟ୍ରୋଲ ପମ୍ପରେ ଦୀର୍ଘଦିନ ଧରି (ଓଡ଼ି ୦୨ ସିୟୁ ୬୫୫୧) ଏବଂ (ଓଡ଼ି ୦୨ ଡ଼ିଡ଼ି ୬୫୫୧) ହାଇୱା ଦୁଇଟି ରହିଥିବା ବେଳେ ଗତକାଲି ମୁନାକୁ କ୍ରାଇମ୍ ବ୍ରାଞ୍ଚ ଗିରଫ କରିବା ପରେ ଦଶପଲ୍ଲା ପୁଲିସ ହାଇୱା ଦୁଇଟିକୁ ନିଜ ହେପାଜତକୁ ନେଇଛି। ଏହାରି ମଧ୍ୟରେ ଆଜି ମଧ୍ୟ ଆଉଏକ ଫାର୍ମ ହାଉସରୁ ସେ ବ୍ୟବହାର କରୁଥିବା ଦାମି ଥର୍ ଗାଡି (ଓଡ଼ି ୦୨ ଡ଼ିଜି ୨୪୮୭)କୁ ଥାନା ଅଧିକାରୀ ବିନୟ ରଂଜନ ପରିଡ଼ା ଜବତ କରିଥିବା ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Heart Breaking: ହାଏରେ ମଣିଷ ତୁ ଏ କି କଲୁ…? ଷଣ୍ଢ ମୁହଁରେ ବିସ୍ଫୋରଣ, ଖାଦ୍ୟରେ କିଏ ଦେଇଦେଲା ବାଣ !
ନୟାଗଡ଼ଜିଲ୍ଲା ଦଶପଲ୍ଲାର ପୋଇବାଡ଼ି ସ୍ଥିତ ଜିତେନ୍ଦ୍ର ପାତ୍ରଙ୍କ ଫାର୍ମ ହାଉସରେ ଏହି ଦାମି ଥର୍ ଗାଡ଼ି ରହିଥିବା ବେଳେ ଖବରପାଇ ପୁଲିସ ନିଜ ହେପାଜତକୁ ଆଣିଛି। ଆହୁରି ମଧ୍ୟ ମୁନାଙ୍କ ସମ୍ପର୍କିୟଙ୍କ ନାମରେ ରହିଥିବା କିଛି ଜେସିବି ମେସିନ୍ ଦଶପଲ୍ଲାରେ ଚାଲୁଥିବା ଚର୍ଚ୍ଚାର ବିଷୟ ପାଲଟିଛି। ମୁନାଙ୍କ ସହ ଆହୁରି କିଛି ବ୍ୟକ୍ତିଙ୍କ ସମ୍ପର୍କ ରହିଥିବା କୁହାଯାଉଥିବା ବେଳେ ସେ ବିଭିନ୍ନ ବ୍ୟବସାୟରେ ଟଙ୍କା ଲଗାଇଥିବା କୁହାଯାଉଛି।
ଆହୁରି ପଢ଼ନ୍ତୁ: Equal job opportunities for transgender: ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସମାନ ଚାକିରି ସୁଯୋଗ ଲାଗି ସୁପ୍ରିମକୋର୍ଟ କମିଟି ଗଠନ କଲେ
ସୂଚନାଯୋଗ୍ୟ, ପୁଲିସକୁ ମୁନା ମହାନ୍ତିର ମା’ଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ଲକ୍ଷ ଟଙ୍କାର ନେଣଦେଣ ହୋଇଥିବା ସୂଚନା ମିଳିଛି। ଅରବିନ୍ଦ ଦାଶ ମାଷ୍ଟରମାଇଣ୍ଡ ଫେରାର ଶଙ୍କର ପୃଷ୍ଟି ସହ ଆର୍ଥିକ କାରବାର ରହିଛି। ଉଭୟ ମୁନା ଏବଂ ଅରବିନ୍ଦ ଶଙ୍କର ପୃଷ୍ଟି ଲାଗି କାମ କରୁଥିଲେ। ସୌମ୍ୟା ପ୍ରିୟଦର୍ଶିନୀ ସାମଲକୁ ଢେଙ୍କାନାଲରୁ ଗିରଫ କରାଯାଇଛି। ସେ ପୂର୍ବରୁ ଆଶାୟୀମାନକ ସହ ଲିଙ୍କରେ ଥିଲା। ଏସ୍ଆଇ ପରୀକ୍ଷା ଅନିୟମିତତା ଖୁଲସା ହେବ ପରେ ସୌମ୍ୟା ପ୍ରିୟଦର୍ଶିନୀ ଜରିଆରେ ଅଗ୍ରୀମ ଚେକ୍, ଅରିଜିନାଲ ସାର୍ଟିଫିକେଟ୍ ଫେରା ଯାଇଥିଲା। ସୌମ୍ୟା ଏସ୍ଆଇ ମାମଲାରେ ପ୍ରମାଣ ନଷ୍ଟ କରିବାରେ ପ୍ରମୁଖ ଭୂମିକା ରହିଥିଲା।
Cuttack | Crime | Odisha police
Follow Us