Advertisment

Women Empowerment: ଗାଡି ଚଳାଇ ନିଆରା ପରିଚୟ ସୃଷ୍ଟି କରିଛନ୍ତି ସଞ୍ଜିତା, ରାଣୀ

Advertisment

ନାରୀ କେବେ ସେ ଜନନୀ, ଜାୟା ତ କେବେ ଭଗିନୀ ପୁଣି କେବେ ସର୍ବଂସାହା ତ କେବେ ସେ ନାରାୟଣୀ। ପରିସ୍ଥିତି ଅନୁସାରେ ଭିନ୍ନ ଭିନ୍ନ ପରିଚୟ ଆଉ ରୂପ ନାରୀର। ସୃଷ୍ଟି ଆରମ୍ଭରୁ ସବୁ ‌ବେଳେ ନାରୀ ବନ୍ଦନୀୟ।

ନାରୀ କେବେ ସେ ଜନନୀ, ଜାୟା ତ କେବେ ଭଗିନୀ ପୁଣି କେବେ ସର୍ବଂସାହା ତ କେବେ ସେ ନାରାୟଣୀ। ପରିସ୍ଥିତି ଅନୁସାରେ ଭିନ୍ନ ଭିନ୍ନ ପରିଚୟ ଆଉ ରୂପ ନାରୀର। ସୃଷ୍ଟି ଆରମ୍ଭରୁ ସବୁ ‌ବେଳେ ନାରୀ ବନ୍ଦନୀୟ।

WhatsApp Image 2026-03-07 at 19.28.06

ଭଞ୍ଜନଗର (ବିଶ୍ବମ୍ବର ଜେନା): ନାରୀ କେବେ ସେ ଜନନୀ, ଜାୟା ତ କେବେ ଭଗିନୀ ପୁଣି କେବେ ସର୍ବଂସାହା ତ କେବେ ସେ ନାରାୟଣୀ। ପରିସ୍ଥିତି ଅନୁସାରେ ଭିନ୍ନ ଭିନ୍ନ ପରିଚୟ ଆଉ ରୂପ ନାରୀର। ସୃଷ୍ଟି ଆରମ୍ଭରୁ ସବୁ ‌ବେଳେ ନାରୀ ବନ୍ଦନୀୟ। ତଥାପି ସାମାଜିକ ବନ୍ଧନ ଭିତରେ ବି ନାରୀ ରହି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାର କ୍ଷମତା ରଖିପାରେ। ପରିବାରର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କେବଳ ଜୀବନ ଜିଇଁ ହୁଏ ନାହିଁ ଆଗକୁ ମଧ୍ୟ ବଢି ହୁଏ ଏଭଳି ଏକ ମାନସିକତାକୁ ଅନେକ ମହିଳା ସତ ପ୍ରମାଣିତ ମଧ୍ୟ କରି ପାରିଛନ୍ତି। ଏଭଳି ଦୁଇ ଜଣ ମହିଳା ହେଉଛନ୍ତି ସଞ୍ଜିତା ଓ ରାଣୀ। ସେମାନଙ୍କ ସମାଜ ପ୍ରତି ରହିଥିବା ଅବଦାନ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଭଞ୍ଜନଗର ଅଞ୍ଚଳର ଏହି ଦୁଇ ଜଣ ସହରରୁ ଆବର୍ଜନା ସଫେଇ କରିବାକୁ ପଣ କରି ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଏହି ଦୁଇ ମହିଳା ବ୍ୟଟେରୀ ଚାଳିତ ଯାନ ଚଳାଇବା କୌଶଳ ଶିକ୍ଷା ଲାଭକରିବା ପରେ ଏବେ ଗାଡ଼ି ଡ୍ରାଇଭିଂରେ ଓସ୍ତାଦ୍। ପ୍ରତିଦିନ ସକାଳ ସମୟରେ ଘରକୁ ଘର ବୁଲି ଆର୍ବଜନା ସଫା କରୁଥିବା ବେଳେ ସନ୍ଧ୍ୟାରେ ଦୋକାନ ବଜାରରୁ ଆର୍ବଜନା ସଂଗ୍ରହ କରୁଛନ୍ତି।

ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ଥିବା ୫ ନମ୍ବର ୱାର୍ଡରେ ରହୁଥିବା ସଞ୍ଜିତାଙ୍କ ୩ଟି ସନ୍ତାନ ରହିଥିବା ବେଳେ ସ୍ବାମୀ ଏନ୍‌ଏସି‌ରେ ହିଁ କାର୍ଯ୍ୟ କରୁଛନ୍ତି। ତେବେ ପରିବାରର ଆର୍ଥିକ ସ୍ଥିତ ଭଲ ନଥିବାରୁ ଏକ ମଲରେ କାମ କରୁଥିଲେ। କିନ୍ତୁ ସରକାର ପ୍ରତିଘରୁ ଆବର୍ଜନା ସଂଗ୍ରହ ନେଇ ଯୋଜନା କରିବା ପରେ ବ୍ୟଟେରି ଗାଡିରେ ତାହା ସଂଗ୍ରହ କରାଯିବ ଜାଣିବାକୁ ପାଇବା ପରେ ଡ୍ରାଇଭିଂ ପ୍ରଶିକ୍ଷଣ ନେଇଥିଲେ। କିଛିଦିନ ଚଲାଇବା ଶିଖିବା ପରେ ନିୟମିତ ଚଲାଇବା ଆରମ୍ଭ କଲେ। ତା ପରେ କାର୍ଯ୍ୟାଳୟ ପକ୍ଷରୁ ଯୋଗାଇ ଦିଆ ଯାଇଥିବା ବ୍ୟାଟେରି ଚାଳିତ ଗାଡ଼ି ଚଳାଇ ପ୍ରତିଦିନ ସକାଳୁ ସହରର ବିଭିନ୍ନ ଗଳିରେ ବୁଲି ଆବର୍ଜନା ସଂଗ୍ରହ କରିଥାନ୍ତି।

ସହରର ୧୫ ନମ୍ବର ୱାର୍ଡରେ ରହୁଥିବା ରାଣୀ ନାୟକଙ୍କର ପ୍ରାୟ ୮ ବର୍ଷ ତଳେ ବାପାଙ୍କ ଦେହାନ୍ତ ଘଟିଥିବା ବେଳେ ମାଆ ଭୂବନେଶ୍ବରରେ ରହୁଛନ୍ତି। ଜେଜେ ମାଆଙ୍କ ପାଖରେ ‌ସେ ରହୁଥିବା ବେଳେ ସେ ମଧ୍ୟ ଗତ ୨୦୨୧ ମସିହା ବେଳକୁ ଗାଡି ଚଲାଇବା ଶିକ୍ଷା ଗ୍ରହଣ କରି ସେହି ଦିନ ଠାରୁ ନିୟମିତ ବ୍ୟାଟେରି ଚାଳିତ ଗାଡ଼ି ଚଳାଇ ସହରର ବିଭିନ୍ନ ଗଳିକନ୍ଦି ବୁଲି ଘରୁ ଘରୁ ଆବର୍ଜନା ସଂଗ୍ରହ କରୁଥିବା କହିଛନ୍ତି। ଉଭୟେ ନିଷ୍ଠାର ସହ ନିଜ କର୍ମ କରୁଥିବା ବେଳେ ସହରକୁ ସ୍ବଚ୍ଛ ରଖିବା ଏବଂ ଆବର୍ଜନାମୁକ୍ତ କରିବାର ଭଲ ସୁଯୋଗ ଏଦ୍ବାରା ତାଙ୍କୁ ମିଳିଥିବା ସେମାନେ କହିଛନ୍ତି। ଦୁହେଁ କେବଳ ଚାକିରି କରି ଟଙ୍କା ରୋଜଗାର କରିବା ପାଇଁ ଏଭଳି କାମକୁ ଆପଣେଇ ନାହାନ୍ତି ବରଂ ସେବା କରିବାକୁ ବ୍ରତ ଭାବେ ଧରି ନେଇଥିବା ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ‘ୟୁଥ୍ କନକ୍ଲେଭ’: ‘‘ନାରୀମାନଙ୍କୁ ଉଚିତ ସୁଯୋଗ, ସମ୍ମାନ ଓ ସମାନତା ପ୍ରଦାନ ଉପରେ ଗୁରୁତ୍ୱ’’

ଦୁହେଁ ଡ୍ରାଇଭିଂ ଟ୍ରେନିଂ ନେବା ପରେ ଏନ୍ଏସି ତାଙ୍କୁ ନିଯୁକ୍ତି ଦେଇଥିଲା। ମହିଳା ହୋଇ ଚାରିଚକିଆ ଯାନ ଚଳାଇବା ସମ୍ଭବ କି ବୋଲି କିଛି ଲୋକେ ପରିହାସ କରୁଥିଲେ ବି ଏହାକୁ ସମ୍ଭବ କରି ଦେଖାଇ ପାରିଛନ୍ତି ସେମାନେ। ପ୍ରଥମେ ପ୍ରଥମେ ସେମାନଙ୍କର ଏହି କାମକୁ ହସରେ ଉଡ଼ାଇ ଦେଉଥିଲେ ତ ଆଉ କିଛି ଆଗକୁ ବଢିବାକୁ ଉତ୍ସାହିତ ମଧ୍ୟ କରୁଥିଲେ। ଯେକୌଣସି ସମସ୍ୟା ଉପୁୁଜିଲେ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନେ ପୁର୍ଣ୍ଣ ମାତ୍ରାରେ ପ୍ରଥମେ ସହଯୋଗ କରିବାରୁ ସେମାନେ ଆଗକୁ ବଢିବା ସହାୟକ ହୋଇଥିବା ସଞ୍ଜିତା କହିଛନ୍ତି। ଗାଡି ଚଲାଇବାର ଆରମ୍ଭ ସମୟର ଲୋକଙ୍କ ନକରାତ୍ମକ କଥାକୁ ଖାତିର ନ କରି ପ୍ରତିଦିନ ସକାଳୁ ସକାଳୁ ସାହି, ଗଳିକନ୍ଦିରେ ହାଜର ହୋଇ ଯାଉଛନ୍ତି ଏବଂ ସହରରୁ ଆବର୍ଜନା ସଂଗ୍ରହ କରି ନେଉଛନ୍ତି। ଏ କାମ ସେମାନଙ୍କୁ ଚରମ ଆତ୍ମତୃପ୍ତି ଦେଉଛି ବୋଲି ସଞ୍ଜିତ ଓ ରାଣୀ କହିଛନ୍ତି।

ଆଜିର ସମୟରେ ମହିଳା ମାନେ ଚାରି କାନ୍ଥ ମଧ୍ୟରେ ଆବଦ୍ଧ ହୋଇ ନରହି ଯେ ଯେଭଳି ପାରୁଛନ୍ତି ସେ ଦିଗରେ ନିଜର ପ୍ରତିଭା ଓ ଦକ୍ଷତାକୁ ପ୍ରତିପାଦନ କରି ଆଗକୁ ବଢିଲେ ନିଜର ଓ ନିଜ ପରିବାରର ଉନ୍ନତିରେ ସହାୟକ ହୋଇ ପାରିବ ବୋଲି ଉଭୟେ ପ୍ରକାଶ କରିଛନ୍ତି। ଆନ୍ତରିକତାର ସହ ସଫେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିବା ବେଳେ ସେମାନଙ୍କର ଏଭଳି କାମ ପ୍ରଶଂସନୀୟ ‌ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ମୂରଲୀକୃଷ୍ଣ ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe