Symbolic ritual offering at Maa Khanduri in Sukinda. Photograph: (sambad.in)
କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା ସୁକିନ୍ଦାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ଖଣ୍ଡୁରାଈଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଆସୁଥିବା କାଳୀପୂଜା ୩୨୦ ବର୍ଷର ପରମ୍ପରା। କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମା’ଖଣ୍ଡୁରାଈ ଏଠାରେ ଦିନକ ପାଇଁ ଶ୍ୟାମାକାଳୀ ଭାବେ ପୂଜା ପାଇଆସୁଛନ୍ତି। ଖଣ୍ଡୁରାଈ ମନ୍ଦିରର ଏହି ବାର୍ଷିକ ଉତ୍ସବ ପାଇଁ ସମଗ୍ର ସୁକିନ୍ଦାଗଡ଼, ସମୀନ୍ତ ଢେଙ୍କାନାଳ, କେନ୍ଦୁଝର ଜିଲ୍ଲା ଓ ଆଖପାଖ ୫୦ ପଞ୍ଚାୟତବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଆସିଛି।
ଆନୁଷ୍ଠାନିକ ଭାବେ କଳସଯାତ୍ରା, ହୋମଯଜ୍ଞ, ବେଦପାଠ, ଚଣ୍ଡୀପାଠ ଓ ପୂର୍ଣ୍ଣାହୁତି ପର୍ବ ଅନୁଷ୍ଠିତ ହୋଇଥାଏ। ଅହୋରାତ୍ର ନାମ ସଂକୀର୍ତ୍ତନ ଓ ଭଜନସଂଧ୍ୟାର ପରମ୍ପରା ରହିଆସିଛି। ପ୍ରାଚୀନ ବଳିପ୍ରଥାକୁ ପରିବର୍ତ୍ତନ କରାଯାଇ ଏବେ ପୀଠରେ ପାଣିକଖାରୁ ବଳି ଦିଆଯାଇଆସୁଛି। ଖଣ୍ଡୁରାଈଙ୍କ ନାମରେ ଥିବା ୧୦ ଏକର ଭୂସମ୍ପତ୍ତିର ଆୟକୁ ନେଇ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶ୍ୟାମାକାଳୀ ପୂଜା ଓ ମା’ଖଣ୍ଡୁରାଈଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଆସୁଥିବା କହନ୍ତି ସୁକିନ୍ଦାଗଡ଼ର ରାଜା ସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର।
ଆହୁରି ପଢ଼ନ୍ତୁ: Slow Train: ମନ୍ଥର ଗତି ପାଇଁ ଟ୍ରେନ୍ରୁ ଓହ୍ଲାଇଲେ ଯାତ୍ରୀ
୧୯୪୯ ମସିହାରେ ଖଣ୍ଡୁରାଈ ଯାତ୍ରା କମିଟି ଗଠନ ହେବା ପରେ ଉତ୍ସବର ରୂପରେଖ ବିସ୍ତାରିତ ହୋଇ କାଳକ୍ରମେ ଏହା କାଳୀପୂଜା ମହୋତ୍ସବର ମାନ୍ୟତା ପାଇଥିବା କହନ୍ତି ସୁକିନ୍ଦା କଲେଜ ଅଧ୍ୟକ୍ଷ ହିମାଂଶୁ ଶେଖର ଦ୍ବିବେଦୀ। ୭୫ ବର୍ଷ ଧରି ରାଜ୍ୟର ପ୍ରମୁଖ ଯାତ୍ରାପାର୍ଟି ସୁକିନ୍ଦାଗଡ଼ର ବଡ଼ଦାଣ୍ଡରେ ଯାତ୍ରା ପରିବେଷଣ କରିଆସୁଛନ୍ତି। ସୁଦୃଶ୍ୟ ତୋରଣ, ମୀନାବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ କାଳୀପୂଜାକୁ ଆକର୍ଷଣୀୟ କରିଆସିଛି। ହଜାରହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ସହ ଲକ୍ଷାଧିକ ଜନସମାଗମ ମହୋତ୍ସବର ଗାରିମା ବୃଦ୍ଧି କରିଆସିଛି। ଏବର୍ଷ କାଳୀପୂଜା ମହୋତ୍ସବ ୬ ଦିନ ଧରି ପାଳନ କରାଯାଉଛି।
୧୭୦୩ ମସିହାରେ ତତ୍କାଳୀନ ରାଜା ଶ୍ରୀକର ଭୂପତି ହରିଚନ୍ଦନ ମହାପାତ୍ର ସୁକିନ୍ଦାଗଡ଼ର ଏକ ଆଟୁ ଚାଳଘରେ ଯଥାରୀତି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବିଗ୍ରହଙ୍କ ସ୍ଥାପନା କରି ପୂଜାପାଠ ବ୍ୟବସ୍ଥା ଆରମ୍ଭ କରାଇଥିଲେ। ଏହାର ୨ ବର୍ଷ ପରେ ରାଜା ବଡ଼ଦାଣ୍ଡରେ ମା’ଖଣ୍ଡୁରାଈଙ୍କ ମନ୍ଦିର ପ୍ରତିଷ୍ଠା କରାଇଥିଲେ। ସେହିବର୍ଷ ଠାରୁ ଖଣ୍ଡୁରାଈ ଦିନକ ପାଇଁ ମନ୍ଦିରରେ ମାଆ କାଳୀଙ୍କ ପ୍ରତୀକ ଭାବେ ପୂଜା ପାଇଆସୁଛନ୍ତି।
ଆହୁରି ପଢ଼ନ୍ତୁ: Typhoon Pengsen moving towards China: ଚୀନ୍ ସମୁଦ୍ରରେ ବୁଡ଼ିଯିବ! ଟାଇଫୁନ୍ ଫେଙ୍ଗସେନ୍ ନେଇ ଆତଙ୍କ ସୃଷ୍ଟି
ମାନସିକବ୍ରତଧାରୀଙ୍କ ଭିଡ଼
ସେହିଦିନରୁ ସୁକିନ୍ଦାଗଡ଼ରେ ପାରମ୍ପରିକ କାଳୀପୂଜା ଅନୁଷ୍ଠିତ ହୋଇଆସୁଥିବା କହନ୍ତି ରାଜାସାହେବ ଶ୍ରୀ ମହାପାତ୍ର। ଦେଶ ସ୍ବାଧୀନତା ପୂର୍ବରୁ ବଂଶୀଧର ଦ୍ବିବେଦୀ ପୂଜକ ଭାବେ ଖଣ୍ଡୁରାଈ ମନ୍ଦିରରେ ପୂଜା କରିଆସୁଥିଲେ ବୋଲି କହନ୍ତି ତାଙ୍କ ପୁତୁରା ତଥା ଖଣ୍ଡୁରାଈ ଯାତ୍ରା କମିଟିର ପୂର୍ବତନ ସମ୍ପାଦକ ରାଜ କିଶୋର ଦ୍ବିବେଦୀ। କାମପାଳ ମିଶ୍ର ଓ କୃଷ୍ଣ ମହାପାତ୍ରଙ୍କ ପରେ ରାମଚନ୍ଦ୍ର ଦ୍ବିବେଦୀ ସର୍ବାଧିକ ସମୟ ପୂଜକ ଭାବେ ମା’ଖଣ୍ଡୁରାଈଙ୍କ ସେବାନୀତି କରିଥିଲେ। ମା’ଖଣ୍ଡୁରାଈ ଓ ଶ୍ୟାମାକାଳୀଙ୍କ ଆଶୀର୍ବାଦରୁ ପ୍ରତିବର୍ଷ ଶହଶହ ଭକ୍ତ ଓ ବ୍ରତଧାରୀଙ୍କ ମାନସିକ ପୂରଣ ହୋଇଆସୁଥିବାରୁ ପ୍ରାଚୀନ ପରମ୍ପରା ଏବେ ବି ଅକ୍ଷୁଣ୍ଣ ରହିଆସିଥିବା ସହ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଥିବା କହନ୍ତି ପୂଜକ ତପନ କୁମାର ଦ୍ବିବେଦୀ।
Jajpur | Odia culture
Follow Us