ବାଲିପାଟଣା (ବସନ୍ତ ଦାଶ): ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଭାପୁର ଗ୍ରାମରେ ଜଣେ ଯୁବକ ଗାଁ ନିକଟ ଜଙ୍ଗଲରେ ଗାମୁଛା ବେକରେ ବାନ୍ଧି ଝୁଲି ପଡ଼ିଛନ୍ତି। ପରିବାର ଲୋକେ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଯୁବକ ହେଲେ ଆଲୋକ ଭୋଇ (୨୨)। ତେବେ ଯୁବକଙ୍କ ଆତ୍ମହତ୍ୟା ପଛରେ ନିଶା ମୁଖ୍ୟ କାରଣ ବୋଲି ପରିବାର ଲୋକଙ୍କ ମୁହଁରୁ ଶୁଣିବାକୁ ମିଳିଛି। 

Advertisment

ପରିବାର ଲୋକଙ୍କ ସୂଚନା ଅନୁସାରେ ବନମାଳୀପୁର ଫାଣ୍ଡି ଅଧୀନ ଭାପୁରର କାଶୀନାଥ ଭୋଇଙ୍କ ଏକମାତ୍ର ପୁଅ ଆଲୋକ ଏବଂ ୨ ଝିଅ (ସାନ)। ଆଲୋକ ବିଭିନ୍ନ ମେଳା ମହୋସବରେ ମଥୁରା କେକ୍ ଷ୍ଟଲ କରନ୍ତି। ସେ କୁସଙ୍ଗ ରେ ପଡ଼ିଥିଲା। ବ୍ରାଉନସୁଗାର ନିଶା ସେବନ କରି ନିଶା କବଳରେ ପଡ଼ିଥିଲା। ସେଥିପାଇଁ ବହୁବାର ଘରୁ କଳି ଝଗଡା କରି ସେ ଜୋର ଜବରଦସ୍ତ ଟଙ୍କା ପଇସା  ନେଉଥିଲା। ପରିବାରରେ ପୁଅ ପାଇଁ ଅଶାନ୍ତି ଲାଗି ରହୁଥିଲା। କିଛି ଦିନ ହେବ ଆଲୋକ ଦୋକାନ କରିବାକୁ ବାପାଙ୍କୁ ୪୦ ହଜାର ଟଙ୍କା ମାଗିଥିଲା।

ଆହୁରି ପଢ଼ନ୍ତୁ: Bulldozer: ବାଲିପାଟଣା ହାଟ ଉପରେ ବୁଲ୍‌ଡୋଜର୍‌ ପାହାର

ବିଚରା ବାପା ଓ ମାଆ ପୁଅ ପାଇଁ ଟଙ୍କା ଯୋଗାଡ଼ରେ ଲାଗି ପଡ଼ିଥିଲେ। ଆଲୋକ ଆଜି ସକାଳୁ ଟଙ୍କା ପାଇଁ ଜିଦ କରିଥିଲା। ଅସହାୟ ବାପା ମଜୁରୀ ଲାଗିବାକୁ ଚାଲି ଯାଇଥିଲେ। ମାଆ ସାଙ୍ଗରେ କଳି ଝଗଡା କରି ଆଲୋକ ମଧ୍ୟାହ୍ନ ରେ ଘର ବାହାରି ଯାଇଥିଲା। ଗାଁ ନିକଟରେ ଥିବା ଜଙ୍ଗଲ ଆଡ଼କୁ ସେ ଏକାକୀ ଯାଇଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଆଲୋକଙ୍କୁ ଗଛ ଶାଖା ରେ ନିଜ ଗାମୁଛା ବେକରେ ବାନ୍ଧି ଝୁଲୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଏବଂ ସମ୍ପର୍କୀୟ ସେଠାରେ ପହଁଞ୍ଚି ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ମେଡିକାଲ ଆଣିଥିଲେ। ମୃତ ଘୋଷଣା ପରେ ହସ୍ପିଟାଲ କର୍ତୃପକ୍ଷ ଓ ପରିବାର ଲୋକେ ଏ ନେଇ ପୁଲିସ କୁ ସୂଚନା ଦେଇଥିବା ଜଣା ପଡ଼ିଛି।