କୋରାପୁଟ (ପ୍ରଦୀପ ପାଢ଼ୀ): କୋଟିଆ ଓଡ଼ିଶାର ଅବିଚ୍ଛେଦ ଅଙ୍ଗ। ଓଡ଼ିଶାରେ ରହିଛି ଏବଂ ରହିବ। କୋଟିଆ ପାଇଁ ପୂର୍ଣ୍ଣକାଳୀନ ରେଡ୍ମ୍ୟାପ୍ ପ୍ରସ୍ତୁତ ହେଉଛି। କେହି ବି କୋଟିଆ ଉପରେ ଆଖି ପକାଇଲେ ଛାଡ଼ିବୁ ନାହିଁ ବୋଲି ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହୁଥିବା ବେଳେ ଆନ୍ଧ୍ର କିନ୍ତୁ ନିଜ ଆଧିପତ୍ୟ ଜାରି ରଖିଛି। କୋଟିଆ ଅଞ୍ଚଳରେ ବାରମ୍ବାର ଅନୁପ୍ରବେଶ କରି ନିଜ ସ୍ଥିତି ଜାହିର କରିବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛି। ଥରେ ନୁହଁ କି ଦୁଇ ଥର ଗତ ୨୦୧୫ ମସିହାରେ ୧୦ ଥରରୁ ଊର୍ଦ୍ଧ୍ବ ଏଠାରେ ଅନୁପ୍ରବେଶ କରିଥିବା ସୂଚନା ମିଳିଛି।
କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତକୁ ନେଇ ଦୀର୍ଘବର୍ଷ ଧରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଛି।ଏହି ପଞ୍ଚାୟତର ୨୧ଟି ରାଜସ୍ବ ଗାଁକୁ ଲାଗିରହିଛି ସୀମା ବିବାଦ। ଏହି ଅଞ୍ଚଳଟି ଓଡ଼ିଶାର ବୋଲି ବହୁ ପ୍ରମାଣ ରହିଥିବା ସତ୍ତ୍ବେ ଆନ୍ଧ୍ର ସରକାର ଲୋକଙ୍କ ପ୍ରଲୋଭିତ କରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛି। କୋଟିଆର ବିକାଶ ପାଇଁ ରାଜ୍ୟ ସରକାର ବିବିଧ ଯୋଜନା ଓ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ତେବେ, ଆନ୍ଧ୍ର ସରକାର କେବଳ ଅନୁପ୍ରବେଶ କରୁନାହାନ୍ତି ବରଂ ଓଡ଼ିଶା ମାଟିରେ ପଶି ଦାଦାଗିରି ଦେଖାଇବାକୁ ବି ପଛାଉନାହାନ୍ତି।
ଆହୁରି ପଢ଼ନ୍ତୁ: Australian Open: ରିବାକିନାଙ୍କୁ ପ୍ରଥମ ଅଷ୍ଟ୍ରେଲିଆନ୍ ଓପନ୍ ଟ୍ରଫି
ଗତ ସପ୍ତାହ ମଧ୍ୟରେ ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଟେଣ୍ଟ ଭାଙ୍ଗିବା, ଆନ୍ଧ୍ର ସରକାରୀ ଦଳର ନେତା ବୈଠକ କରି ଚେତାବନୀ ଦେବା ସହ ଆନ୍ଧ୍ର ଅଧିକାରୀ କେୱାଇସି ସର୍ଭେ ନାମରେ ଅନୁପ୍ରବେଶ କରି ଓଡ଼ିଶାକୁ ସିଧାସଳଖ ଚ୍ୟାଲେଞ୍ଜ କରିଥିବା ଦେଖାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୋଟିଆ ପଞ୍ଚାୟତର ୩୦ଖଣ୍ଡ ଗାଁକୁ ନେଇ କୋଟିଆ ପଞ୍ଚାୟତ ରହିଥିବା ବେଳେ ଆନ୍ଧ୍ର ପକ୍ଷରୁ ୨୧ଟି ଗାଁକୁ ନେଇ ତଳଗଞ୍ଜାଇ ଭଦ୍ରା, ଫଗୁଣ ସିନାରି ଓ ଫାଟୁ ସିନାରି ୩ଟି ପଞ୍ଚାୟତ ଗଠନ ହୋଇଛି। ଏହି ୨୧ଟି ଗ୍ରାମକୁ ନେଇ ଲାଗିରହିଛି ବିବାଦ। ଏଠାରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ଓ ବିଧାନସଭା ନିର୍ବାଚନ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଗ୍ରାମବାସୀ ଉଭୟ ସରକାରଙ୍କ ଯୋଜନାର ହିତାଧିକାରୀ ହୋଇଛନ୍ତି।
ରାଜ୍ୟ ସରକାର ଏଠାରେ ସମସ୍ତ ଯୋଜନା କାର୍ଯ୍ୟକାରୀ କରିବା ସତ୍ତ୍ବେ ଆନ୍ଧ୍ର ସରକାରଙ୍କ କିଛି ଯୋଜନା ସେମାନଙ୍କୁ ଅଧିକ ଆକୃଷ୍ଟ କରୁଛି। ଭତ୍ତା, ରାସନ୍ ସମାଗ୍ରୀ ବଣ୍ଟନ ଠାରୁ ଆରମ୍ଭ କରି ଛୁଆ ଜନ୍ମ ହେବା ପରେ ଆନ୍ଧ୍ର ସରକାରଙ୍କ ‘ଆମାବାଡ଼ି’ ଯୋଜନାରେ ୧୫ ହଜାର ଟଙ୍କାର ସହାୟତା ଲୋକଙ୍କୁ ଅଧିକ ପ୍ରଲୋଭିତ କରୁଛି। ବିଭିନ୍ନ ଏଜେଣ୍ଟଙ୍କ ଜରିଆରେ ଆନ୍ଧ୍ର ଏଠାରେ ଅନୁପ୍ରବେଶ ଜାରି ରଖିଛି। ପ୍ରତି ସପ୍ତାହରେ ଆନ୍ଧ୍ରର ବିଭିନ୍ନ ଅଧିକାରୀ ଓ ନେତା ବିିଭିନ୍ନ ବାହାନାରେ ଏଠାରେ ଅନୁପ୍ରବେଶ କରୁଛନ୍ତି। ୨୦୨୩ରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା କୋଟିଆ ପଞ୍ଚାୟତର ନେରିଡିବାଲସା ଗସ୍ତ କରିଥିଲେ। ବହୁ ସମୟରେ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ଅଧିକାରୀମାନେ ବି ମୁହଁାମୁହଁ ହୋଇଛନ୍ତି। ଶାସକ ଓ ବିରୋଧୀ ଦଳର ନେତା ଗସ୍ତ କରି କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହି ଉକ୍ତ ଅଞ୍ଚଳବାସୀଙ୍କ ଭରସା ଦେଇଆସିଛନ୍ତି।
ଆନ୍ଧ୍ରପ୍ରଦେଶର ଅନୁପ୍ରବେଶକୁ ନେଇ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ୍ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ବାର୍ତ୍ତା ଜାରି କରି ବିଧାୟକ କାଡାମ୍ କୋଟିଆ ଓଡ଼ିଶାର ଏକ ଅଙ୍ଗ ବୋଲି କହିବା ସହ ଆନ୍ଧ୍ରର ଦୟାରେ କେନ୍ଦ୍ର ସରକାର ଚାଲିଛି। କେନ୍ଦ୍ର ସରକାରକୁ ବଞ୍ଚାଇବା ପାଇଁ ଓଡ଼ିଶା ସରକାର ନରମ ମନୋଭାବ ପ୍ରଦର୍ଶନ କରୁଛି। କୋଟିଆରେ ଆନ୍ଧ୍ର କ୍ରମାଗତ ଭାବେ ଅନୁପ୍ରବେଶ କରିବାହ ସମସ୍ତ ପ୍ରମାଣ ରହିଥିଲେ ବି ଓଡ଼ିଶା ସରକାର ନରମ ମନୋଭାବ ପ୍ରଦର୍ଶନ କରୁଛି ବୋଲି କହିଛନ୍ତି।
Follow Us