Ganja Seized at Malkangiri Photograph: (sambad.in)
ବୈପାରିଗୁଡା: ପୁଲିସ ଆଗରେ କାମ ଦେଉନି ଗଞ୍ଜେଇମାଫିଆଙ୍କ ଚାଲାକି। ପୁଲିସର ଆଖିରେ ଧୂଳି ଦେଇ ଖସିଯିବାକୁ ଚେଷ୍ଟା କରି ଭିନ୍ନ ଭିନ୍ନ କୌଶଳ ଆପଣାଉଛନ୍ତି ମାଫିଆ। କେତେବେଳେ ତେଲ ଟ୍ୟାଙ୍କର ତ କେତେବେଳେ ଗାଡ଼ିର ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚୋରାଚାଲାଣ କରିବାକୁ ଚେଷ୍ଟା କରି ଧରା ପଡୁଛନ୍ତି ପୁଲିସ ହାତରେ।
ଗତକାଲି ସକାଳେ (ଓଡି ୩୦ ୮୪୪୦) ନମ୍ବର ବିଶିଷ୍ଟ ଏକ ପିକ୍ଅପ୍ ଭ୍ୟାନରେ ପରିବା ଟ୍ରେ ଭିତରେ ଗଞ୍ଜେଇ ବୋଝେଇ ହୋଇ ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଆଡୁ ବୈପାରିଗୁଡା ପଟେ ଆସୁଥିବା ଖବର ପାଇଥିଲା ବୈପାରିଗୁଡା ପୁଲିସ। ଖବର ପାଇବା ପରେ ବୈପାରିଗୁଡା ଥାନା ଓଆଇସି ଡମ୍ବରୁଧର ବାତ୍ରିଆଙ୍କ ନିର୍ଦ୍ଦେଶକ୍ରମେ ଧୀରେନ୍ଦ୍ର ବାରିକଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ପେଟ୍ରୋଲିଂ ପାଇଁ ବାହାରିଥିଲେ। କାମିଡିପଦର ଛକ ନିକଟରେ ଉକ୍ତ ପିକ୍ଅପ୍ ଭ୍ୟାନକୁ ସନ୍ଦେହରେ ଅଟକାଇ ଥିଲେ। ଭ୍ୟାନର ତଲାସି କରାଯାଇଥିଲା। ଆଗକୁ ପରିବା ବୋଝେଇ ଖାଲି ଟ୍ରେ ଭିତରେ ଗଞ୍ଜେଇ ଥିବା ଜଣାପଡିଥିଲା।
ଚାଲାଣକାରୀ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି ୯୦ ଗ୍ରାମର ଡାନେଲ୍ ହରିଜନ ଏବଂ ମାଲକାନଗିରି ଆଶୀର୍ବାଦ କଲୋନୀର ରମେଶ ବାଗ୍। ଦୁଇଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୈପାରିଗୁଡା ପୁଲିସ। ପିକ୍ଅପ୍ ଭ୍ୟାନକୁ ଥାନାକୁ ଆଣି ଜବତ ଗଞ୍ଜେଇ ଓଜନ କରିବାରୁ ସେଥିରେ ୭ କୁଇଣ୍ଟାଲ ୬୩ କିଲୋ ଥିବା ଜଣାପଡ଼ିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି। ଗଞ୍ଜେଇ ଆନ୍ଧ୍ରପ୍ରଦେଶକୁ ଚାଲାଣ କରାଯିବାର ଯୋଜନା ଥିଲା ବୋଲି ଚାଲାଣକାରୀ କହିଛନ୍ତି।
Follow Us