Hidma killed by police. Photograph: (sambad.in)
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଡବି ହିଡ଼ମା ହେଉଛି ମାଓ ସଂଗଠନର ସବୁଠାରୁ ଶକ୍ତିଶାଳୀ ଓ ଆତଙ୍କ ଖେଳାଇ ଥିବା ମାଓନେତା। ସେଣ୍ଟ୍ରାଲ କମିଟି ମେମ୍ବର ପଦବିରେ ରହିବା ସହ ସେ ପିଏଲଜିଏର ବାଟାଲିୟନ ନମ୍ବର-୧ର ଥିଲା ମୁଖ୍ୟ। ୧୯୮୧ ମସିହାରେ ଛତିଶଗଡ଼ର ବିଜାପୁର ଜିଲ୍ଲାର ପୂବର୍ତ୍ତି ଗାଁରେ ଜନ୍ମ ଗ୍ରହଣ କରିଥିଲା। ବର୍ତ୍ତମାନ ହିଡମାର ବୟସ ୪୩ ବର୍ଷ। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିଥିଲା। ୧୭ ବର୍ଷ ବୟସରେ ସେ ମାଓ ସଂଗଠନ ସହ ଜଡ଼ିତ ହୋଇଥିଲା।
ଓଡିଶା, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ସହ ମହାରାଷ୍ଟ୍ରରେ ପୁଲିସ ଓ ଲୋକଙ୍କୁ ଭୟଭୀତ କରି ରଖିଥିଲା। ମାଓ ସଂଗଠନରେ ସର୍ବୋଚ୍ଚ ପଦବିରେ ରହିଥିଲା ଜଣେ ମାତ୍ର ଆଦିବାସୀ ନେତା। ହିଡ଼ମା ଆମ୍ବୁସ ଲଗାଇ ଶତ୍ରୁକୁ ଧରାଶାୟୀ କରିବାରେ ଉସ୍ତାଦ ଥିଲା। ହିଡ଼ମାକୁ ସବୁବେଳେ ୪ ପର୍ଯ୍ୟାୟ ସୁରକ୍ଷା ରହୁଥିଲା। ନିଜ ସହ ୨୦୦ରୁ ୨୫୦ ନକ୍ସଲଙ୍କୁ ନେଇ ସବୁବେଳେ ରହୁଥିଲା। ୨୦୦୪ରୁ ୨୦୨୫ ମଧ୍ୟରେ ୨୬ଟି ବଡ ବଡ ହିଂସାରେ ସେ ଜଡିତ ଥିଲା। ଯାହା କି ଦେଶକୁ ଦୋହଲାଇ ଦେଇଥିଲା। ୧୫୦ରୁ ଊର୍ଦ୍ଧ୍ବ ଯବାନଙ୍କୁ ହତ୍ୟା କରିଛି ହିଡ଼ମା। ସେଥିମଧ୍ୟରୁ ୨୦୧୦ରେ ଛତିଶଗଡ଼ର ତାଡମେଟଲା ଆକ୍ରମଣ। ଏହି ଆକ୍ରମଣରେ ୭୬ ଜଣ ଯବାନ ସହିଦ ହୋଇଥିଲେ।
୨୦୧୩ରେ ଝିରମ ଘାଟି ଆକ୍ରମଣ
ସେହିପରି ୨୦୧୩ରେ ଝିରମ ଘାଟି ଆକ୍ରମଣ। ଏହି ଆକ୍ରମଣରେ ୩୧ ଜଣ କଂଗ୍ରେସର ଶୀର୍ଷ ନେତାଙ୍କର ମୃତ୍ୟୁ ହୋଇଥିଲା। ୨୦୧୭ରେ ବୁରକାପାଲ ହମଲା। ଏହି ହମଲାରେ ୨୫ ଜଣ ସିଆରପିଏଫ ସହିଦ ହୋଇଥିଲେେ। ୨୦୨୧ରେ ବିଜାପୁର ଗୁଳିବିନିମୟରେ ୨୨ ଜଣ ଯବାନ ସହିଦ ହୋଇଥିଲେ। ଏହି ସବୁ ବଡ ବଡ ଏନକାଉଣ୍ଟରରେ ହିଡମା ହିଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ନେତୃତ୍ବ ନେଇଥିଲା। ଏଥିସହ ପୁଲିସ ଉପରେ ଆକ୍ରମଣ କରିବା,ପୁଲିସ ଇନଫର୍ମରକୁ ହତ୍ୟା କରିବା,ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜିବା ଭଳି ହିଂସା ଘଟାଇ ସାରିଛି। ବୋମା ତିଆରି କରିବା ସହ ଗରିଲା ଯୁଦ୍ଧକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ଫିଲିପିନସ୍ ଯାଇ ଶିକ୍ଷା ଲାଭ କରିଥିଲା।
ଆହୁରି ପଢ଼ନ୍ତୁ: Naxal Encounter : ହିଡମା କିଏ ?
ସବୁବେଳେ ଏକେ-୪୭ ସହ ହିଡ଼ମା
ପାର୍ଟି ସଦସ୍ୟରୁ ସେ ପିଏଲଜିଏର ବାଟାଲିୟନ ନମ୍ବର ୧ର ମୁଖ୍ୟ ହୋଇଥିଲା। ପରେ ୨୦୨୫ ବେଳକୁ ତାକୁ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ପିଏଲଜିଏର ମୁଖ୍ୟ କରାଯାଉଥିଲା। ଗତ ୨୦ ବର୍ଷ ଧରି ହିଡମାକୁ କେହି ମଧ୍ୟ ଦେଖିନଥିଲେ। ୨୦ ବର୍ଷ ତଳର ଏକ ପୁରୁଣା ଫଟୋ ହିଁ ପୁଲିସ ଏବଂ ସୋସିଆଲ ମିଡିଆରେ ଘୁରି ବୁଲୁଥିଲା। ଗତବର୍ଷ ହିଡମାର ବର୍ତ୍ତମାନର ଏକ ଫଟୋ ଭାଇରାଲ ହୋଇଥିଲା। ପୁଲିସ ଏହି ଫଟୋକୁ ଦେଖିବା ପରେ ସେ ହିଁ ହିଡମା ବୋଲି ସ୍ପଷ୍ଟ ହୋଇଥିଲା। ୫ ରାଜ୍ୟର ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଥିଲା। ୨୦୧୪ରୁ ୨୦୨୫ ପର୍ଯ୍ୟନ୍ତ ପୁଲିସର ଟାର୍ଗେଟରେ ଥିବାରୁ ସେ ସବୁବେଳେ ନିଜ ସ୍ଥାନ ପରିବର୍ତ୍ତନ କରିବା ସହ ପୁଲିସ ନପହଞ୍ଚିବା ସ୍ଥାନମାନଙ୍କରେ ଲୁଚି ରହୁଥିଲା। ହିଡମା ସବୁବେଳେ ଏକେ-୪୭ ବନ୍ଧୁକ ଧରୁଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କିନ୍ତୁ ଚାରି ରାଜ୍ୟର ପୁଲିସକୁ ନଭେମ୍ବର ୩୦ ସୁଦ୍ଧା ହିଡମାକୁ ଜୀବନ୍ତ କିମ୍ବା ମୃତ ଧରିବାକୁ ଟାର୍ଗେଟ ଦେଇଥିଲା। ତେବେ ଟାର୍ଗେଟର ୧୩ ଦିନ ପୂର୍ବରୁ ଦୁର୍ଦାନ୍ତ ହିଡମା ମୃତ୍ୟୁବରଣ କଲା। ହିଡମାର ମୃତ୍ୟୁ ପରେ ସଂଗଠନ ଦୋହଲି ଗଲା। ହିଡମା ପରେ ଦେବା,ଏରା ଓ ଚଲପତି ଭଳି ସେଣ୍ଟ୍ରାଲ କମିଟି ମେମ୍ବର ଏବେ ପୁଲିସର ଟାର୍ଗେଟରେ ରହିଛନ୍ତି।
ଆହୁରି ପଢ଼ନ୍ତୁ: Molestation In SCB: ଏସ୍ସିବିରେ ମହିଳା ରୋଗୀଙ୍କୁ ଅସଦାଚରଣ, ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ
Follow Us