Vikramdev sales vegetables in Malknagiri. Photograph: (sambad.in)
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ବାପା,ମା‘ ପିଲାଙ୍କୁ ଉଚ୍ଚ ଶିକ୍ଷିତ କରୁଛନ୍ତି ସତ କିନ୍ତୁ ଆଜି ବେକାରୀ ସମସ୍ୟା ବଢୁଥିବାରୁ ପିଲାମାନେ ଚାକିରି ନପାଇ ବାଧ୍ୟ ହୋଇ ଛୋଟବଡ ବ୍ୟବସାୟ କରୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରିରେ। ଜାତୀୟ ରାଜପଥ କଡରେ ପରିବା ବିକ୍ରି କରୁଛନ୍ତି ଜଣେ ବି-ଟେକ୍ ଛାତ୍ର। ଚାକିରି ନ ପାଇ ଉଚ୍ଚ ଶିକ୍ଷିତ ଛାତ୍ର ବିକ୍ରମଦେବ ହାଲଦାର ଏବେ ରାସ୍ତା କଡରେ ପନିପରିବା ବିକ୍ରି କରୁଛନ୍ତି।
ମାଲକାନଗିରି ସହରର ଛାତି ଉପରେ ଜଣେ ଉଚ୍ଚ ଶିକ୍ଷିତ ଛାତ୍ରଙ୍କ ଏପରି ପରିବା ବ୍ୟବସାୟକୁ ନେଇ ଏବେ ସହରରେ ବେଶ୍ ଚର୍ଚ୍ଚା। ମାଲକାନଗିରି ସହରର ଜନଗହଳିପୁର୍ଣ୍ଣ ବାଲିମେଳା ଛକ ନିକଟରେ ବିକ୍ରମଦେବ ଆଜି ସୁଲଭ ମୁଲ୍ୟରେ ପନିପରିବା ବିକ୍ରି କରୁଥିବାରୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ବିକ୍ରମଦେବ ହାଲଦାର ୭ ବର୍ଷ ପୁର୍ବେ ବିଟେକ୍ ମେକାନିକାଲ ଡିଗ୍ରି ହାସଲ କରିଛନ୍ତି।
ଚାକିରି ସମସ୍ୟା
ତେବେ ଚାକିରି ପାଇଁ ନାନା ସଙ୍ଘର୍ଷ କରି ବିଫଳ ହେବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ବିକ୍ରମ ଦେବ ହାଲଦାର। ୨୦୧୧ ମସିହାରେ ଇଂରାଜୀ ମିଡିୟମ ବିଦ୍ୟାଳୟରୁ ଦଶମ ପାସ କରି ଥିଲେ ବିକ୍ରମଦେବ। ପରେ ୨୦୧୮ ମସିହାରେ ଭୁବନେଶ୍ୱରର ଏକ ନାମିଦାମୀ ଶିକ୍ଷା ଅନୁଷ୍ଠାନରେ ବିଟେକ୍ ମେକାନିକାଲ ଡିଗ୍ରି ହାସଲ କରିଥିଲେ। ଗତ ୫ରୁ ୬ ବର୍ଷ ହେଲା ଚାକିରି ପାଇଁ ବିଭିନ୍ନ ସ୍ଥାନରେ ଆବେଦନ କରିଥିଲେ ମଧ୍ୟ ତାଂକୁ ଚାକିରି ଖଣ୍ଡିକ ମିଳିଲା ନାହିଁ। ଶେଷରେ ବାଧ୍ୟ ହୋଇ ପରିବା ବିକ୍ରି କଲେ। ମାତ୍ର ୧୦ ହଜାର ଟଂକାରେ ସେ ପରିବା କିଣି ବିକ୍ରି କରୁଥିବା କହିଛନ୍ତି। କୌଣସି କାମ ଛୋଟ ନୁହେଁ ବୋଲି ସେ ଯୁକ୍ତି ବାଢନ୍ତି।
ଆହୁରି ପଢ଼ନ୍ତୁ: Winter Session: ୧ରୁ ସଂସଦର ଶୀତ ଅଧିବେଶନ, ଆସିପାରେ ୧୨ଟି ବିଲ୍
ବିରିୟାନୀ ବିକନ୍ତି ବିଟେକ୍ ଛାତ୍ର
ପ୍ରକାଶ ଥାଉକି ପୂର୍ବରୁ ମଧ୍ୟ ମାଲକାନଗିରି ଜିଲ୍ଲାର ଦୁଇ ବିଟେକ ଛାତ୍ର ବିରିୟାନୀ ବିକ୍ରି କରୁଥିବାର ନଜିର ରହିଛି। ଏଥିସହ ବିଭିନ୍ନ ସ୍ଥାନରେ ବିଟେକ ଛାତ୍ର ଚାହା ବିକ୍ରି କରୁଥିବାର ଦେଖିବାକୁ ମିଳିଛି। ବେକାରୀ ସମସ୍ୟା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି।
Follow Us