ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଆସନ୍ତା ୨୬ ଡିସେମ୍ବରରୁ ମୟୂରଭଞ୍ଜ ଜିଲ୍ଲାରେ ଧାନ ମଣ୍ଡି ଖୋଲାଯିବ ବୋଲି ସୂଚନା ମିଳିଥିବାବେଳେ ବାମନଘାଟି ଉପଖଣ୍ଡରେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ମିଲରମାନଙ୍କ ଦଲାଲଙ୍କ ଉପଦ୍ରବ ଆରମ୍ଭ ହୋଇଗଲାଣି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଚାଷୀଙ୍କୁ ଟୋକନ ପ୍ରଦାନ କରିବା ପରେ ମଣ୍ଡିରେ ଚାଷୀମାନେ ନିଜର ଖରିଫ ଧାନ ବିକ୍ରୟ କରିବେ। ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ନିଷ୍ପତ୍ତିକ୍ରମେ ପଞ୍ଜିକୃତ ଚାଷୀମାନଙ୍କଠାରୁ ମଣ୍ଡି ଓ ଲାମ୍ପସ ମାଧ୍ଯମରେ ଧାନ ସଂଗ୍ରହ କରାଯିବ। ସେଥିରେ ୧୮ ଜଣ ମିଲର ଅଂଶଗ୍ରହଣ କରିବେ। କିନ୍ତୁ ଧାନ ସଂଗ୍ରହ ପୂର୍ବରୁ ବାମନଘାଟି ଉପଖଣ୍ଡର ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତବର୍ତି ଅଞ୍ଚଳର ଚାଷୀଙ୍କ ଧାନ ଉପରେ ଝାଡ଼ଖଣ୍ଡ ରାଜ୍ୟର ମିଲରଙ୍କ ନଜର ପଡ଼ିଛି। ଯାହାକୁ ନେଇ ରାଇରଙ୍ଗପୁର, ତିରିଂ, ଜାମଦା, ବହଳଦା, କୁସୁମୀ ପ୍ରଭୃତି ବ୍ଲକର ବିଭିନ୍ନ ଗ୍ରାମରେ ଦଲାଲମାନଙ୍କ ଉପଦ୍ରବ ଜାରି ରହିଛି।
ବାମନଘାଟି ଉପଖଣ୍ଡରେ ୧୬ ହଜାର ୯୮୫ ଜଣ ଚାଷୀ ଧାନ ବିକ୍ରୟ କରିବେ। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବାମନଘାଟି ଉପଖଣ୍ଡରେ ଭଲ ଅମଳ ମଧ୍ୟ ହୋଇଛି। ଯାହାକୁ ଦଲାଲ ନଜର କରି ଚାଷୀଙ୍କୁ ବୁଝେଇବା ଆରମ୍ଭ କରିଛନ୍ତି। ପଞ୍ଜିକୃତ ଚାଷୀଙ୍କୁ ଧାନ ବିକ୍ରି ନେଇ ଟୋକନ୍ ମିଳିବା ପୂର୍ବରୁ ଝାଡ଼ଖଣ୍ଡ ମିଲରମାନେ ବିଶୃଙ୍ଖଳା ସୃଷ୍ଟି କରିବାକୁ ପ୍ରୟାସ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି। ଚାଷୀମାନେ ଧାନ ମଣ୍ଡିରେ ବିକ୍ରି କରିବା ପୂର୍ବରୁ ନିଜ ନିଜ ରାଇସ୍ ମିଲ୍ ଗୋଦାମରେ ଧାନ ଗଦା କରିବାକୁ ଝାଡ଼ଖଣ୍ଡ ଦଲାଲ ବି ସକ୍ରିୟ ରହିଛନ୍ତି। ସୀମାନ୍ତ ଗ୍ରାମର ଆଦିବାସୀ ଚାଷୀଙ୍କୁ ଲୋଭ ଦେଖାଇ ଦଲାଲମାନେ ଧାନ କିଣୁଛନ୍ତି। ତାହା ପୁଣି ମଣ୍ଡିଠାରୁ ବହୁ କମ୍ ଦରରେ। ଦଲାଲ୍ ଧରା ନ ପଡ଼ିବାକୁ ଟ୍ରକ୍ ପରିବର୍ରେ ଛୋଟ ଛୋଟ ଗାଡ଼ିରେ ଧାନ ସଂଗ୍ରହ କରି ସୀମା ପାର୍ ହେଉଛନ୍ତି।
ଝାଡ଼ଖଣ୍ଡ ଯାଉଛି ଓଡ଼ିଶା ଧାନ
ସୀମାନ୍ତ ବିଭିନ୍ନ ଗଳାବାଟ ଦେଇ ଝାଡ଼ଖଣ୍ଡକୁ ଧାନ ଯାଉଛି। ଯାହାକୁ ଜାଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଯୋଗାଣ ବିଭାଗ କିମ୍ବା ଲାସ କର୍ମଚାରୀ ବିଫଳ ହେଉଛନ୍ତି। ଶୀତ ଦିନ ଥିବାରୁ ବିଶେଷ କରି ବିଳମ୍ବିତ ରାତି ଓ ବଢ଼ି ଭୋର୍ ସମଯରେ ଓଡ଼ିଶାରୁ ଝାଡ଼ଖଣ୍ଡକୁ ଧାନ ଯାଉଛି। ଚଳିତ ବର୍ଷ ରାଜ୍ୟ ସରକାର କ୍ରିଣ୍ଟାଲ ପିଛା ୩୧୬୯ ଟଙ୍କାରେ ଧାନ କିଣିବାକୁ ଯାଉଛନ୍ତି। କିନ୍ତୁ ଏହାପରେ ମଧ୍ୟ ଦଲାଲମାନେ ଚାଷୀଙ୍କ ଘରୁ ସିଧାସଳଖ ଧାନ କିଣି ନେଉଛନ୍ତି। ମଣ୍ଡି ଖୋଲିବାକୁ ବିଳମ୍ବ ଥିବାବେଳେ ଏତେ ଦିନ ଅମଳ ଧାନ ଗଚ୍ଛିତ କରି ରଖୁବା, ପୁଣି ଗାଡ଼ିରେ ନେଇ ମଣ୍ଡିରେ ବିକ୍ରି କରିବା ପାଇଁ ଅପେକ୍ଷା କରି ରହିବା କଥା ଭାବି ଚାଷୀମାନେ ଧାନକୁ ଜଲ୍ଦି ବିକ୍ରୟ କରି ଦେଉଛନ୍ତି। ଚାଷୀମାନେ ମଣ୍ଡିରେ ଅଧିକ ଟଙ୍କା ପାଇ ଲାଭବାନ ହେବା ବଦଳରେ କମ୍ ଦରରେ ବିକ୍ରି ନେଇ ଯୋଜନା କରିଛନ୍ତି।
ଆହୁରି ପଢ଼ନ୍ତୁ: ୩ୟ T-20: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ, ଭାରତ ଆଗରେ ୧୧୮ ରନର ଲକ୍ଷ୍ୟ
ଦଲାଲଙ୍କ ନଜର
ବଡ଼ବଡ଼ ଟୋକନ୍ ଚାଷୀଙ୍କୁ ଦଲାଲ୍ମାନେ ନଜର ପକାଇଛନ୍ତି। ଆଉ ସେହି ଚାଷୀମାନଙ୍କୁ ଦଲାଲ୍ମାନେ ଟାର୍ଗେଟ କରୁଛନ୍ତି। ସେମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଧାନକୁ ଝାଡ଼ଖଣ୍ଡ ରାଇସ୍ ମିଲ୍ରେ ବିକ୍ରି କରିବାକୁ କହୁଛନ୍ତି। ଉକ୍ତ ଦଲାଲି କାର୍ଯ୍ୟରେ ସ୍ଥାନୀୟ ଗ୍ରାମର କିଛି ଦଲାଲ୍ ମଧ୍ଯ ମିଶିକି ରହୁଛନ୍ତି। ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡିରେ ଶୀଘ୍ର ଧାନ ଉଠିବାକୁ ପର୍ଯ୍ୟାପ୍ତ ସୁବିଧା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ତାହା ପୂର୍ବରୁ ଧାନ ଚୋରା ଚାଲାଣ ଆରମ୍ଭ ହୋଇଗଲାଣି। ଅସାଧୁ ବ୍ୟକ୍ତି ଧାନ ସଂଗ୍ରହ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛନ୍ତି। ଏଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ଆହୁରି ପଢ଼ନ୍ତୁ: Naveen Pattnaik: ଲୋକଙ୍କ ପାଇଁ ଖର୍ଚ୍ଚ ହେଉ ମୋ ଦରମା, ନବୀନ ଦେଖାଇଲେ ବଡ ହୃଦୟ
Follow Us