ବୈଶିଙ୍ଗା: ଶୀତୁଆ ରାତିରେ ଯାତ୍ରା ଦେଖିବାର ମଜା ନିଆରାl ମଞ୍ଚ କଳାକାରଙ୍କ ବଳିଷ୍ଠ ସଂଳାପରେ ଦର୍ଶକଙ୍କୁ ଶୀତ ମଧ୍ୟ ଜଣାପଡ଼ି ନଥାଏ। ଗାଁ ପଡ଼ିଆରେ ଯାତ୍ରା ଚାଲିଥିବା ବେଳେ ଦର୍ଶକ ଏଥି ପାଇଁ ଉତ୍ସାହିତ ଥିଲେ। ଅନ୍ୟମାନଙ୍କ ଭଳି ରବୀନ୍ଦ୍ର ସେଠୀଙ୍କ ପରିବାର ମଧ୍ୟ ସୋମବାର ରାତିରେ ଯାତ୍ରା ଦେଖିବାକୁ ଯାଇଥିଲେl ଏହାର ସୁଯୋଗ ନେଇ ଘରେ ପଶି କଳାକନା ବୁଲାଇଲେ ଚୋରl ସମ୍ଭବତଃ ସେମାନେ ମାତ୍ର ଦୁଇ ଘଣ୍ଟାର ଅପରେସନ୍ କରିଥିଲେ। ନଗଦ ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଲୁଟି ଫେରାର ହୋଇ ଯାଇଥିଲେ। ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ପୁରୁଣିଆ ଗାଁରେ ସୋମବାର-ମଙ୍ଗଳବାର ରାତିରେ ଏଭଳି ଘଟଣା ଘଟିଛି।
ଏହି ଖବର ପଢ଼ନ୍ତୁ: ପୁଲିସକୁ ସିନ୍ଧିଚୋରଙ୍କ ଚ୍ୟାଲେଞ୍ଜ
ରବୀନ୍ଦ୍ର ସେଠିଙ୍କ ପରିବାର (ସ୍ତ୍ରୀ, ବଡପୁଅ, ବଡ଼ବୋହୂ, ଝିଅ ଓ ଜ୍ୱାଇଁ) ସୋମବାର ରାତି ପ୍ରାୟ ୧୧ଟା ସମୟରେ ଘରେ ଓ ଘରର ମୁଖ୍ୟ ଫାଟକରେ ତାଲା ଝୁଲାଇ ଗାଁ ମୁଣ୍ଡ ପଡ଼ିଆରେ ଆୟୋଜିତ ଅପେରା ଦେଖିବାକୁ ବାହାରି ଯାଇଥିଲେl ରାତି ପ୍ରାୟ ୧ଟା ୩୦ରେ ବଡପୁଅ ଘରକୁ ଫେରି ଆସିଥିଲେ। ସେ ଦେଖିବାକୁ ପାଇଥିଲେ ଯେ, ଘରର ମୁଖ୍ୟ ଫାଟକର ତାଲା ଭଙ୍ଗା ଯାଇଛି। ଏହା ପରେ ଭିତରକୁ ପଶି ପୁଣି ଦେଖିଲେ ଯେ, ଘରର ମୁଖ୍ୟ କବାଟର ତାଲା ମଧ୍ୟ ଭଙ୍ଗା ଯାଇଛି। ଘରର ଜିନିଷପତ୍ର ସମ୍ପୂର୍ଣ ମୁକୁଳା ହୋଇ ପଡିଛିl
ଏହି ଖବର ପଢ଼ନ୍ତୁ: ଅସଦଙ୍କ ଭଳି ଖାମେନି ସାମ୍ରାଜ୍ୟ ଧ୍ବଂସ ଯୋଜନା
ଘଟଣା ସଂପର୍କରେ ସେ ରବୀନ୍ଦ୍ରଙ୍କୁ ଖବର ଦେଇଥିଲେ। ରବୀନ୍ଦ୍ର ସାହିପଡିଶାଙ୍କ ସହିତ ଆସି ଘଟଣାସ୍ଥଳରେ ପହଞ୍ଚି ଦେଖିବାକୁ ପାଇଥିଲେ ଯେ ଶୋଇବା କୋଠାରୀଗୁଡିକର ତାଲା ଭଙ୍ଗାଯିବା ସହିତ ୨ଟି ଲୁହା ଆଲମିରା, ଗୋଟେ କାନ୍ଥ ଆଲମିରା ଓ ଏକାଧିକ ବାକ୍ସର ତାଲା ଭଙ୍ଗା ଯାଇଛି। ଭିତରେ ଥିବା ଆସବାପତ୍ର ସବୁ ଛିନ୍ଭିନ୍ ହୋଇ ପଡ଼ିଛିl ପରେ ଦେଖିବାକୁ ପାଇଥିଲେ ଯେ ତାଲା ଭଙ୍ଗା ଯାଇ ତାଙ୍କ ଦୁଇ ପୁଅଙ୍କ ୨ଟି ଲୁହା ଆଲମିରା ଭିତରେ ଥିବା ଏକାଧିକ ସୁନା ହାର, ମଙ୍ଗଳସୂତ୍ର, କାନଫୁଲ, ମୁଦି, ପଦକ ସହିତ ଅନେକ ରୁପା ତିଆରି ଗହଣା ଲୁଟ୍ ହୋଇଯାଇଛିl
ଆଲମିରାରୁ ସୁନା ଅଳଙ୍କାର ବାହାର କରି ଖଟ ଉପରେ ରଖି ଅଳଙ୍କାର ଲୁଟି ନେଇ ଖୋଳ ଛାଡ଼ି ଯାଇଛନ୍ତି ଚୋରl ରବୀନ୍ଦ୍ର ନିଜର ଏକ ବାକ୍ସରେ ରଖିଥିବା ସୁନାହାର, ମଙ୍ଗଳସୂତ୍ର, ପଦକ ଓ ମୁଦି ସମେତ ରଖିଥିବା ନଗଦ ୨ଲକ୍ଷ ୫୦ହଜାର ଟଙ୍କାକୁ ବି ଲୁଟି ନେଇଛନ୍ତି।
ଏହି ଖବର ପଢ଼ନ୍ତୁ: ଚାଲିଗଲା ତିନି ଜୀବନ
ଏ ନେଇ ରବୀନ୍ଦ୍ର ଥାନାକୁ ଜଣାଇବା ପରେ ପୁଲିସ ତତକ୍ଷଣାତ ରାତିରେ ହିଁ ଘଟଣାସ୍ଥଳରେ ପହଞ୍ଚି ଥିଲାl ପରେ ଏନେଇ ରବୀନ୍ଦ୍ରଙ୍କ ଲିଖିତ ଅଭିଯୋଗ ପାଇବା ପରେ ୪୬୩/୨୪ନଂରେ ଏକ ମାମଲା ରୁଜୁ କରି ଖୋଦ ଥାନା ଅଧିକାରୀ ତପନ କୁମାର ପ୍ରଧାନ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏହା ସହିତ ମଙ୍ଗଳବାର ଅପରାହ୍ନରେ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛନ୍ତି।
ଏହି ଖବର ପଢ଼ନ୍ତୁ: ପାରାଦୀପରେ ଫସିଲେ ୭୮ ବାଂଲାଦେଶୀ