ଜଗତସିଂହପୁର: ବିଗତ କିଛି ମାସ ହେଲା ଭାରତ-ବାଂଲାଦେଶର ସଂପର୍କରେ ମଧୁରତା ନାହିଁ। ବିଭିନ୍ନ କାରଣକୁ ନେଇ ଉଭୟ ଦେଶ ମଧ୍ୟରେ ସଂପର୍କ ଭଲ ନଥିବା ବେଳେ ଏଥିରେ ସୁଧାର ଆଣିବା ପାଇଁ ଉଦ୍ୟମ କରାଯାଉଛି। ଏହାରି ମଧ୍ୟରେ ଭାରତୀୟ ସମୁଦ୍ର ସୀମାରୁ ୨ଟି ବାଂଲାଦେଶୀ ମାଛଧରା ଟ୍ରଲର ଜବତ ହୋଇଛି। ଏହି ଟ୍ରଲରେ ୭୮ ଜଣ ମତ୍ସ୍ୟଜୀବୀ ଥିଲେ। ମତ୍ସ୍ୟଜୀବୀମାନଙ୍କୁ ଅଟକ ରଖି ତଟରକ୍ଷୀ ବାହିନୀ ଖୋଳତାଡ଼ କରୁଛି।
ଏହି ଖବର ପଢ଼ନ୍ତୁ: ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି
ବଙ୍ଗୋପସାଗରରେ ଅଟକ ଥିବା ସମସ୍ତ ବାଂଲାଦେଶୀ ମତ୍ସ୍ୟଜୀବୀ ସୁସ୍ଥ ଅଛନ୍ତି। ସେମାନେ ମାଛ ଧରିବାକୁ ଆସିଥିବା ବେଳେ ଭାରତୀୟ ସୀମାକୁ ଚାଲିଆସିଥିବା ସନ୍ଦେହ କରାଯାଉଛି। ମତ୍ସ୍ୟଜୀବୀମାନେ ଅଜାଣରେ ସାମୁଦ୍ରିକ ସୀମା ଅତିକ୍ରମ କରିବା ନୂଆ କଥା ନୁହେଁ। ତେବେ ବାଂଲାଦେଶୀ ମତ୍ସ୍ୟଜୀବୀମାନେ ଜାଣିଶୁଣି ଭାରତୀୟ ସମୁଦ୍ର ସୀମାରେ ମାଛ ଧରୁଥିଲେ କି ଅଜାଣତରେ ପ୍ରବେଶ କରିଥିଲେ, ତଦନ୍ତ ପରେ ଜଣାପଡ଼ିବ।
ସୂଚନା ଅନୁସାରେ ଭାରତୀୟ ଜଳ ସୀମାରେ ୭୮ ଜଣ ବାଂଲାଦେଶୀ ଚଳପ୍ରଚଳ କରୁଥିବା ନେଇ ତଟରକ୍ଷୀ ବାହିନୀ ଜାଣିବାକୁ ପାଇଥିଲେ। ଏମାନଙ୍କ ଉପରେ ଅତର୍କିତ ଚଢ଼ାଉ କରି ଭାରତୀୟ ତଟରକ୍ଷୀ ବାହିନୀ ଦୁଇଟି ଟ୍ରଲରକୁ ପାରାଦୀପ ଆଣିଛି। ଏହି ୨ଟି ଟ୍ରଲରେ ୭୮ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ ଅଛନ୍ତି। ତଟରକ୍ଷୀ ବାହିନୀ ପକ୍ଷରୁ ସମସ୍ତ ବାଙ୍ଗଲାଦେଶୀଙ୍କୁ ଅଟକ ରଖିଛି। ତଟରକ୍ଷୀ ବାହିନୀ ସେମାନଙ୍କୁ ସାମୁଦ୍ରିକ ଥାନା ପୁଲିସକୁ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି।
ଏହି ଖବର ପଢ଼ନ୍ତୁ: ଖସିପଡ଼ିଲେ ଶ୍ରମିକ, ଚାଲିଗଲା ଜୀବନ
ସୂଚନାଯୋଗ୍ୟ, ବାଂଲାଦେଶରେ ସଂରକ୍ଷଣକୁ ନେଇ ହିଂସାକାଣ୍ଡ ଘଟିବା ପରେ ତତ୍କାଳନୀ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡ଼ି ପଳାୟନ କରିଛନ୍ତି। ହସିନା ଭାରତର ଶରଣ ନେଇଛନ୍ତି। ତେବେ ହସିନା ଦେଶ ଛାଡ଼ିବା ପରେ ବାଂଲାଦେଶରେ ହିନ୍ଦୁମାନଙ୍କର ଉପରେ ନିର୍ଯାତନା ବଢ଼ି ଚାଲିଛି। ନିକଟରେ ଇସ୍କନର ପୂଜାରୀ ଚିନ୍ମୟ କ୍ରିଷ୍ଣ ଦାସଙ୍କୁ ଗିରଫ କରିବା, ୨ଟି ଇସ୍କନ ମନ୍ଦିରରେ ନିଆଁଲଗାଇବା ପରେ ଉତ୍ତେଜନା ଆହୁରି ବଢ଼ିଛି।
ଏହି ଖବର ପଢ଼ନ୍ତୁ: ଅସଦଙ୍କ ଭଳି ଖାମେନି ସାମ୍ରାଜ୍ୟ ଧ୍ବଂସ ଯୋଜନା
ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖିଛନ୍ତି। କାରଣ ଅନୁପ୍ରବେଶକାରୀମାନେ ଜଳପଥ, ସ୍ଥଳପଥ ଦେଇ ଭାରତ ଆସିପାରନ୍ତି। ବିଶେଷ କରି ଓଡିଶା ମୁହିଁ ହେଉଥିବା ଅନୁପ୍ରବେଶକାରୀଙ୍କ ଉପର ତୀକ୍ଷ୍ଣ ନଜର ରଖିଛି ପୁଲିସ। ଏଥିପାଇଁ ସମୁଦ୍ର ପଥ ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି। ପାରାଦ୍ବୀପରେ ମଧ୍ୟ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ସନ୍ଦେହ ହେଉଥିବା ଲୋକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।
ଏହି ଖବର ପଢ଼ନ୍ତୁ: ଯାତ୍ରୀବାହୀ ବସ୍ ଧକ୍କାରେ ଚାଲିଗଲା ତିନି ଜୀବନ