ରାୟଗଡ଼ା (ଶିବ ପ୍ରସାଦ ଦୋରା): ଦିନକୁ ଦିନ ରାୟଗଡା ଜିଲ୍ଲାରେ ଦାଦନ ଖଟିବାକୁ ଯାଇଥିବା ଲୋକଙ୍କ ଦୁଃଖ ବଢ଼ୁଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ୧୦ରୁ ଊର୍ଦ୍ଧ୍ବ ଲୋକ ଦାଦନ ଖଟିବାକୁ ଯାଇ ମୃତ୍ୟବରଣ କରିଥିବା ବେଳେ କିଛି ଲୋକ ନିଖୋଜ ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଆଜି ରାୟଗଡ଼ା ବ୍ଲକ ପଦକାପାଡୁ ଗ୍ରାମର ଶାନ୍ତି ମିଣିଆକା ନିଜର ସ୍ବାମୀ ଫକିର ମିଣିଆକା (୩୬) ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଥିବା ସୂଚନା ଦେବା ସହ ତାଙ୍କ ସ୍ବାମୀଙ୍କୁ ଖୋଜି ଆଣିବା ପାଇଁ ଆକୁଳ ନିବେଦନ କରିଛନ୍ତି। ଏନେଇ ରାୟଗଡ଼ା ଆରକ୍ଷୀ ଅଧୀକ୍ଷକଙ୍କୁ ଲିଖିତ ଭାବେ ମଧ୍ୟ ଅବଗତ କରିଛନ୍ତି।
ସୂଚନା ଅନୁଯାୟୀ ଗତ ଡିସେମ୍ବର ମାସ ୩ ତାରିଖ ଦିନ ରାୟଗଡ଼ା ବ୍ଲକ କୁମ୍ବିକୋଟା ପଞ୍ଚାୟତର ଟିଟିଝୋଲା ଗ୍ରାମର ମଇଁଷି କାଣି ନାମକ ମଧ୍ୟସ୍ଥି ବାଙ୍ଗାଲୋରରେ କାର୍ଯ୍ୟ କରିବ ବୋଲି ଫକିରଙ୍କୁ ନେଇ ରାୟଗଡା ଷ୍ଟେସନରେ ଦଲାଲଙ୍କ ହାତରେ ଟେକି ଦେଇଥିଲା। ତାଙ୍କୁ ଖାଇବା ପିଇବା ସହ ମାସକୁ ୧୨ହଜାର ଟଙ୍କା ମିଳିବ ବୋଲି କୁହାଯାଇଥିଲା। କିନ୍ତୁ ୨୧/୧୨/୨୫ ତାରିଖ ଦିନ ଉକ୍ତ ଦଲାଲ ଫୋନ ଯୋଗେ ପରିବାରକୁ ଫକିର କାମରେ ଯୋଗଦେଇନାହିଁ ବୋଲି ଜଣାଇଥିଲା। ଫକିରକୁ କାମକୁ ନେଇଥିବା ଲୋକର ଫୋନ ନମ୍ବର ୭୯୭୮୨୪୮୫୨୫ ବୋଲି ସ୍ତ୍ରୀ ଶାନ୍ତୀ ଲିଖିତ ଭାବରେ ଜଣାଇଛନ୍ତି। କିନ୍ତୁ ଫକିରକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିପାରୁନାହିଁ ବୋଲି ଶାନ୍ତୀ କହିଛନ୍ତି।
ଠକିଦେଲେ ଦଲାଲ
ଅନ୍ୟପଟେ ଫକିରକୁ କାମଦେବି ବୋଲି କହି ନେଇଥିବା ବ୍ୟକ୍ତି ଦେଉଥିବା ତଥ୍ୟରେ କୌଣସି ତାଳମେଳ ରହୁନଥିବା ଏବଂ ମିଥ୍ୟା ତଥ୍ୟ ଦେଉଥିବାରୁ ଫକିର ମୃତ କି ଜୀବିତ ସେନେଇ ସଂଦେହ ଉପୁଜୁଥିବା ବୋଲି ସ୍ତ୍ରୀ ଶାନ୍ତି ଲିଖିତ ଭାବେ ଅଭିଯୋଗ କରିଛନ୍ତି। ସେମାନଙ୍କ ୨ଟି ଛୋଟଛୋଟ ପିଲା ଏବଂ ଫକିର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ସ୍ବାମୀଙ୍କୁ ଫେରାଇଆଣିବା ପାଇଁ ପ୍ରଶାସନ ଏବଂ ପୁଲିସକୁ ଆକୁଳ ନିବେଦନ କରିଛନ୍ତି।
ଆହୁରି ପଢ଼ନ୍ତୁ: Nuclear Data Leak: ବେଜିଂରେ ଆମେରିକାର ଗୁପ୍ତଚରୀ: ପରମାଣୁ ଫାଇଲ୍ ଲିକ୍
ଅଧିକାରୀ ଦେଲେ ଆଶ୍ବାସନା
ଏନେଇ ପରିବାର ରାୟଗଡା ଥାନାରେ ଗତ ଡିସେମ୍ବର ୨୭ ତାରିଖ ଦିନ ନିଖୋଜ ହେବା ନେଇ ଲିଖିତ ଅଭିଯୋଗ ହୋଇଥିଲା କିନ୍ତୁ ରାୟଗଡା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ପରିବାର ପ୍ରକାଶ କରିଛନ୍ତି। ଆଜି ସୂଚନା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ରବିନ୍ଦ୍ରନାଥ ତ୍ରିପାଠୀ ଫକିରକୁ କାର୍ଯ୍ୟକୁ ନେଇଥିବା ଗଂଜାମ ଅଞ୍ଚଳର ସଂଜୟ ସ୍ବାଇଁଙ୍କୁ ଯୋଗାଯୋଗ କରି ବେଙ୍ଗାଲୁରୁରେ ଏଫ.ଆଇ.ଆର ଦେବା ପାଇଁ କହିବା ସହ ଫକିରଙ୍କ ସଂପର୍କରେ ତଥ୍ୟ ଦେବା ପାଇଁ ତାଗିଦ କରିଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ତ୍ରିପାଠୀ ନିଖୋଜ ଫକିରଙ୍କୁ ଖୋଜିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Bangladesh Cricket: ବାଂଲାଦେଶ କ୍ରୀଡ଼ା ସାମ୍ବାଦିକଙ୍କୁ ଅନୁମତି ଦେବାକୁ ମନାକଲା ଆଇସିସି
Follow Us