ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ଦିନକ ପୂର୍ବରୁ ସୁନ୍ଦରଗଡ଼ରେ ଦେଖାଯାଇଥିବା ଉତ୍ତେଜନାରେ ସୁଧାର ଆସିଛି। ଗତକାଲି ସଂଧ୍ୟାରେ ସମସ୍ତ କଟକଣା ହଟିଲା ପରେ ଧୀରେଧୀରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି। ଦୋକାନ ବଜାର ଖୋଲା ରହିଛି। ସ୍କୁଲ କଲେଜ ଖୋଲିବା ସହ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଛି। ଗତକାଲି ସଂଧ୍ୟାରୁ ହିଁ ଜାରି କରାଯାଇଥିବା ୧୬୩ ବିଏନ୍ଏସ୍କୁ ହଟାଇବା ସହ ଇଣ୍ଟରନେଟ ସେବାକୁ ଚାଲୁ କରାଯାଇଥିଲା।
ଆଜି ସହରରେ ଜୀବନ ଯାତ୍ରା ସାମାନ୍ୟ ରହିଛି। ଅନ୍ୟପଟେ ପୁଲିସ ମଧ୍ୟ ଉପଦ୍ରବୀଙ୍କ ଚିହ୍ନଟ କରିବା ସହ ଧରପକଡ ଆରମ୍ଭ କରିଛି। ସହରରେ ସ୍ବାଭାବିକ ସ୍ଥିତି ଥିବା ସତ୍ତ୍ବେ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ଅଛନ୍ତି। ସଂପୂର୍ଣ୍ଣ ଭାବେ ସ୍ଥିତି ସ୍ବାଭାବିକ ନହେବା ଯାଏ ସହରରେ ପୁଲିସ ମୁତୟନ ରହିବେ ଏବଂ ପୁଲିସ ନାଟ୍ରୋଲିଂ ମଧ୍ୟ ଜାରି ରହିଛି। ଆଜି ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଚିହ୍ନଟ କରାଯାଇଥିବା ଗଣ୍ଡଗୋଳକାରୀଙ୍କୁ ମଧ୍ୟ ଧରିବା ପାଇଁ ପ୍ରୟାସ ଜାରି ରହିଥିବା କହିଛନ୍ତି ଏସ୍ଡିପିଓ ନିର୍ମଳ ମହାପାତ୍ର।
ଆହୁରି ପଢ଼ନ୍ତୁ: Train: ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଶୁଭାରମ୍ଭ
କ’ଣ ଥିଲା ମାମଲା?
ସୂଚନାଯୋଗ୍ୟ, ଗୁରୁବାର ଦିନ ପୂର୍ବାହ୍ଣ ୧୧ଟାରେ ଭିନ୍ନଗୋଷ୍ଠୀର କିଛିଲୋକ ଘରେ ଗୋମାଂସ ରଖିଥିବା ଗୁଜବ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଅନ୍ୟଗୋଷ୍ଠୀର ଯୁବକମାନେ ରିଜେଣ୍ଟ ମାର୍କେଟ୍ ଫାଟକ ଆଗରେ ଏକାଠିହୋଇ ପ୍ରତିବାଦ କରିଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ କିଛିଲୋକଙ୍କ ଘର ଯାଞ୍ଚ କରିଥିଲାା। କିନ୍ତୁ ଗୋମାଂସ ମିଳି ନଥିଲା। ଏ କଥା ଅନ୍ୟଗୋଷ୍ଠୀ ବିଶ୍ଵାସ କରିନଥିଲେ। ପରେ ଏହାକୁ ନେଇ ଉତ୍ତେଜନା ବଢ଼ି ସଂଘର୍ଷର ରୂପ ନେଇଥିଲା। ପରସ୍ପର ଉପରେ ପ୍ରବଳ ପଥରମାଡ଼ ହୋଇଥିବାବେଳେ ଭିନ୍ନଗୋଷ୍ଠୀର ଦୋକାନ ଭଙ୍ଗାରୁଜା, ଗାଡ଼ି ପୋଡ଼ି ଦିଆଯାଇଥିଲା। ପଥରମାଡ଼ରେ ୨ ପୁଲିସ କର୍ମଚାରୀଙ୍କ ସହ ଉଭୟଗୋଷ୍ଠୀର ୮ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
ଆହୁରି ପଢ଼ନ୍ତୁ: Murder: ଗୋଆରେ ପ୍ରେମିକା, ଅନ୍ୟ ଜଣେ ମହିଳାଙ୍କୁ ହତ୍ୟା କରି ରୁଷ୍ ନାଗରିକ ଗିରଫ
Follow Us