ବେଙ୍ଗାଲୁରୁ, ବାପୁ ଓ ବିରଞ୍ଚି ନିହାଲ
ପରାଗ ଆଚାର୍ଯ୍ୟ
ଏକ ଜାତୀୟ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିବା ପାଇଁ, ଗତ କିଛି ଦିନ ତଳେ ବେଙ୍ଗାଲୁରୁସ୍ଥିତ ଜାତୀୟ ଦୁଗ୍ଧ ଅନୁସନ୍ଧାନ ସଂସ୍ଥାକୁ ଯିବାର ସୁଯୋଗ ମିଳିଲା। ଯେଉଁ ଭାରତବର୍ଷ, ଆଜିର ବିଶ୍ବର ସର୍ବଶ୍ରେଷ୍ଠ ଦୁଗ୍ଧ ଉତ୍ପାଦନକାରୀ ଦେଶ ରୂପେ ଗୌରବର ବାନା ଉଡ଼ାଉଛି, ସେହି ଦୁଗ୍ଧ ବିପ୍ଳବର ବୀଜ କେବେ ଦିନେ ପଡ଼ିଥିଲା ଏହି ଦୁଗ୍ଧ ଅନୁସନ୍ଧାନ ସଂସ୍ଥା, ବେଙ୍ଗାଲୁରୁରେ। ୧୯୨୩ ମସିହାେର ବ୍ରିଟିଶ ସରକାରଙ୍କ ଦ୍ବାରା ମିଲିଟାରି ଡେରି ଫାର୍ମ, ବେଙ୍ଗାଲୁରୁର ପରିସରରେ ‘ଇମ୍ପେରିଆଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆନିମଲ୍ ହଜ୍ବ୍ୟାଣ୍ଡ୍ରି ଆଣ୍ଡ୍ ଡେରିଙ୍ଗ’ ନାମରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପିତ ହୋଇଥିଲା, ଯାହାର ଓଡ଼ିଆ ଅନୁବାଦ ହେବ ‘ରାଜକୀୟ ପଶୁପାଳନ ଓ ଦୁଗ୍ଧ-ଜାତ ସଂସ୍ଥା’। ଦେଶ ସ୍ବାଧୀନ ହେବା ପରେ, ୧୯୫୫ ମସିହାରେ ଏହି ସଂସ୍ଥାର ମୁଖ୍ୟାଳୟ ବେଙ୍ଗାଲୁରୁରୁ ହରିଆଣାର କର୍ଣ୍ଣଲ ସହରକୁ ସ୍ଥାନାନ୍ତରିତ ହୋଇଥିଲା ଓ ଏହାର ନୂତନ ନାମକରଣ କରାଗଲା: ‘ଜାତୀୟ ଦୁଗ୍ଧ ଅନୁସନ୍ଧାନ ସଂସ୍ଥା’ ବା ‘ନେସନାଲ ଡାଏରି ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍’। ସେବେଠାରୁ ବେଙ୍ଗାଲୁରୁ ଏହି ମୁଖ୍ୟna ସଂସ୍ଥାର ଏକ ଦକ୍ଷିଣ ଭାରତୀୟ ଉପସଂସ୍ଥା ଭାବେ କାର୍ଯ୍ୟ କରୁଛି। ସର୍ବଭାରତୀୟ ସ୍ତରରେ ଦୁଗ୍ଧ ସମ୍ବନ୍ଧୀୟ ଉନ୍ନତ ମାନର ଗବେଷଣା ଓ ଶିକ୍ଷା ପାଇଁ ଏହି ସଂସ୍ଥାର ବେଶ୍ ସୁଖ୍ୟାତି ରହିଛି।
ଅଧୁନା ଭାରତବର୍ଷର ଦୁଗ୍ଧ ଉତ୍ପାଦନ ପ୍ରାୟ ୨୪୭ ନିୟୁତ ଟନ୍ ଓ ମୁଣ୍ଡ ପିଛା ଦୁଗ୍ଧ ଆବଣ୍ଟନ ପ୍ରାୟ ୪୭୧ ଗ୍ରାମ୍। ଆମେରିକା, ଚୀନ, ବ୍ରାଜିଲ, ଇସ୍ରାଏଲ ପରି ଅନେକ ଦେଶକୁ ପଛରେ ପକାଇ ଭାରତକୁ ଏହି ଗୌରବ ଦେବାରେ ସର୍ବ ବୃହତ୍ ଅବଦାନ ରହିଛି ଭାରତର ଦୁଗ୍ଧ ଚାଷୀ ଓ ଦୁଗ୍ଧ ଚାଷ ସଂପର୍କିତ ଗବେଷଣାରେ ଲିପ୍ତ ବୈଜ୍ଞାନିକ, ଗବେଷକ ଛାତ୍ରଛାତ୍ରୀ ଓ ପ୍ରାଣୀ ଚିକିତ୍ସକମାନଙ୍କର। ଦୁଗ୍ଧ ଉତ୍ପାଦନ ପରିପ୍ରେକ୍ଷୀରେ ଆମେରିକା, ଚୀନ, ଅଷ୍ଟ୍ରେଲିଆ, ନିଉଜିଲ୍ୟାଣ୍ଡ ଓ ଇସ୍ରାଏଲ ପରି ବିକଶିତ ଦେଶ ଏବଂ ଭାରତ ମଧ୍ୟରେ ଥିବା ମୌଳିକ ପ୍ରଭେଦଟି ହେଉଛି, ‘ମାସ୍ ପ୍ରଡକ୍ସନ’ ବନାମ ‘ପ୍ରଡକ୍ସନ ବାଏ ମାସେସ୍’; ସରଳ ଭାଷାରେ କହିଲେ ଅତ୍ୟୁଚ୍ଚ ଉତ୍ପାଦନକ୍ଷମ ଗାଈ ଯଦି ସେମାନଙ୍କର ସଫଳତାର ଆୟୁଧ, ଆମ ସମୃଦ୍ଧିର ରହସ୍ୟ ହେଉଛି କମ୍ ଦୁଗ୍ଧ ଦେଉଥିବା ଦେଶୀ ଗାଈ ଓ ମଇଁଷିମାନଙ୍କର ବିପୁଳତା। ବିକଶିତ ଦେଶମାନଙ୍କର ଗାଈ ସଂଖ୍ୟା ଆମ ଦେଶ ତୁଳନାରେ କମ୍, କିନ୍ତୁ ପ୍ରତିଟି ଗାଈର ଉତ୍ପାଦକତା ଅଧିକ। ଏହାର ଅର୍ଥ ନୁହେଁ ଯେ ଭାରତରେ ଅଧିକ ଦୁଗ୍ଧ ଦେଉଥିବା ଗାଈମାନେ ନାହାନ୍ତି। କିନ୍ତୁ, ସେମାନଙ୍କର ସଂଖ୍ୟା ଯଥେଷ୍ଟ ନୁହେଁ। ଦେଶରେ ଉତ୍ପାଦିତ ହେଉଥିବା ସମୁଦାୟ ଦୁଗ୍ଧର ପ୍ରାୟ ୩୦% ସଙ୍କର ଜାତୀୟ ଗାଈମାନଙ୍କ ଦ୍ବାରା ହେଉଥିବା ସ୍ଥଳେ ୨୦% ହେଉଛି ଦେଶୀ ଗାଈମାନଙ୍କ ଦ୍ବାରା, ୪୬% ହେଉଛି ମଇଁଷି ଓ ପ୍ରାୟ ୪% ହେଉଛି ଛେଳିମାନଙ୍କ ଦ୍ବାରା।
ଭାରତୀୟମାନଙ୍କ ପାଇଁ ଗାଈ କେବଳ ଏକ ଉପାର୍ଜନର ମାଧ୍ୟମ ନୁହେଁ, ବରଂ ତା’ ସହିତ ଆମେ ଭାବନାତ୍ମକ ଭାବେ ଜଡ଼ିତ। ଅଳ୍ପ କ୍ଷୀର ଦେଉଥିବା ଗାଈ, ଚାଷୀ ପାଇଁ ବୋଝ ହୁଏ ନାହିଁ, ବରଂ ସେ ତାକୁ ପରିବାରର ସଦସ୍ୟ ପରି ମନେକରେ। ଏହାହିଁ ଆମ ସଫଳତାର ରହସ୍ୟ।
କୃଷି ଓ ପଶୁପାଳନକୁ ଗ୍ରାମ୍ୟ ଅର୍ଥନୀତିର ମଙ୍ଗ ବୋଲି କହୁଥିବା ଜାତିର ଜନକ ମହାତ୍ମା ଗାନ୍ଧୀ ୧୯୨୭ ମସିହାରେ, ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ସହ ବେଙ୍ଗାଲୁରୁସ୍ଥିତ ଜାତୀୟ ଦୁଗ୍ଧ ଅନୁସନ୍ଧାନ ସଂସ୍ଥାକୁ ପରିଦର୍ଶନରେ ଆସିଥିଲେ। ସେତେବେଳେ ଏହି ସଂସ୍ଥାର ନିର୍ଦ୍ଦେଶକ ଥାଆନ୍ତି ‘ଉଇଲିୟମ ସ୍ମିଥ’। ସ୍କଟଲ୍ୟାଣ୍ଡର ଜଣେ ବିଦ୍ବାନ ଲୋକ। ସଂପୂର୍ଣ୍ଣ ବ୍ରିଟିସ କାରିଗରି ଶୈଳୀରେ ଗଢ଼ି ଉଠିଥିବା ସେହି ଦ୍ବି-ତଳବିଶିଷ୍ଟ ଅଟ୍ଟାଳିକା, ଯେଉଁଠାରେ ‘ଇମ୍ପେରିୟାଲ ଇନ୍ଷ୍ଟିଚ୍ୟୁଟ୍’ର ଅଙ୍କୁରୋଦଗମ୍ ହୋଇଥିଲା, ଏବେ ଜରାଜୀର୍ଣ୍ଣ। ଆଧୁନିକ କାରିଗରି ଯାଦୁରେ ନୂତନ ପ୍ରୟୋଗଶାଳାମାନ ନିର୍ମିତ ହୋଇଛି, କିନ୍ତୁ ସର୍ବପ୍ରଥମ ପୁରାତନ ଅଟ୍ଟାଳିକାଟି ଏବେ ଭଗ୍ନପ୍ରାୟ। ତା’ର ଅଲୋଡ଼ା ପରିସରରେ ଅନେକ ଅଯତ୍ନ ବର୍ଦ୍ଧିତ ବୃକ୍ଷ, ଲତା ଓ ଗୁଳ୍ମ। କିନ୍ତୁ, ଅଟ୍ଟାଳିକା ସମ୍ମୁଖରେ ଶୋଭା ପାଉଛି ସୁଦୃଶ୍ୟ, ଛୋଟିଆ ଗାନ୍ଧୀ ପାର୍କ। ପାର୍କ ସାମନାରେ ରଖାଯାଇଛି କେତେକ ଫଟୋଚିତ୍ର, ଯାହା ବୟାନ କରୁଛି, ବାପୁଜୀଙ୍କର ଏଠାକୁ ଆଗମନ ଓ ପରିଦର୍ଶନ। ପ୍ରାୟ ୧୫ ଦିନର ରହଣି ମଧ୍ୟରେ, ଯାହାକୁ ଦେଖି ଜାତିର ଜନକ ସବୁଠାରୁ ଅଧିକ ଅଭିଭୂତ ହୋଇଥିଲେ ତାହା ହେଉଛି ‘ଜିଲ୍’ ନାମକ ଏକ ଉନ୍ନତ ସଙ୍କର ପ୍ରଜାତିର ଗାଈ। ‘ଜିଲ୍’ର ଜନ୍ମ- ଡେନମାର୍କର ଆୟାର ସାୟାର ପ୍ରଜାତିର ଏକ ଷଣ୍ଢ ଓ ହରିଆନା ଗାଈର ମିଳନରୁ। ନିଜର ଉତ୍ପାଦନକ୍ଷମ ଜୀବନ କାଳ ମଧ୍ୟରେ ପ୍ରାୟ ୧୮ଟି ଉନ୍ନତ ମାନର ବାଛୁରୀକୁ ଜନ୍ମ ଦେବାର ଏକ ବିରଳ କୃତିତ୍ବର ଅଧିକାରିଣୀ ହୋଇଥିଲା ‘ଜିଲ୍’। ଏହି ତଥ୍ୟ ସଂବଳିତ ଏକ ଖୋଦିତ ସ୍ମୃତିଫଳକ ସେଠାରେ ରହିଛି। ବାପୁ ଓ ପଣ୍ଡିତ ମାଲବ୍ୟଜୀ, ଶ୍ରଦ୍ଧାର ସହ ‘ଜିଲ୍’କୁ ଧରି ଥିବାର ଏକ ଫଟୋ ମଧ୍ୟ ଅଛି ସେଠାରେ। ଯେମିତି ଲବଣ ସତ୍ୟାଗ୍ରହ କରି ଲୁଣ ପରି ଏକ ଅତ୍ୟାବଶ୍ୟକ ଜିନିଷ ମାଧ୍ୟମରେ ସର୍ବସାଧାରଣକୁ ଯୋଡ଼ିବା ପାଇଁ ପ୍ରୟାସ କରିଥିଲେ, ସେମିତି, ସେହି ପ୍ରୟାସର ଆଉ ଏକ ଉଦାହରଣ ବୋଧ ହୁଏ ହେଉଛି ବାପୁଙ୍କର ‘ଜିଲ୍’ ଗାଈ ସହ ଫଟୋ। ପ୍ରତୀତ ହୁଏ ଯେ ପଶୁପାଳନ ମାଧ୍ୟମରେ ଗ୍ରାମ୍ୟୋଦୟ ହିଁ ସମ୍ଭବ ଭଳି ଏକ ବାର୍ତ୍ତା ସେହି ଫଟୋ କହୁଛି।
ଜାତୀୟ ଦୁଗ୍ଧ ଅନୁସନ୍ଧାନ ସଂସ୍ଥାରେ ଭଲ ଷଣ୍ଢଟିଏ ଚୟନ କରିବା ଠାରୁ ନେଇ ତା’ର ବୀର୍ଯ୍ୟର ପରୀକ୍ଷା-ନିରୀକ୍ଷା କରି ଗାଈଟିକୁ ଗର୍ଭଧାରଣ କରେଇବା ପାଇଁ ବୈଜ୍ଞାନିକମାନଙ୍କର ଅନେକ ଗବେଷଣା ଚାଲିଛି। କାରଣ ପ୍ରାଣୀ ଚିକିତ୍ସା ବିଜ୍ଞାନରେ ଗୋଟିଏ ଷଣ୍ଢ ଠାରୁ ଗୋଟିଏ ଥରରେ ସଂଗୃହୀତ ବୀର୍ଯ୍ୟ, ପ୍ରାୟ ପଚାଶଟି ଗାଈକୁ ଗର୍ଭଧାରଣ କରେଇବାରେ ସହାଯ୍ୟ କରେ। ତେଣୁ ଗୋଟିଏ ଭଲ ଷଣ୍ଢ ଚୟନ ଓ ପରୀକ୍ଷାଗାରରେ ଶୁକ୍ରାଣୁର ବିଶ୍ଳେଷଣ ଅପରିହାର୍ଯ୍ୟ। ନଚେତ ପରବର୍ତ୍ତୀ ପିଢ଼ି ଅନୁବଂଶୀୟ କ୍ଷେତ୍ରରେ ଦୁର୍ବଳ ହୋଇ ପଡ଼ିବାର ଯଥେଷ୍ଟ ଆଶଙ୍କା ଅଛି। ଏହାର ଫଳସ୍ବରୂପ ଷଣ୍ଢମାନଙ୍କ ପାଇଁ ନିର୍ମିତ ହୋଇଛି ସ୍ବତନ୍ତ୍ର ଗୃହମାନ; ଯାହାର ନାମ ରଖାଯାଇଛି ‘ନନ୍ଦୀ’ ଗୃହ।
ଆହୁରି ପଢ଼ନ୍ତୁ- Examination: ମାଟ୍ରିକ୍ ପରୀକ୍ଷା ପରିଚାଳନା ତଦାରଖ କଲେ ଗଣଶିକ୍ଷା ଶାସନ ସଚିବ
୨୦୫୦ ମସିହା ବେଳକୁ ଭାରତର ଜନସଂଖ୍ୟା ପ୍ରାୟ ୧୭୦ କୋଟିରେ ପହଞ୍ଚିବାର ଆକଳନ କରାଯାଉଛି। ଏତେ ବିଶାଳ ଜନସଂଖ୍ୟାକୁ ହୃଷ୍ଟପୁଷ୍ଟ କରିବା ସକାଶେ ଦୁଗ୍ଧ ପରି ଏକ ପୁଷ୍ଟିସାରଯୁକ୍ତ ଖାଦ୍ୟର ନିତାନ୍ତ ଆବଶ୍ୟକତା ରହିଛି। ଆମର ବୈଜ୍ଞାନିକମାନଙ୍କ ପ୍ରଚେଷ୍ଟା ଯୋଗୁଁ ଭାରତରେ ଗାଈମାନଙ୍କର ଉତ୍ପାଦନ କ୍ଷମତା ଧୀରେଧୀରେ ବୃଦ୍ଧି ପାଉଛି। ସରକାରଙ୍କ ବ୍ୟାପକ କୃଷି କଲ୍ୟାଣ ଯୋଜନାର ଫଳ ସ୍ବରୂପ ଆଜି ପଶୁପାଳନ କେବଳ ଘରର ବାଡ଼ି ବା ଅଗଣାରେ ସୀମିତ ନ ହୋଇ, ଉଦ୍ୟୋଗର ରୂପ ନେଉଛି। ତଥାପି, ଚାଷୀଟିଏର ଗୁହାଳରେ ରହି କୁଣ୍ଡା, ତୋରାଣି ଆଉ ଘାସ ଖାଇ ଭାରତୀୟ ଦୁଗ୍ଧ ଉତ୍ପାଦନକୁ ସମୃଦ୍ଧ କରୁଥିବା ଦେଶୀ ଗାଈ ଓ ମଇଁଷିମାନଙ୍କ ଅବଦାନକୁ ଅଣଦେଖା କରାଯାଇ ପାରିବ ନାହିଁ।
ଜଣେ ବିଖ୍ୟାତ ପ୍ରାଣୀବିଜ୍ଞାନୀ କହିଥିଲେ- ‘ପ୍ରାଣୀ କଲ୍ୟାଣ ସେତେବେଳେ ସଫଳ ହେବ, ଯେତେବେଳେ ଆପଣମାନେ ଘରେ ରଖୁଥିବା, ଗାଈ, ଗୋରୁ, ଛେଳି, ମେଣ୍ଢାମାନେ ‘ପଞ୍ଚ ସ୍ବାଧୀନତା’ପ୍ରାପ୍ତ ହେବେ। ସେହି ପଞ୍ଚ ସ୍ବାଧୀନତା ହେଲା- ପ୍ରାଣୀମାନଙ୍କର କ୍ଷୁଧା, ତୃଷା, କଷ୍ଟ, କ୍ଷତ ଓ ଅସୁବିଧା ମୁକ୍ତ ଜୀବନ। ସର୍ବୋପରି ପ୍ରାଣୀମାନଙ୍କୁ ସେମାନଙ୍କ ପ୍ରାକୃତିକ ବ୍ୟବହାର ପରିପ୍ରକାଶ କରିବାର ସ୍ବାଧୀନତା। ଏହି ସ୍ବାଧୀନତା ପ୍ରାଣୀମାନେ ସେତେବେଳେ ପ୍ରାପ୍ତ ହେବେ, ଯେତେବେଳେ ସେମାନଙ୍କୁ ଉତ୍ତମ ଗୃହ, ଉତ୍ତମ ଖାଦ୍ୟ ଓ ଉତ୍ତମ ପରିବେଶ ଯୋଗାଇ ଦିଆଯିବ। ଉଦାହରଣ ସ୍ବରୂପ- ଆପଣମାନେ ଯଦି ଏକ ଅତି ଅନୁଚ୍ଚ, ଅନ୍ଧାରୁଆ ଛୋଟ ଗୁହାଳରେ ବହୁସଂଖ୍ୟକ ପଶୁମାନଙ୍କୁ ଏକତ୍ର ବାନ୍ଧି ରଖିବେ, ତେବେ ସେମାନଙ୍କର ଅସୁବିଧା ହେବା ସହ ସେମାନଙ୍କର ନିଜର ପ୍ରାକୃତିକ ବ୍ୟବହାର ପ୍ରଦର୍ଶନରେ ବ୍ୟାଘାତ ସୃଷ୍ଟି ହେବ, ଯାହାକି ପ୍ରାଣୀକଲ୍ୟାଣର ପରିପନ୍ଥୀ। ବେଙ୍ଗାଲୁରୁରୁ ପ୍ରଶିକ୍ଷଣ ଗ୍ରହଣ କରି ଓଡ଼ିଶା ଆସିବା ପରେ, କଳାହାଣ୍ଡି ଜିଲ୍ଲାର ଦଳେ ଚାଷୀଙ୍କୁ ପ୍ରଶିକ୍ଷଣ ଦେବା ବେଳେ କିଛି କଥା ବୁଝାଇବାକୁ ଯାଇ ଉପରୋକ୍ତ ଉଦ୍ଧୃତି ଦେବା ବେଳେ ବିରଞ୍ଚି ନିହାଲ ନାମକ ଜଣେ ୩୦-୩୫ ବର୍ଷ ବୟସର ଯୁବକ ଅଭିମାନଭରା କଣ୍ଠରେ କହିଲେ- ଗାଈଗୋରୁଙ୍କୁ ରଖିବା ପାଇଁ ଆଉ ଭଲ ଘର କୋଉଠୁ କରିବୁ ଆଜ୍ଞା? ନିଜ ଛୋଟ ଘରକୁ ପାଞ୍ଚ ଭାଇ ପାଞ୍ଚ ବଖରା କରିଛୁ। ସେ ଗୋଟିକିଆ ବଖରାରେ ସ୍ତ୍ରୀ, ପିଲାଛୁଆ ସମସ୍ତେ ରହୁଛୁ। ପଶୁଙ୍କ ପାଇଁ ଭଲ ଘର, ଭଲ ଖାଇବା କୋଉଠୁ ଆଣିବୁ? ପ୍ରଶ୍ନଟିର ଉତ୍ତର ଯାହିତାହି ଦେଇ ଆସିଲି। କିନ୍ତୁ, ବାପୁଙ୍କର ଗୋଟେ କଥା ପୁଣି ମନକୁ ଆସିଲା। ଭୋକିଲା ବ୍ୟକ୍ତି ପାଇଁ ସ୍ବରାଜର ମୂଲ୍ୟ କ’ଣ? ପେଟ ପୂରା ଗଣ୍ଡେ ଖାଇବା ତା’ ପାଇଁ ସବୁ କିଛି। ଅନେକ ଯୋଜନାର ଆଢୁଆଳରେ ରହୁଥିବା ‘ବିରଞ୍ଚି ନିହାଲ’ମାନଙ୍କ ପାଇଁ ‘ପ୍ରାଣୀ କଲ୍ୟାଣ’ର ବୈଜ୍ଞାନିକ ବାଖ୍ୟା ନିରର୍ଥକ ମଧ୍ୟ ହୋଇପଡ଼େ। ଏ କଥା ସତ, ପ୍ରାଣୀମାନେ ସେମାନଙ୍କର ଆର୍ଥିକ ଉପାର୍ଜନର ଏକ ମାଧ୍ୟମ, ମାତ୍ର ଆନ୍ତରିକତାର ସହ ଚାହିଁ ମଧ୍ୟ, ବହିର ବାଖ୍ୟାନ ପରି ପ୍ରାଣୀମାନଙ୍କ କଲ୍ୟାଣ କରିବା ପାଇଁ ସେମାନେ ଅସମର୍ଥ ଏବଂ ସେଥି ଲାଗି ଅସହାୟ ମଣନ୍ତି ମଧ୍ୟ। ପ୍ରାଣୀ କଲ୍ୟାଣ ସେତେବେଳେ ଆହୁରି ବଳିଷ୍ଠ ହେବ, ଯେତେବେଳେ ଚାଷୀ କଲ୍ୟାଣ ଅଧିକରୁ ଅଧିକ ସଶକ୍ତ ହେବ। କୃଷକର ମଙ୍ଗଳ ହେଉ। ତାହା ହେଲେ ତା’ ସହିତ ପ୍ରାଣୀ କଲ୍ୟାଣ ମଧ୍ୟ ସମ୍ଭବ ହେବ।
(ମତାମତ ଲେଖକଙ୍କ ନିଜସ୍ବ)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2026/02/19/2160246-2026-02-19-17-09-55.jpg)