ପଟ୍ଟନାୟକ ଆଜ୍ଞା କିତାବୀ ଭାଷା କହୁଛନ
ବାବାଜୀଚରଣ ପଟ୍ଟନାୟକ
ଓଡ଼ିଶା ସରକାରଙ୍କ ଡିପିଆଇ କାର୍ଯ୍ୟାଳୟରୁ ନିଯୁକ୍ତି ପତ୍ର ପାଇ, ମୁଁ ପଞ୍ଚାୟତ କଲେଜ, ବରଗଡ଼ରେ ଆଡ୍ହକ୍ ଓଡ଼ିଆ ଅଧ୍ୟାପକ ରୂପେ ଯୋଗ ଦେବା ପାଇଁ ୧, ସେପ୍ଟେମ୍ବର, ୧୯୭୮ ସନ୍ଧ୍ୟାରେ କଟକରୁ ବସ୍ ଯୋଗେ ଯାତ୍ରା କରେ। ପର ଦିନ ଭୋରୁଭୋରୁ ସେଠି ପହଞ୍ଚି ଯାଏ। ବସ୍ରୁ ଓହ୍ଲାଇବା କ୍ଷଣି, ଜଣେ ରିକ୍ସାବାଲା ପଚାରେ: ‘‘ଇନେ ସାମାନ ଉତରିବ କେଁ।’’ ମୁଁ କିଛି ବୁଝୁ ନ ବୁଝୁଣୁ, ବସ୍ର କ୍ଲିନର ବସ୍-ଛାତକୁ ଯାଇ ମୋର ଟିଣ ବାକ୍ସ ଓ ବେଡିଂ ରିକ୍ସାବାଲା ହାତକୁ ବଢ଼ାଇ ଦିଏ। ସେତେବେଳେ, ବରଗଡ଼ ସମ୍ବଲପୁର ଜିଲ୍ଲାର ଏକ ସବ୍ଡିଭିଜନ। ସକାଳ ପରିବେଶରେ ଥଣ୍ଡାଥଣ୍ଡା ଲାଗୁଥିବାରୁ ମୁଁ ଚା’ ଦୋକାନ ପାଖରେ ରିକ୍ସା ଅଟକାଏ। ଚା’ ଦୋକାନୀ ପଚାରେ ଗୁରସ(ଗୋରସ) ଚା’ କେଁ? ମୋ ମୁଣ୍ଡ ଟାଙ୍ଗୁଲାରେ ସେ ସମଝି ଯାଇ ଚା’ ବଢ଼ାଇ ଦିଏ। ମୋର ମନେ ପଡ଼ିଯାଏ, ବୈଷ୍ଣବ ପାଣିଙ୍କ ‘ରଙ୍ଗସଭା’ ଗୀତିନାଟ୍ୟର ଗୋପାଙ୍ଗନା ବୋଲୁଥିବା ଗୀତରେ ‘ଗୋରସ’ ଶବ୍ଦର ବ୍ୟବହାର। ବରଗଡ଼ରେ ଯାହାକୁ ଗୁରସ କୁହାଯାଏ, ମୋ ଜନ୍ମସ୍ଥାନ ଓ ପରିବେଶରେ ତାହା ଦୁଧ ରୂପେ ଜଣାଶୁଣା। କେବଳ କୁଳପୁରୋହିତ ଶ୍ରାଦ୍ଧ ଦିନ ଘରେ ତାହାକୁ କ୍ଷୀର କହିଥାନ୍ତି। ଜଗନ୍ନାଥ ଦାସଙ୍କ ଭାଗବତର ଦଶମ ସ୍କନ୍ଧରେ ଦୁଧ, କ୍ଷୀର ଓ ଗୋରସ ଶବ୍ଦର ବ୍ୟବହାର ହୋଇଥିବା ମୁଁ ଜାଣିଥାଏ। ସାରଳା ମହାଭାରତରେ ମଧ୍ୟ ଗୋରସ ଶବ୍ଦ ବ୍ୟବହାର ହୋଇଛି। ଯେପରି, ‘‘ଅନେକ ଗୋରସ ପାକ ପିଠା ଅଗଣିତ / ଭୋଜନେ ତ୍ରିପୁତି ହୋଇଲେ ପବନର ସୁତ।’’ (ସର୍ତ୍ତପର୍ବ- ୧ମ ଖଣ୍ଡ, ପୃ-୨୩୮)
ବରଗଡ଼ରେ ରହିବା କାଳରେ ‘ଗୁରସ’ର ବ୍ୟାପକ ଲୋକ-ବ୍ୟବହାର ଦେଖି ମୁଁ ସାରଳା ଦାସଙ୍କ ପରିବ୍ରାଜକୀ ମନୋଦଶା ଆକଳନ କରିଛି। ଏଠି, ସେମିତି ଲୋକମାନଙ୍କ ଦ୍ବାରା ଆଉ ଗୋଟିଏ ଆଞ୍ଚଳିକ ଶବ୍ଦ ବ୍ୟବହୃତ ହୁଏ; ‘ମାଇଝି’। ଏହାର ଅର୍ଥ ପତ୍ନୀ ବା ସ୍ତ୍ରୀ ଜାତି। ପ୍ରାୟ, ଏହି ପ୍ରକାର ଶବ୍ଦ ସାରଳା ମହାଭାରତରେ ବିବାହ ଉପଯୋଗୀ କନ୍ୟା ଅର୍ଥରେ ବ୍ୟବହୃତ। ଶବ୍ଦଟି ହେଉଛି ‘ମାଈଝିଅ’। ପାଣ୍ଡବମାନେ ଦ୍ରୋପତୀଙ୍କ ସହ ରଇବ୍ରତ ପର୍ବତରୁ ଯାଇ କାଳଞ୍ଚି ବନସ୍ତରେ ପହଞ୍ଚିବା ପରେ କେଶୀ ଦାନବର ଭଉଣୀ କାଳଞ୍ଚି(ଜଟାସୁର ଦୁହିତା) ଭୀମଙ୍କୁ ବାହା ହେବା ପାଇଁ ତାଙ୍କ ପଛେପଛେ ଗୋଡ଼ାଇଲା। ଏହାକୁ ନେଇ କବିଙ୍କ ଭାଷାରେ ଭୀମ-ନକୁଳ ସମ୍ବାଦ: ‘‘ଭୀମସେନ ବୋଇଲା ତୁ ଶୁଣସି ନକୁଳ / ୟେ ମାଈଝିଅ ଗୋଟିକୁ ତୁ ନେଇଣ ସମ୍ଭାଳ।’’ (ବନପର୍ବ- ୨ୟ ଖଣ୍ଡ, ପୃ- ୩୪୩)
ପୁଣି ପ୍ରସଙ୍ଗକୁ ଫେରିବା। ମୁଁ ପଞ୍ଚାୟତ କଲେଜରେ ଯୋଗ ଦେଲି। ମୋତେ ମିଶାଇ ଓଡ଼ିଆ ବିଭାଗରେ ପାଞ୍ଚ ଜଣ ଅଧ୍ୟାପକ ହେଲୁ। ଏଠିକାର ଲୋକଭାଷା ସମଝିବାରେ ମୁଁ ଆଗ୍ରହୀ ହେଲି। ଏଠାରେ ପୁଅକୁ ‘ବାବୁ’ ଓ ଝିଅକୁ ‘ବୁଇ’ ଅଥବା ‘ନନି’ ସମ୍ବୋଧନ କରାଯାଏ। ସେଠି ପଢ଼ାଇବା କାଳରେ ଶୁଣୁଥିଲି ଯେ ଛାତ୍ରଛାତ୍ରୀଏ ପରସ୍ପର ମଧ୍ୟରେ କିମ୍ବା ଅନ୍ୟ କାହା ପାଖରେ ମୋର ପରିଚୟ ଏହିଭଳି ଦେଇଥାନ୍ତି- ‘‘ଓଡ଼ିଆରେ ପଟ୍ଟନାୟକ ଆଜ୍ଞା ଆସିଛନ, କିତାବୀ ଭାଷା କହୁଛନ।’’ ଏହାର ଅର୍ଥ ମୋ ଭାଷା ହେଉଛି କିତାବ ବା ଓଡ଼ିଆ ବହିର ଭାଷା, କାହିଁକି ନା, ସେମାନେ ଯେଭଳି ଭାଷା କହନ୍ତି ଏହା ତା’ ଠାରୁ ନିଆରା। ମୋ ଘର ଅବିଭକ୍ତ କଟକ ଜିଲ୍ଲାନ୍ତର୍ଗତ ଏକ ମଫସଲ ଗଁା। ସେଠିକାର ଲୋକ ବ୍ୟବହୃତ ଭାଷା ଅଞ୍ଚଳ ଦୃଷ୍ଟିରୁ ନିଆରା। ଭୂଗୋଳ ଦୃଷ୍ଟିରୁ ଓଡ଼ିଆ ଯେଭଳି ବିଚିତ୍ର, ଆଞ୍ଚଳିକ ସ୍ତରରେ ସଂସ୍କୃତି ଓ ଭାଷାର ବିବିଧତା ଦୃଷ୍ଟିରୁ ଓଡ଼ିଶା ସେହିଭଳି ଏକ ବିସ୍ମୟକର ପ୍ରଦେଶ। ବରଗଡ଼ ବସ୍ଷ୍ଟାଣ୍ଡରେ ଓହ୍ଲାଇ ରିକ୍ସାବାଲାର ଭାଷା ବୁଝି ପାରି ନ ଥିଲି। ତେବେ, କଥିତ ଭାଷାର ଭିନ୍ନତା ସତ୍ତ୍ବେ ଛାତ୍ରଛାତ୍ରୀ ଓ ସେଠିକା ବଜାରଘାଟର ଲୋକେ ଯେଭଳି ଆବେଗ, ଶ୍ରଦ୍ଧା ଓ ସମ୍ମାନ ଜଣାନ୍ତି ଉଚ୍ଚାରଣ ଓ ଆଚରଣରେ ତାହା ଏବ ସୁଦ୍ଧା ମୋର ସ୍ମୃତିରେ ଝଲସୁଛି।
ଏକଦା ବି.ଏ. ଓଡ଼ିଆ ସମ୍ମାନ ଶ୍ରେଣୀରେ ‘ବିଦଗ୍ଧ ଚିନ୍ତାମଣି’ କାବ୍ୟ ପଢ଼ାଉଥାଏ। ତହିଁର ପ୍ରଥମ ଛାନ୍ଦରେ ଗୋଟିଏ ପଦ ଥାଏ- ‘‘ଉର୍ଣ୍ଣନାଭିବତ ଖେଳୁ ଇଚ୍ଛାଶକ୍ତି ବଳେ / ଉଦ୍ଭବ ହୋଇ ତୁ ଧର୍ମ ସ୍ଥାପୁ କାଳେକାଳେ।’’ ‘ଉର୍ଣ୍ଣନାଭ’ କହିଲେ ବୁଢ଼ିଆଣି- ଏ ଅର୍ଥରୁ ଛାତ୍ର-ଛାତ୍ରୀଏ କିଛି ବୁଝି ନ ପାରିବା ମୋର ହୃଦ୍ବୋଧ ହେଲା। ସେହି ଅଞ୍ଚଳର ଜଣେ ଅଧ୍ୟାପକ ବନ୍ଧୁଙ୍କ ଠାରୁ ଜାଣିଲି, ସେଠାରେ ବୁଢ଼ିଆଣିକୁ କହନ୍ତି ‘ମକ୍ରଲା’ ବା ‘ମକରା’। ଏହା ପର ଠାରୁ ସେହି ଅଞ୍ଚଳର ଭାଷାରେ କହାଯାଉଥିବା ଅନେକ ବସ୍ତୁର ନାମ ଶିଖିଲି; ଯେପରି, ପିଜୁଳିକୁ ମାୟା, ଅମୃତଭଣ୍ଡାକୁ ଅମୃତମଡ଼ା, ଶିମ୍ବକୁ ଝଟା, ବିଲାତି ବାଇଗଣକୁ ପାତଲଘଣ୍ଟା, ପିଆଜକୁ ଓଲି, ଛୋଟ ମାଛକୁ ଝୁରି, ଖାସି ମାଂସକୁ ସିକାର, ପୁରୁଣାକୁ ଜୁନାର, ଛେନାକୁ ଘସି, ନମସ୍କାରକୁ ଜୁହାର, ମଶାକୁ ଭୁରୁସଣ, ଦେଖାସାକ୍ଷାତକୁ ଭେଟଘାଟ ଇତ୍ୟାଦି।
କିଛି ଦିନ ଟାଉନ ହଷ୍ଟେଲରେ ରହିବା ପରେ କଲେଜ ରୋଡ୍ରେ ଥିବା ପୁଣ୍ୟାତ୍ମା କୃତାର୍ଥ ଆଚାର୍ଯ୍ୟଙ୍କ ରଙ୍ଗଘର ମେସ୍ରେ ରହିଲି। ମେସ୍ର ପୂର୍ବ ପଟ(ରାସ୍ତା ସେପାଖ) ଘର ବାରଣ୍ଡାରେ ଜଣେ ବୟସ୍କ ଭଦ୍ରବ୍ୟକ୍ତି ଚଉକିରେ ବସିଥାନ୍ତି। ପ୍ରାୟ ଦିନ ୪ଟାରେ କଲେଜରୁ ଫେରିବା ବେଳକୁ ମୋତେ ଆଦରରେ ଡାକନ୍ତି। ପାଖ ଚଉକିରେ ବସାନ୍ତି। ଜଳଖିଆ ଖୁଆନ୍ତି, ଚା’ ପିଆନ୍ତି। ‘ଭାଗବତ’, ‘ମଥୁରା ମଙ୍ଗଳ’, ‘ତପସ୍ବିନୀ’ର ମୁଖସ୍ତ ପଦ ଆବୃତ୍ତି କରନ୍ତି। ଉଭୟ ଆଲୋଚନା କରୁ। ତାଙ୍କ ନଁା ଭୁଲି ଯାଇଛି, ସାଙ୍ଗିଆ ଦାଶ। ଅଦ୍ଭୁତ ଓଡ଼ିଆ ସାହିତ୍ୟ ରସିକ। ସେଠିକାର ହାଟପଦାରେ ପୁଷ ମାସରେ ମୁକ୍ତ ରଙ୍ଗମଞ୍ଚରେ ହେଉଥିବା ‘ଧନୁଯାତ୍ରା’ରେ ଚରିତ୍ରମାନଙ୍କ ମୁହଁରୁ ଓଡ଼ିଆ ଛାନ୍ଦ, ଚଉପଦୀ, ସଂଳାପ ମୁଁ ଦୁଇ ବର୍ଷ ଯାକ ଶୁଣିଛି ଓ ଉପଭୋଗ କରିଛି। କଂସ ମହାରାଜା, ଅକ୍ରୂର, ଦେବକୀ, ରାମ-କୃଷ୍ଣଙ୍କ ଅଭିନୟ ଦେଖି ଅଭିଭୂତ ହୋଇଛି।
ହଁ, ଆଉ ଗୋଟେ ମଜା କଥା। ସେଠି ଅବିବାହିତଙ୍କୁ ‘ଠେଙ୍ଗୁଆ’ କୁହାଯାଏ। ଏହି ଅପବାଦରୁ ମୁଁ ମୁକ୍ତ ହେଲି ୧୯୭୯ ମସିହାରେ। ପତ୍ନୀ ଶାନ୍ତିଲତା ସହ ଗୋବିନ୍ଦାପାଲ୍ଲୀରେ ଘର ଭଡ଼ା ନେଇ ରହିଲି। ଘରକୁ କୂଅରୁ ଗରିଆରେ ପାଣି ଆଣି ଯୋଗାଇବାକୁ ମଧ୍ୟ ବୟସ୍କା, ପତଳା, ଶ୍ୟାମଳୀ ନରିହାଣୀ ଜଣେ ଆସେ। ସେଠିକା ଭାଷାର କେତେ ନା କେତେ ଗୀତ ବୁଇ(ମୋ ପତ୍ନୀ)କୁ ଶୁଣାଏ। ଏହି ସମୟକୁ ଗାଡ଼ିମୋଟରରେ ‘ରଙ୍ଗବତୀ’ ଗୀତର ରେକର୍ଡ ବାଜିବା ଆରମ୍ଭ ହୋଇଥାଏ। ସେଠିକା ଭାଷାରେ ବଜାରଘାଟରେ କଥା ହେବାର ଅଭ୍ୟାସ ହୋଇ ଯାଇଥାଏ ମୋର। ସେଠିକାର ଆଞ୍ଚଳିକ ଭାଷା ଯେ କେତେ ମିଷ୍ଟ, ଲଳିତ, ମନୋହର ଓ ଥଟ୍ଟା-ଉପଯୋଗୀ ତାହା ପ୍ରକାଶ କରି ହେବ ନାହିଁ ଭାଷାରେ। କେବଳ ଜାଣି ହେବ ଅନୁଭବରେ।
ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ବାରା ନିୟମିତ ଚାକିରି ପାଇଁ ଯୋଗ୍ୟ ବିବେଚିତ ହେବା ପରେ ମୁଁ ଅଗଷ୍ଟ, ୧୯୮୦ରେ ସରକାରୀ ମହାବିଦ୍ୟାଳୟ ଅନୁଗୁଳକୁ ବଦଳି ହୋଇ ଆସେ। କିନ୍ତୁ ଅପାସୋରା ହୋଇ ରହିଯାଏ ବରଗଡ଼ର ବାବୁ ଓ ବୁଇ(ଛାତ୍ର ଓ ଛାତ୍ରୀ)ମାନଙ୍କର ସ୍ନେହବୋଳା ଠାଣିର ଉଚ୍ଚାରଣ, ‘‘ପଟ୍ଟନାୟକ ଆଜ୍ଞା କିତାବୀ ଭାଷା କହୁଛନ’’।
ବିବିଧ ଭାଷା ଓ ସଂସ୍କୃତିର ବିଚିତ୍ରାକୁ ଓଡ଼ିଶା ତଥା ଓଡ଼ିଶା ବାହାରେ ଜନ-ଉପଭୋଗ୍ୟ କରାଇବା ପାଇଁ ‘ଶବ୍ଦ-କୋଷ’ ପ୍ରଣୟନ ଯେ ଜରୁରି ତାହା କହିବା ଅନାବଶ୍ୟକ। ଯେଉଁଥିରେ ସ୍ଥାନ ପାଇବ କେଉଁକେଉଁ ଅଞ୍ଚଳରେ ତରକାରି ଉପଯୋଗୀ ପରିବାକୁ କ’ଣ କହାଯାଏ; ଯେମିତି କଖାରୁ, ବୋଇତି କଖାରୁ, ମାଖନ; ସଜନା ଛୁଇଁ ଓ ମୁନ୍ଗା; ବରଗୁଡ଼ି, ଝୁଲା ଓ ଝୁନଙ୍ଗା ଇତ୍ୟାଦି। କିନ୍ତୁ, ଓଡ଼ିଶା ସରକାରଙ୍କ ବିନା ସହଯୋଗରେ, କେତେ ଜଣ ଅଭିଜ୍ଞ ଓଡ଼ିଆ-ଅନୁରକ୍ତ ଶିକ୍ଷିତ ବ୍ୟକ୍ତିଙ୍କ ପରିଶ୍ରମରେ ଏଭଳି ‘ଶବ୍ଦ-କୋଷ’ର କଳ୍ପନା ଆକାଶ କୁସୁମ ତୁଲ୍ୟ।
(ମତାମତ ଲେଖକଙ୍କ ନିଜସ୍ବ)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2026/02/19/2160247-2026-02-19-17-47-48.jpg)