ସାହିତ୍ୟ ଏକାଡେମୀ: ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଚି

ଅସିତ ମହାନ୍ତି

ଓଡ଼ିଶା ଶ୍ରୀଜଗନ୍ନାଥଙ୍କ ଦେଶ। ପଞ୍ଚଦଶ ଶତାବ୍ଦୀର ଗଜପତି କପିଳେନ୍ଦ୍ର ଦେବଙ୍କଠାରୁ ଶ୍ରୀଜଗନ୍ନାଥ ଓଡ଼ିଶାର ରାଷ୍ଟ୍ରଦେବତା ରୂପେ ସ୍ବୀକୃତ ହୋଇଆସିଛନ୍ତି। ଆଜି ଶାସନଗାଦିରେ ଥିବା ସରକାର ବି ଶ୍ରୀଜଗନ୍ନାଥଙ୍କୁ ଓଡ଼ିଆ ଅସ୍ମିତାର ପ୍ରତିଭୂ ବୋଲି କହିବା ଦେଖାଯାଉଛି। ଏହି ଅସ୍ମିତାର ଆହ୍ବାନ ଦେଇ ଆଜିର ସରକାର ମଧ୍ୟ ଶାସନକୁ ଆସିଛି।

Advertisment

ଶ୍ରୀଜଗନ୍ନାଥଙ୍କର ଅନେକ ବିଶେଷତ୍ବ ରହିଛି। ସେଥିରୁ ଗୋଟିଏ ହେଉଛି- ତାଙ୍କର ପଦ୍ମବେଶ। ଏହାର ଅନ୍ୟନାମ ପଦ୍ମମୁଖ ବେଶ। ମାଘ ମାସର ଅମାବାସ୍ୟା ବା ତ୍ରିବେଣୀ ଅମାବାସ୍ୟା ପରେ ଓ ବସନ୍ତ ପଞ୍ଚମୀ ପୂର୍ବରୁ, ବୁଧବାର ବା ଶନିବାର ଦିନ ଏହି ବେଶ ଅନୁଷ୍ଠିତ ହୁଏ। କିନ୍ତୁ ଏହି ବେଶର ବିଶେଷତ୍ବ ହେଉଛି- ଯେଉଁ ସମୟରେ ସାଧାରଣତଃ ଶିଶିରପାତ ଯୋଗୁଁ ପଦ୍ମ ଫୁଟେ ନାହିଁ, ସେହି ସମୟରେ ହିଁ ଏହି ବେଶ ହୋଇଥାଏ। ଅସମ୍ଭବକୁ ସମ୍ଭବ କରିବାର ଏକ ତତ୍ତ୍ବ ଏହା ମଧ୍ୟରେ ଅଛି। ଅଥଚ ଯେଉଁ ଦଳ ଏବେ ରାଜ୍ୟର ଶାସନଗାଦିରେ ଅଛି, ତାହାର ଚିହ୍ନ ପଦ୍ମ ହେଲେ ମଧ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀକୁ ଅନିୟମିତତାର ପଙ୍କରୁ ଉଦ୍ଧାର କରିବାର ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ସମ୍ଭବକୁ ଅସମ୍ଭବ କରି ରଖିବାର ଏ ମାନସିକତା ବିରୋଧରେ ନ୍ୟାୟାଳୟର ଦ୍ବାରସ୍ଥ ହେବାକୁ ପଡ଼ୁଛି।

ଏହାର ଗୋଟିଏ ଉଦାହରଣ ହେଉଛି- ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଦାଏର ହୋଇଥିବା ଏକ ଜନସ୍ବାର୍ଥ ମାମଲା। ଆଜିଠୁ ପ୍ରାୟ ଛଅ ମାସ ପୂର୍ବେ, ୨୦୨୫ ମସିହା ଅଗଷ୍ଟ ମାସରେ ଏ ବାବଦରେ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲା (ସଂଖ୍ୟା ୨୧୭୫୫/୨୫)ରେ ଆବେଦନକାରୀ ତଥା ଜନସ୍ବାର୍ଥ କର୍ମୀ ପ୍ରବୀର କୁମାର ଦାସ ଦର୍ଶାଇଛନ୍ତି ଯେ ୨୦୨୪ ମସିହା ମେ ମାସ ୨୦ ତାରିଖଠାରୁ ଏହି ଏକାଡେମୀର ସଭାପତି ଓ ଉପସଭାପତି ପଦ ଖାଲି ପଡ଼ିଛି। ଏକାଡେମୀର ସଂବିଧାନରେ ଥିବା ବିଧିବ୍ୟବସ୍ଥା ଅନୁସାରେ, ସଭାପତି ଓ ଉପସଭାପତିଙ୍କ ନିଯୁକ୍ତି ସରକାରଙ୍କର ଦାୟିତ୍ବ। ମାତ୍ର ସରକାର ସେହି ଦାୟିତ୍ବ ନିଭାଉ ନାହାନ୍ତି।

ଆହୁରି ପଢ଼ନ୍ତୁ- 🔴 LIVE | News Updates 20 February 2026: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଆଜି; ଭବାନୀପାଟଣା ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କର ତିନିମହଲା ବିଳାସମୟ କୋଠା ସହ ୯ଟି ପ୍ଲଟ୍ ଓ ଏକାଧିକ ବେନାମୀ ଗାଡ଼ି ଠାବ କଲା ଭିଜିଲାନ୍ସ;ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଗଣଧାରଣା ସହ ଦାବିପତ୍ର ପ୍ରଦାନ; ଶିମିଳିପାଳ ଅଭୟାରଣ୍ୟରେ ୩୭ ଶିକାରୀଙ୍କ ଆତ୍ମସମର୍ପଣ; ଓୟେ ରୁମ୍ ଭିତରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ;

ଏହା ବ୍ୟତୀତ, ଏହି ଆବେଦନରେ ଦର୍ଶାଯାଇଛି, ଯେ ଓଡ଼ିଶା ସାହିତ୍ୟ ଏକାଡେମୀର ଗୁରୁତ୍ବପୂର୍ଣ୍ଣ କର୍ତ୍ତୃପକ୍ଷ ହେଉଛନ୍ତି- ସାଧାରଣ ପରିଷଦ ଓ କାର୍ଯ୍ୟକାରୀ ପରିଷଦ। ୨୦ ଜୁଲାଇ, ୨୦୨୩ଠାରୁ ଏହି ଦୁଇ ପରିଷଦ ଆଉ ନାହିଁ। ଏହାର ଗଠନରେ ସରକାରଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସାଧାରଣ ପରିଷଦ ଗଠନ ପାଇଁ ସରକାର ପାଞ୍ଚ ଜଣ ସଦସ୍ୟ ମନୋନୟନ କରିଥାଆନ୍ତି। ସେଥି ମଧ୍ୟରୁ ଜଣେ ସରକାରଙ୍କ ସଂସ୍କୃତି ବିଭାଗ (ଏବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ)ରୁ ହେଉଥିବା ବେଳେ ଆଉ ଜଣେ ଶିକ୍ଷା ବିଭାଗରୁ ହୋଇଥାଆନ୍ତି। ପ୍ରତି ଜିଲ୍ଲାରୁ ଜଣେ ଲେଖାଏଁ (ଅର୍ଥାତ୍‌ ୩୦ଟି ଜିଲ୍ଲାରୁ ୩୦ଜଣ) ସରକାରଙ୍କ ଦ୍ବାରା ଏହି ସାଧାରଣ ପରିଷଦ ପାଇଁ ମନୋନୀତ ହୋଇଥାଆନ୍ତି। ଏହା ସହିତ ରାଜ୍ୟର ଆଠଟି ବିଶ୍ବବିଦ୍ୟାଳୟରୁ ଆଠଜଣ ପ୍ରତିନିଧି ମଧ୍ୟ ଏହି ପରିଷଦପାଇଁ ସରକାର ମନୋନୀତ କରି ଥାଆନ୍ତି।

ଏ ପ୍ରସଙ୍ଗରେ ସେହି ଜନସ୍ବାର୍ଥ ଆବେଦନରେ ଦର୍ଶାଯାଇଛି, ଯେ ଏକାଡେମୀର କାର୍ଯ୍ୟଧାରାରେ ଏହି ସାଧାରଣ ପରିଷଦର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କାରଣ, ଏହା ‌ଏକାଡେମୀର କାର୍ଯ୍ୟକାରୀ ପରିଷଦ ନିମନ୍ତେ ସଦସ୍ୟ ନିର୍ବାଚନ କରିଥାଏ ଏବଂ କାର୍ଯ୍ୟକାରୀ ପରିଷଦର କାର୍ଯ୍ୟ ଓ ଦାୟିତ୍ବ ନିମନ୍ତେ ନୀତିନିୟମ ପ୍ରସ୍ତୁତ କରିଥାଏ। ଏହା ମଧ୍ୟ ଏକାଡେମୀର ଅର୍ଥ କମିଟି ନିମନ୍ତେ ସମାନ ଭୂମିକା ନିର୍ବାହ କରିଥାଏ।

ସାଧାରଣ ପରିଷଦର ଅନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ସଂପର୍କରେ ଏହି ଆବେଦନରେ ଦର୍ଶାଯାଇଛି, ଯେ ଏହି ପରିଷଦ କାର୍ଯ୍ୟକାରୀ ପରିଷଦ ଦ୍ବାରା ପ୍ରସ୍ତୁତ ଏକାଡେମୀର ବାର୍ଷିକ ବଜେଟ୍‌ ଅନୁମୋଦନ କରି ତାହାର କାର୍ଯ୍ୟାନ୍ବୟନ ନିମନ୍ତେ ସରକାରଙ୍କ ନିକଟକୁ ପୂର୍ବାନୁମୋଦନ ନିମନ୍ତେ ପଠାଇଥାଏ।

ଓଡ଼ିଶା ସାହିତ୍ୟ ଏକାଡେମୀ ଯେଉଁସବୁ ସଭା, ସମିତି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବା ପ୍ରକଳ୍ପ ଆଦି କାର୍ଯ୍ୟକାରୀ କରେ, ସେଥିରେ ମଧ୍ୟ ଏହି ସାଧାରଣ ପରିଷଦର ଭୂମିକା ରହିଥାଏ। କାରଣ, କାର୍ଯ୍ୟକାରୀ ପରିଷଦ ଏସବୁର ପ୍ରସ୍ତାବ ପ୍ରସ୍ତୁତ କରୁଥିଲେ ମଧ୍ୟ, ଏହାର ଅନୁମୋଦନ ସାଧାରଣ ପରିଷଦ ହିଁ କରିଥାଏ। ସରକାର ମଧ୍ୟ ଏସବୁ ନିମନ୍ତେ ଯେଉଁ ନିର୍ଦ୍ଦେଶ ଦିଅନ୍ତି, ତାହାର କାର୍ଯ୍ୟାନ୍ବୟନ ନିଷ୍ପତ୍ତି ଏହି ସାଧାରଣ ପରିଷଦର ଦାୟିତ୍ବ। ଏଣୁ ଉକ୍ତ ଆବେଦନରେ ଆବେଦନକାରୀ ଶ୍ରୀ ଦାସ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କୁ ଦର୍ଶାଇଛନ୍ତି, ଯେ ଓଡ଼ିଶା ସରକାରଙ୍କ ଦ୍ବାରା ଏକାଡେମୀର ଏହି ସାଧାରଣ ପରିଷଦର ଗଠନ ଅତ୍ୟନ୍ତ ଆବଶ୍ୟକ। କାରଣ, ଏହା ନ ଥିଲେ, ଏକାଡେମୀ ଫଳପ୍ରଦ ବା ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିପାରି‌ବ ନାହିଁ। ସରକାର ସଭାପତି ଓ ଉପସଭାପତିଙ୍କ ନିଯୁକ୍ତି ଏବଂ ସାଧାରଣ ପରିଷଦର ଗଠନ ନ କରୁଥିବାରୁ ଏକାଡେମୀ ପଙ୍ଗୁ ହୋଇ ରହିଛି। କାରଣ, ଏମାନଙ୍କ ସମେତ କାର୍ଯ୍ୟକାରୀ ପରିଷଦ ହେଉଛନ୍ତି ଏକାଡେମୀର ଗୁରୁତ୍ବପୂର୍ଣ୍ଣ କର୍ତ୍ତୃପକ୍ଷ।

ଏହି ଜନସ୍ବାର୍ଥ ଆବେଦନରେ ଶ୍ରୀ ଦାସ ଆହୁରି ମଧ୍ୟ ଦର୍ଶାଇଛନ୍ତି, ଯେ ଓଡ଼ିଆ ସାହିତ୍ୟର ବିକାଶ ସହିତ ଓଡ଼ିଶାରେ ଉଚ୍ଚ ସାହିତ୍ୟିକମାନ ପ୍ରତିଷ୍ଠା ନିମନ୍ତେ ୧୯୫୭ ମସିହାରେ ଓଡ଼ିଶା ସାହିତ୍ୟ ଏକ‌ାଡେମୀ ଗଠିତ ହୋଇଥିଲା। ସାହିତ୍ୟର ଉନ୍ନତି ମାଧ୍ୟମରେ ରାଜ୍ୟ‌େର ସାଂସ୍କୃତିକ ଐକ୍ୟ ପ୍ରତିଷ୍ଠା ଥିଲା ଏହାର ଲକ୍ଷ୍ୟ। ମାତ୍ର ରାଜ୍ୟ ସରକାର ଏକାଡେମୀର ବିଭିନ୍ନ ସାମ୍ବିଧାନିକ ପଦପଦବି ଏବଂ ପରିଷଦ ଓ କମିଟି ଆଦି ଗଠନ ନ କରିବା ଫଳରେ ଏହି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବାଧାପ୍ରାପ୍ତ ହେଉଛି। ଏହା ଫଳରେ ଏକାଡେମୀର ସମ୍ମାନଜନକ ପୁରସ୍କାରଗୁଡ଼ିକର ଚୟନ ଓ ଘୋଷଣାରେ ଗୁରୁତର ବିଫଳତା ଦେଖାଦେଇଛି। ୨୦୧୭ ମସିହା ଠାରୁ ଏହି ପୁରସ୍କାର ଦିଆଯାଇ ପାରିନାହିଁ। ଏଣୁ ଓଡ଼ିଶାର ତଥା ଓଡ଼ିଆ ସାହିତ୍ୟର ସାମୂହିକ ସ୍ବାର୍ଥ ପାଇଁ ସରକାର ତୁରନ୍ତ ଏହି ସବୁ ପଦପଦବିରେ ନିଯୁକ୍ତି ଓ ପରିଷଦ ଆଦି ଗଠନ କରିବା ଆବଶ୍ୟକ।

ଆହୁରି ପଢ଼ନ୍ତୁ- 100 grams of gold: ଫରିଦାବାଦ: ୧୦୦ ଗ୍ରାମ ସୁନାକୁ ଅଳିଆ ଭାବି ଫିଙ୍ଗି ଦେଇଥିଲେ, ୪ ମାସ ପରେ ଫେରାଇଲେ ସ୍କ୍ରାପ୍‌ ଡିଲର

ଏ ପ୍ରସଙ୍ଗରେ ଆବେଦନକାରୀ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରାଇଛନ୍ତି, ଯେ ୨୦୨୫ ମସିହା ମେ ମାସ ୨୪ ତାରିଖ ଦିନ ସେ ଏ ସଂକ୍ରାନ୍ତରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଏକ ପତ୍ରଦ୍ବାରା ସୂଚାଇଥିଲେ। ତୁରନ୍ତ ପଦକ୍ଷେପ ଗ୍ରହଣ କରି, ଏକାଡେମୀର ସଭାପତି ଓ ଉପସଭାପତିଙ୍କ ନିଯୁକ୍ତି ଏବଂ ସାଧାରଣ ପରିଷଦ ଓ କାର୍ଯ୍ୟକାରୀ ପରିଷଦ ଆଦିର ଗଠନ ନିମନ୍ତେ ସେଥିରେ ଅନୁରୋଧ କରିଥିଲେ। ମାତ୍ର ଏ ଦିଗରେ କିଛି ଫଳପ୍ରଦ ପଦକ୍ଷେପ ନିଆ ନ ଯିବା ପରି ମନେ ହେଉଛି। ଏଣୁ ଦେଶର ସଂବିଧାନର ୨୨୬ ଧାରା ଅନୁସାରେ ସେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କୁ ଏହା ଅବଗତ କରାଉଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମୀ ଓଡ଼ିଆ ଅସ୍ମିତାର ଏକ ଆସ୍ଥାପୀଠ ହୋଇଥିବାରୁ ସରକାରଙ୍କ ଦ୍ବାରା ଏହାର ସାଂବିଧାନିକ ବିଧି ବ୍ୟବସ୍ଥାର ଉଲ୍ଲଙ୍ଘନ ଓଡ଼ିଶାର ଜନସାଧାରଣଙ୍କର ମୌଳିକ ଅଧିକାର (ଧାରା ୧୯ ଓ ୨୧)ର ଉଲ୍ଲଙ୍ଘନ। ଏଣୁ ଏଥିରେ ସେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ହସ୍ତକ୍ଷେପ ପ୍ରାର୍ଥନା କରୁଛନ୍ତି।

ଏ ସଂକ୍ରାନ୍ତରେ ପ୍ରାପ୍ତ ତଥ୍ୟରୁ ଜଣାଯାଇଛି, ଯେ ଜନସ୍ବାର୍ଥକର୍ମୀ ଶ୍ରୀ ଦାସଙ୍କର ଏହି ଆବେଦନ ମାନ୍ୟବର ଉଚ୍ଚନ୍ୟାୟାଳୟ ଗ୍ରହଣ କରି, ସେପ୍‌ଟେମ୍ବର ୨୨ ତାରିଖ ଦିନ, ୨୦୨୫ ମସିହା ଅକ୍‌ଟୋବର ୨୭ ତାରିଖକୁ ଏହାର ଶୁଣାଣି ନିମନ୍ତେ ଦିନ ଧାର୍ଯ୍ୟ କରିଥିଲେ। ସେହି ଅନୁସାରେ, ସେଦିନ ଶୁଣାଣି ହୋଇ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟ ସରକାର ଏସବୁ ସଂପର୍କରେ ବିଶଦ ଭାବରେ ସୂଚାଇ ସତ୍ୟପାଠ ମାଧ୍ୟମରେ ଉତ୍ତର ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କୁ ସରକାରଙ୍କର ଉକ୍ତ ସତ୍ୟପାଠର ଉତ୍ତର ଦେବାପାଇଁ ଏକ ସପ୍ତାହ ସମୟ ଧାର୍ଯ୍ୟ କରାଯାଇଥିଲା। ତିନି ସପ୍ତାହ ପରେ ୨୦୨୫ ନଭେମ୍ବର ୨୪ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ମାତ୍ର ସେହି ନିର୍ଦ୍ଧାରିତ ତାରିଖ ମଧ୍ୟରେ ସରକାର ତାଙ୍କର ସତ୍ୟପାଠ ଦେଇ ନ ଥିଲେ। ପରେ, ୨ ଡିସେମ୍ବର, ୨୦୨୫ ଓ ୯ ଡିସେମ୍ବର ୨୦୨୫କୁ ମାମଲା ତାଲିକାଭୁକ୍ତ ହୋଇଥିଲା। ୨୦୨୫ ଡିସେମ୍ବର ୯ ତାରିଖ ଦିନ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ଆଉ ଗୋଟିଏ ଦିନ ଧାର୍ଯ୍ୟ କରିବାକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରାଯାଇଥିଲା। ତାହା ଅନୁସାରେ ୧୬ ଡିସେମ୍ବରକୁ ଶୁଣାଣିର ତାରିଖ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ସେହି ଦିନ ସୁଦ୍ଧା ସରକାରଙ୍କ ପକ୍ଷରୁ ବିଶଦ ବିବରଣୀ ସମ୍ବଳିତ ସତ୍ୟପାଠ ଦାଖଲ କରାଯାଇ ନ ଥିଲା କି ଶୁଣାଣି ହୋଇ ପାରି ନ ଥିଲା। ଅ‌ାବେଦନକାରୀ ଯଥାଶୀଘ୍ର ସରକାରଙ୍କ ସତ୍ୟପାଠ ଦାଖଲ ଓ ମାମଲାର ଶୁଣାଣି ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଥିଲେ ମଧ୍ୟ ୧୭ ଡିସେମ୍ବର ପରେ ଆଉ ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇନାହିଁ।

କିନ୍ତୁ ଓଡ଼ିଶା ସାହିତ୍ୟ ଏକାଡେମୀକୁ ଏହିପରି ଭାବରେ ପଙ୍ଗୁ କରି ରଖି, ଏବେ ମନୋମୁଖୀ କାର୍ଯ୍ୟକ୍ରମ ଚାଲିଛି। ସରକାର ତାଙ୍କର ଜଣେ ବିଭାଗୀୟ ପଦାଧିକାରୀଙ୍କୁ ସଚିବ (ସଂପାଦକ) ପଦର ଦାୟିତ୍ବରେ ବସାଇ ଦେଇଛନ୍ତି। କାର୍ଯ୍ୟକ୍ରମଗୁଡ଼ିକ ପାଇଁ କାର୍ଯ୍ୟକାରୀ ପରିଷଦର କି ସାଧାରଣ ପରିଷଦର ଅନୁମୋଦନ ନାହିଁ। ଅସାମ୍ବିଧାନିକ ଭାବେ ସବୁ କାର୍ଯ୍ୟ ଚାଲିଛି। ଅର୍ଥସମିତି ନ ଥିଲେ ମଧ୍ୟ ଅସାମ୍ବିଧାନିକ ଭାବେ ଅଜସ୍ର ଅର୍ଥବ୍ୟୟ ହେଉଛି। ନୂଆନୂଆ କାର୍ଯ୍ୟକ୍ରମର ଉଦ୍ଭାବନ କରି ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷ ଏକାଡେମୀର ଅର୍ଥ ଲୁଟୁଛନ୍ତି। ଏକାଡେମୀର ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସଚିବ ହେଉଛନ୍ତି କେବଳ ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ। ସାଧାରଣ ପରିଷଦ ବା କାର୍ଯ୍ୟକାରୀ ପରିଷଦ ଯାହା ନିଷ୍ପତ୍ତି କରିବ ସେ ତାହାକୁ କାର୍ଯ୍ୟକାରୀ କରିବେ। ତାଙ୍କର କିଛି ସ୍ବତନ୍ତ୍ର କ୍ଷମତା ନାହିଁ। ଅଥଚ ଏବେ ସେ ‌ହିଁ ହୋଇଛନ୍ତି ସର୍ବେସର୍ବା। ଏପରି ମନୋମୁଖୀ କାର୍ଯ୍ୟ ପାଇଁ ବିପ୍ଳବୀ କବି ରବି ସିଂ ଏକଦା ଏହି ଏକାଡେମୀକୁ ‘ଏକ୍‌ ଆଦମୀ’ କହିଥିଲେ।

ରାଜ୍ୟର ପୂର୍ବ ସରକାର ଅମଳରେ ଏପରି କିଛି ଅନିୟମିତତା ଦୃଷ୍ଟିରୁ ଓଡ଼ିଶା ସାହିତ୍ୟ ଏକାଡେମୀରେ ବର୍ଷ ବର୍ଷ ଧରି ପୁରସ୍କାର ପ୍ରଦାନର ଶୁଭ ଶଙ୍ଖ ବାଜୁ ନ ଥିଲା। ଏବେ ଅସ୍ମିତାର ଆହ୍ବାନ ଦେଇ ନୂଆ ସରକାର ଶାସନ କ୍ଷମତାକୁ ଆସିବା ପରେ ବି ଅବସ୍ଥା ଅପରିବର୍ତ୍ତିତ ରହିଛି, ବରଂ ଆହୁରି ଉତ୍କଟ ହୋଇଛି। ଏକାଡେମୀକୁ ଅନିୟମିତତାର ଏହି ପଙ୍କରୁ ଉଦ୍ଧାର କରିବାର ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ଏହା ହିଁ ଆଜିର ସବୁଠୁ ବଡ଼ ବିଡ଼ମ୍ବନା।

(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୯୪୩୭୦ ୩୪୮୦୪