Photograph: (sambad epaper)
ଆରେ ଢମଣା, ବୁଲିବୁଲି କରି ସେହି ଅଗଣା
(ସତ କହୁଛି)
ଶ୍ୟାମସୁନ୍ଦର ଅଗ୍ରୱାଲା
ପ୍ରତ୍ୟେକ ଥର କୁମ୍ଭ ମେଳାରେ କୋଟିକୋଟି ଲୋକ ବୁଡ଼ ପକଉଛନ୍ତି। ବଡ଼ଦାଣ୍ଡରେ ଲକ୍ଷଲକ୍ଷ ଲୋକ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ସାମିଲ ହେଉଛନ୍ତି। ଶିବରାତ୍ରିରେ ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ହଜାରହଜାର ଲୋକ ଠେଲାପେଲା ହୋଇ ମହାଦୀପ ଦର୍ଶନ କରୁଛନ୍ତି। ଗାଁ ଆଉ ସହରର ପ୍ରତି ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାରା ମାନଙ୍କରେ ଶହଶହ ଲୋକ ରାତିଦିନ ପୂଜା ଅର୍ଚ୍ଚନା କରୁଛନ୍ତି। ସଂକ୍ରାନ୍ତି, ଗ୍ରହଣ, ଅମାବାସ୍ୟାରେ ନିର୍ଜଳା ଉପବାସ କରୁଛନ୍ତି। ମନ୍ଦିରର ପ୍ରତ୍ୟହ ସଞ୍ଜ ହେଲେ ଘଣ୍ଟ ଆଳତି ଶୁଭୁଛି। ମସଜିଦରେ ସକାଳୁସକାଳୁ ଲାଉଡ୍ ସ୍ପିକରରେ ଆଜାନ ବାଜୁଛି। ଭାରତବର୍ଷରେ ଯୁଆଡ଼େ ଦେଖିବେ ସିଆଡ଼େ ଗୋଟେ ଧାର୍ମିକ ବାତାବରଣ ଦେଖିବାକୁ ମିଳୁଛି।
ମନରେ ପ୍ରଶ୍ନ ଉଠୁଛି, ଏତେ ଧର୍ମ ସବୁ ଯାଉଛି କୁଆଡ଼େ? ସମାଜରେ ପାପ ମଧ୍ୟ ଦିନକୁ ଦିନ ବଢ଼ି ଚାଲିଛି। ପୁଅ ବାପାକୁ ହତ୍ୟା କରିଦେଉଛି, ଝିଅ ମା’ର ତଣ୍ଟି ଚିପି ଦେଉଛି, ଚାରିଟି ଛୁଆର ଅଧାବୁଢ଼ୀ ମା’ ଗାଁର ଜୁଆନ ଟୋକାକୁ ସାଥିରେ ନେଇ ଫେରାର ହୋଇଯାଉଛି, ମଧୁଚନ୍ଦ୍ରିକା ରାତିରେ ନବବିବାହିତା ପତ୍ନୀ ସ୍ୱାମୀକୁ ବିଷ ଦେଇ ମାରିଦେଉଛି ଇତ୍ୟାଦି ଇତ୍ୟାଦି। ହତ୍ୟା, ଧର୍ଷଣ ଓ ଲୁଣ୍ଠନ ଦିନକୁ ଦିନ ବଢ଼ି ଚାଲିଛି। ତେଣୁ ମନରେ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠେ, ଏତେ ଧର୍ମ ସବୁ ଯାଉଛି କୁଆଡ଼େ?
ଆହୁରି ପଢ଼ନ୍ତୁ- Literature: ସ୍ବର୍ଣ୍ଣଲତା ମହାପାତ୍ରଙ୍କ କଲମରୁ ନିସୃତ ଗଳ୍ପ ‘ଅହଂ’...
ମା’ବାପାଙ୍କୁ ଠାକୁରଙ୍କ ଅବତାର ବୋଲି କୁହାଯାଇଛି କିନ୍ତୁ ଆଜିକାଲି ଅଧିକାଂଶ ପୁଅଝିଅ ମା’ବାପାଙ୍କୁ ଭଗବାନ ତ ନୁହେଁ, ସଇତାନଙ୍କ ଭଳି ବ୍ୟବହାର କରୁଛନ୍ତି। ଜିଇଥିଲା ଯାଏ ମା’ବାପାଙ୍କୁ ଗୋଇଠା ମାରୁଛନ୍ତି ଆଉ ମରିଗଲା ପରେ କାଉକୁ ଖିରିପୁରି ଦେଇ ଧର୍ମ କରୁଛନ୍ତି। ବଡ଼ ଦାଣ୍ଡର ବାଇଶି ପାହାଚରେ ମା’ବାପାଙ୍କୁ ‘ବଡ଼ବଡ଼ିଆ ହୋ’ ବୋଲି କହି କୁହାଟ ମାରୁଛନ୍ତି। ବୋହୂଟିଏ ଘରେ ମା’ବାପାଙ୍କ ଛାଡ଼ି ଦେଇ ଧର୍ମ କରିବାକୁ ଯାଇ ବାବାଜୀଙ୍କ ଆଶ୍ରମରେ ଘରଦ୍ୱାର ଲିପାପୋଛା କରୁଛି। ମା’ବାପାମାନେ ମଧ୍ୟ କିଛି କମ୍ ନୁହନ୍ତି। ମଦ ପିଇ ବାପା ପୁଅଝିଅଙ୍କୁ ପିଟିପିଟି ମାରିଦେଉଛି ତ ମା’ ଝିଅର ପ୍ରେମିକକୁ ନେଇ ହାତଗଣ୍ଠି ପଡ଼ିବା ଆଗରୁ ଫେରାର ହୋଇଯାଉଛି। ଆଶ୍ଚର୍ଯ୍ୟ ଲାଗେ ଏ ସମସ୍ତେ ପୁଣି ରାତି ପାହିଲେ ଗାଧୋଇପାଧୋଇ ଯାଇ ଠାକୁରଙ୍କୁ ଦର୍ଶନ କରି ଧର୍ମ ଅର୍ଜନ କରୁଛନ୍ତି।
ରାଜନେତାମାନେ ବି ଲୋକଙ୍କ ସେବା କରିବାକୁ ଯାଇ ଈଶ୍ୱରଙ୍କ ନାମରେ ଶପଥ ଗ୍ରହଣ କରୁଛନ୍ତି ଏବଂ ତାଙ୍କ ସେବାକୁ ଏକ ତୀର୍ଥ ବୋଲି କହି ପ୍ରଚାର କରୁଛନ୍ତି। ରାଜ୍ୟର ଯୁଆଡ଼େ ଆଖି ପକେଇବେ ସିଆଡ଼େ ଗଣ୍ଡାଗଣ୍ଡା ସେବା ଭବନ କିମ୍ବା ସେବା ସଦନ ଠୁସି ହୋଇ ରହିଛି। ଏହି ଆଧୁନିକ ତୀର୍ଥମାନଙ୍କରେ ସମସ୍ତ ଅଧିକାରୀ ହେଉଛନ୍ତି ଲୋକ ସେବକ ଏବଂ ଲୋକ ସେବା ହେଉଛି ଏମାନଙ୍କର ଧର୍ମ। ଏମାନଙ୍କ ଦେଖାଦେଖି ଏହି ତୀର୍ଥରେ ଯେଉଁମାନେ ଯୋଗ ଦେବାକୁ ଚାହୁଁଛନ୍ତି ସେମାନେ ମଧ୍ୟ କହୁଛନ୍ତି, “ମୁଁ ଅମୁକ ତୀର୍ଥରେ ଯୋଗ ଦେଇ ଲୋକଙ୍କ ସେବା କରିବାକୁ ଚାହୁଁଛି।” ପ୍ରଶ୍ନ ଉଠେ, ଏତେ ସେବା ସବୁ ଯାଉଛି କୁଆଡ଼େ? ଥରେ ଏହି ତୀର୍ଥର ଅଧିକାରୀ ହୋଇଗଲେ ସେମାନେ ନିଜକୁ ଠାକୁର କିମ୍ବା ଠାକୁରଙ୍କ ଅବତାର ବୋଲି ଭାବୁଛନ୍ତି। ତେଣିକି ଧର୍ମ ସେମାନେ କରନ୍ତି ନାହିଁ।
ଏହି ତୀର୍ଥ ଅଧିକାରୀମାନେ ଯେତେବେଳେ ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି ସେତେବେଳେ କିଏ କାହାକୁ ଦର୍ଶନ କରୁଛନ୍ତି ବୋଲି ମନରେ ପ୍ରଶ୍ନ ଉଠୁଛି। ସର୍ବସାଧାରଣଙ୍କ ଦର୍ଶନକୁ ଏମାନଙ୍କ ପାଇଁ ବନ୍ଦ କରି ଦିଆଯାଉଛି। ରାସ୍ତାଘାଟ ଚାରିଆଡ଼େ ଶୂନଶାନ ହୋଇଯାଉଛି। ଗାଡ଼ିମଟର ବନ୍ଦ କରିଦିଆଯାଉଛି। ଏମାନଙ୍କ ସ୍ୱାଗତରେ ମନ୍ଦିରକୁ ଫୁଲମାଳରେ ସଜେଇ ଦିଆଯାଉଛି। ଏମିତି ସାଜସଜ୍ଜା ଦେଖି ପ୍ରତୀୟମାନ ହେଉଛି ଯେ ସତେ ଯେମିତି ଠାକୁର ତାଙ୍କୁ ଦର୍ଶନ କରିବାକୁ ଅପେକ୍ଷା କରି ବସିଛନ୍ତି ଏବଂ ତାଙ୍କ ଦର୍ଶନ ସରିଲା ପରେ ଯାଇ ସେ ସର୍ବସାଧାରଣଙ୍କ ପାଇଁ ତାଙ୍କ ଦୁଆର ଖୋଲୁଛନ୍ତି।
ଆହୁରି ପଢ଼ନ୍ତୁ- CBI probe: CM Devendra Fadnavis ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ହେଉ ସିବିଆଇ ତଦନ୍ତ: ଅମିତ ଶାହଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ ଫଡନବିସ
ବନ୍ଧୁଗଣ, ଆଧୁନିକ ଯୁଗରେ ମନୁଷ୍ୟ କେବଳ ମନୁଷ୍ୟକୁ ନୁହେଁ, ଠାକୁରଙ୍କୁ ମଧ୍ୟ ଚିତା କାଟି ଦେବାରେ ଓସ୍ତାଦ ହୋଇଯାଇଛି। ପ୍ରତ୍ୟହ ଆପଣମାନେ ଦେଖୁଥିବେ ଆଉ ଶୁଣୁଥିବେ ଯେ ଜଗନ୍ନାଥଙ୍କୁ ଭୋକ ଉପାସରେ ଛାଡ଼ି ଦିଆଯାଉଛି ଆଉ ନିଜର ସାମାନ୍ୟ ସ୍ୱାର୍ଥ ସାଧନ ନିମନ୍ତେ ରାତିସାରା ତାଙ୍କୁ ଉଜାଗର ରଖାଯାଉଛି। ଲିଙ୍ଗରାଜ ମହାପ୍ରଭୁଙ୍କର ସଂଧ୍ୟାଦୀପ ବନ୍ଦ କରି ଦିଆଯାଇ ରାତିସାରା ତାଙ୍କୁ ଖାଡ଼ା ଉପବାସରେ ରଖାଯାଉଛି। କେବଳ ଓଡ଼ିଶାରେ ନୁହେଁ, ସାରା ଭାରତବର୍ଷରେ ଠାକୁରମାନଙ୍କୁ ଏହିପରି ଦହଗଞ୍ଜ ହେବାକୁ ପଡୁଛି। ତିରୁପତି ମନ୍ଦିରର ଘିଅରେ କେମିକାଲ ମିଶାଇ ଠାକୁରଙ୍କୁ ବିଷାକ୍ତ ଲଡୁ ଖୁଆଯାଉଛି ତ ଭକ୍ତମାନଙ୍କୁ ଠାକୁରଙ୍କ ନାଁରେ ଶୁଦ୍ଧ ସିଲ୍କ ପରିବର୍ତ୍ତେ ଶସ୍ତା ପଲିଷ୍ଟର ଶାଢ଼ି ଖଣ୍ଡେଖଣ୍ଡେ ଧରେଇ ଦେଇ କୋଟିକୋଟି ଟଙ୍କା ମାରି ନିଆଯାଉଛି। ପଦ୍ମନାଭସ୍ୱାମୀ ମନ୍ଦିରରୁ ଲକ୍ଷଲକ୍ଷ ଟଙ୍କାର ସୁନା ଚୋରି ହୋଇ ଯାଉଛି ତ ରାତି ଅଧରେ ଠାକୁରଙ୍କ ହୁଣ୍ଡିରୁ ଟଙ୍କା ଉଭେଇ ଯାଉଛି। ଯେଉଁଠି ଠାକୁରଙ୍କ ରତ୍ନ ଭଣ୍ଡାର ସୁରକ୍ଷିତ ନାହିଁ ସେଠି ଆପଣଙ୍କ ଭଣ୍ଡାର କଥା କିଏ ପଚାରୁଛି? ତେଣୁ ସାରା ପୃଥିବୀ ଯେତେବେଳେ ପାପରେ ଭାରାକ୍ରାନ୍ତ ହୋଇପଡୁଛି, ସେଠି ଚତୁଃଦିଗରେ କି ଧର୍ମ ହେଉଛି କିଛି ବୁଝା ପଡୁନାହିଁ।
ଥରେ ମା’ ଗଙ୍ଗାକୁ ଏହି ପ୍ରଶ୍ନ କରାଗଲା- “ମା’, ତୁ ଲୋକମାନଙ୍କର ଏତେ ପାପ ନେଇ କ’ଣ କରୁଛୁ?” ମା’ ଗଙ୍ଗା କହିଲା, “ପୁଅରେ, ମୁଁ ଏସବୁ ପାପକୁ ନେଇ ସମୁଦ୍ରରେ ପକେଇ ଦେଉଛି।” ସମୁଦ୍ରକୁ ପଚାରାଗଲା, “ତୁ ଏତେ ପାପ ନେଇ କ’ଣ କରୁଛୁ?” ସମୁଦ୍ର କହିଲା, “ମୁଁ ସବୁ ପାପକୁ ବାଷ୍ପ କରି ମେଘକୁ ଦେଇଦେଉଛି।” ମେଘକୁ ଯେତେବେଳେ ଏହି ପ୍ରଶ୍ନ ପଚାରାଗଲା ମେଘ କହିଲା, “ମୁଁ ଏ ସବୁ ପାପକୁ ବର୍ଷା କରି ଲୋକଙ୍କ ଉପରେ ଢାଳି ଦେଉଛି।” ଅର୍ଥାତ୍, ଆରେ ଢମଣା, ବୁଲିବୁଲି କରି ସେହି ଅଗଣା।
(ମତାମତ ଲେଖକଙ୍କ ନିଜସ୍ବ)
Follow Us