ତୁମେ ମୃତ କି?

ଜୟନ୍ତ କୁମାର ବିଶ୍ବାଳ (ଦିଗ୍‌ବଳୟର ଏ ପାଖରେ)

ଏହିପରି ଏକ ଉଦ୍ଭଟ ପ୍ରଶ୍ନ ପଚରା ଯାଇପାରେ କି? କାରଣ, କୌଣସି ମୃତ ବ୍ୟକ୍ତି ଉତ୍ତର ଦେବ ନାହିଁ ଯେ ସେ ମୃତ! କିନ୍ତୁ ସମ୍ବାଦପତ୍ରମାନଙ୍କରୁ ଏହି ଶିରୋନାମାରେ ଗୋଟିଏ ‘ଆପ୍’ ଥିବା ବିଷୟରେ ପଢ଼ି ମୁଁ ତାହାକୁ ମୋ ଫୋନ୍‌ରେ ଡାଉନ୍‌ଲୋଡ୍ କଲି। ଚୀନ୍‌ର ଏହି ‘ଆପ୍’ ସେହି ଦେଶରେ ବହୁ ସଂଖ୍ୟାରେ ଏକାକୀ ରହୁଥିବା ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ପ୍ରତି ଦୁଇ ଦିନରେ ଏହି ‘ଆପ୍‌’ରେ ଥିବା ଗୋଟିଏ ବଡ଼ ସୁଇଚ୍‌କୁ ଚିପିବାକୁ ହୋଇଥାଏ ଏବଂ ତାହା ଯଦି ନ ହୁଏ, ତେବେ ପୂର୍ବରୁ ସ୍ଥିରୀକୃତ ହୋଇଥିବା ଜରୁରିକାଳୀନ ଫୋନ୍‌କୁ ଏହି ‘ଆପ୍’ ସାଙ୍ଗେସାଙ୍ଗେ ସୂଚନା ଦେଇଦିଏ। ଯଦିଓ ସାଂପ୍ରତିକ ସମାଜରେ ଏହି ‘ଆପ୍’ର ଏକ ବିଶେଷ ପ୍ରୟୋଜନୀୟତା ରହିଛି, ତଥାପି ମନରେ ଏହା ଏକ ଉଦ୍‌ବେଗ ସଞ୍ଚାର କରିଥାଏ ଯେ ଆସ୍ତେଆସ୍ତେ ଆମେ କେତେ ଏକୁଟିଆ ହୋଇଯାଉଛୁ! ବୃଦ୍ଧ, ବୟସ୍କ, ତରୁଣ ସମସ୍ତେ, ଅଳ୍ପ ହେଉ ବା ବହୁତ ହେଉ, ବେଳେବେଳେ ହେଉ ବା ସବୁବେଳେ ହେଉ, ନିଜର ଏକୁଟିଆ ହୋଇଯିବାକୁ ଅନୁଭବ କରୁଛନ୍ତି। ବୃହତ୍ତର ସମାଜର ଗହଳିଚହଳି, ହୋହଲ୍ଲା, କଳରୋଳ ଭିତରେ କେଉଁଠିକେଉଁଠି ଗୋଟିଏଗୋଟିଏ ସ୍ବର ଧୀରେଧୀରେ ସ୍ତୀମିତ ହୋଇଯାଉଛି। 

Advertisment

ବୃଦ୍ଧାବସ୍ଥାରେ ଅନେକ ଏକୁଟିଆ ଅନୁଭବ କରିଥାନ୍ତି। ସ୍ବାଭାବିକ ଭାବରେ ଏକ ଦାର୍ଶନିକ ସ୍ତରରେ ଏହା ହୋଇଥାଏ। ପ୍ରିୟ, ଆତ୍ମୀୟଜନଙ୍କର ମୃତ୍ୟୁ ଦେଖି ସାରିଲା ପରେ ଏବଂ ନିଜ ମୃତ୍ୟୁର ଆସନ୍ନତାକୁ ଅନୁଭବ କରିସାରିଲା ପରେ ସ୍ବାଭାବିକ ଭାବେ ଏକ ଭୟମିଶ୍ରିତ ଉତ୍କଣ୍ଠା ମନରେ ଆସିଥାଏ। ଏହି ଭୟ ବା ଉତ୍କଣ୍ଠା ଯେତେ ନିଜର ମୃତ୍ୟୁକୁ କଳ୍ପନା କରି ନୁହେଁ; ତା’ ଠାରୁ ଅଧିକ, ସୃଷ୍ଟିରେ ନିଜ ସ୍ଥିତିର ଚରମ ଏକୁଟିଆପଣକୁ ଅନୁଭବ କରି। କିନ୍ତୁ, ଏହି କଥାଟି ଦୁଃଖକର ହୋଇଥାଏ, ଯେତେବେଳେ ବୃଦ୍ଧାବସ୍ଥାରେ ମଣିଷ ଶାରୀରିକ ସ୍ତର‌େର ଏକୁଟିଆ ହୋଇଯାଏ। ଅର୍ଥାତ୍, ତା’ ପାଖରେ କେହି ନିଜର ମଣିଷ ନଥାନ୍ତି, ଯାହାକୁ କଥା କହିହେବ, ଛୁଇଁ ହେବ, ଯାହାକୁ ଅନୁଭବ କରି ହେଉଥିବ। ଏପରି କରୁଣ କାହାଣୀର ଫର୍ଦ୍ଦମାନ ପ୍ରତିଦିନ ଆମ ସମାଜର ଇତିହାସରେ ଯୋଡ଼ା ହୋଇଚାଲିଛି। ଜଣେ ବନ୍ଧୁଙ୍କ ଠାରୁ ଶୁଣିଥିଲି ଯେ ସେ ଥରେ, ଅନ୍ୟ ଏକ ସହରରେ ରହୁଥିବା ତାଙ୍କର ଜଣେ ବୃଦ୍ଧ ଆତ୍ମୀୟଙ୍କୁ ଦେଖା କରିବାକୁ ଯାଇଥିଲେ। ପହଞ୍ଚି ଦେଖିଲେ ଯେ ତିନି ମହଲା କୋଠା ଘରର ଗୋଟିଏ କୋଠରିରେ ତାଙ୍କୁ ବନ୍ଦ କରି ରଖାଯାଇଛି। ଏକମାତ୍ର ସନ୍ତାନ ଗୋଟିଏ ଲୋକକୁ ତାଙ୍କ ଦାୟିତ୍ବରେ ରଖିଦେଇ ଅନ୍ୟତ୍ର ରହୁଛି। ଲୋକଟି ଯେତେବେଳେ ବଜାର କି ଆଉ କୁଆଡ଼େ ଯାଉଛି, ବୃଦ୍ଧଙ୍କୁ ଘରେ ତାଲା ପକେଇ ଯାଉଛି। କିଛି ସମୟ ଅପେକ୍ଷା କଲା ପରେ ଲୋକଟି ଆସି କବାଟ ଖୋଲିଲା ଏବଂ ବନ୍ଧୁ ଜଣକ ଦେଖିଲେ, ଅସୁସ୍ଥ ବୃଦ୍ଧ ଖଟଟି ଉପରେ ଶୋଇ ଛାତକୁ ଅନେଇ ରହିଛନ୍ତି। ସେହିପରି ଅବସ୍ଥାରେ ବୃଦ୍ଧ ଆତ୍ମୀୟଙ୍କୁ ଦେଖି ତାଙ୍କ କଳ୍ପନାରେ ଗୋଟିଏ ଦୃଶ୍ୟ ଉଙ୍କି ଉଠେ। ଜାପାନ ଦେଶର ଗୋଟିଏ ପୁରୁଣା ଲୋକକଥା। ନାରାୟାମା ପାହାଡ଼ର ତଳେ ଥିବା ଗାଁଟିରେ କାହିଁ କେଉଁ କାଳରୁ ଗୋଟିଏ ପ୍ରଥା ଚଳି ଆସିଛି। ଗାଁରେ କାହାକୁ ସତୁରି ବର୍ଷ ହୋଇଗଲେ, ତା’ର ସନ୍ତାନ ତାକୁ ନେଇ ନାରାୟାମା ପାହାଡ଼ର ସବା ଉପରକୁ ଯାଏ; ସେଇଠି ତାକୁ ଛାଡ଼ି ଦେଇ ଆସେ। ବୃଦ୍ଧଟି ସେଇଠି ରହେ ତା’ର ମୃତ୍ୟୁ ପର୍ଯ୍ୟନ୍ତ କ୍ଷୁଧା, ତୃଷା, ହିଂସ୍ର ଜନ୍ତୁ ଏବଂ ତା’ର ଭୟଙ୍କର ଏକୁଟିଆ ହୋଇଯିବାକୁ ସାଥୀ କରି। ଲାଗେ, ଏବେ ‌କେତେକ ବାପା, ମା’ଙ୍କ ଜୀବନ ଠିକ୍ ନାରାୟାମା ପାହାଡ଼ର ଉପରେ ଜୀବନ କାଟୁଥିବା ବୃଦ୍ଧ, ବୃଦ୍ଧାଙ୍କ ପରି। କିନ୍ତୁ ବୃଦ୍ଧମାନଙ୍କ ଦାୟିତ୍ବକୁ ତାଙ୍କ ତଳ ପିଢ଼ି ବୁଝିବା ବ୍ୟତୀତ ତ ଆଉ କୌଣସି ଉପାୟ ନାହିଁ! ଯଦି କୌଣସି ଦୁଃଖଦ କାରଣରୁ ‘‘ବୃଦ୍ଧ କାଳେ ତୁ ମୋହର ଏକଇ ନନ୍ଦନ, ହୃଦତାପ ବିନାଶନେ ତୁ ହରିଚନ୍ଦନ’’ ସମ୍ଭବ ହୋଇପାରୁ ନାହିଁ, ତେବେ ତ ମଣିଷର ଅବସ୍ଥା ଦୁର୍ବିଷହ ହୋଇଯିବ! ଆଶାର କଥା ଯେ ସମାଜରେ ଯଦି କେତେ ଜଣଙ୍କ ପାଖରେ ନିଷ୍ଠୁର ସମ୍ବେଦନଶୂନ୍ୟତା ରହିଛି, ଅନ୍ୟ ଅନେକଙ୍କ ପାଖରେ ଅଫୁରନ୍ତ ସମ୍ବେଦନଶୀଳତା ଅଛି। ଏହା ହିଁ ଆମ ସମାଜର ପୁଞ୍ଜି। ସେଥିପାଇଁ ଏହାକୁ ଉପଜୀବ୍ୟ କରି ବ୍ୟକ୍ତିଗତ ଓ ଆନୁଷ୍ଠାନିକ ସ୍ତରରେ ମଧ୍ୟ ଅନେକ ଉଦ୍ୟମ ହେଉଛି। ଏହି ଉଦ୍ୟମକୁ ଆହୁରି ଗଭୀର ଓ ବ୍ୟାପକ କରିବାକୁ ପଡ଼ିବ ଯେପରି ସମାଜରେ କେହି ବୃଦ୍ଧ-ବୃଦ୍ଧା ପରିତ୍ୟକ୍ତ, ଅବାଞ୍ଛିତ ଅନୁଭବ କରିବେ ନାହିଁ; କେବେ ନିଜକୁ ନିଃସଙ୍ଗ ମନେ କରିବେ ନାହିଁ।

ଆହୁରି ପଢ଼ନ୍ତୁ- Kerala to 'Keralam': କେରଳର ନୂଆ ନାଁ ହେଲା 'କେରଳମ୍': କେନ୍ଦ୍ର କ୍ୟାବିନେଟର ନାମ ପରିବର୍ତ୍ତନକୁ ମଞ୍ଜୁରୀ

କିନ୍ତୁ ଆଜିକାଲି ତରୁଣମାନେ ବା ତିରିଶ, ଚାଳିଶ ବର୍ଷର ମଣିଷମାନେ କାହିଁକି ଏକୁଟିଆ ହୋଇଯାଉଛନ୍ତି, ଏପରିକି ନିଜର ନିଃସଙ୍ଗତାକୁ ବି ଭଲ ପାଇ ବସୁଛନ୍ତି? କେତେଗୁଡ଼ିଏ କଥା ଏକା ସାଥୀରେ ଘଟିଗଲା। ବସ୍ତୁବାଦୀ, ବଜାର ସଭ୍ୟତାରେ ଆମେ ଯାବତୀୟ ଜିନିଷମାନ କିଣିଲୁ; ସେଗୁଡ଼ିକୁ ଭଲ ପାଇ ବସିଲୁ ଏବଂ ତା’ ମୋହରେ ଏପରି ପଡ଼ିଗଲୁ ଯେ ମଣିଷମାନଙ୍କୁ, ଏପରିକି ନିଜର ସାଙ୍ଗସାଥୀ, ଆତ୍ମୀୟମାନଙ୍କୁ ଆଉ ଲୋଡ଼ିଲୁ ନାହିଁ। ଆମର ଘର, ଘର ଭିତରର ସାଜସଜା, କାର୍, ସୋଫା ଇତ୍ୟାଦି ଘର ଭିତରର ପ୍ରତ୍ୟେକଟି ଜିନିଷ ଆମକୁ ନିମଜ୍ଜିତ କରି ରଖିଲା। ପିଲାମାନଙ୍କୁ ଭିଡିଓ ଗେମ୍, କାର୍ଟୁନ୍ ଏବଂ ବଡ଼ମାନଙ୍କୁ ମୋବାଇଲ ଫୋନ୍, ଟିଭି ପରି ଜିନିଷମାନ ନିଜକୁ ଅନ୍ୟ ମଣିଷ ଠାରୁ ନିର୍ବାସିତ କରି ରଖିଲା ଏବଂ ଆମେ କ୍ରମେକ୍ରମେ ଆମର ଏହି ନିର୍ବାସିତ ଏକାନ୍ତ ଅବସ୍ଥାକୁ ଭଲପାଇ ବସିଲୁ। ଘର ଭିତରେ ମୋର ‘ରୁମ୍’ ଏବଂ ତା’ର ନିବୁଜ ପରିବେଶ, ମୋର ମୋବାଇଲ ଫୋନ୍, ଲ୍ୟାପ୍‌ଟପ୍ ଏବଂ ସେଗୁଡ଼ିକ ସାଥୀରେ ମୋର କାରବାରକୁ ମୁଁ ମୋର ଈପ୍‌ସିତ ‘ସ୍ପେସ୍’, ‘ଟାଇମ୍’ ବୋଲି କହି ଆତ୍ମସନ୍ତୋଷ ଲାଭ କଲି। ଏଣେ ସମାଜରେ ବ୍ୟକ୍ତି-ସ୍ବାଧୀନତାକୁ ଆଦର୍ଶ ମାନୁମାନୁ ତାହା କେତେବେଳେ ସଂକୀର୍ଣ୍ଣ ବ୍ୟକ୍ତି-କୈନ୍ଦ୍ରିକତାରେ ପରିଣତ ହୋଇଗଲା। ଦିନେ ଆମ ସମାଜର ଆଧାର ଥିଲା ଗୋଷ୍ଠୀଗତ ଜୀବନ। ବ୍ୟକ୍ତିଗତ ଜୀବନ ଅପେକ୍ଷା ଏହାର ଅଧିକ ପ୍ରାଧାନ୍ୟ ଥିଲା। ଏକାଠି ହୋଇ ରହିବା, ତାହା ପରିବାରରେ ହେଉ କି ସାହି ବା ଗାଁରେ ହେଉ, ସୁନ୍ଦର ଲାଗୁଥିଲା। ଏବେ ଅନେକଙ୍କୁ, ବିଶେଷ କରି ଆମର ପିଲାମାନଙ୍କୁ, ଏକୁଟିଆ ରହିବାଟା ସୁନ୍ଦର ଲାଗୁଛି। ଏକୁଟିଆ ରହିବା, ଯାହାକୁ ‘ବ୍ୟକ୍ତିଗତତା’ ବୋଲି କୁହାଯାଇପାରେ, ତାହା ଆସ୍ତେଆସ୍ତେ ଏକ ପ୍ରକାର ନିଶା ହୋଇଗଲାଣି। ଅନ୍ୟ ମଣିଷର ଉପସ୍ଥିତିକୁ ଆମେ ବେଶୀ ସମୟ ପାଇଁ ସହ୍ୟ କରିପାରୁନୁ, ଯେପରି ଆମର ବ୍ୟକ୍ତିଗତତା ଭିତରେ ଆଉ କାହାର ଏହା ଅନଧିକାର ପ୍ରବେଶ! ଆମେ ଆମର ବ୍ୟକ୍ତିଗତତାର ଦୁର୍ଗ ଭିତରେ ରହି ଅନ୍ୟମାନଙ୍କ ସହ ମାପଚୁପ କରି ସଂପର୍କ ରଖିବୁ। ମାତ୍ର, ଏଥିରେ ଏହା ହୁଏ ଯେ ଆମେ ଅନ୍ୟମାନଙ୍କୁ କେବଳ ସେମାନଙ୍କ ପରିଧିରେ ଛୁଇଁଥାଉ; ସେମାନଙ୍କର କେନ୍ଦ୍ରବିନ୍ଦୁରେ, ଅନ୍ତରରେ ନୁହେଁ। ନିଜର ଖୋଲ ଭିତରେ, ନିଜ ଜିନିଷଗୁଡ଼ିକୁ ଜାବୁଡ଼ି ଧରି, ନିଜ ପାଇଁ ଚିନ୍ତା ଓ ଭାବନା ଭିତରେ ନିମଜ୍ଜିତ ରହି ଏକୁଟିଆ ଜୀବନ କାଟିବା- ଏହା ତ ନିଜର କବର ଖୋଳି ତା’ ଭିତରେ ରହିବା ପରି କଥା! କିନ୍ତୁ ସମସ୍ତ ନିଶା-ଅଭ୍ୟାସର ପରିଣତି ଏକ ଭୟଙ୍କର ରୋଗ ହେଲା ପରି ଏହି ଏକୁଟିଆତ୍ବ ବା ବ୍ୟକ୍ତିଗତତା ନିଶାର ପରିଣାମ ମଧ୍ୟ କରୁଣ, ଭୟଙ୍କର ହୋଇଥାଏ। ‌ସେତେବେଳକୁ ଆମର କିଛି କରିବାକୁ ଆଉ ନ ଥାଏ।

ଆହୁରି ପଢ଼ନ୍ତୁ- Visa restrictions: କ୍ଷମତାକୁ ଆସିଲେ ପାକିସ୍ତାନ ସମେତ ୬ ଦେଶ ଉପରେ ଲାଗୁ ହେବ ଭିସା କଟକଣା

ଅଧିକାଂଶ ସମୟରେ ନିଃସଙ୍ଗତାର ବୀଜଟି ପରିବାରରେ ହିଁ ପଡ଼ିଥାଏ। ଆମର ଅନେକ ସ୍ବଚ୍ଛଳ ପରିବାରମାନଙ୍କରେ ପିଲାକୁ କେବଳ ପାଠ ପଢ଼ି, ଭଲ ନମ୍ବର ରଖିବାକୁ ଉତ୍ସାହିତ କରି ବାହାରକୁ ବୁଲିଯିବାକୁ ନ ଦେବା, ସାଙ୍ଗସାଥୀମାନଙ୍କ ସାଥୀରେ ପ୍ରାଣ ଭରି ଖୋଳିବାକୁ ନ ଦେବା, ନିଜ ଘର ବ୍ୟତୀତ ଅନ୍ୟ କୌଣସି କଥାରେ ଆଗ୍ରହ ରଖିବାକୁ ନ ଦେବା- ଏସବୁ ଗୋଟିଏ ଏକୁଟିଆ ଜୀବନର ଭିତ୍ତିଭୂମି ତିଆରି କରିଥାଏ। ସ୍କୁଲରୁ କଲେଜ, କଲେଜରୁ ଚାକିରି- ଏହି ଦୀର୍ଘ ଅବଧି ଭିତରେ ଏକୁଟିଆ ରହିବା - ଦେହରେ, ମନରେ - ତା’ର ଏପରି ଅଭ୍ୟାସ ହୋଇଯାଇଥାଏ ଯେ ସେ ଏହାକୁ ତା’ର ସ୍ବାଭାବିକ ସ୍ଥିତି ବୋଲି ଗ୍ରହଣ କରିନେଇଥାଏ। ସେ ଏଥିରେ ନିଜକୁ ସୁରକ୍ଷିତ, ନିରାପଦ ବୋଲି ଭାବେ, କାରଣ ଅନ୍ୟ ମଣିଷଟି ତା’ ପାଇଁ ଅନ୍ୟ ଗ୍ରହରୁ ଆସିଥିବା ଜୀବ ପରି ହୋଇଥାଏ ଏବଂ ତା’ ସହ ସଂପର୍କ ତାକୁ ସବୁବେଳେ ସନ୍ଦିହାନ, ବେଳେବେଳେ ସଂତ୍ରସ୍ତ କରିଥାଏ। ନିଜର ଏକୁଟିଆତ୍ବଟି ନିଜର ସବୁଠାରୁ ବଡ଼ ଅଭ୍ୟାସ ହୋଇଯାଏ ଏବଂ ଏଥିରୁ ମୁକୁଳିବା କଷ୍ଟକର ହୋଇପଡ଼େ। ଅଭ୍ୟାସ ଅନ୍ୟ ସବୁ କଥାକୁ ନିଷ୍ପନ୍ଦ, ନିଶ୍ଚିହ୍ନ କରିଦିଏ। ଅନ୍ୟ ମଣିଷ ସହ ମିଶିବା, କଥାବାର୍ତ୍ତା କରିବା, ଅନ୍ୟର ଜୀବନରେ ଆଗ୍ରହ ଦେଖାଇବା, ଜୀବନକୁ ଆଉ ଟିକିଏ ଉନ୍ମୁକ୍ତ କରି ବଞ୍ଚିବା- ସବୁ ଝରକା ବନ୍ଦ ହୋଇଯାଏ। ସାମୁଏଲ ବେକେଟ୍‌ଙ୍କର ‘ୱେଟିଂ ଫର ଗୋଦୋ’ ନାଟକରେ ପ୍ରସିଦ୍ଧ ଉକ୍ତିଟିଏ ଅଛି- ‘‘ହାବିଟ୍‌- ଇଜ ଏ ଗ୍ରେଟ ଡେଡନର’’, ଯାହାର ମର୍ମାର୍ଥ ହେଲା ଅଭ୍ୟାସ ହେଉଛି ପ୍ରାଣ-ସ୍ପନ୍ଦନ ହରଣକାରୀ।
ଘରେ ଦାରିଦ୍ର୍ୟ, ଦୁର୍ଦ୍ଦଶା ଲାଗି ଥାଇପାରେ। କିନ୍ତୁ ଘର ଯଦି କୋଳାହଳରେ ମୁଖର, ତେବେ ସେ ଘରେ ତ ଅମାପ ଐଶ୍ବର୍ଯ୍ୟ ଭରି ରହିଛି!
(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୯୪୩୭୨୯୨୧୧୩