Photograph: (sambad epaper)
କ୍ରୂରତମ ଦୁର୍ବୁଦ୍ଧିମତ୍ତା
ଶ୍ୟାମାପ୍ରସାଦ ଚୌଧୁରୀ (ଯାହା ମୁଁ ଚିନ୍ତଇ)
୨୦୦୩ ମସିହାରେ ଅକ୍ସଫୋର୍ଡର ଦାର୍ଶନିକ ନିକ୍ ବୋଷ୍ଟ୍ରମ୍ ଗୋଟେ ପରୀକ୍ଷାମୂଳକ ଚିନ୍ତା ଦେଇ ଭୟଙ୍କର ଭବିଷ୍ୟତବାଣୀ କରିଥିଲେ: ଯଦି କୌଣସି ‘କୃତ୍ରିମ ବୁଦ୍ଧିମତ୍ତା’ ବା ‘ଏଆଇ’ ସମ୍ବଳିତ ଯାନ୍ତ୍ରିକ ବ୍ୟବସ୍ଥାକୁ ‘କେବଳ ପେପର-କ୍ଲିପ୍ ଯେତେ ସମ୍ଭବ, ତିଆରି କର’ ବୋଲି ନିର୍ଦ୍ଦେଶ ଦିଆଯାଏ, ସେ ତାହାର ଲକ୍ଷ୍ୟ ପୂରଣ ପାଇଁ ସମସ୍ତ ବସ୍ତୁକୁ ବ୍ୟବହାର କରି ଦେଇପାରେ। ବୈଜ୍ଞାନିକ ଯୁକ୍ତି ଅନୁଯାୟୀ ସବୁ ବସ୍ତୁ ଅଣୁରେ ଗଠିତ; ତେଣୁ ମଣିଷ ମଧ୍ୟ ଏହି ପ୍ରକ୍ରିୟାର ‘ମାଟେରିଆଲ’ ହୋଇଯିବ। ଫଳରେ ସମଗ୍ର ପୃଥିବୀ କେବଳ ପେପର-କ୍ଲିପ୍ରେ ଭରିଯିବ-ଏହି ଧାରଣାକୁ ‘ପେପର କ୍ଲିପ୍ ପାରାଡକ୍ସ’ ବୋଲି କୁହାଯାଏ।
ମୁଁ କହେ, କ୍ରୂରତମ ଦୁର୍ବୁଦ୍ଧିମତ୍ତା।
‘ଏଆଇ’ର ଅନିୟନ୍ତ୍ରିତ ନୈତିକ ବିଚାରବୋଧ ନେଇ, ଏଲନ ମସ୍କ ସମେତ ଅନେକ ଆଧୁନିକ ଚିନ୍ତକ ଭୟ ପ୍ରକାଶ କରୁଛନ୍ତି। ଆଶ୍ଚର୍ଯ୍ୟର କଥା, ମସ୍କ ନିଜେ ‘ଏଆଇ’ ତିଆରି ଓ ପ୍ରସାର ସହ ଜଡ଼ିତ। ଏଇ ପରିପ୍ରେକ୍ଷୀରେ ୟୁଭାଲ ନୋଆ ହରାରି ଓ ତାଙ୍କର ୨୦୨୪ରେ ପ୍ରକାଶିତ ବହି ‘ନେକ୍ସସ୍’ କଥା ଛାଏଁ, ମୋ ମନକୁ ଆସେ।
ହରାରି ଆଧୁନିକ ବିଶ୍ୱ ଚିନ୍ତାଧାରାରେ ଏକ ଗମ୍ଭୀର ସ୍ୱର। ବୟସ ପଚାଶ ବି ପୂରିନି। କିନ୍ତୁ, ୭୦ ହଜାର ବର୍ଷର ‘ବୁଦ୍ଧିଆ’ ମଣିଷ ଜାତିର ଓ ତା’ର ଆଗାମୀ କାଲିର ଇତିହାସ ଏବଂ ସୂଚନା ନେଟୱର୍କ ଓ କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ତାଙ୍କ ଚିନ୍ତା ବିଶ୍ୱବିଦିତ। ସେ କମ୍ପ୍ୟୁଟର ବିଜ୍ଞାନୀ ନୁହନ୍ତି; ମଧ୍ୟଯୁଗୀୟ ଓ ସାମରିକ ଇତିହାସ ତାଙ୍କ ଅଧ୍ୟୟନ କ୍ଷେତ୍ର। ଜେରୁଜାଲେମରେ ସେ ଇତିହାସ ପଢ଼ାନ୍ତି, କିନ୍ତୁ ତାଙ୍କ ପ୍ରଭାବ ଶ୍ରେଣୀ କକ୍ଷ ଛାଡ଼ି, ସାଧାରଣ ଚେତନାରେ ପଶି ସାରିଛି।
ଆହୁରି ପଢ଼ନ୍ତୁ- Drone Delivery: ହାଇଟେକ୍ ହେଉଛି ଦିଲ୍ଲୀ ଏନସିଆର୍, ଘରକୁ ଘର ବୁଲି ଡେଲିଭରୀ କରୁଛି ଡ୍ରୋନ୍
ତାଙ୍କ ବ୍ୟକ୍ତିଗତ ଜୀବନ ସରଳ ଓ ନିର୍ଭୀକ। ସେ ସମଲିଙ୍ଗୀ; ସ୍ୱାମୀ ଇତ୍ଜିକ ୟାହାଭଙ୍କୁ ମଜାରେ ‘ଇଣ୍ଟରନେଟ’ ବୋଲି କହନ୍ତି। ସରଳ ଜୀବନ ବଞ୍ଚନ୍ତି, ସନ୍ନ୍ୟାସୀ ପରି। ତାଙ୍କର ସ୍ମାର୍ଟଫୋନ ନାହିଁ ଏବଂ ସେ ଭେଗାନ୍(ସଂପୂର୍ଣ୍ଣ ନିରାମିଶାଷୀ, ଏପରିକି ଦୁଗ୍ଧ ବା ଦୁଗ୍ଧଜାତ ଦ୍ରବ୍ୟ ମଧ୍ୟ ବର୍ଜନୀୟ)। ମଶାକୁ, ‘ମର’ ବୋଲି ବି କହନ୍ତି ନାହିଁ! ପ୍ରତିଦିନ ବିପାସନା ଧ୍ୟାନ କରନ୍ତି- ଯାହା ଗୁରୁ ସତ୍ୟନାରାୟଣ ଗୋଏଙ୍କାଙ୍କ ଠୁ ଶିଖିଥିଲେ। ‘ସେପିଏନ୍ସ’, ‘ହୋମୋ ଡିଉସ’, ‘ଟ୍ୱେଣ୍ଟି ୱନ୍ ଲେସନ୍ସ…’ ଓ ‘ନେକ୍ସସ୍’ - ତାଙ୍କ ପ୍ରମୁଖ ପୁସ୍ତକ - ସବୁର ପ୍ରଥମ ଖସଡ଼ା କାଗଜ-କଲମରେ ଲେଖା, କମ୍ପ୍ୟୁଟରରେ ନୁହେଁ।
ହରାରିଙ୍କ ମୂଳ ମତ- ପ୍ରଥମେ ମଣିଷ କାହାଣୀ ତିଆରି କଲା, ପରେ ଉପକରଣ ଓ ଅସ୍ତ୍ର। ଧର୍ମ, ଟଙ୍କା, ରାଷ୍ଟ୍ର, ମୂଲ୍ୟବୋଧ- ସବୁ ସାମୂହିକ କାହାଣୀ ମାତ୍ର। ଭାଷା ଓ ପୁସ୍ତକ ଏହି ବିଶ୍ୱାସର ପ୍ରସାର କଲା; ଇଣ୍ଟରନେଟ ତଥ୍ୟର ଅସୀମ ଗନ୍ତାଘର ଖୋଲିଦେଲା। ତେବେ, ‘ଏଆଇ’ ପାଇଁ, ଆମେ ଏମିତି ଆଲ୍ଗୋରିଦମ ବା ପ୍ରକ୍ରିୟା-ସୂତ୍ର ତିଆରି କରିଛୁ, ଯାହା ମଣିଷର ଇଚ୍ଛା ଓ ଆକାଂକ୍ଷାକୁ ମଧ୍ୟ ଅନୁମାନ କରିପାରେ। ବର୍ତ୍ତମାନର ‘ଏଆଇ’ ଏକ ତଥ୍ୟ-ଜାଲ- ତଥ୍ୟ ସହ ତଥ୍ୟର ଗୁନ୍ଥନ।
‘ନେକ୍ସସ୍’ରେ ହରାରି ‘ଏଆଇ’କୁ ‘ଏଲିଏନ୍ ଇଣ୍ଟେଲିଜେନ୍ସ’ ବୋଲି କହନ୍ତି- ଗ୍ରହାନ୍ତରର ନୁହେଁ, କିନ୍ତୁ ମାନବୋତ୍ତର। ତେବେ ତାଙ୍କର ଭୟ, ଶିକାରୀ ଜାଲ ବିଛେଇଛି ପକ୍ଷୀ ପାଇଁ, କିନ୍ତୁ, ପକ୍ଷୀ ସେହି ଜାଲ ସହ ଶିକାରୀକୁ ବି ନେଇ, ଯଦି ଉଡ଼ିଯିବ!
ମଣିଷ ନିଜ ବୁଦ୍ଧିରେ ତିଆରିଥିବା ଯନ୍ତ୍ର ଦ୍ୱାରା ନିଜକୁ ଅତିକ୍ରମ କରିବାକୁ ଯାଇ ବିପଦକୁ ଆମନ୍ତ୍ରଣ କରୁଛି।
ମୋ ପାଇଁ କିନ୍ତୁ, ଏ ସବୁ ଗପ। ପ୍ରାୟ ହରାରି କହିବା ପରି। କୋଉ ନୂଆ ଧାରଣା, ଅବା ଗପ ନୁହେଁ?
‘ସର୍ସରର୍ସ ଆପ୍ରେଣ୍ଟିସ’ ଗପ ବି ଥିଲା ଏମିତି। ଅପଟୁ ଶିଷ୍ୟ ଜଣେ ମନ୍ତ୍ରରେ ଝାଡୁକୁ ପାଣି ବୋହି ଆଣିବା କାମରେ ଲଗାଏ। କିନ୍ତୁ ବନ୍ଦ କରିବା କଥା ଜାଣେ ନାହିଁ; ଝାଡୁକୁ ଭାଙ୍ଗି ଦୁଇ ଖଣ୍ଡ କରିବା ପରେ, କାମ ବରଂ ଦ୍ବିଗୁଣିତ ହୁଏ। ପରିଣାମରେ, ଘର ବୁଡ଼ି ପାଣି ହୁଏ, ଆଣ୍ଠୁଏ।
ଆହୁରି ପଢ଼ନ୍ତୁ- Paddy: ଅଦିନିଆ ବର୍ଷାରେ ଭିଜିଲା ୭ ହଜାର କୁଇଣ୍ଟାଲ ଧାନ
ମଣିଷ ଏପର୍ଯ୍ୟନ୍ତ ସତ୍ୟ-ମିଥ୍ୟା, କଳ୍ପନା-ବାସ୍ତବ, ଅର୍ଥ-ନିରର୍ଥକତା ଭିତରର ପାର୍ଥକ୍ୟକୁ ସଂପୂର୍ଣ୍ଣତଃ ଜାଣିପାରି ନାହିଁ। ସବୁ ତାତ୍କାଳିକ ଏବଂ କ୍ଷଣିକ। ତା’ର ଗପ କହିବା ଓ ତାକୁ ଇ ବିଶ୍ବାସ କରିବାର କ୍ଷମତା ବି ଶେଷ ହୋଇନାହିଁ। ସୁପର ବୁଦ୍ଧିମତ୍ତା ତିଆରି କରିବା ସହ ନୂଆ ସମସ୍ୟା ମଧ୍ୟ ସୃଷ୍ଟି କରିଛି ଓ କରିବ। କିନ୍ତୁ କୌଣସି ‘ଏଆଇ’ ଭିତରକୁ ‘ମଣିଷ-ନାଶ’ର ସମସ୍ତ ଆଲ୍ଗୋରିଦମ ବା ପ୍ରକ୍ରିୟା-ସୂତ୍ରକୁ ଭରିଦେବା ସମ୍ଭବ ନୁହେଁ। ତେଣୁ ଭୟରେ ବିମୂଢ଼ ହେବାର ଯୁକ୍ତି ମୁଁ ପାଉନି।
ହେମିଂୱେଙ୍କ ଘୋଷଣା - ମଣିଷ ନଷ୍ଟ ହୋଇ ଯାଇପାରେ, କିନ୍ତୁ କେବେ ପରାଜିତ ହେବ ନାହିଁ - ବେଶୀ ମନେ ପଡ଼ୁଛି। ମୋ ମତରେ, ‘ଏଆଇ’ ମଣିଷକୁ ନା ହରେଇ ପାରିବ, ନା ସମୂଳେ ନଷ୍ଟ କରିପାରିବ। ଖୁବ୍ ବେଶୀରେ, ମେରୀ ସେଲିଙ୍କ ‘ଫ୍ରାଙ୍କେନଷ୍ଟାଇନ’ ଗପ ପରେ, ଏହି ଦୁର୍ବୁଦ୍ଧିମତ୍ତାର ଆତଙ୍କକୁ ଆଉ ଗୋଟେ ବିଜ୍ଞାନ-ଗପ ବୋଲି ଶୁଣେଇ ଦେଇପାରିବ।
କିନ୍ତୁ, କୌଣସି ଆରମ୍ଭ ହେଇଥିବା ଗପ, ପରେ ସତ ହେଲା ନା ନାହିଁ, ଏକଥା ଜାଣିବା ପାଇଁ ଜଣକୁ ତ ନଷ୍ଟ ନ ହେଇ, ବଞ୍ଚି ରହିବାକୁ ହେବ!
ସେଇଠି ତ, ଏଇ ଗପଟିରେ ଆସିବ, ଦୁର୍ବୁଦ୍ଧିମତ୍ତାର ସବୁଠୁ ବେଶୀ କ୍ରୂର, ଅଭାବନୀୟ ଟୁଇଷ୍ଟ!
(ମତାମତ ଲେଖକଙ୍କ ନିଜସ୍ବ)
Follow Us