Advertisment

Editorial: ‘ଟ୍ରମ୍ପଙ୍କ ଟାରିଫ ଆତଙ୍କ ରହିବ ନା ଯିବ?’ ସରଳ କୁମାର ଦାସଙ୍କ ସରଳ ବିଚାରରେ...

Advertisment

ଆମେରିକାର ସୁପ୍ରିମ୍‌ କୋର୍ଟ ଫେବ୍ରୁଆରି ୨୦ ତାରିଖ ଦିନ ଏକ ଐତିହାସିକ ରାୟ ପ୍ରଦାନ କରି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଦ୍ୱାରା ବିଭିନ୍ନ ଦେଶ ଉପରେ ଭିନ୍ନଭିନ୍ନ ଦରରେ ଜାରି କରାଯାଇଥିବା ‘ପାରସ୍ପରିକ ଶୁଳ୍‌କ’କୁ ବେଆଇନ ଦର୍ଶାଇ ବାତିଲ କରିଦେଲେ। ଏହା ଟ୍ରମ୍ପଙ୍କ ଅହମିକା ପ୍ରତି ଏକ ଶକ୍ତ ଆଘାତ।

ଆମେରିକାର ସୁପ୍ରିମ୍‌ କୋର୍ଟ ଫେବ୍ରୁଆରି ୨୦ ତାରିଖ ଦିନ ଏକ ଐତିହାସିକ ରାୟ ପ୍ରଦାନ କରି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଦ୍ୱାରା ବିଭିନ୍ନ ଦେଶ ଉପରେ ଭିନ୍ନଭିନ୍ନ ଦରରେ ଜାରି କରାଯାଇଥିବା ‘ପାରସ୍ପରିକ ଶୁଳ୍‌କ’କୁ ବେଆଇନ ଦର୍ଶାଇ ବାତିଲ କରିଦେଲେ। ଏହା ଟ୍ରମ୍ପଙ୍କ ଅହମିକା ପ୍ରତି ଏକ ଶକ୍ତ ଆଘାତ।

2163226

Photograph: (sambad epapre)

ଟ୍ରମ୍ପଙ୍କ ଟାରିଫ ଆତଙ୍କ ରହିବ ନା ଯିବ?

ସରଳ କୁମାର ଦାସ (ସରଳ ବିଚାର)

ଆମେରିକାର ସୁପ୍ରିମ୍‌ କୋର୍ଟ ଫେବ୍ରୁଆରି ୨୦ ତାରିଖ ଦିନ ଏକ ଐତିହାସିକ ରାୟ ପ୍ରଦାନ କରି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଦ୍ୱାରା ବିଭିନ୍ନ ଦେଶ ଉପରେ ଭିନ୍ନଭିନ୍ନ ଦରରେ ଜାରି କରାଯାଇଥିବା ‘ପାରସ୍ପରିକ ଶୁଳ୍‌କ’ (ରେସିପ୍ରୋକାଲ ଟାରିଫ)କୁ ବେଆଇନ ଦର୍ଶାଇ ବାତିଲ କରିଦେଲେ। ଏହା ଟ୍ରମ୍ପଙ୍କ ଅହମିକା ପ୍ରତି ଏକ ଶକ୍ତ ଆଘାତ। ତେଣୁ ଟ୍ରମ୍ପ ଏହାକୁ ସହଜରେ ଗ୍ରହଣ କରି ନ ପାରି ‘ମର୍ଯ୍ୟାଦାହୀନ’ ବୋଲି ଆକ୍ଷେପ କରିଛନ୍ତି। ଏହି ରାୟ ଆସିବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଓଷଦ ବିକଳରେ ତାଟିଆ କାମୁଡ଼ିଲା ଭଳି ସେ ସବୁ ଦେଶ ଉପରେ ପ୍ରଥମେ ୧୦% ଓ ତା’ର ଦିନକ ପରେ ତାକୁ ବଢ଼ାଇ ୧୫% ‘ବୈଶ୍ୱିକ ଶୁଳ୍‌କ’ (ଗ୍ଲୋବାଲ ଟାରିଫ) ଲଗାଇବାର ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ ଟାରିଫ ଆତଙ୍କରେ ଗତ ପ୍ରାୟ ବର୍ଷେ କାଳ ଧରି ସାରା ବିଶ୍ୱର ବହିର୍ବାଣିଜ୍ୟ କ୍ଷେତ୍ରରେ ଅସ୍ଥିରତା ଦେଖା ଦେଇଥିଲା। ଇତିମଧ୍ୟରେ ଅନେକ ଦେଶ ଆମେରିକା ସହ ବାଣିଜ୍ୟ ଚୁକ୍ତି ସଂପାଦନ କରିବାକୁ ବାଧ୍ୟ ହୋଇଥିଲେ। ଭାରତ ପରିପ୍ରେକ୍ଷୀରେ ମଧ୍ୟ ଏଭଳି ଏକ ଚୁକ୍ତିର ରୂପରେଖ ପ୍ରସ୍ତୁତ ହୋଇ ବହିର୍ବାଣିଜ୍ୟ ସ୍ଥିତି ସ୍ଥିରତା ଆଡ଼କୁ ଅଗ୍ରସର ହେଉଥିଲା। ଯଦିଓ ଏଭଳି ସ୍ଥିତିରେ ଭବିଷ୍ୟତ ନେଇ ସ୍ପଷ୍ଟତା ମିଳି ପାରୁନାହିଁ, ତଥାପି ଏକ ସ୍ଥୂଳ ଅନୁମାନ ଏବଂ ଭାରତ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ନେଇ ଆଲୋଚନା କରାଯାଇପାରେ।

ଦ୍ୱିତୀୟ ଦଫା ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ ଆମେରିକାର ବାଣିଜ୍ୟ ନିଅଣ୍ଟକୁ ହ୍ରାସ କରିବା ଉପରେ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ଅନେକ ଦେଶ ଆମେରିକୀୟ ସାମଗ୍ରୀ ଉପରେ ଅତ୍ୟଧିକ ଶୁଳ୍‌କ ଲଗାଇବା ଫଳରେ ସେହି ଦେଶଗୁଡ଼ିକର ବଜାରକୁ ଆମେରିକୀୟ ସାମଗ୍ରୀର ମୁକ୍ତ ପ୍ରବେଶ ହୋଇପାରୁ ନ ଥିଲା। ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ସଂରକ୍ଷଣ ପ୍ରଦାନ କରିବା ଲାଗି ଦେଶଗୁଡ଼ିକ ପକ୍ଷରୁ ଆମେରିକୀୟ ସାମଗ୍ରୀ ଉପରେ ଉଚ୍ଚ ଦରରେ ଶୁଳ୍‌କ ଲଗାଯାଉଥିଲା। ଫଳରେ ଆମେରିକାର ରପ୍ତାନି ହ୍ରାସ ପାଇ ବାଣିଜ୍ୟ ନିଅଣ୍ଟ ୧.୨ ଲକ୍ଷ କୋଟି ଡଲାରକୁ ବୃଦ୍ଧି ପାଇଥିଲା। ଏହି ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଟ୍ରମ୍ପ ‘ରେସିପ୍ରୋକାଲ ଟାରିଫ’ ଜରିଆରେ ‘ଯେସାକୁ ତେସା’ ନୀତିର ଅନୁସରଣ କଲେ। ଫଳରେ ଆମେରିକୀୟ ସାମଗ୍ରୀର ଆମଦାନି ଉପରେ ଶୁଳ୍‌କ ହାର ହ୍ରାସ କରୁ ନ ଥିବା ଦେଶ ଉପରେ ଆମେରିକା ମଧ୍ୟ ଅନୁରୂପ ପରିମାଣରେ ଅଧିକ ଶୁଳ୍‌କ ଲଗାଇବାର ନିଷ୍ପତ୍ତି ନେଲା। ୨୦୨୫ ମସିହା ଫେବ୍ରୁଆରି ୧୦ ତାରିଖରେ ପ୍ରଥମ କରି ଟ୍ରମ୍ପ ପ୍ରଶାସନ ଦ୍ୱାରା ଇସ୍ପାତ ଓ ଆଲୁମିନିଅମର ଆମଦାନି ଉପରେ ୨୫% ଶୁଳ୍‌କ ଲାଗୁ ହେଲା। ସେହି ବର୍ଷ ଏପ୍ରିଲ ୨ ତାରିଖରୁ ବର୍ଦ୍ଧିତ ହାରର ଶୁଳ୍‌କ ବିଭିନ୍ନ ଦେଶରୁ ଆସୁଥିବା ଅନେକ ସାମଗ୍ରୀ ଉପରେ ଭିନ୍ନ ଭିନ୍ନ ଦରରେ ଲାଗୁ କରାଗଲା। ଏହି ଶୁଳ୍‌କ ହାର ବ୍ରିଟେନ ସମେତ କେତେକ ଦେଶ ଉପରେ ସର୍ବନିମ୍ନ ୧୦% ଥିବା ବେଳେ ଭାରତ ଓ ବ୍ରାଜିଲ ଉପରେ ସର୍ବାଧିକ ୫୦% ହେଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରତିଦ୍ୱନ୍ଦ୍ୱିତା ଲାଗି ଏକ ସମତଳ ଭୂମି ତିଆରି କରିବା ଓ ତା’ ମାଧ୍ୟମରେ ଆମେରିକୀୟ ଘରୋଇ ଉଦ୍ୟୋଗକୁ ସଂରକ୍ଷଣ ପ୍ରଦାନ କରିବା। ଆମେରିକୀୟ ଉଦ୍ୟୋଗଗୁଡ଼ିକ ପୁନର୍ବାର ଚଳଚଞ୍ଚଳ ହେଲେ ସ୍ଥାନୀୟ ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଗଲା। ତେବେ ସମୟାନ୍ତରେ ‘ରେସିପ୍ରୋକାଲ ଟାରିଫ’କୁ କୂଟନୈତିକ ଓ ଭୂ-ରାଜନୈତିକ ସ୍ୱାର୍ଥ ସାଧନ ଲାଗି ଏକ ଅସ୍ତ୍ର ରୂପେ ମଧ୍ୟ ବ୍ୟବହାର କରାଗଲା। 

କିନ୍ତୁ ଦେଖାଗଲା ଯେ ବର୍ଦ୍ଧିତ ଶୁଳ୍‌କର କୁପ୍ରଭାବ ଆମେରିକାର ଘରୋଇ ଉଦ୍ୟୋଗ, ବ୍ୟବସାୟ ପ୍ରତିଷ୍ଠାନ ଓ ସାଧାରଣ ଖାଉଟିଙ୍କ ଉପରେ ପଡ଼ିଲାଣି। ଶୁଳ୍‌କ ବୃଦ୍ଧି ହେତୁ ଖାଉଟି ସାମଗ୍ରୀର ଦର ବୃଦ୍ଧି ହେଲା ଓ ଚାହିଦା ହ୍ରାସ ପାଇଲା। କିଛି ବ୍ୟାବସାୟିକ ପ୍ରତିଷ୍ଠାନ ବର୍ଦ୍ଧିତ ଦରର କିଛି ଅଂଶ ଖାଉଟିଙ୍କ କାନ୍ଧରୁ ନିଜ କାନ୍ଧକୁ ଆଣିବାରୁ ସେମାନଙ୍କ ଲାଭ କମିଲା। ଏଣେ ଦ୍ରବ୍ୟର ଯୋଗାଣରେ ବିଳମ୍ୱ ହେବା ସହ ଖାଉଟି ଅସନ୍ତୋଷ ବଢ଼ିବାକୁ ଲାଗିଲା। 

ଆହୁରି ପଢ଼ନ୍ତୁ- 🔴 LIVE News Updates 2026 February 25: ପରଲୋକରେ ୧୦୧ବର୍ଷର ଭେଟରାନ ନେତା ଆର. ନଲ୍ଲାକାହ୍ନୁ; ମାଓବାଦୀଙ୍କୁ ହତ୍ୟା କଲେ ମାଓବାଦୀ

‘ରେସିପ୍ରୋକାଲ ଟାରିଫ’ ଲାଗୁ କରାଗଲା ବେଳେ ହ୍ୱାଇଟ ହାଉସ ତରଫରୁ ‘ଅନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ କ୍ଷମତା ଆଇନ’ (ଆଇ.ଇ.ଇ.ପି.ଏ., ୧୯୭୭)ର ଉପଯୋଗ କରାଯାଇଥିଲା। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି ବାଣିଜ୍ୟକୁ ନିୟନ୍ତ୍ରଣ କରିବାର କ୍ଷମତା ଏଥିରେ ଅଛି। ଏଭଳି ଆଇନ ପ୍ରାୟ ସବୁ ଗଣତାନ୍ତ୍ରିକ ଦେଶରେ ଅଛି। ମାତ୍ର ସୁପ୍ରିମ୍‌ କୋର୍ଟଙ୍କ ଅନୁଯାୟୀ ପ୍ରଥମ କଥା ହେଲା, କର ନିର୍ଦ୍ଧାରଣ କ୍ଷମତା ଆମେରିକା ସଂସଦଠାରେ ନ୍ୟସ୍ତ; ସୁତରାଂ, ସଂସଦର ବିନା ମଞ୍ଜୁରିରେ ଏକତରଫା ଭାବେ ‘ରେସିପ୍ରୋକାଲ ଟାରିଫ୍’ ଲାଗୁ କରାଯାଇପାରିବ ନାହିଁ। ରାଷ୍ଟ୍ରପତି ଏଭଳି କରି କ୍ଷମତାର ସୀମା ଉଲଂଘନ କରିଛନ୍ତି। ଏହା ଅସାଂବିଧାନିକ, ତେଣୁ ବାତିଲ ଯୋଗ୍ୟ ବୋଲି ସରକାର କହିଥିଲେ। ତେବେ ଗତ ବର୍ଷକ ଭିତରେ ‘ରେସିପ୍ରୋକାଲ ଟାରିଫ’ ଭାବେ ଆଦାୟ ହୋଇଥିବା ପ୍ରାୟ ୧୭,୫୦୦ କୋଟି ଡଲାରର ଫେରସ୍ତ ନେଇ ସୁପ୍ରିମ୍‌୍ କୋର୍ଟ କୌଣସି ଟିପ୍ପଣି ଦେଇ ନାହାନ୍ତି। 

ଟ୍ରମ୍ପ କ୍ଷମତାକୁ ଫେରିଲା ବେଳେ ଆମେରିକାର ହାରାହାରି ଟାରିଫ ଥିଲା ମାତ୍ର ୨.୫%, ଯାହା ଯଥେଷ୍ଟ ବୃଦ୍ଧି ପାଇ ବର୍ଷକ ଭିତରେ ହାରାହାରି ୧୭%ରେ ପହଞ୍ଚି ସାରିଲାଣି। ତେଣୁ ଅତିରିକ୍ତ ଟାରିଫ ସୂତ୍ରରୁ ମିଳୁଥିବା ବିପୁଳ ଅର୍ଥରାଶିକୁ ଟ୍ରମ୍ପ ହାତଛଡ଼ା କରିବାକୁ ଚାହାନ୍ତି ନାହିଁ। ତେଣୁ ସୁପ୍ରିମ କୋର୍ଟଙ୍କ ଏହି ରାୟ ସତ୍ତ୍ବେ ଶୁଳ୍‌କ ଲଗାଇବା ଜିଦରେ ଅଟଳ ଟ୍ରମ୍ପ କେତେକ ବିକଳ୍ପର ଉପଯୋଗ କରିବାକୁ ଚାହିଁପାରନ୍ତି। ପ୍ରଥମତଃ, ବାଣିଜ୍ୟ ଆଇନ, ୧୯୭୪ର ଧାରା ୧୨୨ ଅନୁଯାୟୀ ଆମେରିକାକୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ରାଷ୍ଟ୍ରପତି ୧୫୦ ଦିନ ପର୍ଯ୍ୟନ୍ତ ୧୫% ଯାଏଁ ଅତିରିକ୍ତ ଶୁଳ୍‌କ ଲଗାଇ ପାରିବେ। ଏହି ଶୁଳ୍‌କ ଲଗାଇବା ପାଇଁ ଅନୁସନ୍ଧାନ, ଆଲୋଚନା ଆଦିର ଆବଶ୍ୟକତା ନ ଥିବାରୁ ଏହାକୁ ତତକ୍ଷଣାତ ଲଗାଯାଇପାରିବ। ଟ୍ରଂପ ‘ବୈଶ୍ୱିକ ଶୁଳ୍‌କ’ ଲଗାଇ ଏହି କ୍ଷମତାର ଉପଯୋଗ କରି ସାରିଲେଣି। ମାତ୍ର ୧୫୦ ଦିନର ଅବଧି ବୃଦ୍ଧି ଲାଗି ଆମେରିକା ସଂସଦ ମଞ୍ଜୁରି ନ ଦେଲେ ତାହା ଆପେଆପେ ଅକାମି ହୋଇଯିବ। ଦ୍ୱିତୀୟତଃ, କୌଣସି ଦେଶ ଅସଙ୍ଗତ, ଅଯୌକ୍ତିକ ବା ପକ୍ଷପାତପୂର୍ଣ୍ଣ ବାଣିଜ୍ୟିକ ଆଚରଣ କରୁଥିବା ଦର୍ଶାଇ ଆମେରିକା ବାଣିଜ୍ୟ ଆଇନର ଧାରା ୩୦୧ ଅନୁଯାୟୀ ଅତିରିକ୍ତ ଶୁଳ୍‌କ ଲଗାଇ ପାରିବ। ଟ୍ରମ୍ପ ତାଙ୍କର ପ୍ରଥମ ଦଫା ରାଷ୍ଟ୍ରପତିତ୍ୱ କାଳରେ ଏହି ଧାରାର ବ୍ୟବହାର କରିଥିଲେ। ଅବଶ୍ୟ ଏହି ଧାରାର ଉପଯୋଗ ପୂର୍ବରୁ ଅନୁସନ୍ଧାନ ଓ ଜନ ଶୁଣାଣି ଆବଶ୍ୟକ। ତେଣୁ ତାହା ସମୟ ସାପେକ୍ଷ। ସେମିତି ବାଣିଜ୍ୟ ବିସ୍ତାର ଆଇନ, ୧୯୬୨ର ଧାରା ୨୩୨ ଅନୁଯାୟୀ ଜାତୀୟ ସୁରକ୍ଷା ପ୍ରତି ବିପଦକୁ ଆଳ କରି ଅତିରିକ୍ତ ଶୁଳ୍‌କ ଲଗାଯାଇ ପାରିବ। ଅବଶ୍ୟ ଏଥି ପୂର୍ବରୁ ବାଣିଜ୍ୟ ବିଭାଗ ଦ୍ୱାରା ଅନୁସନ୍ଧାନ କରାଯିବା ଜରୁରି। ପ୍ରଥମ ଦଫାର ରାଷ୍ଟ୍ରପତିତ୍ବ କାଳରେ ମଧ୍ୟ ଟ୍ରମ୍ପ ଏହି ଧାରାର ଉପଯୋଗ କରି ଟାରିଫ ଲଗାଇଥିବାର ଅନେକ ନଜିର ରହିଛି। ଏହାଛଡ଼ା, ଟାରିଫ ଆଇନ, ୧୯୩୦ର ଧାରା ୩୩୮ ଅନୁଯାୟୀ ଆମେରିକୀୟ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ପ୍ରତି ପକ୍ଷପାତପୂର୍ଣ୍ଣ ଆଚରଣ କରୁଥିବା ଦେଶ ଉପରେ ରାଷ୍ଟ୍ରପତି ସିଧାସଳଖ ୫୦% ଯାଏଁ ଅତିରିକ୍ତ ଶୁଳ୍‌କ ଲଗାଇପାରିବେ। ଏହାର ଅର୍ଥ ସୁପ୍ରିମ୍‌ କୋର୍ଟଙ୍କ ପ୍ରତିକୂଳ ରାୟ ସତ୍ତ୍ୱେ ଟ୍ରମ୍ପ ବିଭିନ୍ନ ଭାବେ ଅତିରିକ୍ତ ଶୁଳ୍‌କ ଲଗାଇ ପାରିବେ। ତେଣୁ କେହି କେହି କହନ୍ତି ଯେ ଟାରିଫ ଆକ୍ରମଣ ଉପରେ ଯବନିକା ପତନ ହୋଇ ନ ପାରେ। 

ଆହୁରି ପଢ଼ନ୍ତୁ- T20 World Cup: ଚାପରେ ଟିମ୍‌ ଇଣ୍ଡିଆ, ଚର୍ଚ୍ଚାରେ ଜିମ୍ବାୱେ

ଅନ୍ୟ ଦେଶ ତୁଳନାରେ ଆମେରିକା ସହ ଭାରତର ବହିର୍ବାଣିଜ୍ୟ ସର୍ବାଧିକ। ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ୧୩,୧୮୦ କୋଟି ଡଲାରରେ ପହଞ୍ଚିଥିଲା। ତା’ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆମେରିକା ସହ ବାଣିଜ୍ୟରେ ଭାରତ ବଳକା ସ୍ଥିତିରେ ଅଛି। ସେହି ବର୍ଷ ଭାରତ ଆମେରିକାକୁ ୮୬୫୧ କୋଟି ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିବା ବେଳେ ଆମଦାନି କରିଥିଲା ୪୫୩୩ କୋଟି ଡଲାର। ଅର୍ଥାତ୍, ବାଣିଜ୍ୟ ବଳକାର ପରିମାଣ ଥିଲା ୪୦୦୦ କୋଟି ଡଲାରରୁ ଅଧିକ, ଯାହା ଅନ୍ୟ ଦେଶ ତୁଳନାରେ ସର୍ବାଧିକ। ତେଣୁ ଆମେରିକା ସହ ସ୍ୱଚ୍ଛନ୍ଦ ବାଣିଜ୍ୟ ଭାରତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ବୁଝା ପଡ଼େ। ଗତ ବର୍ଷ ଏପ୍ରିଲ ମାସ ଯାଏ ଭାରତକୁ ଆମେରିକା ‘ସର୍ବାଧିକ ପସନ୍ଦର ଦେଶ’ (ମୋଷ୍ଟ ଫେଭରଡ ନେସନ- ଏମ.ଏଫ.ଏନ.)ର ମାନ୍ୟତା ପ୍ରଦାନ କରି ‘ଏମଏଫଏନ ଲେଭି’ ଆଦାୟ କରୁଥିଲା, ଯାହା ହାରାହାରି ମାତ୍ର ୩.୫% ଥିଲା। ଏପ୍ରିଲ ମାସରେ ଆମେରିକା ଭାରତ ଉପରେ ୨୫%ର ‘ରେସିପ୍ରୋକାଲ ଟାରିଫ’ ଲଗାଇଲା। ତା ପରେ ରୁଷିଆ ଠାରୁ ତେଲ କିଣୁଥିବା କାରଣରୁ ଜରିମାନା ସ୍ୱରୂପ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍‌କ ଲାଗୁ ହେଲା। ଫଳରେ ଭାରତ ଉପରେ ସର୍ବାଧିକ ୫୦% ଟାରିଫ ଲାଗିବାରୁ ଏହାର ମାତ୍ରାଧିକ କୁପ୍ରଭାବ ଭାରତରୁ ଆମେରିକାକୁ ହେଉଥିବା ରପ୍ତାନି ଉପରେ ପଡ଼ିଲା। ବିଭିନ୍ନ କାରଣରୁ ପ୍ରାୟ ବର୍ଷେ ଧରି ଆମେରିକା ସହ ବାଣିଜ୍ୟ ଚୁକ୍ତି ପାଇଁ ଚାଲିଥିବା ବାର୍ତ୍ତାଳାପରେ ସଫଳତା ମିଳି ପାରୁ ନଥିବା ବେଳେ ଏ ବର୍ଷ ଫେବ୍ରୁଆରି ୨ ତାରିଖ ଦିନ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତିର ରୂପରେଖ ପ୍ରସ୍ତୁତ ହୋଇଛି। ତଦନୁଯାୟୀ ଆମେରିକା ଭାରତ ଉପରେ ‘ରେସିପ୍ରୋକାଲ ଟାରିଫ’କୁ ୨୫%ରୁ କମାଇ ୧୮% କରିବ ବୋଲି ହଠାତ୍ ଟ୍ରମ୍ପ ଏକତରଫା ଭାବେ ଘୋଷଣା ମଧ୍ୟ କରିଛନ୍ତି। ଏଥି ସହିତ ଭାରତ ରୁଷିଆରୁ ତେଲ କିଣା ବନ୍ଦ କରିଥିବାରୁ ଭାରତ ଉପରେ ଆଉ ଅତିରିକ୍ତ ୨୫% ଜରିମାନା ଲାଗିବ ନାହିଁ। କିନ୍ତୁ ଠିକ ଏତିକି ବେଳେ ଆମେରିକା ସୁପ୍ରିମ କୋର୍ଟଙ୍କ ରାୟ ଆସିବା ପରେ ସେହି ଅସ୍ୱାକ୍ଷରିତ ଚୁକ୍ତିର ଭାଗ୍ୟ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏବେ ଭାରତ ନିକଟରୁ କେତେ ଟାରିଫ ଆଦାୟ ହେବ, ସେ ନେଇ ମଧ୍ୟ ଦ୍ୱନ୍ଦ୍ୱ ଉପୁଜିଛି। ସୁପ୍ରିମ୍‌ କୋର୍ଟ ‘ରେସିପ୍ରୋକାଲ ଟାରିଫ’କୁ ବାତିଲ କରିଥିବାରୁ ଭାରତ ନିକଟରୁ କେବଳ ପୂର୍ବର ହାରାହାରି ୩.୫% ‘ଏମଏଫଏନ’ ଲେଭି ଆଦାୟ ହେବା କଥା। ରାୟ ଯୋଗୁଁ ଆମେରିକାକୁ ହେଉଥିବା ଭାରତର ପ୍ରାୟ ୫୫% ରପ୍ତାନି ଉପରେ କୌଣସି ଟାରିଫ ଲଗାଯିବା କଥା ନୁହେଁ। କିନ୍ତୁ ଟ୍ରମ୍ପ ପୁନର୍ବାର ସବୁ ଦେଶ ଉପରେ ୧୫% ‘ଗ୍ଲୋବାଲ ଟାରିଫ’ ଲଗାଇ ସାରିଥିବାରୁ ଏବେ ଭାରତକୁ ବସ୍ତୁତଃ ୧୮.୫ ପ୍ରତିଶତ ଟାରିଫ ଦେବାକୁ ହେବ, ଯାହା ସ୍ବାକ୍ଷରିତ ହେବାକୁ ଅପେକ୍ଷା କରିଥିବା ୧୮% ତୁଳନାରେ ସାମାନ୍ୟ ଅଧିକ। ତେବେ ଏହି ଶୁଳ୍‌କ ହାର ଯେ ସ୍ଥିର ରହିବ, ତାର କୌଣସି ଗ୍ୟାରେଣ୍ଟି ନାହିଁ। କାରଣ ଟ୍ରଂପଙ୍କ ଆଚରଣକୁ ନେଇ କୌଣସି ଅନୁମାନ ଲଗାଯାଇ ନ ପାରେ। ଏଥି ସହିତ ପୂର୍ବ ପରି ବାଣିଜ୍ୟ ଆଇନର ଧାରା ୨୩୨କୁ ଭିତ୍ତି କରି ଇସ୍ପାତ ଓ ଆଲୁମିନିଅମ ଉପରେ ୫୦% ଓ ଯାନବାହନ ଯନ୍ତ୍ରାଂଶ ଉପରେ ୨୫% ଶୁଳ୍‌କ ବଳବତ୍ତର ରହିବ। ସ୍ମାର୍ଟ ଫୋନ୍, ପେଟ୍ରୋଲଜାତ ଦ୍ରବ୍ୟ ଓ ଔଷଧ ଉପରେ କୌଣସି ଶୁଳ୍‌କ ଲାଗିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ ମୂଲ୍ୟ ଦୃଷ୍ଟିରୁ ଏହା ସମଗ୍ର ରପ୍ତାନିର ପ୍ରାୟ ୪୦ ପ୍ରତିଶତ। 

ଏ ସବୁ ଭିତରେ ଦେଶବାସୀଙ୍କ ସ୍ୱାର୍ଥ ତଥା ଦେଶର ସାର୍ବଭୌମତ୍ୱକୁ ଦୃଷ୍ଟିରେ ରଖି ଆମେରିକା ସହ ଯଥାଶୀଘ୍ର ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବା ଆବଶ୍ୟକ, କାରଣ ତାହା ବହିର୍ବାଣିଜ୍ୟ କ୍ଷେତ୍ରରେ ଦେଖା ଦେଇଥିବା ଅସ୍ଥିରତାକୁ ପ୍ରଶମିତ କରିବାରେ ସହାୟକ ହେବ। ତେବେ ଟ୍ରମ୍ପଙ୍କ କାର୍ଯ୍ୟକାଳରେ ଚୁକ୍ତିର ସ୍ଥାୟିତ୍ୱ ମଧ୍ୟ ପ୍ରଶ୍ନ ସଂକୁଳ ହୋଇ ଉଠେ। ଅନିଶ୍ଚିତତା ତ ଲାଗି ରହିବ, କାରଣ ଟ୍ରମ୍ପଙ୍କ କାର୍ଯ୍ୟକାଳ ସରିବାକୁ ଆହୁରି ଅଛି ୩ ବର୍ଷ!   
(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୯୪୩୭୦୩୮୦୧୫

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe