ସଚ୍ଚିଦାଜୀଙ୍କୁ ଭୁଲି ହେବନି କାହିଁକି?

ପ୍ରୀତୀଶ ଆଚାର୍ଯ୍ୟ (ସାମାନ୍ୟ କଥନ)

ହିନ୍ଦୀ ବୌଦ୍ଧିକ ଜଗତରେ ସମାଜବାଦୀ ଚିନ୍ତକ ସଚ୍ଚିଦାନନ୍ଦ ସିହ୍ନା(୧୯୨୮-୨୦୨୫) ଏକ ପରିଚିତ ନାଁ। ତାଙ୍କ ପ୍ରକାଶକଙ୍କ ମଧ୍ୟରେ ‘ଓରିଏଣ୍ଟ ଲଙ୍ଗମ୍ୟାନ’ରୁ ନେଇ ‘ବାଣୀ ପ୍ରକାଶନ’ର ଦୀର୍ଘ ସୂଚି। ୨୦୨୩ରେ ତାଙ୍କ ରଚନାବଳୀ ‘ରାଜକମଳ ପ୍ରକାଶନ’ ଦ୍ୱାରା ଆଠ ଖଣ୍ଡରେ ପ୍ରକାଶିତ। କିଶନ ପଟ୍ଟନାୟକଙ୍କ ଜଣେ ଘନିଷ୍ଠ ସହଯୋଗୀ ରୂପେ ସେ ଓଡ଼ିଶା ଆସିଛନ୍ତି। କିଶନ ବାବୁଙ୍କ ବିଚାର ଓ ହିନ୍ଦୀ ଲେଖନରେ ସଚ୍ଚିଦାଜୀଙ୍କ ହାତ ବାରି ହୁଏ। ନିକଟରେ ୯୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହେଲା।

Advertisment

ସଚ୍ଚିଦାଜୀ ଅବିବାହିତ; ପୈତୃକ ଗାଁ ବିହାରର ମୁଜାଫରପୁର ଜିଲ୍ଲାର ‘ମଣିକା’। ୧୯୪୨ରେ ବିଏସ୍‌ସି ପାଠ ଛାଡ଼ି ‘ଭାରତ ଛାଡ଼’ରେ ଯୋଗଦେଲେ। ପରେ ସମାଜବାଦୀ ଆନ୍ଦୋଳନ ଏବଂ ୧୯୭୦ ଦଶକରେ ‘ଜେପି’ ଆନ୍ଦୋଳନରେ ସକ୍ରିୟ ହେଲେ। ମନନ, ଚିନ୍ତନ ଓ ଲେଖନ ଚାଲିଲା; ବିଷୟ ଅସୀମ- ସାହିତ୍ୟ, ରାଜନୀତି, ଦର୍ଶନ, ନୃତତ୍ତ୍ବ, ଇତିହାସ, ସମାଜତତ୍ତ୍ବ, ସବୁକିଛି। ସପ୍ତମ ଓ ଅଷ୍ଟମ ଦଶକରେ ସେ ଅଧ୍ୟୟନ କାମରେ କିଛି ବର୍ଷ ଦିଲ୍ଲୀରେ ରହୁଥିଲେ। ରଫି ମାର୍ଗସ୍ଥିତ ୟୁଏନ୍‌ଆଇ ଲନ୍‌ସରେ ଶନିବାର ସନ୍ଧ୍ୟାରେ କିଛି ସମାଜବାଦୀ ବନ୍ଧୁ ଅନୌପଚାରିକ ଢଙ୍ଗରେ ଭେଟ ପଡ଼ନ୍ତି। କିଶନ ବାବୁ ଦିଲ୍ଲୀ ରହଣି ବେଳେ ସେଠିକି ନିହାତି ଆସୁଥିଲେ, ମୁଁ ବି ଯାଏ। କ୍ଷୀଣ ଶରୀର; ରାଗ-ଦ୍ୱେଷ ନାହିଁ; ସର୍ବଦା ଧୀର ପାଟି; ହସହସ ମୁହଁ; ପରିଧାନରେ ଖଦି କୁର୍ତ୍ତା-ପାଇଜାମା, ପାଦରେ କୋହ୍ଲାପୁରୀ ଚପଲ ଓ କାନ୍ଧରେ ଖଦି ବ୍ୟାଗ୍; ଯାତାୟାତର ମାଧ୍ୟମ- ଡିଟିସି ବସ୍, ନୋହିଲେ ପାଦ। ଏହା ଥିଲା ତାଙ୍କ ଦିଲ୍ଲୀ ପରିଚୟ।

ଲୋଦୀ ରୋଡ୍‌ର ଏକ ‘ବର୍ଷାତି’ ଘରେ ସେ ଦୁଇ ଶହ ଟଙ୍କା ମାସିକ ଭଡ଼ାରେ (୧୯୮୨ରେ) ରହୁଥିଲେ। ଆସବାବ ମଧ୍ୟରେ କିଛି ପୁସ୍ତକ, ଏକ କିରୋସିନ ଷ୍ଟୋଭ, ଅଳ୍ପ କପଡ଼ା ଓ ଦୁଇ-ଚାରିଟି ଷ୍ଟିଲ ଓ ଆଲୁମିନିଅମ ବାସନ। ‘ବର୍ଷାତି’ର ଏକମାତ୍ର ରୁମ୍‌ରେ ନା ଶୋଇବା ଲାଗି ଖଟ, ନା ପଢ଼ିବା ଲାଗି ଟେବୁଲ-ଚେୟାର। ସବୁଯାକ ପଠନ-ପାଠନ କାମ ଚାଲେ ବିଭିନ୍ନ ଲାଇବ୍ରେରିରେ ଓ ଖାତା-କଲମରେ। ଥରେ କହିଲେ ଯେ ପୂର୍ବ ଦିନ ଘରେ ଚୋର ପଶିଥିଲା। ହେଲେ ଘରେ ତା’ର ଚୋରିଯୋଗ୍ୟ ଏକମାତ୍ର ବସ୍ତୁ ଥିଲା ‘ତାଲା’। କିନ୍ତୁ ଘରେ ପଶିବା ଲାଗି ସେ ତାଲାକୁ ଭାଙ୍ଗି ସାରିଥିଲା; ତେଣୁ ଚଟାଣରେ ବହିମାନଙ୍କୁ ବିଛେଇ ଦେଇ ଚାଲିଗଲା। ଏହି କଥାରେ ସେଦିନ ସମସ୍ତେ ହସିଥିଲୁ। ମାତ୍ର ସେ ଚୁପ୍; କହିଲେ, “ଏକ ‘ବର୍ଷାତି’କୁ ଜଣେ ନିତାନ୍ତ ଗରିବ ଚୋର ହିଁ ଆସିଥିବ; ‘ବିଚରାର’ ଦିନକର ପରିଶ୍ରମ ବେକାର ଗଲା।’’ ତାଙ୍କ ମନ୍ତବ୍ୟରେ କୌଣସି କୃତ୍ରିମତା ନ ଥିଲା। 

ଏମଏ ଶେଣୀରେ ଆମକୁ ‘ଜାତି ପ୍ରଥା’କୁ ନେଇ ଏକ ଟ୍ୟୁଟୋରିଆଲ ଲେଖିବାର ଥିଲା; ଆମ ଶିକ୍ଷକ ଏ ବିଷୟରେ ନିହାତି ପଢ଼ିବା ଲାଗି ଦେଇଥିବା ମାତ୍ର ଦୁଇଟି ବହିର ତାଲିକାରେ ଥିଲା ସଚ୍ଚିଦାନନ୍ଦ ସିହ୍ନାଙ୍କ ପୁସ୍ତକ ‘କାଷ୍ଟ ସିଷ୍ଟମ: ମିଥ୍‌ସ, ରିଏଲିଟି, ଚାଲେଂଜେସ’ (୧୯୮୨)। ସଚ୍ଚିଦାଜୀଙ୍କ ଅନବଦ୍ୟ ବୌଦ୍ଧିକତାର ଏହା ଥିଲା ପ୍ରମାଣ ଓ ସ୍ବୀକୃତି। ଏ କଥା ତାଙ୍କୁ କହିଥିଲି। କିନ୍ତୁ ସେ ଆଦୌ ବିହ୍ୱଳ ହୋଇ ନ ଥିଲେ। ବରଂ, ‘ଜାତି’କୁ ନେଇ ସେହି ତାଲିକାରେ ଥିବା ଦ୍ବିତୀୟ ପୁସ୍ତକର ରଚୟିତା ଲୁଇ ଡୁମୋଙ୍କ ଠାରୁ ତାଙ୍କ ମତ କେଉଁଠି ଭିନ୍ନ, ତାହା ବୁଝାଇଲେ। ଏହା ମଧ୍ୟ ଥିଲା ତାଙ୍କ ସ୍ଥିତପ୍ରଜ୍ଞତାର ପ୍ରମାଣ। 

ଆହୁରି ପଢ଼ନ୍ତୁ- Hockey: ଚକମିଲେ ଶିଳାନନ୍ଦ, ଅଟକିଲା ପରାଜୟ ଧାରା: ଅଷ୍ଟ୍ରେଲିଆକୁ ହରାଇ ହୋବର୍ଟ ପର୍ଯ୍ୟାୟ ଶେଷ କଲା ଭାରତ

ଦିଲ୍ଲୀ ରହଣି ଖର୍ଚ୍ଚବହୁଳ ବୋଲି କିଛି ବର୍ଷ ପରେ ସଚ୍ଚିଦାଜୀ ପୈତୃକ ଗାଁ ‘ମଣିକା’ ଫେରିଗଲେ, ଯଦିଓ ଖର୍ଚ୍ଚର ମୁଖ୍ୟାଂଶ ଥିଲା ଦୁଇ ଶହ ଟଙ୍କାର ମାସିକ ଘରଭଡ଼ା। ମୁଖ୍ୟ ଆୟ- ବହି ଲେଖାରୁ ପ୍ରାପ୍ତ ଅନିୟମିତ ‘ରୟାଲଟି’। ତାଙ୍କ ଭଳି ଜଣେ ଲେଖକଙ୍କୁ ମଧ୍ୟ ପୁସ୍ତକ ଲେଖାରୁ ଚଳଣିଯୋଗ୍ୟ ପଇସା ମିଳି ପାରିଲା ନାହିଁ। 

୨୦୧୭ରେ ଥରେ ମୋତେ ବେଗୁସରାଇ ଯିବାର ହେଲା; ସେଠୁ ପ୍ରାୟ ଶହେ କିଲୋମିଟର ଦୂରରେ ମୁଜଫରପୁର; ପାଖରେ ‘ମଣିକା’। ତାଙ୍କୁ ଭେଟିବାକୁ ମଣିକା ଗଲି। ସାଙ୍ଗରେ ବେଗୁସରାଇର ଜଣେ ସ୍ଥାନୀୟ ଛାତ୍ର। ବସ୍‌ରେ ମୁଜଫରପୁର ପହଞ୍ଚିବା ପୂର୍ବରୁ ଗୋଟାଏ ଜାଗାରେ ଓହ୍ଲାଇଲୁ; ସେଠୁ କିଛି ବାଟ ଟ୍ରାକ୍ଟର ଓ ଶେଷରେ ଦୁଇ କିଲୋମିଟର ପାଦରେ ଚାଲି ‘ମଣିକା’ ପହଞ୍ଚିଲୁ। ଦୀର୍ଘ ୩୫ ବର୍ଷ ପରେ ବି ସଚ୍ଚିଦାଜୀଙ୍କ ସ୍ୱାସ୍ଥ୍ୟ ପୂର୍ବବତ, ପ୍ରସନ୍ନ ଭାବ, କଥାବାର୍ତ୍ତା ଆଗ ଭଳି ଅନିସନ୍ଧିତ୍ସୁ ଭରା। ଏବେ ସେ ହାତରେ ଆଉ ରୋଷେଇ କରୁ ନଥିଲେ। ଭୋଜନ ଆସୁଥିଲା ପଡ଼ୋଶୀ ଚାଷୀ ଘରୁ। ସେଦିନ ଆମ ପାଇଁ ମଧ୍ୟ ସେଇଠୁ ମଧ୍ୟାହ୍ନ ଭୋଜନ ଆସିଥିଲା- ପେଜିଆ-ଭାତ, ପାଣିଆ-ଡାଲି ଓ କଖାରୁ ତରକାରି। ‘ପଡ଼ୋଶୀ’ ଥିଲେ ଜଗତ ନାରାୟଣ। ଲାଗିଲା, ଏଥିରୁ ଅଧିକ ସ୍ୱାଦିଷ୍ଠ ଆଉ କିଛି ଥାଇ ନ ପାରେ। ସେ ରହୁଥିବା ଘରର ପଲସ୍ତରା ଛାଡ଼ି ଯାଇଥିଲା। ଘରେ ପଙ୍ଖା-ବିଜୁଳିର ବ୍ୟବସ୍ଥା ନ ଥିଲା; ସେ କହିଲେ, ‘କିଛି ବର୍ଷ ତଳେ’ ସେ ନିଜଆଡୁ ଲେଖି ‘କନେକ୍‌ସନ’ କଟେଇ ଦେଲେ, କାରଣ ‘ଗାଁରେ ବିଜୁଳି ଠାରୁ ଅଧିକ ଅନିୟମିତ ଆଉ କିଛି ନାହିଁ। ପୁଣି, ଯେତେବେଳେ ତାହା ରହେ, ତାହା ଏତେ ନିଷ୍ପ୍ରଭ ଯେ ତହିଁରେ ଲେଖି-ପଢ଼ି ହୁଏନା; ଗାଁରେ ବିନା ପଙ୍ଖାରେ ରହଣି ବଡ଼ କଥା ନୁହେଁ; ଏବେ ବି ଗାଁରେ ଗରମ କମ୍‌ ଓ ଅଧିକାଂଶ ଘର ବିନା ପଙ୍ଖାରେ।’ ଶେଷରେ କହିଲେ, “ଏବେ ବିଜୁଳି ବିଲ୍ ଭରିବାର ଝମେଲା ଆଉ ନାହିଁ।’’ ସଚ୍ଚିଦାଜୀ ସହରରେ ଥିବା ବେଳେ ବିଜୁଳିର ଉପଯୋଗ କରୁଥିଲେ କିନ୍ତୁ ତା’ର ଦାସତ୍ୱ ବରଣ କରି ନ ଥିଲେ। ସେଥି ଲାଗି ତ ସେ ଏତେ ସହଜରେ ସହରରୁ ଗାଁକୁ ଫେରି ପାରିଥିଲେ! 

ଆହୁରି ପଢ଼ନ୍ତୁ- Maoists: କଥାରେ ରାଜି ହେଲେନି ବୋଲି ହତ୍ୟା କରି ମାଟି ତଳେ ପୋତିଦେଲେ

୨୦୧୯ରେ, ଆଉଥରେ ମଣିକା ଯାଇଥିଲି। ଏବେ ସେ ୯୧ ଟପି ସାରିଥିଲେ; ସହାୟତା ଲାଗି ତାଙ୍କ ଭାଇ ଜଣକୁ ମଣିକାର ଘରେ ରହିବାର ବ୍ୟବସ୍ଥା କରି ଦେଇଥିଲେ। ତାଙ୍କ କଥାବାର୍ତ୍ତାରେ ଆଗ ଭଳି ଅତୁଟ କୌତୂହଳ ଓ ଅନୁସନ୍ଧିତ୍ସା। ପାଖରେ ଖବର ପାଇଁ କୌଣସି ଟିଭି-ପେପର ନ ଥିଲା, ତଥାପି ସେ ଦେଶ-ଦୁନିଆର ଖବରକୁ ନେଇ ଆଦୌ ଅଜ୍ଞ ନ ଥିଲେ। ସେ ନେଇ ଆଗ୍ରହ ମଧ୍ୟ ଊଣା ନ ଥିଲା। ଦିଲ୍ଲୀରେ ଆମେ ଏକତ୍ର ଅନୁଭବ କରିଥିବା ଅନେକ ଘଟଣାର ଚର୍ଚ୍ଚା ସାକ୍ଷାତକୁ ଉପଭୋଗ୍ୟ କଲା। ଗାଁରେ ରହଣିକୁ ସେ ନା ‘ରୋମାଣ୍ଟିସାଇଜ’ (ଆବେଗର ବିଷୟ) କରୁଥିଲେ, ନା ଗାଁ ରହଣିର ନିଷ୍ପତ୍ତିକୁ ନେଇ ଅନୁତପ୍ତ ହେଉଥିଲେ। ନିପଟ ଗାଁରେ ଚିକିତ୍ସା ସୁବିଧାର ଅଭାବ ତାଙ୍କ ସ୍ମୃତି କିମ୍ବା ଦୃଷ୍ଟିକୁ ମଳିନ କରିପାରି ନ ଥିଲା। ବିଦାୟ ନେବାବେଳେ କହିଲି, “ଆସନ୍ତା ବର୍ଷ ପୁଣି ଆପଣଙ୍କୁ ଭେଟିବାକୁ ଆସିବି।’’ ଚଟୁଳତା କରି ସେ ଉତ୍ତର ଦେଲେ, “ତା’ ହେଲେ, ତୁମକୁ ଭେଟିବା ଲାଗି ମୋତେ ଆଉ ବର୍ଷଟିଏ ବଞ୍ଚିବାକୁ ହେବ।’’

ଏହାପରେ, ସଚ୍ଚିଦାଜୀ ଆହୁରି ଛଅ ବର୍ଷ ବଞ୍ଚିଥିଲେ, ହେଲେ ମୁଁ କଥା ରଖିପାରି ନ ଥିଲି। ଗତ ନଭେମ୍ବରରେ ତାଙ୍କର ଦେହାନ୍ତ ହୋଇଗଲା। 
ଜ୍ଞାନ ଅପେକ୍ଷା ସର୍ବଦା ତାଙ୍କ ଅନ୍ତର୍ଦୃଷ୍ଟି ଆମକୁ ଆକୃଷ୍ଟ କରୁଥିଲା; ସର୍ବଦା ଆମ ଦୃଷ୍ଟିରେ ସେ କିଛି ନା କିଛି ଯୋଡୁଥିଲେ; ନିରନ୍ତର ବିସ୍ତାରିତ ହେବା ଲାଗି ବାଟ କଢ଼ାଉଥିଲେ। ଏହା ଥିଲା ତାଙ୍କ ‘ସଚ୍ଚିଦାଜୀ’ ହେବା ପଛର ବିଶେଷତ୍ୱ! 
(ମତାମତ ଲେଖକଙ୍କ ନିଜସ୍ବ)

[email protected]