ଯେଉଁ ସମସ୍ୟା ପ୍ରତି ଅନେକ ବିଶେଷଜ୍ଞ ଅଙ୍ଗୁଳି ନିର୍ଦ୍ଦେଶ କରନ୍ତି, ତାହା ହେଲା ଉତ୍ତୀର୍ଣ୍ଣ କୈଶୋରର ସଭିଏଁ ଅହର୍ନିଶ ସ୍ମାର୍ଟଫୋନ ପର୍ଦ୍ଦାରେ ନିମଗ୍ନ ରହି ପରିବାରରେ ଯେଉଁ ‘ଇକୋ ସିଷ୍ଟମ’ ଗଢ଼ିବେ, ତହିଁରେ ଚିର କୁତୂହଳୀ କିଶୋର-କିଶୋରୀମାନଙ୍କୁ ଅଧିକ କାଳ ଧରି ସାମାଜିକ ଗଣମାଧ୍ୟମରୁ ଦୂରେଇ ରଖାଯିବା ମଧ୍ୟ ଦୁଷ୍କର। ଆମେରିକାରେ ଆଇନ ସତ୍ତ୍ବେ କମ୍ ବୟସର ପିଲାମାନଙ୍କୁ ଯେମିତି ବାପାଙ୍କ ବନ୍ଧୁକ ହସ୍ତଗତ ହୋଇଯାଏ, ଅଷ୍ଟ୍ରେଲିଆରେ ସ୍ମାର୍ଟ ଫୋନକୁ ନେଇ ତତ୍ତୁଲ୍ୟ ପରିସ୍ଥିତି ସୃଷ୍ଟି ହୋଇପାରେ!
ଗଲା ୧୦ ତାରିଖ ଦିନ ଅଷ୍ଟ୍ରେଲିଆ ସରକାର ଏକ ଦଣ୍ଡନୀୟ ଆଇନର ପ୍ରବର୍ତ୍ତନ କରି ଷୋହଳ ବର୍ଷ ବୟସରୁ କମ୍ ବୟସ୍କଙ୍କୁ ସାମାଜିକ ଗଣମାଧ୍ୟମରୁ ବହିଷ୍କାର କରିବାର ଉଦ୍ୟମ କରିଛନ୍ତି। ପ୍ରକାଶ ଥାଉ କି ଏଭଳି କରିବାରେ ଅଷ୍ଟ୍ରେଲିଆ ହେଉଛି ପ୍ରଥମ ଦେଶ। ତେବେ, କିଶୋର-କିଶୋରୀମାନଙ୍କ ଉପରେ ସାମାଜିକ ଗଣମାଧ୍ୟମର କୁପ୍ରଭାବକୁ ନେଇ ପୃଥିବୀର ସର୍ବତ୍ର ଚିନ୍ତା ଓ ଉଦ୍ବେଗ ପ୍ରକଟିତ ହେଉଥିବା ବେଳେ ଆଶା କରାଯାଉଛି କି ଅନ୍ୟ କିଛି ଦେଶ ଶୀଘ୍ର ଅଷ୍ଟ୍ରେଲିଆର ପଦାଙ୍କ ଅନୁସରଣ କରିବେ। ଅବଶ୍ୟ, ଏଭଳି ଏକ ଆଇନର ଯଥାର୍ଥତା ସନ୍ଦେହାତୀତ, କିନ୍ତୁ ପ୍ରଶ୍ନ ହେଲା ସାମାଜିକ ଗଣମାଧ୍ୟମର ମାୟାବୀ ଆକର୍ଷଣରେ ସଂପୂର୍ଣ୍ଣ ବିମୋହିତ ପୃଥିବୀରେ ଏଭଳି ଏକ ଆଇନ ଫଳପ୍ରଦ ହେବ ତ? ସୁତରାଂ, ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ଅଷ୍ଟ୍ରେଲିଆ ସରକାର ଏହି ଦାୟିତ୍ବ ପିଲାମାନଙ୍କ ପିତାମାତା ବା ଅଭିଭାବକଙ୍କୁ ନ ଦେଇ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକର ପରିଚାଳକ ଟେକ୍ କଂପାନିଙ୍କ ଉପରେ ନ୍ୟସ୍ତ କରିଛନ୍ତି, ଯେଉଁମାନେ ଉନ୍ନତ ପ୍ରଯୁକ୍ତି ଏବଂ ଏ.ଆଇ.(କୃତ୍ରିମ ବୁଦ୍ଧିମତ୍ତା) ବ୍ୟବହାର କରି ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ବୟସ ନିରୂପଣ କରିବା ସହ ନିର୍ଦ୍ଧାରିତ ବୟସ ସୀମାରୁ କମ୍ ବୟସ୍କଙ୍କୁ ସାମାଜିକ ଗଣମାଧ୍ୟମର ପହଞ୍ଚରୁ ଦୂରରେ ରଖିବେ। ଏହି ଆଇନର ଅବମାନନାକାରୀଙ୍କୁ ୩୫ ନିୟୁତ ଆମେରିକୀୟ ଡଲାରର ମୋଟା ଜରିମାନା ଦ୍ବାରା ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି। ଅଷ୍ଟ୍ରେଲିଆ ସରକାରଙ୍କ ତର୍କ କହିଥାଏ ଯେ କୈଶୋରରେ ସାମାଜିକ ଗଣମାଧ୍ୟମ ସହିତ ନିଘଞ୍ଚ ସଂପୃକ୍ତି ହେତୁ ଅସୁମାରି ପିଲା ମାନସିକ ଅସୁସ୍ଥତାର ଶିକାର ହେଉଛନ୍ତିି, ଯାହା ଉଚ୍ଚାଙ୍ଗ ଗବେଷମୂଳକ ଦିସ୍ତାଦିସ୍ତା ଦସ୍ତାବେଜରୁ ଅତ୍ୟନ୍ତ ସ୍ପଷ୍ଟ; ଯେମିତି ‘ୱାଲ ଷ୍ଟ୍ରିଟ୍ ଜର୍ନାଲ’ ଦ୍ବାରା ପ୍ରକାଶିତ ଏକ ଗବେଷଣାର ନିଷ୍କର୍ଷ ହେଲା ଏହା ଯେ ‘ଇନଷ୍ଟାଗ୍ରାମ’ ବ୍ୟବହାରକାରୀ କିଶୋରୀମାନଙ୍କ ମଧ୍ୟରୁ ତିନି-ଚତୁର୍ଥାଂଶ ସେମାନଙ୍କ ରୂପ, ବେଶଭୂଷା, ସାମାଜିକ ଚଳଣି ଓ ଆର୍ଥିକ ସ୍ଥିତିକୁ ନେଇ ଗଭୀର ହୀନମନ୍ୟତାର ଶିକାର ହୁଅନ୍ତି; କାରଣ ‘ଇନଷ୍ଟା’ରେ ଆବିର୍ଭୂତ ହେଉଥିବା ଅନେକ ଝିଅଙ୍କ ରୂପ ଲାବଣ୍ୟ ବା ଅନ୍ୟାନ୍ୟ ହଟଚମଟ ଅତୁଳନୀୟ ବୋଲି ଭାବି ନେଇ ସେମାନେ ନିଜକୁ ନ୍ୟୂନ ଦୃଷ୍ଟିରେ ଦେଖିବାକୁ ଲାଗନ୍ତି। କହିବା ବାହୁଲ୍ୟ, ଅବଲୀଳା କ୍ରମେ ଏହି ଭାବନା ତୀବ୍ର ବିଷାଦବୋଧକୁ ମଧ୍ୟ ଜନ୍ମ ଦେଇଥାଏ। ପୁଣି କେବଳ ସେତିକି ନୁହେଁ, ସାମାଜିକ ଗଣମାଧ୍ୟମର ‘ଆଭାସୀ ଦୁନିଆ’ରେ ଅଶରୀରୀ ଉପସ୍ଥିତି ସମ୍ଭବ ହେଉଥିବାରୁ, ତା’ର ସୁଯୋଗ ନେଇ ଜାନ୍ତବ ଯୌନ କ୍ଷୁଧାଗ୍ରସ୍ତ ଅସଂଖ୍ୟ ଦାନବ ସେଠାରେ ଅହରହ ବିଚରଣଶୀଳ, ଯେଉଁମାନଙ୍କ ସର୍ବାଧିକ ସହଜ ଲଭ୍ୟ ଶିକାର ହେଉଛନ୍ତି ଏଭଳି କିଶୋର-କିଶୋରୀ। ଛୋଟ ପିଲାଙ୍କ ମନୋରଂଜନ ସକାଶେ ଖୁବ୍ ଆଦୃତ ସର୍ବବୃହତ୍ ଆପ୍ ‘ରିବକ୍ସ’ରେ ଏଭଳି ଯୌନ ବିକାରଗ୍ରସ୍ତଙ୍କ ଅବାଧ ଉପସ୍ଥିତି ପ୍ରଘଟ ହୋଇ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି କରିସାରିଛି। ଏବଂ ଉଦ୍ବେଗର ବିଷୟ ହେଲା ଏଭଳି ଅନେକ ‘ଆପ୍’ ଏବେ ବି ସକ୍ରିୟ ଏବଂ ସନ୍ତର୍ପଣରେ ଅଭିସନ୍ଧି ହାସଲରେ ବ୍ୟାପୃତ। ସେହି ଦୃଷ୍ଟିରୁ ଅଷ୍ଟ୍ରେଲୀୟ ଆଇନଟି ଯେ ସଂପୂର୍ଣ୍ଣ ଯୁକ୍ତିସଂଗତ, ତହିଁରେ ସନ୍ଦେହ ନାହିଁ। କିନ୍ତୁ, ପ୍ରଶ୍ନ ହେଲା ଏହାକୁ ପୂର୍ଣ୍ଣତଃ କାର୍ଯ୍ୟକାରୀ କରାଯିବା ସମ୍ଭବ ତ?
ପ୍ରକାଶ ଥାଉ କି ଆଇନଟି ଆସିବା ମାତ୍ରକେ ଏହା ମାତ୍ରାତିରିକ୍ତ ସରକାରୀ ନିୟନ୍ତ୍ରଣ ବୋଲି ସେଠାରେ ଉଚ୍ଚାଟ ସୃଷ୍ଟି ହେଲାଣି। ଏହାକୁ ସାଧାରଣ ନାଗରିକଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟକୁ ସରକାରଙ୍କ ଅନୁପ୍ରବେଶ ବୋଲି ଦର୍ଶାଇ ମୁକ୍ତ ବିଚାର ଓ ଅଭିବ୍ୟକ୍ତିର ସମର୍ଥକମାନେ କହିଥାଆନ୍ତି ଯେ କିଶୋର-କିଶୋରୀଙ୍କ ଆଳରେ ପ୍ରାରମ୍ଭ ହୋଇଥିବା ଏହି କଟକଣା ଅଚିରେ ପ୍ରାପ୍ତ ବୟସ୍କଙ୍କୁ ମଧ୍ୟ ଶରବ୍ୟ କରିପାରେ। ମୋଟାମୋଟି ଭାବେ ସେମାନେ ଚାହାନ୍ତି ଯେ ପିଲାମାନଙ୍କ ଗାର୍ଜନ ହେବାର ଅପଚେଷ୍ଟା କରିବାରୁ ସରକାର କ୍ଷାନ୍ତ ରହନ୍ତୁ। ଅବଶ୍ୟ, ସରକାର ଏଭଳି ସମାଲୋଚନାକୁ କର୍ଣ୍ଣପାତ କରି ନ ପାରନ୍ତି! କିନ୍ତୁ ବାସ୍ତବ ପକ୍ଷେ ଯାହା ଏହି ଆଇନ ସକାଶେ ଆହ୍ବାନ ସୃଷ୍ଟି କରିବ, ତାହା ହେଉଛି, ‘ଆଭାସୀ ଦୁନିଆ’ ବା ‘ଆଭାସୀ ବାସ୍ତବତା’ର ଛାୟା ତୁଲ୍ୟ ସ୍ବରୂପ, ଯହିଁରେ ପଦଚିହ୍ନ ସ୍ପଷ୍ଟ ହୋଇ ନ ପାରେ; ଏପରିକି ଅଦୃଶ୍ୟ ମଧ୍ୟ ରହିପାରେ; ଯାହା ଫଳରେ ଅଙ୍କୁଶ ଲଗାଇବା ମଧ୍ୟ ଏକ ଦୁରୂହ ବ୍ୟାପାର ହୋଇପଡ଼ିବ। ଉଦାହରଣ ସ୍ବରୂପ ଏହି ବାରଣ ପରେ ଏଭଳି ‘ଆପ୍’ମାନଙ୍କ ଆବିର୍ଭାବ ଘଟିବା ସମ୍ଭବ, ଯାହା ସାହାଯ୍ୟରେ ଟେକ୍ କଂପାନିଗୁଡ଼ିକ ଦ୍ବାରା ବ୍ୟବହୃତ ଅତି ଉନ୍ନତ ସୁରକ୍ଷା ପ୍ରଯୁକ୍ତିର ବର୍ମ ଭେଦ କରି କିଶୋର-କିଶୋରୀମାନେ ସାମାଜିକ ଗଣମାଧ୍ୟମରେ ପ୍ରବେଶ କରି ପାରନ୍ତି। ଅଷ୍ଟ୍ରେଲିଆରେ େଟକ କଂପାନିଗୁଡ଼ିକ ଯେଉଁ ପ୍ରଯୁକ୍ତିର ଆଶ୍ରୟ ନେବେ, ତହିଁରେ ହୁଏତ ମୋବାଇଲ ବ୍ୟବହାରକାରୀର ‘କଣ୍ଠ ସ୍ବର’ ବା ‘ଚେହେରା’ ଆଧାରରେ ବୟସର ଆକଳନ କରାଯାଇପାରେ ବା ବ୍ୟବହାରକାରୀଙ୍କ ବୟସ ଦର୍ଶାଉଥିବା କୌଣସି ଆଧିକାରିକ ପ୍ରମାଣ ପତ୍ର ଲୋଡ଼ା ଯାଇପାରେ; ଯାହା ଆଧାରରେ ସାମାଜିକ ଗଣମାଧ୍ୟମକୁ ପ୍ରବେଶାଧିକାର ମିଳିପାରେ। କିନ୍ତୁ ସମସ୍ୟା ହେଲା ଏହା ଯେ ପ୍ରଯୁକ୍ତି ଯେତେ ଉନ୍ନତ ବା ‘ଏ.ଆଇ.’ ଯେତେ ଦକ୍ଷ ହେଲେ ସୁଦ୍ଧା ବ୍ୟବହାରକାରୀର କଣ୍ଠ ସ୍ବର ଓ ଚେହେରାରୁ ବୟସର ନିର୍ଭୁଲ୍ ଅନୁମାନ ହୁଏତ ସର୍ବଦା ସମ୍ଭବ ନୁହେଁ ଏବଂ ଆଧିକାରିକ ପ୍ରମାଣ ପତ୍ରର ଯାଞ୍ଚ ବ୍ୟବସ୍ଥାରେ ଅନଧିକୃତ ‘ଡେଟା’ ସଂଗ୍ରହ ଓ ଅପବ୍ୟବହାରର ମାର୍ଗ ଉନ୍ମୋଚିତ ହୋଇଯାଇପାରେ। ତେଣୁ ଏଭଳି ବ୍ୟବସ୍ଥାରେ ଅନାବଶ୍ୟକ ବାଦ-ବିବାଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ବ୍ୟତୀତ ଆଉ ଯେଉଁ ସମସ୍ୟା ପ୍ରତି ଅନେକ ବିଶେଷଜ୍ଞ ଅଙ୍ଗୁଳି ନିର୍ଦ୍ଦେଶ କରନ୍ତି, ତାହା ହେଲା ଉତ୍ତୀର୍ଣ୍ଣ କୈଶୋରର ସଭିଏଁ ଅହର୍ନିଶ ସ୍ମାର୍ଟଫୋନ ପର୍ଦ୍ଦାରେ ନିମଗ୍ନ ରହି ପରିବାରରେ ଯେଉଁ ‘ଇକୋ ସିଷ୍ଟମ’ ଗଢ଼ିବେ, ତହିଁରେ ଚିର କୁତୂହଳୀ କିଶୋର-କିଶୋରୀମାନଙ୍କୁ ଅଧିକ କାଳ ଧରି ସାମାଜିକ ଗଣମାଧ୍ୟମରୁ ଦୂରେଇ ରଖାଯିବା ମଧ୍ୟ ଦୁଷ୍କର। ଆମେରିକାରେ ଆଇନ ସତ୍ତ୍ବେ କମ୍ ବୟସର ପିଲାମାନଙ୍କୁ ଯେମିତି ବାପାଙ୍କ ବନ୍ଧୁକ ହସ୍ତଗତ ହୋଇଯାଏ, ଅଷ୍ଟ୍ରେଲିଆରେ ସ୍ମାର୍ଟ ଫୋନକୁ ନେଇ ତତ୍ତୁଲ୍ୟ ପରିସ୍ଥିତି ସୃଷ୍ଟି ହୋଇପାରେ!
ଏହା ସତ ଯେ ଯେ କୌଣସି ବାରଣକୁ ଉଲ୍ଲଂଘନ କରିବା ହେଉଛି ମନୁଷ୍ୟର ଦୁର୍ଲଂଘ୍ୟ ପ୍ରବୃତ୍ତି, ଯାହାକୁ ଇଂରେଜୀରେ କୁହାଯାଏ ‘ଟ୍ରାନ୍ସଗ୍ରେସନ’। ବାଇବ୍ଲର ‘ଓଲ୍ଡ ଟେଷ୍ଟାମେଣ୍ଟ’ର ‘ବୁକ୍ ଅଫ ଜେନେସିସ’ ଅନୁସାରେ ଈଶ୍ବରଙ୍କ ବାରଣକୁ ଅମାନ୍ୟ କରି ନିଷିଦ୍ଧ ବୃକ୍ଷର ଫଳ ଖାଇ ଆଦାମ ଓ ଇଭ ସ୍ବର୍ଗରୁ ନିଷ୍କାସିତ ହୋଇ ମର୍ତ୍ତ୍ୟ ପୃଷ୍ଠରେ ପତିତ ହୋଇଥିଲେ। ଗ୍ରୀକ ପୁରାଣର ପାଣ୍ଡୋରାର କାହାଣୀରୁ ମନେ ହୁଏ ଯେ ଯଦି ଦେବତା ଜିଅସ ପାଣ୍ଡୋରାକୁ ଦେଇଥିବା ବାକ୍ସକୁ ଖୋଲିବାକୁ ବାରଣ କରି ନ ଥାଆନ୍ତେ, ତେବେ ହୁଏତ ପାଣ୍ଡୋରା ତାହା ଖୋଲି ନ ଥାଆନ୍ତା କି ବାକ୍ସରେ ଥିବା ଦୁଃଖ ଓ ଅଭିଶାପଗୁଡ଼ିକୁ ମୁକ୍ତ କରି ଦେଇ ନ ଥାଆନ୍ତା! ତେଣୁ ଏଥିରେ ଦ୍ବିରୁକ୍ତି ନାହିଁ ଯେ ଏଭଳି କଟକଣା ହିଁ ଉଲ୍ଲଂଘନ କରିବାର ଆଶଙ୍କାକୁ ଛାୟା ତୁଲ୍ୟ ସଙ୍ଗରେ ଘେନି ଆସିଥାଏ। ତେଣୁ, କେବଳ ଆଇନ ପ୍ରଣୟନ ଉପରେ ନୁହେଁ; ସଚେତନତା ସୃଷ୍ଟି ଉପରେ ମଧ୍ୟ ବିଶେଷଜ୍ଞମାନେ ଗୁରୁତ୍ବ ଆରୋପ କରନ୍ତି। ଗୌତମ ବୁଦ୍ଧଙ୍କ ଭଳି ଅନନ୍ୟ ମୌଳିକ ଚିନ୍ତନର ଅଧିକାରୀ ଏଭଳି ସଚେତନତାକୁ କହନ୍ତେ ‘ଜାଗ୍ରତ’ ହେବା ବା ଅଜି ସହଜ ଭାଷାେର କେବଳ ‘ଜାଣିବା’। ବୁଦ୍ଧଙ୍କ ବିଚାରରେ ଠିକ୍ କି ଭୁଲ୍ ଅଥବା ଭଲ କି ମନ୍ଦର ନିର୍ଦ୍ଧାରଣ ଶ୍ରମସାପେକ୍ଷ, ଅକାରଣ ଓ ପୂର୍ବାଗ୍ରହ ଦ୍ବାରା ପ୍ରଭାବିତ ହେବା ସମ୍ଭବ। ତାଙ୍କ ବିଚାରରେ କେବଳ ‘ଜାଣିବା’ ହିଁ ଯଥେଷ୍ଟ, ଯହିଁରେ ଠିକ୍ ବା ଭୁଲ୍ କିମ୍ବା ଭଲ ବା ମନ୍ଦର ଚିହ୍ନଟ ଆପଣା ଛାଏଁ ହୋଇଯାଏ; ଯାହାକୁ ‘ଚୈତନ୍ୟ ଉଦୟ’ ବୋଲି ମଧ୍ୟ କୁହାଯାଇପାରେ। କିନ୍ତୁ ସେଭଳି ଚୈତନ୍ୟ ଉଦୟ ଘଟିବା କଦାଚିତ୍ କ୍ବଚିତ ସମ୍ଭବ ହୋଇଥାଏ। ଏଭଳି ସ୍ଥଳେ ଗାର୍ଜନ ସରକାରଙ୍କ ନିଷ୍ପତ୍ତି ଏବେ ଅନ୍ତତଃ ଯଥୋଚିତ ଭଳି ମନେ ହେଉଛି, କିନ୍ତୁ ତା’ର ସଫଳତା ନେଇ ସହସା କୌଣସି ସିଦ୍ଧାନ୍ତରେ ପହଞ୍ଚିବା ମଧ୍ୟ ସମ୍ଭବ ନୁହେଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)