ବାଲିପାଟଣା: ଚୋରା ବେପାରୀଙ୍କଠାରୁ ମଦ ପିଇ ପିଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ଘଟଣାକୁ ନେଇ ଆଜି ବାଲିପାଟଣା ଥାନା ଆଳିସିଶାସନରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ମୃତ ଯୁବକ ହେଲେ ଆଳିସିଶାସନ ଡିହସାହିର ଜଗବନ୍ଧୁ ଭୋଳ ଓରଫ ମୁନା(୨୫)। ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ତଥା ବୃଦ୍ଧା ମାଆର ଏକମାତ୍ର ଭରସା ମୁନାଙ୍କ ମୃତ୍ୟୁ ପାଇଁ ସ୍ଥାନୀୟ ଅଞ୍ଚଳର ଚୋରା ମଦ ବେପାରୀ ଦାୟୀ ବୋଲି ଅଭିଯୋଗ କରି ଶହଶହ ମହିଳା ରାଜରାସ୍ତାକୁ ଓହ୍ଲାଇଥିଲେ। ରାସ୍ତା ଅବରୋଧ କରି ସେମାନେ ଧାରଣାରେ ବସିବା ସହ ପୁଲିସ ଓ ଅବକାରୀ ବିଭାଗ ତୁରନ୍ତ ମଦ ବେପାରୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ସେହିଭଳି କିଛି ମହିଳା ଚୋରା ମଦ ବେପାରୀଙ୍କ ଆଡ଼ାରେ ଚଢ଼ଉ କରି ବିପୁଳ ମଦ ଜବତ କରିଥିଲେ। ପ୍ରାୟ ୫ଘଣ୍ଟା କାଳ ମହିଳାମାନେ ରାସ୍ତା ଅବରୋଧ କରିବା ପରେ ପୁଲିସ ଓ ଅବକାରୀ ବିଭାଗର ଅଧିକାରୀମାନେ ବୁଝାସୁଝା କରି ସେମାନଙ୍କୁ ଧାରଣାରୁ ଉଠାଇଥିଲେ ଏବଂ ଖୁବଶୀଘ୍ର ଚୋରା ମଦବେପାରୀଙ୍କୁ ଜେଲ୍ ହାଜତକୁ ପଠାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
STF: ଏସ୍ଟିଏଫ୍ ପଞ୍ଝାରେ ୨ମୁଙ୍ଗେର ମାଫିଆ
୭ ତାରିଖ ଦିନ ଡିହସାହିର ମୁନା ମଦ ନିଶାରେ ଚୁର୍ ଥିବା ଅବସ୍ଥାରେ ଗାଁ ଦାଣ୍ଡରେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଡାକ୍ତର ଅପରେସନ୍ କରାଇବାକୁ ପରାମର୍ଶ ଦେଇଥିଲେ। ମାତ୍ର ଅର୍ଥାଭାବରୁ ବୃଦ୍ଧା ମାଆ ଅପରେସନ୍ କରାଇ ନପାରି ପୁଅକୁ ଘରକୁ ଫେରାଇଆଣିଥିଲେ। ପରଦିନ ଅର୍ଥାତ୍ ୮ତାରିଖ ଦିନ ମୁନାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମୁନାଙ୍କ ମୃତ୍ୟୁ ପରେପରେ ସେହି ଗାଁର ଅନ୍ୟ ଜଣେ ଯୁବକ ମଧ୍ୟ ମଦ ପିଇ ଗୁରୁତର ହୋଇଥିଲେ। ଦୁଇ ଦୁଇଟି ଅଘଟଣ ପରେ ଆଜି ସ୍ଥାନୀୟ ଅଞ୍ଚଳର ମହିଳାମାନେ ତାତି ଉଠିଥିଲେ। ବିଜେପି କୃଷକ ମୋର୍ଚ୍ଚା ସଦସ୍ୟ ଚିତ୍ତରଂଜନ ମିଶ୍ରଙ୍କ ନେତୃତ୍ବରେ ଶତାଧିକ ମହିଳା ଆନ୍ଦୋଳନକୁ ଓହ୍ଲାଇ ମଧୁବନ- ରାଜସ ମଠସାହି ରାସ୍ତା ଅବରୋଧ କରିଥିଲେ। ଗାଁର ହରିଶଙ୍କର ମହାଦେବଙ୍କ ମନ୍ଦିର ନିକଟରେ ଦୁଇ ମଦ ବେପାରୀ ସରକାରୀ ଜମିରେ ଘର କରି ଚୋରା ବେପାର କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ଏହି ଦୁଇ ଚୋରା ମଦ ବେପାରୀଙ୍କ ପାଇଁ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କର ଅକାଳ ମୃତ୍ୟୁ ଘଟୁଛି ବୋଲି ନାରାବାଜି କରିଥିଲେ। ଏତିକିବେଳେ କିଛି ମହିଳା ମନ୍ଦିର ପଛପଟେ ଥିବା ବିଛୁଆତି ବଣରେ ପଶି ଖୋଜାଖୋଜି କରିଥିଲେ ଏବଂ ୨ ଶହ ବୋତଲ ଦେଶୀ ମଦ ଜବତ କରିଥିଲେ। ମହିଳାମାନଙ୍କ ବିକ୍ଷୋଭ ଦେଖି ଚୋରା ବେପାରୀ ଦୁଇଜଣଯାକ ଘର ଛାଡ଼ି ଛୁ’ ମାରିଥିଲେ। ବାଲିପାଟଣା ପୁଲିସ ଓ ଅବକାରୀ ସ୍କ୍ବାଡ୍ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ମଦ ବେପାରୀ ଫେରାର ହୋଇସାରିଥିଲେ। ଜବରଦଖଲ ଜମିରେ ଥିବା ମଦ ବେପାରୀଙ୍କ ଘରକୁ ଭାଙ୍ଗିବା ଲାଗି ଦାବିକରି ଉତ୍ତ୍ୟକ୍ତ ମହିଳାମାନେ ପୁଲିସକୁ ଘେରିଥିଲେ। ଦୁଇ ମଦ ବେପାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଧାରଣାରୁ ଉଠିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/12/untitled-29-2025-12-12-09-28-36.jpg)