ଗଭର୍ନର ମାଲେହାତ୍ରା ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ‘ଏମ୍ପିସି’ ମୁଖ୍ୟତଃ ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତିର ଆଚରଣ ଉପରେ ନଜର ରଖିଥାଏ, ଏବଂ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଯଦି ଏ ଦ୍ବୟଙ୍କୁ ପ୍ରଭାବିତ କରେ ତାହା ‘ଏମ୍ପିସି’ ନିଷ୍ପତ୍ତିକୁ ପ୍ରଭାବିତ କରିବ। ସାଧାରଣତଃ ଦୁର୍ବଳ ଟଙ୍କା ଯୋଗୁଁ ଆମଦାନି ମହର୍ଗ ହୋଇ ମୁଦ୍ରାସ୍ଫୀତିକୁ ଊର୍ଦ୍ଧ୍ବଗାମୀ କରିବାର ସମ୍ଭାବନା ଥାଏ। ଅପର ପକ୍ଷେ ଦୁର୍ବଳ ଟଙ୍କା ଯୋଗୁଁ ଭାରତୀୟ ରପ୍ତାନିର ପ୍ରତିଯୋଗିତା କ୍ଷମତାରେ ଉନ୍ନତି ଘଟିଥାଏ।
‘ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’ର ଗଭର୍ନର ସଞ୍ଜୟ ମାଲହୋତ୍ରା ଯେଉଁଭଳି ନିଶ୍ଚିନ୍ତ ଆତ୍ମବିଶ୍ବାସର ସହିତ ଡିସେମ୍ବର ୩-୫ରେ ଅନୁଷ୍ଠିତ ଏଥରର ଦ୍ବିମାସିକ ‘ମନିଟାରି ପଲିସି କମିଟି’ (‘ଏମ୍ପିସି’) ବୈଠକର ସମ୍ମୁଖୀନ ହୋଇଥିବେ, ତାହା ପ୍ରତି ବିଷୟରେ ଶହେରୁ ଶହେ ରଖିଥିବା ପିଲାଟିଏ ତା’ର ପିତାମାତାଙ୍କୁ ନିଜର ରିପୋର୍ଟ କାର୍ଡ ଦେଖାଇବା ବେଳର ମନୋଭାବ ସହ ତୁଳନୀୟ କହିଲେ ଭୁଲ୍ ହେବ ନାହିଁ। ରିଜର୍ଭ ବ୍ୟାଙ୍କ୍ ଉପରେ ନ୍ୟସ୍ତ କରାଯାଇଥିବା ଦୁଇଟି ମୁଖ୍ୟ ଦାୟିତ୍ବ ହେଉଛି- ମୁଦ୍ରାସ୍ଫୀତିକୁ ଧାର୍ଯ୍ୟ ସୀମା ମଧ୍ୟରେ ନିୟନ୍ତ୍ରିତ କରି ରଖିବା ଓ ଅର୍ଥନୈତିକ ଅଭିବୃଦ୍ଧି ତ୍ବରାନ୍ବିତ ହେବାରେ ସହାୟକ ହେବା। ସମସ୍ୟା ହେଲା, ଅନେକ ସମୟରେ ଏ ଦୁଇ ଲକ୍ଷ୍ୟ ପରସ୍ପରର ପରିପନ୍ଥୀ ହୋଇଥାନ୍ତି। କାରଣ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଉଦ୍ଦେଶ୍ୟରେ ସୁଧ ହାରରେ ବୃଦ୍ଧି ଘଟାଇଲେ, ତାହା ଅଭିବୃଦ୍ଧିକୁ ବ୍ୟାହତ କରିଥାଏ, ଏବଂ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବାକୁ ସୁଧ ହାରରେ ହ୍ରାସ ଘଟାଇଲେ, ତାହା ମୁଦ୍ରାସ୍ଫୀତିକୁ ଇନ୍ଧନ ଯୋଗାଇଥାଏ। ତେଣୁ ଏ ଉଭୟ ଲକ୍ଷ୍ୟ ହାସଲରେ ସଫଳତା ରିଜର୍ଭ ବ୍ୟାଙ୍କ୍ ପାଇଁ ଏକ ବିରଳ ଉପଲବ୍ଧି ହୋଇଥାଏ। ଗଭର୍ନର ସଞ୍ଜୟ ମାଲହୋତ୍ରାଙ୍କର ସୌଭାଗ୍ୟ ଯେ ସେ ଏଥରର ‘ଏମ୍ପିସି’ ବୈଠକରେ ପୌରହିତ୍ୟ କରିବା ଅବସରରେ ଭାରତୀୟ ଅର୍ଥନୀତି ଏଇଭଳି ଏକ ମଣି-କାଞ୍ଚନ ସଂଯୋଗ ସମୟ ଦେଇ ଗତି କରିବା ଦେଖାଯାଇଛି।
ନିର୍ଦ୍ଦିଷ୍ଟ ଭାବରେ କହିଲେ ପ୍ରକାଶିତ ସୂଚନା ଅନୁସାରେ ୨୦୨୫-୨୬ ବିତ୍ତ ବର୍ଷର ପ୍ରଥମାର୍ଦ୍ଧରେ ହାରାହାରି ଖାଉଟି ମୁଦ୍ରାସ୍ଫୀତି ହାର ୨.୨ ଶତାଂଶ ନିରାପଦ ସ୍ତରରେ ରହିଥିବା ବେଳେ (ନିର୍ଦ୍ଧାରିତ ଲକ୍ଷ୍ୟ ୪ ଶତାଂଶର ବେଶ୍ ତଳେ), ‘ଜିଡିପି’ରେ ହାରାହାରି ଅଭିବୃଦ୍ଧି (ଅର୍ଥନୈତିକ ଅଭିବୃଦ୍ଧି) ହାର ହୋଇଛି ଏକ ଚମକପ୍ରଦ ୮ ଶତାଂଶ। ସେତିକି ନୁହେଁ, ବିତ୍ତ ବର୍ଷର ଦ୍ବିତୀୟ ଚଉଠରେ ଅଭିବୃଦ୍ଧି ହାର ୮.୨ ଶତାଂଶ ହୋଇଥିବା ବେଳେ ଖାଉଟି ମୁଦ୍ରାସ୍ଫୀତି ହାର ହୋଇଥିଲା ୧.୭ ଶତାଂଶ। ମୁଦ୍ରାସ୍ଫୀତିରେ ଏହି ସ୍ଖଳନ ଅବ୍ୟାହତ ରହି ଅକ୍ଟୋବରରେ ତାହା ହୋଇଥିଲା ୦.୩ ଶତାଂଶ ମାତ୍ର, ଯାହା ଶୂନ୍ୟ କହିଲେ ଚଳେ। ମୁଦ୍ରାସ୍ଫୀତିର ଏଭଳି ଆଚରଣକୁ ବିଚାରକୁ ନେଇ ରିଜର୍ଭ ବ୍ୟାଙ୍କ୍ ସମୁଦାୟ ଚଳିତ ବିତ୍ତ ବର୍ଷ ପାଇଁ ପୂର୍ବରୁ କରିଥିବା ମୁଦ୍ରାସ୍ଫୀତି ପୂର୍ବାନୁମାନରେ ପରିବର୍ତ୍ତନ ଘଟାଇ ୨.୬ ଶତାଂଶ ସ୍ଥାନରେ ୨ ଶତାଂଶ ହେବାକୁ ଯାଉଛି ବୋଲି ଆଶା ପ୍ରକାଶ କରିଛି। ଏପରିକି ଏଇ ଧାରା ଅବ୍ୟାହତ ରହି ୨୦୨୬-୨୭ ବିତ୍ତ ବର୍ଷରେ ମଧ୍ୟ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର ଏକ ନିରାପଦ ୪ ଶତାଂଶ ହେବ ବୋଲି ରିଜର୍ଭ ବ୍ୟାଙ୍କ୍ ଏବେ ପୂର୍ବାନୁମାନ ପ୍ରକାଶ କରିଛି।
ମୁଦ୍ରାସ୍ଫୀତି ଏଭଳି ସଂଯତ ହେବାର ଏକ ଗୁରୁତ୍ବପୂର୍ଣ୍ଣ କାରଣ ହେଉଛି ଖାଦ୍ୟ ମୁଦ୍ରାସ୍ଫୀତିରେ ଦେଖାଯାଇଥିବା ଶିଥିଳତା। ଉତ୍ତମ ମୌସୁମୀ ବୃଷ୍ଟିପାତ ପ୍ରଭାବରେ ଆଗାମୀ ରବି ଫସଲ ଅମଳ ମଧ୍ୟ ଉତ୍ସାହଜନକ ହୋଇ ଖାଦ୍ୟ ମୁଦ୍ରାସ୍ଫୀତିକୁ ନୀଚା ରଖିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଦ୍ବିତୀୟରେ, ଖାଦ୍ୟ ଓ ଇନ୍ଧନ ଆଦି ଅସ୍ଥିର ଦ୍ରବ୍ୟମାନଙ୍କୁ ବାଦ୍ ଦେଇ ହିସାବ କରାଯାଉଥିବା ମଞ୍ଜ ମୁଦ୍ରାସ୍ଫୀତି ମଧ୍ୟ ପ୍ରାୟ ସନ୍ତୋଷଜନକ ୪ ଶତାଂଶ ସ୍ତରରେ ରହିଛି, ଏବଂ ଯଦି ସୁନା ଅାଦି ମୂଲ୍ୟବାନ ଧାତୁମାନଙ୍କୁ ବାଦ୍ ଦିଆଯାଏ, ତେବେ ତାହା ଏହାଠାରୁ ମଧ୍ୟ କମ୍ ହୋଇଥାଏ। ରିଜର୍ଭ ବ୍ୟାଙ୍କ୍ ତା’ର ମୁଦ୍ରାସ୍ଫୀତି ପୂର୍ବାନୁମାନରେ ଏପରି ହ୍ରାସ ଘଟାଇଥିବା ବେଳେ, ଅଭିବୃଦ୍ଧି ପାଇଁ କରିଥିବା ପୂର୍ବାନୁମାନରେ ଏହାର ବିପରୀତ, ଅର୍ଥାତ୍ ବୃଦ୍ଧି ଘଟାଇଛି। ଚଳିତ ବିତ୍ତ ବର୍ଷର ପ୍ରଥମାର୍ଦ୍ଧରେ ଆଶା କରାଯାଉଥିବା ଠାରୁ ଅଧିକ ହାରରେ ଅଭିବୃଦ୍ଧି ଘଟିବା ପରେ, ବିତ୍ତ ବର୍ଷର ଦ୍ବିତୀୟାର୍ଦ୍ଧ ପାଇଁ ଅଭିବୃଦ୍ଧି ହାର ୬.୩ ଶତାଂଶ ହେବ ବୋଲି ରିଜର୍ଭ ବ୍ୟାଙ୍କ୍ କରିଥିବା ପୂର୍ବାନୁମାନରେ ପରିବର୍ତ୍ତନ ଘଟାଇ ତାହା ୬.୭ ଶତାଂଶ ହେବ ବୋଲି ପ୍ରକାଶ କରିଛି। ସମଗ୍ର ୨୦୨୫-୨୬ ବିତ୍ତ ବର୍ଷ ପାଇଁ ଅଭିବୃଦ୍ଧି ହାର ଏବେ ସନ୍ତୋଷଜନକ ୭.୩ ଶତାଂଶ ହେବ ବୋଲି ରିଜର୍ଭ ବ୍ୟାଙ୍କ୍ ବିଶ୍ବାସ କରୁଛି। ଅବଶ୍ୟ ବିତ୍ତ ବର୍ଷର ଆଗାମୀ ଚଉଠମାନଙ୍କରେ ସରକାରୀ ବ୍ୟୟରେ ଶିଥିଳତା ଦେଖା ଦେବାର ସମ୍ଭାବନା ଓ ଦୁର୍ବଳ ରପ୍ତାନି ଯୋଗୁଁ ଆଗାମୀ ସମୟରେ ଅଭିବୃଦ୍ଧି ସାମାନ୍ୟ ଧିମେଇ ଯାଇପାରେ ବୋଲି ରିଜର୍ଭ ବ୍ୟାଙ୍କ୍ ସଚେତନ ଅଛି।
ସଂପ୍ରତି ଭାରତୀୟ ଟଙ୍କାର ଅାନ୍ତର୍ଜାତିକ ବିନିମୟ ମୂଲ୍ୟରେ ଯେଉଁଭଳି ଅସ୍ଥିରତା ତଥା ସ୍ଖଳନ ଦେଖିବାକୁ ମିଳିଛି, ସେଥିଯୋଗୁଁ ରିଜର୍ଭ ବ୍ୟାଙ୍କ୍ର ‘ଏମ୍ପିସି’ ନିର୍ଣ୍ଣାୟକ ସୁଧ ହାର ‘ରେପୋ ରେଟ୍’ରେ ହ୍ରାସ ଘଟାଇବାକୁ କୁଣ୍ଠିତ ହେବ ବୋଲି କେତେକ ମହଲରେ ଆଶଙ୍କା ପ୍ରକାଶ ପାଉଥିଲା। ‘ଏମ୍ପିସି’ କିନ୍ତୁ ଶେଷରେ ‘ରେପୋ ରେଟ୍’ରେ ୨୫ ବେସିସ୍ ପଏଣ୍ଟ ହ୍ରାସ ଘଟାଇବାକୁ ନିଷ୍ପତ୍ତି ନେଇ ତାହାକୁ ୫.୫ ଶତାଂଶ ସ୍ଥାନରେ ୫.୨୫ ଶତାଂଶ କରିଦେଇଛି। ଗଭର୍ନର ମାଲେହାତ୍ରା ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ‘ଏମ୍ପିସି’ ମୁଖ୍ୟତଃ ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତିର ଆଚରଣ ଉପରେ ନଜର ରଖିଥାଏ, ଏବଂ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଯଦି ଏ ଦ୍ବୟଙ୍କୁ ପ୍ରଭାବିତ କରେ ତାହା ‘ଏମ୍ପିସି’ ନିଷ୍ପତ୍ତିକୁ ପ୍ରଭାବିତ କରିବ। ସାଧାରଣତଃ ଦୁର୍ବଳ ଟଙ୍କା ଯୋଗୁଁ ଆମଦାନି ମହର୍ଗ ହୋଇ ମୁଦ୍ରାସ୍ଫୀତିକୁ ଊର୍ଦ୍ଧ୍ବଗାମୀ କରିବାର ସମ୍ଭାବନା ଥାଏ। ଅପର ପକ୍ଷେ ଦୁର୍ବଳ ଟଙ୍କା ଯୋଗୁଁ ଭାରତୀୟ ରପ୍ତାନିର ପ୍ରତିଯୋଗିତା କ୍ଷମତାରେ ଉନ୍ନତି ଘଟିଥାଏ। ଯେହେତୁ ମୁଦ୍ରାସ୍ଫୀତି ବର୍ତ୍ତମାନ ଅତ୍ୟନ୍ତ ନୀଚା ରହିଛି ଏବଂ ରପ୍ତାନି ସ୍ଥାଣୁପ୍ରାୟ ଅଛି, ଏକ ଦୁର୍ବଳ ଟଙ୍କା ଆମ ପାଇଁ ଏବେ ଉପଯୋଗୀ ବିବେଚିତ ହୋଇଥାଏ।
ସୂଚନାଯୋଗ୍ୟ ଯେ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ବହିର୍ବାଣିଜ୍ୟରେ ‘ଚଳନ୍ତି ହିସାବ ନିଅଣ୍ଟ’ (‘କରେଣ୍ଟ୍ ଆକାଉଣ୍ଟ ଡେଫିସିଟ୍’)ରେ ବୃଦ୍ଧି ଯୋଗୁଁ ଘଟିନାହିଁ; ତାହା ଦେଶ ଭିତରକୁ ବୈଦେଶିକ ପୁଞ୍ଜିର ପ୍ରବାହରେ ଶିଥିଳତା ଯୋଗୁଁ ଘଟିଛି। ଏହି ନିଅଣ୍ଟ ଆମଦାନି ଓ ରପ୍ତାନି ମଧ୍ୟରେ ଥିବା ତଫାତକୁ ସୂଚାଇଥାଏ। ଏହି ନିଅଣ୍ଟ ବର୍ତ୍ତମାନ ସଂକୀର୍ଣ୍ଣ ହୋଇଥିବାରୁ ତାହା ରିଜର୍ଭ ବ୍ୟାଙ୍କ୍କୁ ସୁଧ ହାରରେ ହ୍ରାସ ଘଟାଇବା ନିମିତ୍ତ ସୁଯୋଗ ପ୍ରଦାନ କରିଥାଏ।
ରିଜର୍ଭ ବ୍ୟାଙ୍କ୍ ‘ରେପୋ ରେଟ୍’ରେ ହ୍ରାସ ଘଟାଇବା ସହିତ ତା’ର ‘ଆଭିମୁଖ୍ୟ’ (‘ଷ୍ଟାନ୍ସ’)କୁ ‘ନିରପେକ୍ଷ’ (‘ନିଉଟ୍ରାଲ୍’)ରେ ଅପରିବର୍ତ୍ତିତ ରଖିଛି। ଏହା ପ୍ରଚଳିତ ଧାରାରେ ଏକ ବ୍ୟତିକ୍ରମ ଭଳି ମନେ ହୋଇଥାଏ। ସାଧାରଣତଃ ସୁଧ ହାରରେ ହ୍ରାସ ଘଟାଇବା ପୂର୍ବରୁ କିମ୍ବା ସେଥି ସହ ରିଜର୍ଭ ବ୍ୟାଙ୍କ୍ ତା’ର ‘ଷ୍ଟାନ୍ସ’ରେ ପରିବର୍ତ୍ତନ ଘୋଷଣା କରିଥାଏ। ‘ନିଉଟ୍ରାଲ୍’ ‘ଷ୍ଟାନ୍ସ’ ପରିସ୍ଥିତି ଉପରେ ନଜର ରଖି ଅପେକ୍ଷା କରିବାକୁ ସୂଚାଇଥାଏ, ଯେଉଁଥିରୁ ଭବିଷ୍ୟତରେ ସୁଧ ହାରରେ ହ୍ରାସ କିମ୍ବା ବୃଦ୍ଧି ଘଟିବାର ସମ୍ଭାବନା ସଂପର୍କରେ କୌଣସି ସୁରାକ ମିଳି ନ ଥାଏ। ମୁଦ୍ରାସ୍ଫୀତି ଓ ଅଭିବୃଦ୍ଧି ମଧ୍ୟରେ ଯେତେବେଳେ ଏକ ସନ୍ତୁଳନ ଦୃଶ୍ୟମାନ ହୋଇଥାଏ, ରିଜର୍ଭ ବ୍ୟାଙ୍କ୍ ସେତେବେଳେ ଏଇଭଳି ଏକ ନିରପେକ୍ଷ ଆଭିମୁଖ୍ୟ ଅବଲମ୍ବନ କରିଥାଏ। ଏହା ଭବିଷ୍ୟତରେ ଏହି କେନ୍ଦ୍ରୀୟ ବ୍ୟାଙ୍କ୍କୁ ସୁଧ ହାରରେ ହ୍ରାସ କିମ୍ବା ବୃଦ୍ଧି ଘଟାଇବାକୁ ସ୍ବାଧୀନତା ପ୍ରଦାନ କରିଥାଏ। ଜୁନ୍ରେ ଯେତେବେଳେ ରିଜର୍ଭ ବ୍ୟାଙ୍କ୍ ତା’ର ‘ଷ୍ଟାନ୍ସ’କୁ ‘ନିଉଟ୍ରାଲ୍’ କରିଥିଲା ସେତେବେଳେ କହିଥିଲା ଯେ ସୁଧ ହାରରେ ହ୍ରାସ ମାଧ୍ୟମରେ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବାର ସମ୍ଭାବନା ସୀମିତ ହୋଇଥାଏ। ଏଥିରୁ ଭବିଷ୍ୟତରେ ‘ରେପୋ ରେଟ୍’ରେ ହ୍ରାସ ଘଟିବାର ସମ୍ଭାବନା କ୍ଷୀଣ ହୋଇଥିବାର ଇସାରା ମିଳିଥିଲା। କିନ୍ତୁ ଏଥିସତ୍ତ୍ବେ ରିଜର୍ଭ ବ୍ୟାଙ୍କ୍ ଏବେ ‘ରେପୋ ରେଟ୍’ରେ ହ୍ରାସ ଘଟାଇବାରୁ ଯେଉଁ ସନ୍ଦେଶ ମିଳିଛି, ତାହା ହେଲା ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ଆହୁରି ତ୍ବରାନ୍ବିତ କରିବାର ସମ୍ଭାବନା ବାକି ଅଛି, ଏବଂ ସୁଧ ହାରରେ ହ୍ରାସ ସେଥିରେ ସହାୟକ ହେବ। ଆଗାମୀ ସମୟରେ ତେଣୁ ‘ରେପୋ ରେଟ୍’ରେ ପୁଣି ଏକ ହ୍ରାସର ଦୃଢ଼ ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)