ଗୌରହରି ଦାସ
If more politicians knew poetry, and more poets knew politics, I am convinced the world would be a little better place in which to live.
- John F. Kennedy
ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀ ଅବସରରେ ଯେଉଁ ପ୍ରଶ୍ନ ମନ ଭିତରକୁ ଆସୁଛି ତାହା ହେଲା କେଉଁ କେଉଁ କାରଣ ଯୋଗୁଁ ସେ ଜଣେ ବଡ଼ ମଣିଷ ବା ବିଶିଷ୍ଟ ଜନନାୟକ? ସେ ବିଶ୍ବାସ କରୁଥିଲେ ଯେ ଗଣତନ୍ତ୍ରରେ ସବୁଠାରୁ ବେଶି କାମ କରିବାର ସୁଯୋଗ ରାଜନୀତିରେ ରହିଛି। ସେ ଏକଥା ମଧ୍ୟ ବିଶ୍ବାସ କରୁଥିଲେ ଯେ ଉଚ୍ଚ ଶିକ୍ଷିତ ବ୍ୟକ୍ତିମାନେ ରାଜନୀତିକୁ ଆସିବା ଆବଶ୍ୟକ। କୃତିତ୍ବର ସହ ସଂସ୍କୃତରେ ସ୍ନାତକ ଓ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ ସେ ଯଥାକ୍ରମେ ରେଭେନ୍ସା ଓ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ। ଉଚ୍ଚଶିକ୍ଷା ଲାଭ କରିଥିବା ଯୋଗୁଁ ସେ ସବୁଠାରୁ ତରୁଣ ବୟସରେ ‘ଇଷ୍ଟର୍ଣ୍ଣ ଟାଇମ୍ସ’ ଓ ‘ପ୍ରଜାତନ୍ତ୍ର’ ପରି ଇଂରେଜୀ ଓ ଓଡ଼ିଆ ସମ୍ବାଦପତ୍ରର ସଂପାଦକ ହୋଇପାରିଥିଲେ। ତାଙ୍କଠାରୁ ଆଉ ଯେଉଁ କଥା ଶିକ୍ଷା କରିବା ଆବଶ୍ୟକ, ତାହା ହେଲା- ପ୍ରତିକୂଳ ପରିସ୍ଥିତି ପୁରୁଷାର୍ଥକୁ ମ୍ଳାନ କରେନାହିଁ, ତାହାକୁ ଅଗ୍ନି ପରୀକ୍ଷାରେ ଅବତୀର୍ଣ୍ଣ କରାଇ ଅଧିକ ଉଜ୍ଜ୍ବଳ କରାଇଥାଏ। ସେହିପରି, ଜଣେ ମଣିଷର ସବୁ ଅାଗ୍ରହ କେବଳ ଗୋଟିଏ ବୃତ୍ତି ଭିତରେ ସୀମାବଦ୍ଧ ରହିବା ଉଚିତ ନୁହେଁ ବୋଲି ସେ ବିଶ୍ବାସ କରୁଥିଲେ। ସେଥିପାଇଁ ଆମେ ତାଙ୍କ ଜୀବନରେ ଦୁଇଟି ପ୍ରଭାବଶାଳୀ ଧାରା ଦେଖୁ- ରାଜନୀତି ଓ ସାହିତ୍ୟ। ଏହି ସାହିତ୍ୟ ସାଙ୍ଗରେ ସାମ୍ବାଦିକତା ଓ ସଂପାଦନା ମଧ୍ୟ ମିଶିଛି। ଯେତେବେଳେ ସେ କ୍ଷମତା ରାଜନୀତିରୁ ଅପସରି ଯାଇଛନ୍ତି ବା ଅପସାରିତ ହୋଇଛନ୍ତି ସେତେବେଳେ ସାହିତ୍ୟ ସାଗରରେ ଅବବାହନ କରିଛନ୍ତି ଏବଂ ତହିଁରେ ସଂପୂର୍ଣ୍ଣ ବ୍ୟସ୍ତ ରହିଛନ୍ତି। ଜଣେ ତାଙ୍କର ସାମଗ୍ରିକ ସାହିତ୍ୟକୃତି ଉପରେ ନଜର ଦେଲେ ବୁଝିପାରିବେ ଯେ ସେ କେତେବଡ଼ ଲେଖକ ଥିଲେ! ରାମାୟଣ, ମହାଭାରତ, ଶ୍ରୀମଦ୍ଭାଗବତ, ବଙ୍କିମଚନ୍ଦ୍ରଙ୍କ ସଂପୂର୍ଣ୍ଣ ରଚନାବଳୀ ଇତ୍ୟାଦି କୃତି ବର୍ଷ ବର୍ଷର ସାଧନାର ଫଳ। ଏହା ଭିନ୍ନ ତାଙ୍କର ଆହୁରି ଅନେକ କୃତି ରହିଛି। ରାମାୟଣ ଓ ମହାଭାରତ ରଚନା ସମୟରେ ଏହି ଲେଖକ ନିୟମିତ ତାଙ୍କ ପାଖକୁ ଯାଉଥିବା ବେଳେ ଲକ୍ଷ୍ୟ କରିଛି ଜାନକୀବଲ୍ଲଭ ନିଜ ସାହିତ୍ୟ ସାଧନାରେ କେତେ ନିଷ୍ଠାପର ଥିଲେ! ପୂର୍ଣ୍ଣଚ୍ଛେଦ ଜାଗାରେ ଅର୍ଦ୍ଧବିରାମ ରହିଗଲେ ସେ ବିନା ସଂଶୋଧନରେ ଲେଖା ଛାପିବାକୁ ଦେଉ ନ ଥିଲେ। ତାଙ୍କ ରଚନାଶୈଳୀର ବିଶେଷତ୍ବ ହେଲା, ସେ ଜ୍ଞାନୀଙ୍କ ପରି ଚିନ୍ତା କରୁଥିଲେ ସତ, ମାତ୍ର ସାଧାରଣ ଲୋକ ବୁଝିପାରିବା ଭାଷାେର ଲେଖୁଥିଲେ। ରାଜନୀତି ଯେମିତି ତାଙ୍କର ଜୀବନରେ ଆଣିଥିଲା ଖ୍ୟାତି ଓ କ୍ଷମତା, ସାହିତ୍ୟ ସେମିତି ଆଣିଥିଲା ବ୍ୟାପ୍ତି ଓ ପ୍ରଶାନ୍ତି।
ତାଙ୍କର ଧୈର୍ଯ୍ୟ ଓ ଦୃଢ଼ମନା ସ୍ବଭାବ ଗୁଣଟି ଥିଲା ଉଦାହରଣସ୍ଥାନୀୟ। ସେହିପରି ସେ ଯାହା ମଥା ଉପରେ ଆଶ୍ରୟର ହାତ ଥୋଉଥିଲେ ତାକୁ ମଝି ବାଟରୁ ଛାଡ଼ି ଦେଉ ନ ଥିଲେ। କୃତଜ୍ଞତାବୋଧ ପୁଣି ତାଙ୍କ ବ୍ୟକ୍ତିତ୍ବର ଆଉ ଏକ ବିରାଟ ଗୁଣ ଥିଲା। ଏହା ସାଙ୍ଗକୁ ସରଳ ଜୀବନଚର୍ଯ୍ୟା ଏବଂ ଆଧ୍ୟାତ୍ମିକ ବିଶ୍ବାସ ଥିଲା ଆଉ ଦୁଇଟି ଗୁଣ। ସେ ତାଙ୍କ ସାନ ଝିଅ ଓ ପୁଅ ବାହାଘର ଯେଉଁ ଭାବରେ ସଂପନ୍ନ କରିଥିଲେ ତାହା ଜଣେ ସାଧାରଣ ବ୍ୟକ୍ତିଙ୍କ ଆୟୋଜନ ଠାରୁ ଆଦୌ ଅଧିକ ନୁହେଁ।
ରାଜନୀତି ଶ୍ରେଷ୍ଠନୀତି ବୋଲି କହୁଥିବା ଜାନକୀବଲ୍ଲଭ ଭାରତର କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ପ୍ରଭୃତି ପଦପଦବିରେ ଆସୀନ ହୋଇଥିଲେ। ନିଜେ ଉଚ୍ଚଶିକ୍ଷିତ ହୋଇଥିବାରୁ ସେ ପ୍ରଶାସନକୁ ଭଲଭାବେ ବୁଝିଥିଲେ ଏବଂ ସଚିବମାନେ ତାଙ୍କ ପାଖକୁ ପ୍ରସ୍ତୁତ ହୋଇ ଯାଉଥିଲେ। ତାଙ୍କର ଅସୀମ ଧୈର୍ଯ୍ୟ, କମ୍ କହି ଅଧିକ ଶୁଣିବାର ଅଭ୍ୟାସ ତାଙ୍କୁ ଅଲଗା ପ୍ରକାର ମୁଖ୍ୟମନ୍ତ୍ରୀରେ ପରିଣତ କରିଥିଲା। ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ସଂପାଦିତ ‘ଜନନାୟକ ଜାନକୀବଲ୍ଲଭ’ ବହିରେ ଜଣେ ପୂର୍ବତନ ପ୍ରଶାସକ ଲେଖିଛନ୍ତି, ୧୯୯୬ର ନବକଳେବର ପ୍ରସ୍ତୁତି ସମୟରେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ସବୁଦିନ ସନ୍ଧ୍ୟାରେ ଉଚ୍ଚ ଅଧିକାରୀମାନଙ୍କୁ ଡାକି ପ୍ରସ୍ତୁତିର ଅଗ୍ରଗତି ସମ୍ବନ୍ଧରେ ପଚାରୁଥିଲେ। ଏକଦା ତାଙ୍କ କଥା ଶୁଣୁଶୁଣୁ ମୁଖ୍ୟମନ୍ତ୍ରୀ ଚଉକି ଦେହରେ ମୁଣ୍ଡ ଢାଳି କିଛିକ୍ଷଣ ବସିବାରୁ ଅଧିକାରୀ ଜଣକ ଭାବିଲେ, ଅଧିକ ରାତି ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଆଖିକୁ ନିଦ ଆସି ଯାଇଥିବ। ଏକଥା ବିଚାରି ସେ ଟିକିଏ ନିରବ ରହିଛନ୍ତି, ମୁଖ୍ୟମନ୍ତ୍ରୀ ପଚାରିଲେ, ‘‘କୁହ, ଅଟକିଗଲ କାହିଁକି?’’ କହିବା କଳା ତ ଅନେକେ ଜାଣନ୍ତି, ମାତ୍ର ଶୁଣିବାର କଳା ଜାନକୀବଲ୍ଲଭଙ୍କ ପରି ଅଳ୍ପ ମଣିଷ କେବଳ ଜାଣନ୍ତି। ଉଲ୍ଲେଖ କରାଯାଇଛି, ତାଙ୍କ ବ୍ୟକ୍ତିତ୍ବର ଅତ୍ୟନ୍ତ ପ୍ରଭାବଶାଳୀ ଦିଗ- ପ୍ରତିକୂଳ ପରିସ୍ଥିତି ସହ ସଂଗ୍ରାମ। ‘ପ୍ରଜାତନ୍ତ୍ର’ ସଂପାଦକ ପଦବିରୁ ବିଦାୟ ନେବା ପରଠାରୁ ମୁଖ୍ୟମନ୍ତ୍ରୀ ପଦରୁ ଯିବା ପର୍ଯ୍ୟନ୍ତ ଏହି ଦୀର୍ଘ ଅବଧି ମଧ୍ୟରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଯେତେ ମିତ୍ରଦ୍ରୋହ, ବିଶ୍ବାସଘାତକତା, ଅପପ୍ରଚାର, ଷଡ଼୍ଯନ୍ତ୍ର ଏବଂ ଅସହଯୋଗର ସମ୍ମୁଖୀନ ହେବାକୁ ପଡ଼ିଛି ତାହାର ସୀମା ନାହିଁ। ମାତ୍ର ଏସବୁ ଭିତରେ ସେ ଅବିଚଳିତ ରହି, ନିଜର ବୁଦ୍ଧି ଓ କୌଶଳ ବଳରେ ପ୍ରତିବନ୍ଧକ ସବୁକୁ ଅତିକ୍ରମ କରି ସଫଳତାର ପାହାଚ ଆରୋହଣ କରିପାରିଛନ୍ତି।
IKKISH: ହିଟ ହେବା ପାଇଁ 'ଇକୀସ'କୁ ଏତିକି ଟଙ୍କା ଆୟ କରିବାକୁ ପଡିବ
ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପାଖରେ ଆଉ ଗୋଟିଏ ବିଶେଷ ଗୁଣ ଥିଲା। ଜଣେ ଧନୀ ଓ ଆଉ ଜଣେ ଜ୍ଞାନୀ ତାଙ୍କ ଦର୍ଶନ ପାଇଁ ଏକା ସମୟରେ ଯାଉଥିଲେ ସେ ଧନୀଙ୍କୁ ଅପେକ୍ଷା କରାଇ ଜ୍ଞାନୀଙ୍କୁ ଆଗେ ଦେଖା କରୁଥିଲେ। ଏହାର େଯୗକ୍ତିକତା ସଂପର୍କରେ ସେ କହୁଥିଲେ ଯେ ଧନୀ ଜଣେ ତାଙ୍କର ଧନର ବିସ୍ତାର ନିମନ୍ତେ ସହଯୋଗର ଆଶା କରି ଆସିଥିବେ ଓ ମୋ ସହ ସାକ୍ଷାତରେ ସେ ଉପକୃତ ହେବେ। ଜ୍ଞାନୀଙ୍କ ସହ ଆଲୋଚନାରୁ କିନ୍ତୁ ମୁଁ ଉପକୃତ ହେବି। ଜ୍ଞାନୀ ଓ ପଣ୍ଡିତମାନଙ୍କ ପ୍ରତି ଏହି ଆଦରର ଏକ ଉଦାହରଣ ଏହି ଲେଖକ ଏକଦା ଗୌହାଟୀରେ ଲକ୍ଷ୍ୟ କରିଥିଲା। ସେଠାକାର ବିବେକାନନ୍ଦ ସ୍ମାରକୀ ସଭାଗାରରେ ଭୀମଭୋଇ ଜାତୀୟ ଆଲୋଚନାଚକ୍ରକୁ ରାଜ୍ୟପାଳ ଭାବେ ଜାନକୀବଲ୍ଲଭ ନିମନ୍ତ୍ରିତ ହୋଇଥିଲେ। ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏହି ଲେଖକ ମଧ୍ୟ ଓଡ଼ିଶାରୁ ଯାଇଥାଏ। ସଭା ଆରମ୍ଭ ହେବା ଆଗରୁ ସେଠାରେ ପହଞ୍ଚି ଏ ଲେଖକ ଲକ୍ଷ୍ୟ କରିଥିଲା ଯେ ମଞ୍ଚ ଉପରେ ସମସ୍ତଙ୍କ ଲାଗି ସମାନ ଉଚ୍ଚତାର ଚଉକି ପଡ଼ିଥିବା ବେଳେ ରାଜ୍ୟପାଳଙ୍କ ଲାଗି ମଝିରେ ଏକ ଉଚ୍ଚା ନାଲି ରଙ୍ଗର ଚଉକି ପଡ଼ିଥିଲା। ସେଦିନର ଅତିଥିଙ୍କ ଭିତରେ ଥାଆନ୍ତି ଏକାଡେମୀର ସଭାପତି ଶ୍ରୀ ସୁନୀଲ ଗଙ୍ଗୋପାଧ୍ୟାୟ ଏବଂ କବି ଡକ୍ଟର ସୀତାକାନ୍ତ ମହାପାତ୍ର। ଦୃଶ୍ୟଟି ଦୃଷ୍ଟିକଟୁ ଲାଗିବାରୁ ଏ ଲେଖକ ମଞ୍ଚ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଯାଇ ସେକଥା କହିଥିଲା। ମାତ୍ର ନିରାପତ୍ତା ଦାୟିତ୍ବରେ ଥିବା ଅଫିସରମାନେ ଯାଞ୍ଚ କରି ଯାଇସାରି ଥିବାରୁ ଚଉକି ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ଦାୟିତ୍ବରେ ଥିବା ବ୍ୟକ୍ତି ସଫା ସଫା କହିଥିଲେ। ସେତେବେଳକୁ ରାଜ୍ୟପାଳଙ୍କ ପଲଟଣ ଆସିବାର ସାଇରନ ଶବ୍ଦ ଶୁଭିଲାଣି। ଏ ଲେଖକ ତଳକୁ ଧାଇଁଯାଇ ରାଜ୍ୟପାଳଙ୍କ ପାଖରେ ପହଞ୍ଚି ତାଙ୍କୁ ତା’ର ମତ ଜଣାଇବାରୁ ରାଜ୍ୟପାଳ ନିଜେ ଚଉକି ବଦଳେଇବାକୁ ନିର୍ଦ୍ଦେଶ ଦେଇଥିଲେ। ସଭା ପରେ, ରାଜଭବନେର ଆୟୋଜିତ ନୈଶ ଭୋଜି ସମୟରେ ରାଜ୍ୟପାଳ ସମସ୍ତଙ୍କ ଆଗରେ ଏ ଲେଖକକୁ କହିଥିଲେ, ‘‘ତୁମେ ଏକ ଅସ୍ବସ୍ତିକର ପରିସ୍ଥିତିରୁ ରକ୍ଷା କଲ। ସୀତାକାନ୍ତ ବାବୁ ମୋ ଭାଷାର ବଡ଼ କବି, ମୁଁ ଗଙ୍ଗୋପାଧ୍ୟାୟଙ୍କର ମୁଗ୍ଧ ପାଠକ। ସେ ଦି’ ଜଣ ମୋ ଦି’ ପଟେ ସାଧାରଣ ଓ ମୁଁ ମଝିରେ ଉଚ୍ଚ ଆସନରେ ବସିବା ଆଦୌ ଭଲ ଦିଶି ନଥାନ୍ତା।’’
ଏହି ନମ୍ର ରାଜନେତା ପୁଣି ଭିନ୍ନ ପରିସ୍ଥିତିରେ ଥିଲେ ଖୁବ୍ କଠୋର ଏବଂ ଚତୁର ଚାଣକ୍ୟ। ତୃତୀୟ ଥର ସେ ମୁଖ୍ୟମନ୍ତ୍ରୀ ଥିବାବେଳେ କିଛି କାଳ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ। ତାଙ୍କ ପରେ ଯିଏ କଂଗ୍ରେସ ମୁଖ୍ୟମନ୍ତ୍ରୀ ହେଲେ ସିଏ ଜାନକୀବଲ୍ଲଭଙ୍କୁ ସଭାପତି ପଦରୁ ହଟେଇ ଦେଲେ। ଜାନକୀବଲ୍ଲଭ କେବଳ ରାଜନେତା ନୁହନ୍ତି ଜଣେ ବିଖ୍ୟାତ ସାହିତ୍ୟିକ, ଯିଏ ଉଭୟ ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଏକଥା ସାଧାରଣରେ ଭ୍ରୂକୁଞ୍ଚନ ସୃଷ୍ଟିକଲା। ଏହାର କିଛି ଦିନ ପରେ, କ’ଣ ହେଲା, ସେ ବେଳର ମୁଖ୍ୟମନ୍ତ୍ରୀ ଜାଣିଥିବେ, ପୁଣି ଆଦେଶ ଜାରି ହେଲା ଯେ ଜାନକୀବଲ୍ଲଭ ପଟ୍ଟନାୟକ ଏକାଡେମୀର ସଭାପତି ପଦରେ ପୁଣି ଆସୀନ ହେଲେ। ଏକଥା ଶୁଣିବା ବେଳେ ଏ ଲେଖକ ମନରେ ଅବିଶ୍ବାସ ହେଲା- ଜାନକୀବଲ୍ଲଭ ପଟ୍ଟନାୟକ କ’ଣ ଆଉଥରେ ଏ ପଦ ଗ୍ରହଣ କରିବେ? ମାତ୍ର ଜାନକୀବଲ୍ଲଭ ସେତେବେଳକାର ପ୍ରଶାସନକୁ ଜବାବ ଦେବାକୁ ଚାହିଁଥିଲେ। ନିର୍ଦ୍ଦେଶନାମା ବାହାରିଲା। ସେ ସଭାପତି ପଦରେ ପୁନଃସ୍ଥାପିତ ହେଲେ। ଦିନ କେଇଟା ପରେ, ନିଜର କାର୍ଯ୍ୟବ୍ୟସ୍ତତା ଦେଖାଇ ସେହି ପଦରୁ ସେ ଇସ୍ତଫା ଦେଇଦେଲେ। ଆଉ ଗୋଟିଏ କଥା ମନେ ପଡୁଛି। ତାଙ୍କ ଅନୁଦିତ ବଙ୍କିମଚନ୍ଦ୍ର ରଚନାବଳୀର ଉନ୍ମୋଚନ ପାଇଁ ସେ ଶ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ନିମନ୍ତ୍ରଣ କରିଥିଲେ। କୌଣସି କାରଣରୁ ରାୟପୁରରୁ ଆସୁଥିବା ବିମାନ ବାତିଲ ହୋଇଗଲା। ସେତେବେଳେ ଜାନକୀବଲ୍ଲଭ ମୁଖ୍ୟମନ୍ତ୍ରୀ ନଥାନ୍ତି, ମାତ୍ର ତାଙ୍କ ଦଳର ଶାସନ ଚାଲିଥାଏ। ତାଙ୍କର ଏକଦା ପ୍ରିୟ ସହଯୋଗୀ କେତେଜଣ ସେତେବେଳେ ତାଙ୍କର ଘୋର ବିରୋଧୀ। ସେମାନେ ପ୍ରଚାର ଆରମ୍ଭ କଲେ, ଜାନକୀବଲ୍ଲଭଙ୍କ ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲେ ପ୍ରଣବ ମୁଖାର୍ଜୀ। ଶ୍ରୀ ମୁଖାର୍ଜୀଙ୍କୁ ଶଙ୍ଖୋଳିବା ଲାଗି ଭୁବନେଶ୍ବର ବିମାନ ବନ୍ଦରକୁ ନିଜେ ଜାନକୀବଲ୍ଲଭ ଯାଇଥିଲେ। ଶ୍ରୀ ମୁଖାର୍ଜୀ ଆସିବେ ନାହିଁ, ଏ ଖବର ତାଙ୍କୁ ଅବଶ୍ୟ ଚିନ୍ତିତ କରିଥିବ। ମାତ୍ର ସେ ବିଚଳିତ ହେଲେ ନାହିଁ। ଶ୍ରୀ ମୁଖାର୍ଜୀଙ୍କ ସହ କଥା ହୋଇ ବିକଳ୍ପ ବିମାନ ବ୍ୟବସ୍ଥା କଲେ। ସନ୍ଧ୍ୟାରେ ଶ୍ରୀ ମୁଖାର୍ଜୀ ଆସି ପହଞ୍ଚିଲେ। ସଭା ଖୁବ୍ ଜାକଜମକରେ ହେଲା। ରାତିରେ ଆଉ ସର୍ଭିସ ବିମାନ ନ ଥିବାରୁ ତା’ ପରଦିନ ପ୍ରଣବ ମୁଖାର୍ଜୀ ଦଲ୍ଲୀ ଯିବେ ବୋଲି ଏ ଲେଖକ ଶୁଣିଥିଲା। ମାତ୍ର ପରେ ଶୁଣିଲା, ରାଜ୍ୟ ସରକାରଙ୍କର ବିମାନ ନେଇ ସେହି ରାତିରେ ଶ୍ରୀ ମୁଖାର୍ଜୀଙ୍କୁ ଦିଲ୍ଲୀରେ ଛାଡ଼ିଦେଇ ଆସିଲା। ସେତେବେଳେ ଏ ଲେଖକ ଭାବିଥିଲା, ଏଇ ବ୍ୟବସ୍ଥା କରି ସକାଳେ ତ ଶ୍ରୀ ମୁଖାର୍ଜୀଙ୍କୁ ଭୁବନେଶ୍ବର ଅଣାଯାଇ ପାରିଥାନ୍ତା। ମାତ୍ର ରାଜନୀତିର ଗତି ବିଚିତ୍ର!
ଗୋଟେ ସମୟରେ ଆଡଭୋକେଟ ଜେନେରାଲ ଥିବା ଇନ୍ଦ୍ରଜିତ ରାୟଙ୍କ ପାଇଁ ଜାନକୀବଲ୍ଲଭ ନିନ୍ଦିତ ହୋଇଥିଲେ। ଏହାର କିଛି ବର୍ଷ ପରେ ଇନ୍ଦ୍ରଜିତ ଆରପୁରକୁ ଚାଲିଗଲେ। ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ବେଳକୁ ଜାନକୀବଲ୍ଲଭ ପଟ୍ଟନାୟକ ଏକ ଶ୍ରଦ୍ଧାଞ୍ଜଳି ଲେଖା ‘ସମ୍ବାଦ’କୁ ପଠେଇଥିଲେ। ଲେଖାଟି ତାଙ୍କ ନାମରେ ନ ଯାଇ ଅନ୍ୟ କାହା ନାମରେ ଯିବା ଉଚିତ ବୋଲି କେତେକ ପ୍ରସ୍ତାବ ଦେଇଥିଲେ। ଏ କଥାଟି ତାଙ୍କୁ ଜଣାଇବା ପାଇଁ ଏ ଲେଖକ ଫୋନ୍ କରିଥିଲା। ସବୁ ଶୁଣି ସେ ଉତ୍ତର ଦେଇଥିଲେ, ‘‘ବଞ୍ଚିଥିବା ବେଳେ ସେ ଲୋକ ମୋତେ ସାହାଯ୍ୟ କରୁଥିଲେ। ମରିଯିବା ପରେ ମୁଁ ତାଙ୍କୁ ଭୁଲିଯିବା କ’ଣ ଉଚିତ ହେବ? ଲୋକେ ମୋତେ ଯାହା କହିଲେ କହିବେ। ଲେଖାଟି କିନ୍ତୁ ମୋ ନାମରେ ଯାଉ।’’
ଓଡ଼ିଶାକୁ ନେଇ ଜାନକୀବଲ୍ଲଭଙ୍କ ମନ ଭିତରେ ଗର୍ବ ଥିଲା। ସେ ବିଭିନ୍ନ ଭାଷଣରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଏଇ ପଦଟି ଉଦ୍ଧାର କରିବାକୁ ଭୁଲୁ ନ ଥିଲେ- ଜଗତ ସଲିଳେ ଭାରତ କମଳ / ତା’ ମଧ୍ୟେ କେଶର ପୁଣ୍ୟ ନୀଳାଚଳ। ତାଙ୍କର ପ୍ରତିଟି ଭାଷଣ ଗୋଟିଏ ଗୋଟିଏ ସଂଗ୍ରହଣୀୟ ପ୍ରବନ୍ଧ। ସେ କହୁଥିଲେ େଯ ଓଡ଼ିଶା ଯେତେ ଦୀର୍ଘ କାଳ, ପ୍ରାୟ ୪୦୦ ବର୍ଷ, ପରାଧୀନତାର ଶିକୁଳିରେ ବନ୍ଧା ହୋଇ ରହିଥିଲା ଅନ୍ୟ କୌଣସି ରାଜ୍ୟର ଭାଗ୍ୟରେ ସେ ପ୍ରକାର ଦୁଃସ୍ଥିତି ଜୁଟି ନ ଥିଲା। ତେଣୁ ଏହାକୁ ଡବଲ ମାର୍ଚ୍ଚରେ ଆଗେଇବାକୁ ହେବ।
ସାହିତ୍ୟ ଓ ସାହିତ୍ୟିକମାନଙ୍କ ପ୍ରତି ତାଙ୍କର ବିଶେଷ ଅନୁରାଗ ଥିଲା। ତାଙ୍କରି ପ୍ରୋତ୍ସାହନରେ ସେତେବେଳେ ଲେଖକସାମ୍ମୁଖ୍ୟ ଆନୁକୂଲ୍ୟରେ ବାର୍ଷିକ ଲେଖକ ସମ୍ମିଳନୀ ହେଉଥିଲା। ସେ କହୁଥିଲେ କବି ଓ ଲେଖକମାନେ ନିଜ ନିଜ ଦେଶର ପରିଚୟ। ଜର୍ମାନୀର ଗେଟେ, ଇଂଲାଣ୍ଡର ସେକ୍ସପିୟର ଓ ରୁଷିଆର ଟଲଷ୍ଟୟଙ୍କ ପରି ଭାରତର ପରିଚୟ କାଳିଦାସ ଓ ରବୀନ୍ଦ୍ରନାଥ। ପ୍ରତି ମଣିଷ ଭିତରେ ଈଶ୍ବର ପ୍ରଚୁର ସମ୍ଭାବନା ଦେଇଛନ୍ତି ଓ ତାହା ବଳରେ ସେ ସବୁ କିଛି ହାସଲ କରିପାରିବ ବୋଲି ସେ ବିଶ୍ବାସ କରୁଥିଲେ। ‘ପୌରୁଷ’ ପତ୍ରିକାରେ ସେ କର୍ଣ୍ଣଙ୍କର ବାଣୀ ଉଦ୍ଧାର କରୁଥିଲେ- ଦୈବାୟତ୍ତ କୁଳେ ଜନ୍ମ, ମଦାୟତ୍ତ ଚ ପୌରୁଷମ୍। ଈର୍ଷା, ଦ୍ବେଷ, ଅସୂୟାକୁ କାନ ନ ଦେଇ କାର୍ଯ୍ୟ କରିଯିବାରେ ବ୍ରତୀ ଥିଲେ କର୍ମଯୋଗୀ ଜାନକୀବଲ୍ଲଭ ପଟ୍ଟନାୟକ। ସେଥିପାଇଁ ସେ ଭବଭୂତିଙ୍କର ବାଣୀ ଉଦ୍ଧାର କରି କହୁଥିଲେ- କାଳୋୟମ୍ ନିରବଧି, ବିପୁଳାଚ ପୃଥ୍ବୀ। ସମୟ ହିଁ ଆମ କାର୍ଯ୍ୟକୁ ପୁରସ୍କାର ଦେବ।
ଏହିସବୁ କାରଣରୁ ଶ୍ରୀଯୁକ୍ତ ଜାନକୀବଲ୍ଲଭ ପଟ୍ଟନାୟକ ଆମମାନଙ୍କ ଆଗରେ ଜଣେ ବିଶିଷ୍ଟ ଜନନାୟକ ଏବଂ ଆଦର୍ଶ ଉଦାହରଣ ଭାବେ ପ୍ରତିଭାତ ହୋଇଥାନ୍ତି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୭୭୨୮୮
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/03/janaki-2026-01-03-00-50-26.jpg)