ପ୍ରଶ୍ନ ଉଠିଥାଏ ଯେ କୌଣସି ଏକ ସିନେମାକୁ କେବଳ ତା’ର କଳାତ୍ମକ ଉତ୍କର୍ଷ ଦୃଷ୍ଟିରୁ ଅନୁଶୀଳନ କରାଯାଇ ପାରନ୍ତା ନାହିଁ କି? ହଁ, ଏହା ସମ୍ଭବ, କିନ୍ତୁ ଏଥି ଲାଗି ଲୋଡ଼ା ପ୍ରଶସ୍ତ ବିବେଚନାବୋଧ ଓ ଔଦାର୍ଯ୍ୟ। କିନ୍ତୁ ‘ଧୁରନ୍ଧର’ ପରିପ୍ରେକ୍ଷୀରେ ଏହା ଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ପ୍ରଶ୍ନଟିଏ ସୃଷ୍ଟି ହୋଇଛି। ପ୍ରଶ୍ନଟି ହେଲା ଯଦି କୌଣସି ସମାଲୋଚକ ସିନେମାକୁ ଅତ୍ୟନ୍ତ କଟୁ ସମାଲୋଚନା କରନ୍ତି, ତେବେ, କ’ଣ ତାଙ୍କୁ ‘ଅନଲାଇନ’ ଭିଡ଼ତନ୍ତ୍ରର ସମ୍ମୁଖୀନ ହେବାକୁ ପଡ଼ିବ?
ନିକଟରେ ମୁକ୍ତି ଲାଭ କରିଥିବା ‘ଧୁରନ୍ଧର’ ନାମକ ଚଳଚ୍ଚିତ୍ରଟି କଥାବସ୍ତୁ, ଅଭିନୟ, ସଂଳାପ, ସିନେମା ନିର୍ମାଣ କଳା ଓ କାରିଗରି ଇତ୍ୟାଦି ଦୃଷ୍ଟିରୁ ବିପୁଳ ପ୍ରଶଂସାର ପାତ୍ର ହୋଇ ଅବଲୀଳା କ୍ରମେ ଏକ ସର୍ବକାଳୀନ ବୃହତ୍ ହିଟ୍ ହେବା ପଥରେ ଯାତ୍ରା ଆରମ୍ଭ କରିଥିଲେ ହେଁ କିଛି ସମାଲୋଚକ ଏବଂ ଦର୍ଶକଙ୍କ ଦ୍ବାରା ସୃଷ୍ଟ ବ୍ୟାଖ୍ୟାନ, ଯେ ଏହା ଏକ ନିର୍ଦ୍ଦିଷ୍ଟ ମତବାଦର ପ୍ରଚାର ଓ ପ୍ରସାର ସକାଶେ ଉଦ୍ଦିଷ୍ଟ, ଲୋକକ୍ଷେତ୍ରରେ ଚର୍ଚ୍ଚାର ତରଙ୍ଗ ସୃଷ୍ଟି କରିଛି। ଅବଶ୍ୟ ଏହା ସତ ଯେ ବିଗତ କିଛି ବର୍ଷ ଧରି ନିର୍ମିତ ହେଇ ଆସୁଥିବା କେତେକ ସିନେମା କେନ୍ଦ୍ରରେ କ୍ଷମତାସୀନ ରାଜନୈତିକ ଦଳର ପ୍ରଚାର-ତନ୍ତ୍ରର ଅଂଶବିଶେଷ ବୋଲି ଧାରଣା ସୃଷ୍ଟି ହେବାରେ ଲାଗିଛି। କିନ୍ତୁ, ଏହି ପରିପ୍ରେକ୍ଷୀରେ ଯାହା ବିଚାର୍ଯ୍ୟ, ତାହା ହେଲା, କୌଣସି ଚଳଚ୍ଚିତ୍ର ବା ସେହି ଦୃଷ୍ଟିରୁ ଯେ କୌଣସି କଳାତ୍ମକ ସୃଷ୍ଟି ବା ଅଭିବ୍ୟକ୍ତିକୁ ଅନୁଶୀଳନ କଲା ବେଳେ ଦୃଷ୍ଟି ଓ ଦୃଷ୍ଟିକୋଣ କିଭଳି ହେବା ଉଚିତ, ଯେଉଁ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
‘ଧୁରନ୍ଧର’ ସଂଦର୍ଭରେ ଅଭିଯୋଗ ହେଲା ଏହା ଯେ ସିନେମାଟି ପାକିସ୍ତାନର କରାଚୀସ୍ଥିତ ଲିୟାରି ନାମକ ଏକ ଅରାଜକ, ଈଶ୍ବର ପରିତ୍ୟକ୍ତ ଏବଂ ଅପରାଧୀ ଗ୍ୟାଙ୍ଗଷ୍ଟରମାନଙ୍କ ଦ୍ବାରା ସଂପୂର୍ଣ୍ଣ କବଳିତ ଅଞ୍ଚଳକୁ କେନ୍ଦ୍ର କରି ଗଢ଼ି ଉଠିଥିଲେ ହେଁ ଏହା ଅତ୍ୟନ୍ତ ସ୍ପଷ୍ଟ ଭାବେ ତୀବ୍ର ‘ଇସଲାମୋଫୋବିୟା’ ବା ‘ମୁସଲମାନଙ୍କ ପ୍ରତି ଅହେତୁକ ଭୟ’ ସୃଷ୍ଟି କରିବା ଲାଗି ଅଭିପ୍ରେତ, ଯେଉଁଥି ଲାଗି ବାସ୍ତବ ଚିତ୍ରଣ ଆଳରେ ତହିଁରେ ଅସହନୀୟ ହିଂସା ଓ ରକ୍ତପାତକୁ ଦର୍ଶାଯାଇଛି। କିଛି ଅଭିଯୋଗକାରୀ ଏହା ମଧ୍ୟ କହିଥାଆନ୍ତି ଯେ ସିନେମାର ପୃଷ୍ଠଭୂମିରେ ପାକିସ୍ତାନର ‘ଗ୍ୟାଙ୍ଗ ୱାର’ ପ୍ରମୁଖତା ପାଇଥିଲେ ହେଁ ଭାରତକୁ କ୍ଷତବିକ୍ଷତ କରିଥିବା ଜେହାଦୀ ଆତଙ୍କବାଦ ଓ ନକଲି ନୋଟ କାରବାର ଇତ୍ୟାଦି ସହିତ ଲିୟାରି ଗ୍ୟାଙ୍ଗଗୁଡ଼ିକର ସଂପୃକ୍ତି ବିଷୟ ସିନେମାରେ ସ୍ପଷ୍ଟ ହୋଇ ଭାରତୀୟ ଜନ ସମାଜକୁ ପ୍ରଭାବିତ କରିପାରେ; ଯଦ୍ଦ୍ବାରା ସାଂପ୍ରଦାୟିକ ସନ୍ଦେହ ଅଧିକ ପ୍ରଗାଢ଼ ହେବାର ଆଶଙ୍କା ଅଛି। ତେବେ, ଏଭଳି ଅଭିଯୋଗକୁ ସଂପୂର୍ଣ୍ଣ ଖାରଜ କରୁଥିବା ବର୍ଗ କହିଥାଆନ୍ତି ଯେ ପାକିସ୍ତାନୀ ମୁସଲମାନମାନଙ୍କୁ କେନ୍ଦ୍ର କରି ନିର୍ମିତ ଏହି ସିନେମାର କୌଣସି ନକରାତ୍ମକ ପ୍ରଭାବ ଭାରତୀୟ ଜନ ସମୂହ ଉପରେ ଆଦୌ ପଡ଼ି ନାହିଁ; କାରଣ ସଂପ୍ରଦାୟ ନିର୍ବିେଶଷର ଭାରତୀୟମାନେ କେବଳ ଥରୁଟିଏ ନୁହେଁ, ବାରମ୍ବାର ସିନେମାଟିକୁ ଦେଖିବାକୁ ଯାଇ ପ୍ରେକ୍ଷାଳୟମାନଙ୍କରେ ନିଘଞ୍ଚ ଗହଳି ସୃଷ୍ଟି କରି ଚାଲିଛନ୍ତି।
‘ଧୁରନ୍ଧର’କୁ ଏକ ଅତ୍ୟନ୍ତ ବାସ୍ତବଧର୍ମୀ ସିନେମାରେ ପରିଣତ କରିବା ଲାଗି ତା’ ପଛରେ ସଘନ ଗବେଷଣା ଅଛି ବୋଲି ଜଣାଯାଏ। ତା’ ସତ୍ତ୍ବେ କଥାବସ୍ତୁ କାଳ୍ପନିକ ବୋଲି ‘ଧୁରନ୍ଧର’ ନିର୍ମାତାଙ୍କ ପକ୍ଷରୁ ଘୋଷଣା କରାଯାଇଛି କାହିଁକି? ଏହାର କାରଣ ହେଲା, ସାଂପ୍ରତିକ ସମାଜ ଅତ୍ୟନ୍ତ ଧ୍ରୁବୀକୃତ ଓ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଥିବାରୁ କୌଣସି ସାମାନ୍ୟ ସୂଚନାଗତ ପ୍ରମାଦ ବା ତଥ୍ୟଗତ ବିଭ୍ରାନ୍ତି ତୁମୂଳ ବିବାଦକୁ ଜନ୍ମ ଦେଇପାରେ। ସେହି କାରଣରୁ ଐତିହାସିକ କଥାବସ୍ତୁ, ଏପରିକି ଜୀବନୀ ଆଧାରିତ କେତେକ ସିନେମାରେ ମଧ୍ୟ ଏଭଳି ଘୋଷଣା ଦେଖିବାକୁ ମିଳୁଛି; ଯଦ୍ଦ୍ବାରା ଇଚ୍ଛାକୃତ ବା ଅନିଚ୍ଛାକୃତ ତଥ୍ୟଗତ ବିଭ୍ରାନ୍ତି ଜନିତ ବିବାଦ କ୍ଷେତ୍ରରେ ‘କାଳ୍ପନିକତା’ର ଦ୍ବାହି ଦେଇ ତହିଁରୁ ବର୍ତ୍ତିବା ସମ୍ଭବ ହୋଇଥାଏ।
କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଐତିହାସିକ ପୃଷ୍ଠଭୂମି ସଂବଳିତ ଯେ କୌଣସି ବାସ୍ତବଧର୍ମୀ ସିନେମା(କାଶ୍ମୀର ଫାଇଲ୍ସ ବା ତାସକେଣ୍ଟ ଫାଇଲ୍ସ ବା ଦ ଏକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର ବା ସାବରମତୀ ଏକ୍ସପ୍ରେସ)ର ନିର୍ମାଣ ପଛରେ ଉେଦ୍ଦଶ୍ୟ ଥାଏ ଯେ ତାହା ସତ୍ୟ ବୋଲି ଦର୍ଶକମାନଙ୍କ ହୃଦ୍ବୋଧ କରାଇବା। ଏବଂ ଏହା ମଧ୍ୟ ସତ ଯେ ସିଗାରେଟ ପ୍ୟାକେଟରେ ଥିବା ବୈଧାନିକ ସତର୍କତା ପ୍ରତି ଧୂମପାୟୀମାନଙ୍କ ଧ୍ୟାନ ନ ଥିବା ଭଳି ଉପରୋକ୍ତ ଘୋଷଣା ପ୍ରତି ଅଧିକାଂଶ ଦର୍ଶକଙ୍କ ମଧ୍ୟ ଧ୍ୟାନ ନ ଥାଏ। ଏଭଳି ସ୍ଥଳେ ତଥ୍ୟଗତ ବିକୃତି ଜରିଆରେ ଅସଂଖ୍ୟ ଅସତର୍କ ଦର୍ଶକଙ୍କ ମନରେ ବଦ୍ଧମୂଳ ବିଭ୍ରାନ୍ତି ସୃଷ୍ଟି କରାଯାଇପାରେ। ସୁତରାଂ, ଏହି ମାଧ୍ୟମକୁ ପୃଥିବୀର ସର୍ବତ୍ର ଶାସକ ବା ଶାସକଙ୍କ ସମର୍ଥକ ଗୋଷ୍ଠୀ ଦ୍ବାରା ଆପଣା ମତାଦର୍ଶ, ଦର୍ଶନ ଓ ଆଭିମୁଖ୍ୟର ପ୍ରଚାର ସକାଶେ ଅତି ପୁରୁଣା କାଳରୁ ହିଁ ବ୍ୟବହାର କରାଯାଇ ଆସୁଛି; ଯେମିତି ପ୍ରଥମ ବିଶ୍ବଯୁଦ୍ଧ ବେଳକୁ ୧୯୧୨ ମସିରେ ରୁମାନିଆ ଶାସକଙ୍କ ସୌଜନ୍ୟରୁ ନିର୍ମିତ ସିନେମା ‘ଇଣ୍ଡିପେଣ୍ଡେଣ୍ଟା ରୋମାେନ’।
ତେବେ, ପ୍ରାକ୍ ଦ୍ବିତୀୟ ମହାଯୁଦ୍ଧ କାଳରେ ଜର୍ମାନୀରେ ଆଡଲ୍ଫ ହିଟଲରଙ୍କ ତୀବ୍ର ଇହୁଦୀ ବିରୋଧୀ ଘୃଣାର ପ୍ରଚାର ତନ୍ତ୍ରରେ ସିନେମା ଏକ ବଳିଷ୍ଠ ଅଙ୍ଗ ରୂପେ ବ୍ୟବହୃତ ହୋଇଥିଲା; ତାଙ୍କ ଦ୍ବାରା ସ୍ବତନ୍ତ୍ର ଭାବେ ଗଠିତ ପ୍ରଚାର ମନ୍ତ୍ରଣାଳୟର ମୁଖ୍ୟ ଯୋସେଫ ଗବଲଙ୍କ ସ୍ବହସ୍ତ ଲିଖିତ କଥାବସ୍ତୁ ସଂବଳିତ ସିନେମା ଯେମିତି କୋଲବର୍ଗ ବା ହିଟଲର ଇତ୍ୟାଦି। ପ୍ରକାଶ ଥାଉ କି ଦ୍ବିତୀୟ ମହାଯୁଦ୍ଧର ଅନ୍ତ ଘଟିଲା ବେଳକୁ ମଧ୍ୟ ଯୋସେଫ ସକ୍ରିୟ ଥିଲେ, ଅଥଚ ସହସା ଯୁଦ୍ଧର ସମାପ୍ତି ଓ ଜର୍ମାନିର ପତନ ସହିତ ‘ଲାଇଫ ଗୋଜ୍ ଅନ୍’(ଜୀବନ ଚାଲିଥାଏ) ନାମକ ସିନେମା ଅସମାପ୍ତ ହୋଇ ରହିଯାଇଥିଲା। ସେହି ଭଳି ଯୁଦ୍ଧ ସମୟରେ ହିଟଲର ଓ ତାଙ୍କ ସମର୍ଥକ ଫାସିଷ୍ଟ ଶକ୍ତିଙ୍କ ବିରୋଧରେ ପ୍ରଚାର ତନ୍ତ୍ର’ର ମୂଳଦୁଆ ପଡ଼ିଥିଲା ହଲିଉଡ୍ରେ, ଯେଉଁ ଠାରୁ ଭିନ୍ନ ପରିବେଶ ଓ ପରିସ୍ଥିତି ସତ୍ତ୍ବେ ଏ ଯାବତ୍ ରାଜନୈତିକ, ରଣନୈତିକ ଓ ସାଂସ୍କୃତିକ ସଂଦର୍ଭରେ ‘ପ୍ରୋପାଗାଣ୍ଡାଧର୍ମୀ’ ସିନେମାର ଧାରା ପ୍ରବାହିତ ହୋଇ ଚାଲିଛି। ଭାରତରେ ମଧ୍ୟ ବିଭିନ୍ନ ସମୟରେ ‘ପ୍ରୋପାଗାଣ୍ଡାମୂଳକ’ ସିନେମାମାନ ପ୍ରସ୍ତୁତ ହୋଇ ଆସିଛି; ଯୁଦ୍ଧ ପରିପ୍ରେକ୍ଷୀରେ ‘ହକିକତ୍’ରୁ ନେଇ ‘ଉରି’ ପର୍ଯ୍ୟନ୍ତ ରହିଛି ଏଭଳି ସିନେମାର ଏକ ଦୀର୍ଘ ତାଲିକା। ସପ୍ତମ ଦଶକର ଅଧିକାଂଶ ଭାରତୀୟ ସିନେମାରେ ସମାଜବାଦର ପ୍ରଚ୍ଛନ୍ନ ସମର୍ଥନ ଦେଖିବାକୁ ମିଳଥାଏ, ଯହିଁରେ ଗାଁର ଧନାଢ଼୍ୟ ଜମିଦାର ସର୍ବଦା ଖଳନାୟକ ରୂପେ ଆବିର୍ଭୂତ ହୋଇଥାଏ। ପ୍ରକାଶ ଥାଉ କି ଇନ୍ଦିରା ଗାନ୍ଧୀଙ୍କ ଅମଳେର ସରକାର ସମାଜବାଦ ପ୍ରତି ଅନୁରକ୍ତ ଥିଲେ, କିନ୍ତୁ ଏଭଳି ସିନେମା ନିର୍ମାଣ ପଛରେ ସରକାରଙ୍କ ଚାପ ବା ଆଦେଶ ନ ଥିଲା। କହିବାର ତାତ୍ପର୍ଯ୍ୟ ହେଲା, ସମୟେ ସମୟେ ଶାସକ ଗୋଷ୍ଠୀଙ୍କ ଦ୍ବାରା ସିନେମା ଭଳି ଏକ ବଳିଷ୍ଠ ଗଣମାଧ୍ୟମ ପ୍ରଚରର ଆୟୁଧ ଭାବେ ବ୍ୟବହୃତ ହୋଇପାରେ; କିନ୍ତୁ ଏକ କଳାତ୍ମକ ଅଭିବ୍ୟକ୍ତି ହୋଇଥିବାରୁ କୌଣସି ସିନେମାରେ ନିର୍ମାତାଙ୍କ ଦର୍ଶନ, ଦୃଷ୍ଟିକୋଣ, ଆଦର୍ଶ, ପୂର୍ବାଗ୍ରହ ଓ ବିଭ୍ରାନ୍ତି ଇତ୍ୟାଦି ରହି ତାକୁ ହୁଏତ ସରକାରଙ୍କ ପ୍ରଚାର ତନ୍ତ୍ରର ଏକ ଅଂଶ ରୂପେ ଦର୍ଶାଇପାରେ ଓ ବିଭ୍ରାନ୍ତି ସୃଷ୍ଟି କରିପାରେ। ଉଦାହରଣ ସ୍ବରୂପ, ୧୯୪୦ ମସିହାରେ ଚାର୍ଲି ଚାପଲିନ ନିର୍ମାଣ କରିଥିଲେ ଅତୁଳନୀୟ କ୍ଲାସିକ ‘ଦ ଗ୍ରେଟ ଡିକ୍ଟାଟର’, ଯହିଁରେ ହିଟଲରଙ୍କ ପ୍ରତି ବିଦ୍ରୂପ ଥିଲା। କିନ୍ତୁ ଏହା ଆମେରିକୀୟ ପ୍ରଚାର ତନ୍ତ୍ରର ଅଂଶ ନ ଥିଲା। ତେବେ ବିଡ଼ମ୍ବନା ହେଲା, ତା’ ସତ୍ତ୍ବେ ସାଂପ୍ରତିକ ଜର୍ମାନିରେ ଉଗ୍ର ଦକ୍ଷିଣପନ୍ଥୀମାନେ ଚାପଲିନଙ୍କ କଳାତ୍ମକ ଦକ୍ଷତାକୁ ଆଖି ବୁଜି ଦେଇ ସିନେମାଟିକୁ ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ େଦଖୁଛନ୍ତି। ଏହା ହିଁ ବିଡ଼ମ୍ବନା ଏବଂ ଏଇଠି ଆସିଥାଏ ସିନେମା ଦେଖିବାର ଦୃଷ୍ଟି ଓ ଦୃଷ୍ଟିକୋଣର ସଂଦର୍ଭ। ପ୍ରଶ୍ନ ଉଠିଥାଏ ଯେ କୌଣସି ଏକ ସିନେମାକୁ କେବଳ ତା’ର କଳାତ୍ମକ ଉତ୍କର୍ଷ ଦୃଷ୍ଟିରୁ ଅନୁଶୀଳନ କରାଯାଇ ପାରନ୍ତା ନାହିଁ କି? ହଁ, ଏହା ସମ୍ଭବ, କିନ୍ତୁ ଏଥି ଲାଗି ଲୋଡ଼ା ପ୍ରଶସ୍ତ ବିବେଚନାବୋଧ ଓ ଔଦାର୍ଯ୍ୟ। କିନ୍ତୁ ‘ଧୁରନ୍ଧର’ ପରିପ୍ରେକ୍ଷୀରେ ଏହା ଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ପ୍ରଶ୍ନଟିଏ ସୃଷ୍ଟି ହୋଇଛି। ପ୍ରଶ୍ନଟି ହେଲା ଯଦି କୌଣସି ସମାଲୋଚକ ସିନେମାକୁ ଅତ୍ୟନ୍ତ କଟୁ ସମାଲୋଚନା କରନ୍ତି, ତେବେ, କ’ଣ ତାଙ୍କୁ ‘ଅନଲାଇନ’ ଭିଡ଼ତନ୍ତ୍ରର ସମ୍ମୁଖୀନ ହେବାକୁ ପଡ଼ିବ? ଗାଳିଗୁଲଜ ଓ ହତ୍ୟା ଧମକର ଶିକାର ହେବାକୁ ପଡ଼ିବ? ପ୍ରକାଶ ଥାଉ କି ଅନୁପମା ଚୋପ୍ରା ଓ ରାହୁଳ ଦେଶାଇଙ୍କ ଭଳି ପ୍ରଖ୍ୟାତ ସିନେ-ସମୀକ୍ଷକ ଏଭଳି ଦୁର୍ଭାଗ୍ୟ ଭୋଗିଛନ୍ତି। ଏହା ନିନ୍ଦନୀୟ ଏବଂ କହିବା ଅନାବଶ୍ୟକ ଯେ ଦୃଷ୍ଟି ପରିଷ୍କାର ନ ଥିଲେ ହିଁ ଏଭଳି ଅସହିଷ୍ଣୁତା ପ୍ରକାଶ ପାଇଥାଏ।
ସିନେମାଟିଏ ଦେଖି ଅତି ବିରକ୍ତିରେ ପ୍ରେକ୍ଷାଳୟରୁ ବାହାରିଥିବା ଜନୈକ ସମାଲୋଚକଙ୍କ ପ୍ରତିକ୍ରିୟା ଯଦି ହୁଏ ଯେ ‘ସିନେମାଟି କଦର୍ଯ୍ୟ’, ତେବେ ତାହା ହେବ ତାଙ୍କ ବ୍ୟକ୍ତିଗତ ମତର ସାର୍ବଜନୀନୀକରଣ। ଏଠାରେ ଯଥାର୍ଥ ଉତ୍ତର ହୁଅନ୍ତା ‘ମୋତେ ସିନେମାଟି ଆଦୌ ଭଲ ଲାଗିଲା ନାହିଁ।’ କହିବାର ଅର୍ଥ ହେଲା ସମାଲୋଚକଙ୍କ ମନ୍ତବ୍ୟରେ ତାଙ୍କ ବିଷୟ ଜ୍ଞାନ, ତର୍ଜମା ଶକ୍ତି ଓ ଭାଷା ଚାତୁରୀ ସହିତ ଆଉ ଯାହା ରହିବା ଆବଶ୍ୟକ, ତାହା ହେଉଛି ସିନେମାଟି ପସନ୍ଦ ବା ନାପସନ୍ଦ କରିବା ନେଇ ତାଙ୍କ ବ୍ୟକ୍ତିିଗତ ମତ, ସମସ୍ତଙ୍କ ଲାଗି ଏକ ‘ପ୍ରେସକ୍ରିପସନ’ ନୁହେଁ। କିନ୍ତୁ ଯଦିବା ସମାଲୋଚକ ‘ପ୍ରେସକ୍ରିପସନ’ଟିଏ ଦିଅନ୍ତି ଏବଂ ତାହା କାହାର ପସନ୍ଦଯୋଗ୍ୟ ନ ହୁଏ, ତଥାପି ସେଥିରେ ମଧ୍ୟ କୌଣସି ସମସ୍ୟା ନାହିଁ। ସେଥି ଲାଗି ସେ ଅସହିଷ୍ଣୁତାର ଶିକାର ହେବା ଆଦୌ ଉଚିତ ନୁହେଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)