ଯେହେତୁ ଆମେରିକା କିମ୍ବା ଇସ୍ରାଏଲ କେହିହେଲେ ଇରାନରେ ସସୈନ୍ୟ ପ୍ରବେଶ କରିବାକୁ ଚାହାନ୍ତି ନାହିଁ, ସେମାନେ ସିଧାସଳଖ ଭାବରେ ଏହାର କୌଣସି ପ୍ରତିକାର କରିପାରିବେ ନାହିଁ। ଯେମିତି କୁହାଯାଇଥାଏ, କେବଳ ଆକାଶରୁ ଆକ୍ରମଣ କରି ଶାସନ କ୍ଷମତାରେ ପରିବର୍ତ୍ତନ ଘଟାଯାଇ ପାରେନାହିଁ।
୨୦୦୩ରେ ଆମେରିକା ଯେତେବେଳେ ଇରାନର ପଡ଼ୋଶୀ ଦେଶ ଇରାକରେ ଏକଛତ୍ର ଶାସକ ସଦ୍ଦାମ ହୁସେନଙ୍କୁ ଗାଦିଚ୍ୟୁତ କରିବା ଉଦ୍ଦେଶ୍ୟରେ ଅଭିଯାନ ଚଳାଇଥିଲା, ସେତେବେଳେ, ହୁସେନଙ୍କୁ ଶେଷରେ ଧରିବା ପାଇଁ ତାକୁ ଦୀର୍ଘ ନ’ ମାସ ସମୟ ଲାଗିଥିଲା। ବାରମ୍ବାର ଚେଷ୍ଟା କରିବା ସତ୍ତ୍ବେ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିବାର ଚାରି ବର୍ଷ ବିତିଯିବା ପରେ ମଧ୍ୟ ରୁଷିଆ ସେ ଦେଶର ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସ୍କିଙ୍କୁ ହତ୍ୟା କରିବାରେ ସଫଳ ହୋଇପାରି ନାହିଁ। ସାମରିକ ପରିସରରେ ତେଣୁ ଏହା ସହିତ ତୁଳନା କରାଯାଇ ଫେବ୍ରୁଆରି ଶେଷ ତାରିଖରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବରେ ଯେଉଁ ସଫଳତା ହାସଲ କରିପାରିଛନ୍ତି, ତାହାକୁ ଚମକପ୍ରଦ ରୂପେ ବିବେଚନା କରାଯାଉଛି। ସେମାନଙ୍କର ଏଇ ସଫଳତା ହେଲା- ଇରାନ ବିରୁଦ୍ଧରେ ଚଳିତ ଯୁଦ୍ଧ ଆରମ୍ଭର ମାତ୍ର ଗୋଟିଏ ଦିନ ମଧ୍ୟରେ ସେମାନେ ସେ ଦେଶର ସର୍ବମୟ କର୍ତ୍ତା ତଥା ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲା ଆଲି ଖାମେନେଇଙ୍କୁ ହତ୍ୟା କରିପାରିଛନ୍ତି। କେବଳ ଖାମେନେଇ ନୁହନ୍ତି, ଇସ୍ରାଏଲ ମଧ୍ୟ ଇରାନର ପ୍ରତିରକ୍ଷା ମନ୍ତ୍ରୀ, ସେନାଧ୍ୟକ୍ଷ, ଶକ୍ତିଶାଳୀ ‘ଇସ୍ଲାମିକ୍ ରେଭଲ୍ୟୁସନାରି ଗାର୍ଡ କୋର୍’ର ମୁଖ୍ୟ ଓ ପ୍ରତିରକ୍ଷା ପରିଷଦର ମୁଖ୍ୟ ସମେତ ଅନେକ ନେତୃସ୍ଥାନୀୟ କର୍ମକର୍ତ୍ତାମାନଙ୍କର ନିଧନ ଘଟାଇଛି।
Literature: ସମାଜ ଗଠନରେ ସାହିତ୍ୟର ଭୂମିକା ଅପରିହାର୍ଯ୍ୟ: ଅଖିଳ କୁମାର ମିଶ୍ର
କିନ୍ତୁ ନିଶ୍ଚିତ ରୂପେ ଚମକପ୍ରଦ ହୋଇଥିବା ଏଇ ଘଟଣାବଳୀ ସତ୍ତ୍ବେ ଏଥିସହିତ ଯେ ବିଗତ ପ୍ରାୟ ଚାରି ଦଶନ୍ଧି ଧରି ଇରାନରେ ଶାସନ କ୍ଷମତାରେ ରହିଥିବା ଏକଛତ୍ର ଧର୍ମତନ୍ତ୍ରର ଅନ୍ତ ଘଟିଲା, ତାହା ବିଶ୍ବାସ କରିବା ଘୋର ଭ୍ରମାତ୍ମକ ସାବ୍ୟସ୍ତ ହୋଇପାରେ। ଇରାନୀୟ ସଂବିଧାନ ଅନୁସାରେ ୮୮ ସଦସ୍ୟବିଶିଷ୍ଟ ମୁଲ୍ଲାମାନଙ୍କର ଏକ ବିଶେଷଜ୍ଞ ସଭା ହସ୍ତରେ ପରବର୍ତ୍ତୀ ସର୍ବୋଚ୍ଚ ନେତାଙ୍କୁ ଚୟନ କରିବାର ଦାୟିତ୍ବ ନ୍ୟସ୍ତ କରାଯାଇଛି। କିନ୍ତୁ ତାହା ଘଟିବା ପର୍ଯ୍ୟନ୍ତ ସେ ଦେଶର ରାଷ୍ଟ୍ରପତି, ମୁଖ୍ୟ ବିଚାରପତି ଓ ଜଣେ ବରିଷ୍ଠ ମୁଲ୍ଲାଙ୍କୁ ନେଇ ଗଠିତ ଏକ ମଧ୍ୟବର୍ତ୍ତୀକାଳୀନ ନେତୃମଣ୍ଡଳୀ ଦେଶର ଶାସନ ଦାୟିତ୍ବ ନିର୍ବାହ କରିବା ପାଇଁ ସଂବିଧାନରେ ବ୍ୟବସ୍ଥା କରାଯାଇଛି। ତେବେ ଏଇ ତିନି ଜଣ ମଧ୍ୟ ଜୀବିତ ଅଛନ୍ତି କି ନାହିଁ, କିମ୍ବା ସେମାନଙ୍କ ମଧ୍ୟରୁ କେତେଜଣ ଜୀବିତ ଅଛନ୍ତି, ତାହା ସ୍ପଷ୍ଟ ନୁହେଁ।
ଆକ୍ରମଣ ପୂର୍ବରୁ ଖାମେନେଇଙ୍କର କିଛି ଘଟିଲେ, ତାଙ୍କର ପୁତ୍ର ମୋଜ୍ତାବା ତାଙ୍କର ଉତ୍ତରାଧିକାରୀ ରୂପେ କ୍ଷମତା ଆରୋହଣ କରିବେ ବୋଲି କୁହାଯାଉଥିଲେ ହେଁ, ଆକ୍ରମଣରେ ସେ ମଧ୍ୟ ପ୍ରାଣ ହରାଇଥିବା ବିଶ୍ବାସ କରାଯାଉଛି। ଆକ୍ରମଣରୁ ବର୍ତ୍ତି ଯାଇଥିବା ଶାସକ ଗୋଷ୍ଠୀ କୌଣସି ଜଣେ ବରିଷ୍ଠ ମୁଲ୍ଲା କିମ୍ବା ସେମାନଙ୍କର ଏକ କମିଟି ହସ୍ତରେ ଶାସନ କ୍ଷମତା ଅର୍ପଣ କରିପାରନ୍ତି। ଏହା କିନ୍ତୁ ଜଣାଶୁଣା ଯେ ସେ ଦେଶରେ ଯାହା ହାତରେ ପ୍ରକୃତ କ୍ଷମତା ରହିଆସିଛି, ସେ ହେଉଛି ଉପରୋକ୍ତ ‘ଇସ୍ଲାମିକ୍ ରେଭଲ୍ୟୁସନାରି ଗାର୍ଡ କୋର୍’ (‘ଆଇଆର୍ଜିସି’)- ସର୍ବମୟ ଶାସକଙ୍କର ସୁରକ୍ଷାବାହିନୀ। କିନ୍ତୁ ଉପରେ କୁହାଯାଇଥିବା ଭଳି ଆକ୍ରମଣରେ ଏହି ବାହିନୀର ଅନେକ ବରିଷ୍ଠ ସେନାପତିମାନଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏଥିସତ୍ତ୍ବେ ଖାମେନେଇଙ୍କ ମୃତ୍ୟୁ ପରେ ମଧ୍ୟ ଇରାନ ପ୍ରତିଆକ୍ରମଣରୁ ନିବୃତ୍ତ ହେବା ପରିବର୍ତ୍ତେ ତା’ର ମୁଖ୍ୟ ଶତ୍ରୁ ଇସ୍ରାଏଲ ସମେତ କାତାର୍, ବାହରେନ୍, ଆବୁଧାବି, ଦୁବାଇ ଆଦି ନିଶାଣମାନଙ୍କ ଉପରେ କ୍ଷେପଣାସ୍ତ୍ର ବର୍ଷା କରିବାରେ ଲାଗିଛି।
ଏଥିରୁ ଯାହା ମନେ ହୋଇଥାଏ, ତାହା ହେଲା, ଖାମେନେଇ ଏବଂ ଅନ୍ୟ ତୁଙ୍ଗ ଶାସକ ଓ ସେନାପତିମାନେ ଦୃଶ୍ୟପଟରୁ ଅନ୍ତର୍ହିତ ହୋଇଯିବା ପରେ ମଧ୍ୟ ସେଠାରେ ରଚନା କରାଯାଇଥିବା ବ୍ୟବସ୍ଥା ତଥାପି କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି। ଏଇ ବ୍ୟବସ୍ଥାର ବିଶେଷତ୍ବ ହେଲା, ରାଜତନ୍ତ୍ରରେ ଦେଖାଯାଉଥିବା ଭଳି ଏହାର ଅସ୍ତିତ୍ବ କୌଣସି ଜଣେ ମାତ୍ର ବ୍ୟକ୍ତି କିମ୍ବା ପରିବାର ଉପରେ ନିର୍ଭର କରି ନ ଥାଏ। ଡୋନାଲ୍ଡ ଟ୍ରମ୍ପ ଇରାନର ଜନସାଧାରଣଙ୍କୁ ତୁରନ୍ତ କ୍ଷମତା ଅକ୍ତିଆର କରିବା ପାଇଁ ଆହ୍ବାନ ଦେଇଥିଲେ ହେଁ, ‘ଆଇଆର୍ଜିସି’ ଓ କଠୋରପନ୍ଥୀମାନେ ତାହା ଘଟିବାକୁ ନ ଦେଇ ସେଥିପୂର୍ବରୁ କ୍ଷମତା ଦଖଲ କରିନେଇ ପାରନ୍ତି। ସେମାନେ ଖାମେନେଇଙ୍କ ନୀତିକୁ ବଜାୟ ରଖି ସେଠାରେ ଜନଅସନ୍ତୋଷ ଓ ବିଦ୍ରୋହକୁ ପୂର୍ବଭଳି ଦୃଢ଼ ହସ୍ତରେ ଦମନ କରିବା ଅବ୍ୟାହତ ରଖିପାରନ୍ତି। ଯେହେତୁ ଆମେରିକା କିମ୍ବା ଇସ୍ରାଏଲ କେହିହେଲେ ଇରାନରେ ସସୈନ୍ୟ ପ୍ରବେଶ କରିବାକୁ ଚାହାନ୍ତି ନାହିଁ, ସେମାନେ ସିଧାସଳଖ ଭାବରେ ଏହାର କୌଣସି ପ୍ରତିକାର କରିପାରିବେ ନାହିଁ। ଯେମିତି କୁହାଯାଇଥାଏ, କେବଳ ଆକାଶରୁ ଆକ୍ରମଣ କରି ଶାସନ କ୍ଷମତାରେ ପରିବର୍ତ୍ତନ ଘଟାଯାଇ ପାରେନାହିଁ।
Firing: ସୁନା ଦୋକାନର କର୍ମଚାରୀଙ୍କୁ ଗୁଳିମାଡ଼
ଅବଶ୍ୟ ଏହାପରେ ବର୍ତ୍ତମାନ ରୁଗ୍ଣ ହୋଇ ପଡ଼ିଥିବା ଇରାନର ଅର୍ଥନୀତି ଆହୁରି ଦୁର୍ବଳ ହେବାକୁ ଲାଗିବ। ଅଶୋଧିତ ତୈଳ ରପ୍ତାନି ବାଧାପ୍ରାପ୍ତ ହେଲେ ତା’ର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିପଡ଼ିବ। ଏହାର ଏକ ଫଳସ୍ବରୂପ ଇରାନ ସେ ଅଞ୍ଚଳର ବିଭିନ୍ନ ଦେଶରେ ସ୍ଥାପନ କରିଥିବା ‘ହେଜବୁଲା’, ‘ହୁଥି’, ‘ହମାସ’ ଆଦି ଭଳି ତା’ର କା’ ଆତଙ୍କବାଦୀ ସଂଗଠମାନଙ୍କୁ ଆଉ ସାମରିକ ଓ ଆର୍ଥିକ ସହାୟତା ଯୋଗାଇ ପୂର୍ବଭଳି ପରିପୁଷ୍ଟ କରିପାରିବ ନାହିଁ। ଏଇ ସଂଗଠନମାନଙ୍କର ସ୍ଥାପନକୁ ସେ ଅଞ୍ଚଳରେ ତଥା ବିଶେଷ କରି ଇସ୍ରାଏଲ ବିରୁଦ୍ଧରେ ଆତଙ୍କବାଦର ପ୍ରସାରରେ ଖାମେନେଇଙ୍କର ଏକ ବିଶେଷ ଅବଦାନ ରୂପେ ବିବେଚନା କରାଯାଇଥାଏ। ତେଣୁ ସେଗୁଡ଼ିକର ବିଲୟ ପରେ ଇରାନ ବାହାରେ ଖାମେନେଇଙ୍କର ପ୍ରଭାବର ଏକ ପ୍ରକାର ଅନ୍ତ ଘଟିବ କହିଲେ ଭୁଲ୍ ହେବନାହିଁ। କିନ୍ତୁ ଇରାନ ଭିତରେ ଖାମେନେଇ େଯଉଁ ଇସ୍ଲାମୀୟ ଶାସନ ବ୍ୟବସ୍ଥାକୁ ଦୃଢ଼ୀଭୂତ କରିବାରେ ଦୀର୍ଘ କାଳ ବିତାଇ ଦେଇଥିଲେ, ସେଥିରେ ଯେ ଦ୍ରୁତ ପରିବର୍ତ୍ତନ ଘଟି ରାତାରାତି ଏକ ପାଶ୍ଚାତ୍ୟ ଗଣତନ୍ତ୍ରର ଆବିର୍ଭାବ ଘଟିବ, ତାହାର ସମ୍ଭାବନା କ୍ଷୀଣ ମନେହୁଏ।
ଏଥର କିନ୍ତୁ ଜଖମ ହୋଇପଡ଼ିଥିବା ଇରାନରେ କ୍ଷମତାସୀନ ସରକାର ଦୁର୍ବଳ ହୋଇଯିବା ପରେ, ସେଠାରେ ଥିବା ଆଣବିକ କେନ୍ଦ୍ର ଓ ପଦାର୍ଥମାନଙ୍କର କ’ଣ ହେବ, ତାହା ଉଭୟ ଇସ୍ରାଏଲ ଓ ଆମେରିକା ପାଇଁ ମୁଣ୍ଡବିନ୍ଧାର କାରଣ ହେବ। ‘ନିଉକ୍ଲିଆର୍ ଥ୍ରେଟ୍ ଇନିସିଏଟିଭ୍’ ନାମକ ମର୍ଯ୍ୟାଦାଜନକ ଆଡ୍ଭୋକେସି ଗୋଷ୍ଠୀ ସତର୍କବାଣୀ ଶୁଣାଇ ସାରିଲାଣି ଯେ ବିଭିନ୍ନ ଇସ୍ଲାମୀୟ ଆତଙ୍କବାଦୀ ସଂଗଠନମାନେ ପରିସ୍ଥିତିର ସୁଯୋଗ ନେଇ ଏଗୁଡ଼ିକୁ ଚୋରି କରି ନେଇଯାଇ ପାରନ୍ତି। ଏପରି ଭୟଙ୍କର କଥା ଯେପରି ନ ଘଟେ, ତାହା ନିଶ୍ଚିତ କରିବା ହେଉଛି ସେଠାରେ ଅସ୍ଥିରତା ସୃଷ୍ଟି କରିଥିବା ଆମେରିକାର ପ୍ରଥମ ତଥା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/OAnDiWZ5zjRDfuWfWgMX.jpg)