ଏବେ, ହୁଏତ କୌଣସି କୁତୂହଳୀ ଅଷ୍ଟମ ଶ୍ରେଣୀର ଛାତ୍ର ବା ଛାତ୍ରୀଙ୍କ ମନରେ ସଂଶୟ ସୃଷ୍ଟି ହେଉଥିବ ଯେ ସରକାରଙ୍କ ବିଭାଗ ଓ ଅନୁଷ୍ଠାନ ମଧ୍ୟରେ ପୁଣି ଚକ୍ରାନ୍ତ କାହିଁକି? ଏହା ବୁଝିବାକୁ ପ୍ରଶ୍ନ କରି ସେମାନେ ଉତ୍ତର ମଧ୍ୟ ପାଇ ପାରନ୍ତି। ହୁଏତ, ତା’ ପରେ ସେମାନଙ୍କ ଦୃଷ୍ଟିରେ ବହିରେ ପଠିତ ଗଣତନ୍ତ୍ର ଓ ବାସ୍ତବରେ ଅଭିନୀତ ଗଣତନ୍ତ୍ର ମଧ୍ୟରେ ପ୍ରଭେଦ ଦିଶି ଯାଇପାରେ। ଖୁବ୍ କମ୍‌ ବୟସ‌େର ବିଶ୍ବାସ ଭଙ୍ଗ ମଧ୍ୟ ଘଟିପା‌ରେ!

Advertisment

ଗଲା ଗୁରୁବାର ଦିନ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ କଡ଼ା ଆଦେଶ ପରେ ଏନ.ସି.ଇ.ଆର.ଟି. ଦ୍ବାରା ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସକାଶେ ପ୍ରଣୀତ ସାମାଜିକ ବିଜ୍ଞାନ ବହି ଆଉ କୌଣସି ସ୍ଥାନରେ ମୁଦ୍ରିତ ଆକାରରେ ହେଉ ବା ଡିଜିଟାଲ ରୂପରେ ହେଉ ଉପଲବ୍‌ଧ ହେବ ନାହିଁ। ପ୍ରକାଶ ଥାଉ କି ତହିଁରେ ଭାରତୀୟ ବିଚାର ବ୍ୟବସ୍ଥା ଉପରେ ପର୍ଯ୍ୟବସିତ ଏକ ବିଷୟର ଉପ-ଅଧ୍ୟାୟରେ ନ୍ୟାୟପାଳିକାର ଦୁର୍ନୀତି ଏବଂ ବିଚାର ଅପେକ୍ଷାରେ ବର୍ଷବର୍ଷ ଧରି ପଡ଼ି ରହିଥିବା ହଜାରହଜାର ମାମଲା ସଂଦର୍ଭରେ ଲେଖା ଯାଇଥିଲା। ଏହି ସ୍ତମ୍ଭର ପାଠକପାଠିକାମାନଙ୍କ ହୁଏତ ସ୍ମରଣରେ ଥିବ ଯେ ଗଲା ୨୬ ତାରିଖରେ ‘ଅବିଶ୍ବାସ ବିଷ’ ଶୀର୍ଷକ ସହ ଏଠାରେ ପ୍ରକାଶିତ ସଂପାଦକୀୟରେ ଉଦ୍‌ବେଗ ପ୍ରକାଶ କରାଯାଇଥିଲା ଯେ ସହଜରେ ଭଳି ହୋଇ ଯାଉଥିବା ପରି ବୟସରେ ଉପନୀତ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସକାଶେ ଏହି ନିର୍ଦ୍ଦିଷ୍ଟ ସଂଦର୍ଭ ସ୍ପୃହଣୀୟ ହୋଇ ନ ଥାଏ, କାରଣ ଆମ ଗଣତନ୍ତ୍ରର ଏକ ବଳିଷ୍ଠ ଓ ଗରିମାପୂର୍ଣ୍ଣ ଅନୁଷ୍ଠାନକୁ ନେଇ ଆଦ୍ୟ କୈଶୋରରେ ବିଭ୍ରାନ୍ତିପୂର୍ଣ୍ଣ ଧାରଣାର ସୃଷ୍ଟି ଅନାବଶ୍ୟକ। କିନ୍ତୁ, ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ଆସିବା ପରେ ଏ ପରିପ୍ରେକ୍ଷୀରେ ଜନମତ ଦ୍ବିଧା ବିଭାଜିତ ହୋଇଯାଇଛି ଏବଂ ଅଦାଲତଙ୍କ କେତେକ ଇଙ୍ଗିତକୁ ନେଇ କିଛି ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଛି, ଯାହା ଏକ କ୍ଷୁଦ୍ର ଆଲୋଚନା ସକାଶେ ଅବକାଶ ସୃଷ୍ଟି କରିଥାଏ।

Editorial: ସୁବ୍ରତ ବାଗ୍‌ଚୀଙ୍କ ସଂପାଦକୀୟ କାଲି ପାଇଁ କଥାଟିଏରେ ‘ଉପେନ୍ଦ୍ର ଭଣ୍ଡାରୀ ଓ ନୋଲାନ ବଢ଼େଇ’...

ଏହି ରାୟ ପ୍ରଦାନ କାଳରେ ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଅତ୍ୟନ୍ତ କଡ଼ା ଭାଷାରେ ଏନ.ସି.ଇ.ଆର.ଟି.କୁ କରିଥିବା ଭର୍ତ୍ସନାର ମର୍ମାର୍ଥ ହେଉଛି ଏହା ଯେ ଏଭଳି ଉଦ୍ୟମ ପଛରେ ନ୍ୟାୟପାଳିକାକୁ ବଦନାମ କରିବାର ଗଭୀର ଚକ୍ରାନ୍ତ ନିହିତ ଏବଂ ଏଥି ଲାଗି ଦାୟୀ ବ୍ୟକ୍ତିଙ୍କୁ ଠାବ କରି ଦଣ୍ଡିତ କରାଯିବା ସୁନିଶ୍ଚିତ। ତେବେ, ଏହା ପଛରେ ଚକ୍ରାନ୍ତଟିଏ ଅଛି କି? ଯଦି ହଁ, ତେବେ କେଉଁ ଚକ୍ରାନ୍ତ? ଏହାର ଉତ୍ତର ମଧ୍ୟ ଏକ ପ୍ରଶ୍ନ ଯେ ଯଦି ଚକ୍ରାନ୍ତ ନାହିଁ, ତେବେ ଆମ ଦେଶର ସର୍ବ-ଭେଦୀ ଓ ସର୍ବ-ବିଦ୍ୟମାନ ଦୁର୍ନୀତିର ପରିମଣ୍ଡଳରେ କେବଳ ବିଚାର ବିଭାଗକୁ ନିଶାଣ କରି ଅଷ୍ଟମ ଶ୍ରେଣୀର ପାଠ ବହିରେ ଆଲୋଚନା କରାଯାଉଛି କାହିଁକି? ଶୁଦ୍ଧୀକରଣ ଓ ସଂପାଦନାର ବିଭିନ୍ନ ସୁଦକ୍ଷ ସ୍ତର ଦେଇ ପରିଶେଷରେ ପ୍ରକାଶିତ ହେଉଥିବା ଏନ.ସି.ଇ.ଆର.ଟି. ପୁସ୍ତକରେ ଏଭଳି ଅଂଶର ପ୍ରବେଶ କଦାଚିତ ଦୈବାତ୍‌ ହୋଇ ନ ଥିବ! ସେମାନେ ଆହୁରି କହିଥାଆନ୍ତି ଯେ ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ବା ପୂର୍ବତନ ଉପରାଷ୍ଟ୍ରପତି ଜଗଦୀଶ ଧନଖଡ଼; ଅନେକ ଥର ପ୍ରକାଶ୍ୟରେ ନ୍ୟାୟପାଳିକାର ଭାବମୂର୍ତ୍ତିକୁ କ୍ଷୁଣ୍ଣ କଲା ଭଳି ମନ୍ତବ୍ୟମାନ ଦେଇ ଆସିଛନ୍ତି। ତେଣୁ ସେମାନେ ପଚାରନ୍ତି ଯେ ନ୍ୟାୟପାଳିକାକୁ ଦୁର୍ବଳ ଓ ବଶମ୍ବଦ କରିଦେବା ଲାଗି ଏକ ବୃହତ୍ତର ଅଭିସନ୍ଧିର ଅଂଶ ଭାବେ ଏନ.ସି.ଇ.ଆର.ଟି. ବୋର୍ଡ ସରକାରଙ୍କ ହାତବାରିସି ହୋଇଛି କି? ଅବଶ୍ୟ, ଗଭୀର ଅନୁସନ୍ଧାନରୁ ସ୍ପଷ୍ଟ ହୋଇପାରେ ଯେ ଏହା ପଛରେ ସୁପରିକଳ୍ପିତ ଚକ୍ରାନ୍ତ ରହିଛି ନା ଏହା ହେଉଛି କୌଣସି ଅତ୍ୟୁତ୍ସାହୀ ବିଷୟ ବିଶାରଦଙ୍କ ଆଗ୍ରହାତିଶଯ୍ୟର ନମୁନା! ଏକ ପରିସଂଖ୍ୟାନ (ଟାଇମ୍‌ସ ଅଫ ଇଣ୍ଡିଆ)କୁ ଆଧାର କରି କୁହାଯାଉଛି ଯେ ୨୦୧୬ ମସିହାରୁ ୨୦୨୫ ମସିହା ମଧ୍ୟରେ ନ୍ୟାୟପାଳିକା ବିରୋଧରେ ଅଭିଯୋଗର ସଂଖ୍ୟା ୭୨୯ରୁ ୧୧୦୨କୁ ବୃଦ୍ଧି ପାଇଛି ଏବଂ ଏଭଳି ସ୍ଥିତିରେ ଏ ସଂକ୍ରାନ୍ତ ଆଲୋଚନା ଗଣମାଧ୍ୟମ ଓ ଲୋକକ୍ଷେତ୍ରକୁ ମୁଖର କରୁଛି। ତଥାପି ତ ନ୍ୟାୟପାଳିକା ପ୍ରାୟତଃ ଏଥିରେ ହସ୍ତକ୍ଷେପ କରି ନ ଥାଆନ୍ତି! କାରଣ ପ୍ରଥମତଃ ଏଭଳି ଆଲୋଚନା ହେଉଛି ସାବାଳକ ନାଗରିକମାନଙ୍କ ଅଧିକାର କ୍ଷେତ୍ର। ଦ୍ବିତୀୟଟି ହେଲା, ସବୁ ସତ୍ତ୍ବେ ଏ ଯାବତ୍‌ ଭାରତୀୟ ନାଗରିକଙ୍କ ଦୃଷ୍ଟିରେ ନ୍ୟାୟ ପାଇବାର ଅନ୍ତିମ ପୋତାଶ୍ରୟ ହେଉଛି ଅଦାଲତ। ତେଣୁ ହୃଦ୍‌ବୋଧ କରିହୁଏ ଯେ ସମସ୍ୟାଟି ରହିଛି କୋମଳ ବୟସ୍କମାନଙ୍କୁ ଦୀକ୍ଷିତ କରିବା ଲାଗି ପାଠ୍ୟ ପୁସ୍ତକକୁ ବ୍ୟବହାର କରିବାର ପ୍ରଚ୍ଛନ୍ନ ପ୍ରକରଣରେ! ଏହା ନ୍ୟାୟପାଳିକାଙ୍କୁ କ୍ଷୁବ୍‌ଧ କରିଛି।
ଅବଶ୍ୟ, ଇତିମଧ୍ୟରେ ଏନ.ସି.ଇ.ଆର.ଟି. ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ କ୍ଷମା ଯାଚନା ଓ ଦୁଃଖ ପ୍ରକାଶ କରାଯାଇ ସାରିଲାଣି। ଏନ.ସି.ଇ.ଆର.ଟି. ପକ୍ଷରୁ ପୁସ୍ତକଗୁଡ଼ିକୁ ସମୂଳ ପ୍ରତ୍ୟାହାର କରି ନିଆଯାଇଛି। କିନ୍ତୁ ଏକ ସନ୍ଦିଗ୍‌ଧ ଚକ୍ରାନ୍ତର ମୂଳକୁ ଯିବାର ଉଦ୍ୟମରେ ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ପୁସ୍ତକ ପ୍ରସ୍ତୁତି ସହ ସଂଶ୍ଳିଷ୍ଟ ସମସ୍ତ ବ୍ୟକ୍ତି ଓ ପ୍ରକ୍ରିୟା ନେଇ ପୁଙ୍ଖାନୁପୁଙ୍ଖ ବିବରଣୀ ମଗାଯାଇଛି। ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଚରମ ବାଣୀ କହିଥାଏ ଯେ ‘ହେଡ୍‌ସ ମଷ୍ଟ ରୋଲ୍‌’ ବା ‘ନିଶ୍ଚୟ ମୁଣ୍ଡ ଗଡ଼ିବ।’ ଏଭଳି ଏକ ପରିବେଶରେ କିନ୍ତୁ ଆଉ ଗୋଟିଏ ବର୍ଗ ଭିନ୍ନ ମତ ପୋଷଣ କରି କହିଥାଆନ୍ତି ଯେ ଅଷ୍ଟମ ଶ୍ରେଣୀର ହୋଇଥିଲେ ହେଁ ପାଠ୍ୟ ପୁସ୍ତକରେ ଏଭଳି ବିଷୟ ସ୍ଥାନ ପାଇବାରେ କ୍ଷତି ନ ଥାଏ, କାରଣ ତାହା ଭବିଷ୍ୟତର ନାଗରିକମାନଙ୍କୁ ଦୁର୍ନୀତିର କଟୁ ବାସ୍ତବତା ନେଇ ସଚେତନ କରିବ। ତେବେ, କେବଳ ବିଚାର ବିଭାଗର ଦୁର୍ନୀତି ସମ୍ବନ୍ଧରେ ନ ହୋଇ ତାହା ସାଧାରଣ ଜୀବନର ଦୁର୍ନୀତି ବିଷୟରେ ହେବା ଆବଶ୍ୟକ, କାରଣ ସଂସଦ, ବ୍ୟୁରୋକ୍ରାସି ଠାରୁ ନେଇ ବିଭିନ୍ନ ସ୍ବାୟତ୍ତ ଓ ସାଂବିଧାନିକ ଅନୁଷ୍ଠାନ ପର୍ଯ୍ୟନ୍ତ ସବୁଠି ଦୁର୍ନୀତି ପରିବ୍ୟାପ୍ତ, ଯାହା ନେଇ ଏକ ଧାରଣା ରହିବା ମଧ୍ୟ ଆବଶ୍ୟକ। ସେମାନଙ୍କ ଆପତ୍ତି ଯେ ଅରାଜକତା ବା ସାଂପ୍ରଦାୟିକ ହିଂସା ଆଦି ସୃଷ୍ଟି କରିବାର କୌଣସି ସମ୍ଭାବନା ରଖୁ ନ ଥିବା ଏକ ପୁସ୍ତକର ସଂପୂର୍ଣ୍ଣ ନିଷେଧାଦେଶ ମଧ୍ୟ ଅଯୌକ୍ତିକ, ଯେତେବେଳେ କି ସାମାଜିକ ଗଣମାଧ୍ୟମର ରାଜୁତିରେ ଏଭଳି ପୁସ୍ତକକୁ ଡିଜିଟାଲ ପ୍ରାଙ୍ଗଣରୁ ଅନ୍ତର୍ହିତ କରିବା ଏକ ଅସମ୍ଭବ ବ୍ୟାପାର। ସେମାନେ କହନ୍ତି ଯେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଏହି ବୟସ ବର୍ଗର ଅଧିକାଂଶ ବାଳକବାଳିକା, ସୂଚନା ଓ ତଥ୍ୟର କରକା ମାଡ଼ରେ, ସେମାନଙ୍କ ନିରୀହତା ହରାଇ ସାରିଲେଣି। ପୁଣି, ଆଉ ଏକ କଥା ହେଲା, ଇତିହାସର ପୁନର୍ଲିଖନ, ନୂତନ ଭାବମୂର୍ତ୍ତି ଆରୋପଣ, ନିର୍ଦ୍ଦିଷ୍ଟ ଓ ପକ୍ଷପାତୀ ବ୍ୟାଖ୍ୟାନ ସୃଷ୍ଟି ଭଳି ପ୍ରକରଣରେ ‘ଏନ.ସି.ଇ.ଆର.ଟି.’ର ପାଠ୍ୟ ପୁସ୍ତକଗୁଡ଼ିକୁ ମାଧ୍ୟମ ଓ ଅସ୍ତ୍ର ରୂପେ ବ୍ୟବହାର କରାଯାଇଆସୁଛି। ଏଭଳି ସ୍ଥଳେ ଶଂସିତ ସଂଦର୍ଭ ଏହି ବୟସର ବାଳକବାଳିକାମାନଙ୍କୁ ସମୂଳ ପ୍ରଭାବିତ କରି ପାରନ୍ତା ନାହିଁ। 

Editorial: ପ୍ରୀତୀଶ ଆଚାର୍ଯ୍ୟଙ୍କ ସାମାନ୍ୟ କଥନରେ ‘ସଚ୍ଚିଦାଜୀଙ୍କୁ ଭୁଲି ହେବନି କାହିଁକି?’

ଉଲ୍ଲେଖଯୋଗ୍ୟ ଯେ ସାମାଜିକ ଗଣମାଧ୍ୟମର ଆବିର୍ଭାବ ପୂର୍ବରୁ ମଧ୍ୟ ବାଳକବାଳିକାମାନଙ୍କ ନିରୀହତା ଖୁବ୍‌ କମ୍‌ ବୟସରୁ ଅପହୃତ ହୋଇଯାଉଥିଲା, ବାସ୍ତବତା ସହିତ ଆଦର୍ଶର ସଂଘାତ କାରଣରୁ। କଥାଟିକୁ ବୁଝିବାକୁ ହେଲେ ସେହି ହସ କଥାର ଉଦାହରଣ ଦିଆଯାଇପାରେ, ଯହିଁରେ ବାପା ପୁଅକୁ କହନ୍ତି, ଯା କହି ଦେ ଯେ ମୁଁ ଘରେ ନାହିଁ! ପୁଅ ଯାଇ ଆଗନ୍ତୁକଙ୍କୁ ଜଣାଏ, ‘ବାପା କହିଲେ ଯେ ସେ ଘରେ ନାହାନ୍ତି।’ ହାସ୍ୟ ରୋଳ ସୃଷ୍ଟି ହୁଏ ସତ; କିନ୍ତୁ, ଅଲକ୍ଷ୍ୟରେ ପିଲାଟିର ନିରୀହତାରୁ କାଣିଚାଏ ଅପସରି ଯାଇଥାଏ। କହିବାର ତାତ୍ପର୍ଯ୍ୟ ହେଲା ପାଠ ବହି, ନୀତି ଶିକ୍ଷାର ଅସ୍ତିତ୍ବ ସତ୍ତ୍ବେ ପରିମଣ୍ଡଳର ଆବହାଉଆରେ ପିଲାଟି ମନରେ କ’ଣ କରଣୀୟ ବା କ’ଣ କଥନୀୟ ସେ ନେଇ ଦ୍ବନ୍ଦ୍ବ ଓ ସଂଶୟ ସୃଷ୍ଟି ହେଉଥାଏ। ଏବେ, ହୁଏତ କୌଣସି କୁତୂହଳୀ ଅଷ୍ଟମ ଶ୍ରେଣୀର ଛାତ୍ର ବା ଛାତ୍ରୀଙ୍କ ମନରେ ସଂଶୟ ସୃଷ୍ଟି ହେଉଥିବ ଯେ ସରକାରଙ୍କ ବିଭାଗ ଓ ଅନୁଷ୍ଠାନ ମଧ୍ୟରେ ପୁଣି ଚକ୍ରାନ୍ତ କାହିଁକି? ଏହା ବୁଝିବାକୁ ପ୍ରଶ୍ନ କରି ସେମାନେ ଉତ୍ତର ମଧ୍ୟ ପାଇ ପାରନ୍ତି। ହୁଏତ, ତା’ ପରେ ସେମାନଙ୍କ ଦୃଷ୍ଟିରେ ବହିରେ ପଠିତ ଗଣତନ୍ତ୍ର ଓ ବାସ୍ତବରେ ଅଭିନୀତ ଗଣତନ୍ତ୍ର ମଧ୍ୟରେ ପ୍ରଭେଦ ଦିଶି ଯାଇପାରେ। ଖୁବ୍ କମ୍‌ ବୟସ‌େର ବିଶ୍ବାସ ଭଙ୍ଗ ମଧ୍ୟ ଘଟିପା‌ରେ! କହିବା ବାହୁଲ୍ୟ ଯେ କୌଣସି ପାଠ୍ୟ ପୁସ୍ତକର ପ୍ରସ୍ତୁତି ହେଉଛି ଗଭୀର ବିବେଚନାବୋଧର ବିଷୟବସ୍ତୁ। ତେଣୁ, କେବଳ ପ୍ରଶ୍ନାତୀତ ଭାବେ ବିଚାରବନ୍ତ ଓ ପାରଦର୍ଶୀ ବ୍ୟକ୍ତିବିଶେଷଙ୍କ ଦ୍ବାରା ପାଠ୍ୟ ପୁସ୍ତକମାନ ପ୍ରସ୍ତୁତ ହେବା ଜରୁରି, ଯଦ୍ଦ୍ବାରା ସେଗୁଡ଼ିକ ବିବାଦମୁକ୍ତ ହୋଇ ରହିବେ।