ଏଥିରେ ଦ୍ବିମତ ହେବାର ନାହିଁ ଯେ ବୃତ୍ତିରେ ଜଣେ ନିଷ୍ଠାପର ସାମ୍ବାଦିକ ହୋଇଥିଲେ ହେଁ ନିଜ ନାଗରିକ ଦାୟିତ୍ବ ସଂପାଦନ କରି ନ ଥିବା କାରଣରୁ ପଶ୍ଚାତ୍ତାପ-ଦଗ୍ଧ କେଭିନଙ୍କ ଠାରେ ବିବେକର ଯେଉଁ ଚକ୍ଷୁ ଖୋଲିଥିବ, ତାହା ତାଙ୍କୁ ଶାନ୍ତିରେ ରଖାଇ ଦେଇ ନ ଥିବ। ଏହି ଭଳି ଦୃଷ୍ଟିରେ ପ୍ରତ୍ୟେକ ବୃତ୍ତିଧାରୀ ସାମ୍ବାଦିକ ନିଜକୁ ଦେଖିବା ଆବଶ୍ୟକ।
‘ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନିସଲ’ ବା ‘ବାର୍କ୍’ ଯେମିତି ଆସନ୍ତା ଚାରି ସପ୍ତାହ ଲାଗି ‘ଟି.ଆର.ପି.’ ବା ‘ଟେଲିଭିଜନ ରେଟିଂ ପଏଣ୍ଟ’ ପ୍ରକାଶ ନ କରେ, ସେ ସଂକ୍ରାନ୍ତରେ ଗଲା ୬ ତାରିଖ ଦିନ ଏକ ସରକାରୀ ନିର୍ଦ୍ଦେଶନାମା ପ୍ରକାଶିତ ହୋଇଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ‘ଟି.ଆର.ପି’. ପ୍ରତିଦ୍ବନ୍ଦ୍ବିତାରେ ନିମଜ୍ଜିତ ଟିଭି ଚ୍ୟନେଲଗୁଡ଼ିକ ଯୁଦ୍ଧ ସଂକ୍ରାନ୍ତରେ ଅଯଥା ଚାଞ୍ଚଲ୍ୟ ସୃଷ୍ଟି କରୁଥିବା ହେତୁ ଜୀବିକା ଓ ସୁଯୋଗ ଅନ୍ବେଷଣରେ ଯାଇ ସେଠାରେ ବସବାସ କରୁଥିବା ପ୍ରାୟ କୋଟିଏ ସରିକି ଭାରତୀୟଙ୍କ ପରିବାର ବର୍ଗ ଏଠାରେ ତୀବ୍ର ଭୟ ଓ ଉଦ୍ବେଗର ଶିକାର ହେଉଛନ୍ତି। ଏଥିରେ ଦ୍ବିମତ ନାହିଁ ଯେ ଯୁଦ୍ଧ ଭଳି ଏକ ନିତାନ୍ତ କରୁଣ ମାନବ ଟ୍ରାଜେଡିକୁ ଅଧିକାଂଶ ଭାରତୀୟ ଟିଭି ଚ୍ୟାନେଲ ଉଦ୍ଭଟ ଭାବେ ନାଟକୀୟ କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ‘ଟି.ଆର.ପି.’ର ମାୟା ମୃଗ ପଛରେ ଅନ୍ଧ ଅନୁଧାବନ ଏବଂ ସେହି କ୍ରମରେ ଲୋକପ୍ରିୟ ହେବାର ସ୍ବ-କଳ୍ପିତ, ସ୍ବ-ନିର୍ଦ୍ଧାରିତ ଏବଂ ସ୍ବ-ପରିଭାଷିତ ଧାରଣାରେ ନିମଗ୍ନ ମୁଖ୍ୟ ସ୍ରୋତୀୟ ଗଣମାଧ୍ୟମର କ୍ରମ ଅଧଃପତନ, ନୈତିକ ସ୍ଖଳନ ଏବଂ ଲକ୍ଷ୍ୟ ହାନି ଭଳି ବିଷୟ ଏକ କ୍ଷୁଦ୍ର ଆଲୋଚନା ଆବଶ୍ୟକ କରିଥାଏ।
Child Marriage: ମା’ଙ୍କ ଠାରୁ ପ୍ରେରଣା ପାଇ ବାଲ୍ୟବିବାହ ବନ୍ଦ କରିବା ଅଭିଯାନରେ ଉମା
ଏହା ଏକ ଜଣାଶୁଣା କଥା ଯେ କୌଣସି ଟେଲିଭିଜନ କାର୍ଯ୍ୟକ୍ରମ ବା ଚ୍ୟାନେଲର ଜନପ୍ରିୟତା ଆକଳନ କରିବା ଲାଗି ‘ଟି.ଆର.ପି.’ ହେଉଛି ଏକ ମାତ୍ର ସୂତ୍ର, ଯାହା ନମୁନା ସର୍ବସ୍ବ ହୋଇଥାଏ; ଅର୍ଥାତ୍ କିଛି ଟେଲିଭିଜନ ସଂଯୋଗରେ ‘ପିପୁଲ ମିଟର’ ଖଂଜି ତହିଁରୁ ଟିଭିରେ ଚାଲୁଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଏ ଓ ତା’ର ବିଶ୍ଳେଷଣ ଆଧାରରେ କୌଣସି ଚ୍ୟାନେଲ ଓ କାର୍ଯ୍ୟକ୍ରମର ଲୋକପ୍ରିୟତା ସ୍ଥିର କରାଯାଏ। ପ୍ରକାଶ ଥାଉ କି ‘ବାର୍କ’ ହିଁ ଏହାର ପରିଚାଳନା କରି ରିପୋର୍ଟ ପ୍ରକାଶ କରିଥାଏ। ତେବେ, ଏହି ପଦ୍ଧତିରେ ବିଡ଼ମ୍ବନାଟି ନିହିତ ଥାଏ ନମୁନାର ସ୍ବଳ୍ପତାରେ; ଯାହାର ପ୍ରମାଣ ହେଲା ଏ ଯାବତ୍ ମାତ୍ର ୫୮ରୁ ୬୦ ହଜାର ମିଟର ‘ଟି.ଆର.ପି.’ ମାପିବାରେ ନିୟୋଜିତ, ଯାହା ହେଉଛି ସମୁଦାୟ ଟେଲିଭିଜନଧାରୀ ପରିବାର ସଂଖ୍ୟାର ମାତ୍ର ୦.୦୨୫ ପ୍ରତିଶତ। ଏହାର ଅର୍ଥ, କୌଣସି ଚ୍ୟାନେଲ ବା କାର୍ଯ୍ୟକ୍ରମର ପ୍ରକୃତ ଲୋକପ୍ରିୟତା ବା ତହିଁରେ ସମୟାନୁସାରୀ ଘଟୁଥିବା ବୃଦ୍ଧି ବା ସଂକୋଚନର ଅସଲ ଚିତ୍ର ହୁଏତ ଟି.ଆର.ପି.ରେ ପ୍ରତିବିମ୍ବିତ ହୋଇ ନ ପାରେ! କିନ୍ତୁ ତାହାକୁ ହିଁ ଭିତ୍ତି କରି ବିଜ୍ଞାପନଦାତାମାନେ ନିର୍ଦ୍ଦିଷ୍ଟ ଚ୍ୟାନେଲକୁ ପସନ୍ଦ ବା ନାପସନ୍ଦ କରିଥାଆନ୍ତି ଏବଂ ଚ୍ୟାନେଲର ବ୍ୟବସାୟ ଏହା ଦ୍ବାରା ନିର୍ଣ୍ଣିତ ହୋଇଥାଏ। କହିବା ବାହୁଲ୍ୟ, ମନୋରଂଜନ ହିଁ ଟିଭି ଦର୍ଶକମାନଙ୍କ ମୁଖ୍ୟ ଆହାର, ଯାହା ଔପଚାରିକ ଭାବେ ‘ଟି.ଆର.ପି.’ର ବିଶ୍ଳେଷଣ ଦ୍ବାରା ସାବ୍ୟସ୍ତ। କିନ୍ତୁ ଅସଂଗତିଟି ହେଉଛି ଗାମ୍ଭୀର୍ଯ୍ୟ ଓ ଦାୟିତ୍ବବୋଧର ନିଦର୍ଶନ ହୋଇଥିବା ନ୍ୟୁଜ ଚ୍ୟାନେଲଗୁଡ଼ିକ ମଧ୍ୟ ମନୋରଂଜନ ସୃଷ୍ଟିର ମାୟା ଜାଲରେ ଛନ୍ଦି ହୋଇ ମାତ୍ରାତିରିକ୍ତ ‘ୟଲୋ ଜର୍ନାଲିଜମ’ ବା ‘ପୀତ ସାଂବାଦିକତା’ ଆଶ୍ରୟୀ ହୋଇ ଉଠିଛନ୍ତି, ଯାହାର ଉପଜୀବ୍ୟ ହୋଇଥାଏ ଅହେତୁକ ରୋମାଞ୍ଚ, ଚାଞ୍ଚଲ୍ୟ, ଭୟ ଓ ଉଦ୍ବେଗ ଆଦିର ସୃଷ୍ଟି ଓ ପ୍ରସାରଣ। ସୁତରାଂ, ଶଂସିତ ସରକାରୀ ଆଦେଶ ଏଭଳି ଧାରାକୁ ନିୟନ୍ତ୍ରଣ କରିବା ଦିଗରେ ଏକ ପ୍ରଚେଷ୍ଟା।
ଯୁଦ୍ଧର ଦୃଶ୍ୟ କିଭଳି ସାଧାରଣ ଘରର ବୈଠକ ଖାନାରେ ମଧ୍ୟ ମନୋରଂଜନର ସାମଗ୍ରୀ ହୋଇପାରେ, ତା’ର ଧାରଣା ମିଳିଥିଲା ୧୯୯୦ ମସିହାର, ପ୍ରଥମ ଗଲ୍ଫ ଯୁଦ୍ଧ ସମୟରେ, ଯେତେବେଳେ ଇରାକକୁ ଚୂର୍ଣ୍ଣ କରି ଦେଉଥିବା ଆମେରିକୀ କାର୍ପେଟ ବୋମା ମାଡ଼ର ଦୃଶ୍ୟକୁ ସି.ଏନ.ଏନ. ପକ୍ଷରୁ ସିଧା ପ୍ରସାରଣ କରାଯାଇଥିଲା। ଏବେ କିନ୍ତୁ ଯୁଦ୍ଧ ସଂକ୍ରାନ୍ତ ରୋମାଞ୍ଚ ସୃଷ୍ଟିରେ ଭାରତୀୟ ଚ୍ୟାନେଲଗୁଡ଼ିକ ଆଗରେ ସି.ଏନ.ଏନ. ଏକ ନାବାଳକ ତୁଲ୍ୟ ଦିଶିଥାଏ; କାରଣ ଛାତିରୁ ଅତଡ଼ା ଖସାଇ ଦେଲା ଭଳି ବାଦ୍ୟ ସଂଯୋଜନାରେ ‘ତାର ସପ୍ତକ’ ସ୍ପର୍ଶ କରୁଥିବା ଆଙ୍କୋରଙ୍କ ସ୍ବର ସମସ୍ତଙ୍କୁ ଛାନିଆ କରି ଦେବା ଲାଗି ଯଥେଷ୍ଟ ହୋଇଥାଏ। ପ୍ରକାଶ ଥାଉ କି ରୁଷିଆ-ୟୁକ୍ରେନ ଯୁଦ୍ଧ ସହିତ ପ୍ରାରମ୍ଭ ହୋଇଥିବା ଏଭଳି ଧାରା ‘ଅପରେସନ ସିନ୍ଦୂର’ କାଳରେ ଏଭଳି ତୀବ୍ରତା ଛୁଇଁ ଥିଲା ଯେ ସରକାରଙ୍କ ପକ୍ଷରୁ ଔଚିତ୍ୟ-ଅନୌଚିତ୍ୟ ବୋଧ ସଂବଳିତ ଉପଦେଶାବଳୀ ଜାରି କରିବାକୁ ହୋଇଥିଲା। ବର୍ତ୍ତମାନ ପୁଣି ‘ଟି.ଆର.ପି.’ ବୁଭୁକ୍ଷୁ କତିପୟ ଚ୍ୟାନେଲ ସେହି ଔଚିତ୍ୟବୋଧକୁ ପାସୋରି ଯାଇଥିବାରୁ ସରକାରଙ୍କ ପକ୍ଷରୁ ଏଭଳି ନିଷେଧାଦେଶ ଜାରି କରାଯାଇଛି।
Editorial: ଅସିତ ମହାନ୍ତିଙ୍କ ସାହିତ୍ୟିକ ପାଣିପାଗରେ ଏଥର ‘ଓଡ଼ିଆ ବହିର ‘ଗାଲଗୋଟିଆ’ମାନେ’...
ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ସାଂପ୍ରତିକ ବାତାବରଣରେ ନ୍ୟୁଜ ଚ୍ୟାନେଲ ଓ ସମ୍ବାଦପତ୍ରଗୁଡ଼ିକ ‘ନୈତିକ ଆଦର୍ଶ’ ଓ ‘ବ୍ୟବସାୟ’ ମଧ୍ୟରେ ଏକ ଭାରସାମ୍ୟ ରଖି ପାରିବା ସମ୍ଭବ କି? ଉତ୍ତରଟି ହେଲା, ହଁ; ଯଦି ବ୍ୟବସାୟଟି ନିରୋଳା ବଜାର ପରିଚାଳିତ ନ ହୁଅନ୍ତା, ବିଜ୍ଞାପନଦାତାମାନେ କେବଳ ପ୍ରସାରଣ ବା ବିତରଣ ସଂଖ୍ୟାକୁ ନ ଦେଖି ପ୍ରସାରିତ ବା ପ୍ରକାଶିତ ସାମଗ୍ରୀର ଗୁଣବତ୍ତା ଦେଖି ପସନ୍ଦ ବା ନାପସନ୍ଦ ସାବ୍ୟସ୍ତ କରନ୍ତେ। ତେବେ, ହୁଏତ, ସେହି ଚିରନ୍ତନ ବିବାଦର ମଧ୍ୟ ଅନ୍ତ ଘଟନ୍ତା ଯେ ଗଣମାଧ୍ୟମର ଲକ୍ଷ୍ୟ ଉପଭୋକ୍ତାମାନଙ୍କ ଇତର ଲାଳସା ବୃଦ୍ଧି କରିବା ନା ସେମାନଙ୍କ ମଧ୍ୟରେ ଉନ୍ନତ ରୁଚିବୋଧ ନିର୍ମାଣ କରିବା! ସେଭଳି ଉତ୍ତରଟିଏ ସହଜରେ ମିଳି ପାରୁ ନ ଥିବାରୁ ପ୍ରସାରଣ ବା ବିତରଣ ସଂଖ୍ୟାକୁ ପୁଂଜି କରି ତା’ ଆଧାରରେ ବିଷୟବସ୍ତୁ ବା ‘କଣ୍ଟେଣ୍ଟ’ ସୃଷ୍ଟି କରାଯାଉଛି। ତେଣୁ କେବଳ ଯୁଦ୍ଧ କାଳରେ ନୁହେଁ, ସାଧାରଣ ସମୟରେ ମଧ୍ୟ ତିଳକୁ ତାଳ କରି, ଅତ୍ୟନ୍ତ ବ୍ୟକ୍ତିଗତ ଗୋପନୀୟ ତଥ୍ୟକୁ ସଚିତ୍ର ପ୍ରଘଟ କରି, ଅଦାଲତଙ୍କ ପୂର୍ବରୁ ଅଭିଯୁକ୍ତମାନଙ୍କୁ ଦଣ୍ଡିତ କରି, ଅଶ୍ଳୀଳତା ଓ ଅନ୍ଧବିଶ୍ବାସରେ ରଂଜିତ କରି ଟିଭିରେ ‘ବ୍ରେକିଂ ନ୍ୟୁଜ’ ଏବଂ ଖବରକାଗଜରେ ‘ସ୍କୁପ୍’ମାନର ଅହରହ ଆବିର୍ଭାବ ଘଟିବାରେ ଲାଗିଛି। ଏହି ପ୍ରକରଣରେ ‘ଟେଲିଫୋନ ହ୍ୟାକିଂ’ ବା ‘ଷ୍ଟିଙ୍ଗ ଅପରେସନ’ ଇତ୍ୟାଦି ଭଳି କାର୍ଯ୍ୟ ଅନୈତିକ ପରିବର୍ତ୍ତେ ଉପଲବ୍ଧି ରୂପେ ପରିଗଣିତ ହେଉଛି। ସୁତରାଂ, ନବ୍ୟ ସାମ୍ବାଦିକର ଚେତନାରେ ହୁଏତ ସଂବେଦନା ବା ଔଚିତ୍ୟବୋଧର ସ୍ଥାନ ଗୌଣ ହୋଇ ଯାଇଛି।
୧୯୯୩ ମସିହାରେ ‘ଦ ନ୍ୟୁୟର୍କ ଟାଇମ୍ସ’ ଖବରକାଗଜରେ, ‘ଶାଗୁଣା ଏବଂ କୁନି ଝିଅ’ (ଦ ଭଲଚର ଏଣ୍ଡ ଦ ଲିଟିଲ ଗର୍ଲ) କ୍ୟାପ୍ସନ ସହିତ ପ୍ରକାଶିତ ଏକ ଅତ୍ୟନ୍ତ ମର୍ମଭେଦୀ ଫଟୋ ପୃଥିବୀକୁ ଦୋହଲାଇ ଦେଇ ସୁଦାନର ଭୟାବହ ଦୁର୍ଭିକ୍ଷ ଆଡ଼କୁ ଆଖି ଖୋଲି ଦେଇଥିଲା। ସେହି ଦିନ ବିମାନ ବନ୍ଦରକୁ ଯାଉଥିବା ବେଳେ ଯୁବ ଦକ୍ଷିଣ ଆଫ୍ରିକୀୟ ଫଟୋଗ୍ରାଫର କେଭିନ କାର୍ଟର ଦେଖିଥିଲେ କିଭଳି କ୍ଷୁଧାରେ ମୃତପ୍ରାୟ କୁନି ଝିଅଟିଏ ତଳେ ବସିଥିବା ବେଳେ ହଠାତ ଟଳି ପଡ଼ିଥିଲା, ଯେଉଁଠି ମଢ଼ ଅପେକ୍ଷାରେ ବସି ରହିଥିଲା ଗୋଟିଏ ଗୃଧ୍ର ପକ୍ଷୀ। ଏହି ଫଟୋଚିତ୍ର ଲାଗି ଫଟୋ-ସାମ୍ବାଦିକ କେଭିନଙ୍କୁ ମିଳିଥିଲା ସମ୍ମାନାସ୍ପଦ ପୁଲଜ୍ଜର ପୁରସ୍କାର। କିନ୍ତୁ, ଫଟୋ ପଛର କାହାଣୀ ଜଣାପଡ଼ିବା ପରେ କେଭିନ ତୀବ୍ର ସମାଲୋଚନାର ଶରବ୍ୟ ହେଲେ; ସମାଲୋଚକମାନେ କହିଲେ ଯେ ସାମ୍ବାଦିକତାର ବୃତ୍ତି ଓ ଦାବି ମଧ୍ୟରେ କେଭିନ ନିଜ ମଧ୍ୟରେ ଥିବା ସଂବେଦନଶୀଳ ମନୁଷ୍ୟକୁ ଭୁଲି ଗଲେ; ନଚେତ ମୁମୂର୍ଷୁ ଝିଅଟିର ପ୍ରାଣ ରକ୍ଷା ଲାଗି ସେ ଅନ୍ତତଃ କିଛି ଉଦ୍ୟମ ତ କରିଥାଆନ୍ତେ! ତହିଁ ପର ବର୍ଷ, ଅର୍ଥାତ୍ ୧୯୯୪ ମସିହାରେ ଗ୍ଳାନି ଜର୍ଜର କେଭିନ ଆତ୍ମହତ୍ୟା କଲେ। ମୃତ୍ୟୁ ବେଳକୁ ତାଙ୍କୁ ହୋଇଥିଲା ମାତ୍ର ୩୩ ବର୍ଷ ବୟସ। ଏଥିରେ ଦ୍ବିମତ ହେବାର ନାହିଁ ଯେ ବୃତ୍ତିରେ ଜଣେ ନିଷ୍ଠାପର ସାମ୍ବାଦିକ ହୋଇଥିଲେ ହେଁ ନିଜ ନାଗରିକ ଦାୟିତ୍ବ ସଂପାଦନ କରି ନ ଥିବା କାରଣରୁ ପଶ୍ଚାତ୍ତାପ-ଦଗ୍ଧ କେଭିନଙ୍କ ଠାରେ ବିବେକର ଯେଉଁ ଚକ୍ଷୁ ଖୋଲିଥିବ, ତାହା ତାଙ୍କୁ ଶାନ୍ତିରେ ରଖାଇ ଦେଇ ନ ଥିବ। ଏହି ଭଳି ଦୃଷ୍ଟିରେ ପ୍ରତ୍ୟେକ ବୃତ୍ତିଧାରୀ ସାମ୍ବାଦିକ ନିଜକୁ ଦେଖିବା ଆବଶ୍ୟକ। ତାହା ଯଦି ସମ୍ଭବ ହୁଏ, ଗଣମାଧ୍ୟମ ନିଜ ଲାଗି ମାପ ନିଜେ ନିର୍ଦ୍ଧାରଣ କରିବ, ‘ଟି.ଆର.ପି.’ ବା ପ୍ରସାରଣ ସଂଖ୍ୟା କୈନ୍ଦ୍ରିକ ହେବ ନାହିଁ।
୨୦୧୧ ମସିହା, ଜୁଲାଇ ୧୦ ତାରିଖରେ ରୁପର୍ଟ ମୁର୍ଦକଙ୍କ ମାଲିକାନାରେ ଥିବା ପୃଥିବୀର ସର୍ବାଧିକ ପ୍ରସାରିତ ଇଂରେଜୀ ସାପ୍ତାହିକ ଖବରକାଗଜ ‘ଦ ନ୍ୟୁଜ ଅଫ ଦ ୱର୍ଲଡ’ର ପ୍ରକାଶନ ହଠାତ୍ ବନ୍ଦ ହୋଇଗଲା। ଏହାର କାରଣ ଥିଲା ‘ସ୍କୁପ୍’ ସକାଶେ ଫୋନ ହ୍ୟାକିଂ କରାଯାଇ ଅତ୍ୟନ୍ତ ସ୍ପର୍ଶକାତର ଓ ମର୍ମାନ୍ତିକ ତଥ୍ୟ ସବୁ ପ୍ରଘଟ କରିବାର ଉଦ୍ୟମ, ଯହିଁରେ ଅନ୍ତର୍ଭୁକ୍ତ ଥିଲା ହତ୍ୟାର ଶିକାର ହୋଇଥିବା ଜନୈକା କିଶୋରୀ ମିଲି ଡୋଲରଙ୍କ ‘ଭଏସ ମେଲ’। ଏହି ଉଦ୍ୟମ ଏଭଳି ବ୍ୟାପକ ଭାବେ ନିନ୍ଦନୀୟ ହେଲା ଯେ ଖବରକାଗଜଟିକୁ ତା’ର ପାଠକପାଠିକା ଓ ବିଜ୍ଞାପନଦାତା ସଂପୂର୍ଣ୍ଣ ବର୍ଜନ କଲେ। ୧୮୯୧ ମସିହାରେ, ପ୍ରଥମେ ଅଷ୍ଟ୍ରେଲିଆରେ ଆତ୍ମପ୍ରକାଶ କରିଥିବା ଏହି ଖବରକାଗଜଟି ସହସା ଡୁବିଗଲା। ପାଠକପାଠିକା ଓ ପୃଷ୍ଠପୋଷକମାନେ ମଧ୍ୟ ଯେ ନୈତିକତାର ମାପ ଫିତା ଧରି ପାରିବେ, ଏହା ହେଉଛି ତା’ର ଏକ ଦୃଷ୍ଟାନ୍ତ!
Follow Us