ଗୌରଚନ୍ଦ୍ର ତ୍ରିପାଠୀ
କଳିଙ୍ଗ ଯୁଦ୍ଧର ପରିସମାପ୍ତି ଘଟିଛି। ରଣାଙ୍ଗନରେ ଜଣେ ମା’ ପାଗଳୀଙ୍କ ପରି ତାଙ୍କ ପୁଅର ମୃତ ଶରୀର ଖୋଜୁଛନ୍ତି। ରକ୍ତସ୍ନାତ ତାଙ୍କ ପଦଯୁଗଳ। ରେଣୁରେଣୁରେ ମଣିଷ ରକ୍ତର ଗନ୍ଧ। ଚତୁର୍ଦିଗରେ ନିଜନିଜ ଖଣ୍ଡାକୁ ଦୃଢ଼ଭାବରେ ଜାବୁଡ଼ି ଧରିଥିବା ସହିଦ ବୀରଙ୍କ ଭୂଲୁଣ୍ଠିତ କଟାହାତ, ନିର୍ଲିପ୍ତ ନୟନରେ ଆକାଶକୁ ଚାହିଁ ରହିଥିବା ଛିନ୍ନ ମସ୍ତକ। ପବନର ହିଲ୍ଲୋଳରେ ଗୁଞ୍ଜରୁଛି ଅୟୁତ କଣ୍ଠର ହାହାକାର, ଚିତ୍କାର, କ୍ରନ୍ଦନର କରୁଣ ରାଗିଣୀ। ପତ୍ନୀ ଖୋଜୁଛି ପତିଙ୍କୁ। ଭଉଣୀ ଭାଇକୁ। ଶିଶୁ ମୁହଁରେ ସେଇ ନାଁ ସବୁ, ଯାହା କେବେବି ଆଉ ଉତ୍ତର ଦେବନି। ଦୂରରୁ ଭାସି ଆସୁଛି ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କ ଶାନ୍ତ, ସ୍ନିଗ୍ଧ ଗୁରୁଗମ୍ଭୀର କଣ୍ଠସ୍ବର, “ବୁଦ୍ଧମ୍ ଶରଣମ୍ ଗଚ୍ଛାମି…” ମା’ ତାଙ୍କ ପାଦତଳେ ପଡ଼ିଯାଇ ଆକୁଳ ସ୍ୱରରେ ମିନତି କରୁଛନ୍ତି, “ମୋ ପୁଅକୁ ଫେରାଇଦିଅ।” ସନ୍ନ୍ୟାସୀ ଉତ୍ତର ଦିଅନ୍ତି, “ଯାଅ… ମୋ ପାଇଁ ସେହି ଘରୁ ଆଣିଦିଅ ମୁଠାଏ ସୋରିଷ, ଯାହାକୁ କେବେବି ଦୁଃଖ ଛୁଇଁ ନାହିଁ।” ମାଆ ଖୋଜିଛନ୍ତି ଗ୍ରାମ, ନଗର, ଜନବସତି। ସମସ୍ତଙ୍କ ଦୁଆର ଖୋଲିଛି ଭଗ୍ନ ହୃଦୟରେ, ଭିଜା ଲୁହରେ। ଦୁଃଖର ଗ୍ରାସରେ ସମଗ୍ର ଦୁନିଆ। ମାଆ ଫେରି ଆସିଛନ୍ତି, କିନ୍ତୁ ଜୀବନ ମାଗିବାକୁ ନୁହେଁ, ଦୁଃଖ ସହ୍ୟ କରିବାର ଶକ୍ତି ଲାଗି ପ୍ରାର୍ଥନା କରିବାକୁ।
Punjab & Sind Bank: ଗ୍ରାମୀଣ ଉଦ୍ୟୋଗ ଓ କୃଷି ବିକାଶରେ ବ୍ୟାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ
“ସର୍ବଂ ଦୁଃଖମ୍”ର ଅର୍ଥ ସବୁକିଛି ଦୁଃଖ। ଏହି ସତ୍ୟକୁ ମାନବ ସଭ୍ୟତା ସୃଷ୍ଟିର ପ୍ରାରମ୍ଭରୁ ଅନୁଭବ କରିଆସିଛି। ଏହା ଆସେ - ଅସୁସ୍ଥତା, କ୍ଷତି, ଅନ୍ୟାୟ, ବିଫଳତା, ଏକାକୀପଣ - ଅଗଣିତ ରୂପରେ। ବାବିଲୋନିଆର ପ୍ରାଚୀନ ମାଟି ଫଳକରୁ ଆରମ୍ଭ କରି ବ୍ୟଥାର ଆଧୁନିକ ବିଶ୍ଳେଷଣ ପର୍ଯ୍ୟନ୍ତ ମାନବ ସଭ୍ୟତା ଏହି ଅନନ୍ତ ସତ୍ୟ ସହ ସଂଘର୍ଷ କରିଆସିଛି। ପ୍ରାଚୀନ ଜ୍ଞାନ ପରମ୍ପରା ଦୁଃଖକୁ ମାନବ ଅଭିଜ୍ଞତାର କେନ୍ଦ୍ରରେ ସ୍ଥାନିତ କରେ। ବୁଦ୍ଧଙ୍କ ପାଇଁ ଦୁଃଖ ହେଉଛି ପ୍ରଥମ ଆର୍ଯ୍ୟ ସତ୍ୟ, ଅସ୍ତିତ୍ୱର ଅନିବାର୍ଯ୍ୟ ଲକ୍ଷଣ ଏବଂ ମୋକ୍ଷ ପଥର ପ୍ରାରମ୍ଭ। ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ ଓ ଜୈନ ଧର୍ମରେ, ଦୁଃଖ ପ୍ରାୟତଃ କର୍ମ ସହିତ ଜଡ଼ିତ ଯାହା ସାରା ଜୀବନ ବହନ କରାଯାଏ। ଇହୁଦୀ ଓ ଖ୍ରୀଷ୍ଟଧର୍ମୀୟ ପରମ୍ପରା ଦୁଃଖକୁ ମାନବତାର ପତନର ପରିଣାମ ବୋଲି ମନେ କରୁଥିବା ବେଳେ ଇସଲାମ ଦୁଃଖକୁ ଧୈର୍ଯ୍ୟ ଓ ବିଶ୍ୱାସର ଦିବ୍ୟ ପରୀକ୍ଷା ଭାବରେ ଦେଖେ। ଚୀନ୍ ଦର୍ଶନ ଯନ୍ତ୍ରଣାକୁ ‘ୟିନ୍’ ଓ ‘ୟାଙ୍ଗ’ର ଅସନ୍ତୁଳନରୁ ଉତ୍ପନ୍ନ ବୋଲି ବୁଝାଏ ଏବଂ ଶିଖ ଧର୍ମ ଯେଉଁଠି ବି ନଜର ପଡ଼େ ସେଠି ଯନ୍ତ୍ରଣା ଓ କଷ୍ଟକୁ ଦେଖିଥାଏ।
ସବୁ ଦୁଃଖ ସମାନ ନୁହେଁ। କିଛି ଆକସ୍ମିକ ଭାବେ ଆସିଥାଏ, ଯେମିତିକି ଦୁର୍ଘଟଣା, ପରିଜନଙ୍କ ମୃତ୍ୟୁ, ବିଶ୍ୱାସଘାତକତା ଓ ବିଫଳତା, ଯାହା ଗଭୀର କ୍ଷତ ଛାଡ଼ିଯାଏ ଏବଂ ସମୟ ହିଁ ଧୀରେଧୀରେ ସେ ସବୁକୁ ଲାଘବ କରେ। ଅନ୍ୟ କିଛି ଦୁଃଖ ନିରବରେ ଆମର ଆଚରଣ, ପସନ୍ଦ ଓ ପରିଚୟକୁ ଆକାର ଦିଏ। ସମୟ ହିଁ ଆମକୁ ବୁଝିବାରେ ସାହାଯ୍ୟ କରେ ଦୁଃଖକୁ କେବେ ସହ୍ୟ କରିବାକୁ ହେବ, କେବେ ପ୍ରତିରୋଧ ଏବଂ କେବେ ମୁକ୍ତ କରିବାକୁ ହେବ। ଶାସ୍ତ୍ର ଓ ପରମ୍ପରା ଦୁଃଖକୁ ସାମନା କରିବାର ବିଭିନ୍ନ ମାର୍ଗଦର୍ଶନ କରାନ୍ତି। ହିନ୍ଦୁଧର୍ମ କର୍ମର ଫଳକୁ ସ୍ୱୀକାର କରି ମୋକ୍ଷର ପଥ ଅନୁସରଣ କରିବାକୁ ଉତ୍ସାହିତ କରେ। ବୁଦ୍ଧିମାନ ବ୍ୟକ୍ତିମାନେ ଧୈର୍ଯ୍ୟର ସହ ଗଭୀର ଶୋକକୁ ସାମନା କରନ୍ତି। ବୌଦ୍ଧ ଧର୍ମ ଦୁଃଖକୁ ଅତିକ୍ରମ କରିବା ପାଇଁ କାମନାର ବିନାଶ, କରୁଣା ଓ ଧ୍ୟାନ ଲାଗି ନିର୍ଦ୍ଦେଶ ଦିଏ। ଖ୍ରୀଷ୍ଟଧର୍ମ ଯନ୍ତ୍ରଣା ସମୟରେ କୃପା, ଦୟା ଓ ସତମାର୍ଗ ଅନୁସରଣର ଶିକ୍ଷା ଦିଏ ଏବଂ ଇସଲାମ ଧୈର୍ଯ୍ୟ ଓ ଆଲ୍ଲାଙ୍କ ଉପରେ ବିଶ୍ୱାସ ଉପରେ ଗୁରୁତ୍ୱ ପ୍ରଦାନ କରେ। ପ୍ରତ୍ୟେକ ଧର୍ମ, ପ୍ରତ୍ୟେକ ପରମ୍ପରା ସ୍ୱୀକାର କରେ, ଦୁଃଖ ଅନିବାର୍ଯ୍ୟ।
Encounter:କନ୍ଧମାଳ ପୁଲିସକୁ ବଡ଼ ସଫଳତା,ଦୁଇ ଦିନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ମାଓ ନେତା ନିହତ
ଆଧୁନିକ ମନସ୍ତତ୍ତ୍ୱ ଏବଂ ଅସ୍ତିତ୍ୱବାଦୀ ଦର୍ଶନ ଯନ୍ତ୍ରଣାକୁ ଏକ ନୂତନ ଦୃଷ୍ଟିଭଙ୍ଗୀରେ ବିଶ୍ଳେଷଣ କରିଥାଏ। ଭିକ୍ଟର ଫ୍ରାଙ୍କଲ୍, ନାଜି ଶିବିରରେ କାଟିଥିବା ସମୟକୁ ସ୍ମରଣପୂର୍ବକ କୁହନ୍ତି, ଦୁଃଖ ଯେତେବେଳେ ଏକ ଅର୍ଥ ପାଏ, ସେତେବେଳେ ଆଉ ଅସହ୍ୟ ରହେ ନାହିଁ। ଜାଁ-ପଲ୍ ସାର୍ତ୍ତ୍ରଙ୍କ ପାଇଁ, ଦୁଃଖ ହେଉଛି ମାନବତାର ଲକ୍ଷ୍ୟହୀନ ଯାତ୍ରା। ଅସ୍ତିତ୍ୱବାଦୀମାନେ ଦୁଃଖକୁ ବୋଝ ଭାବେ ନୁହେଁ, ବରଂ ଆତ୍ମପରିବର୍ତ୍ତନର ସୁଯୋଗ ଭାବେ ମନେ କରୁଥିବା ବେଳେ ଫ୍ରେଡରିକ ନିଚାଙ୍କ ମତରେ, ଦୁଃଖ ବିନା ମହାନତା ସମ୍ଭବ ନୁହେଁ। ଅତ୍ୟଧିକ ସଂଘର୍ଷ କରିଥିବା ହେଲେନ୍ କେଲର୍ କୁହନ୍ତି, ଦୁଃଖ ଏକ ପ୍ରେରଣାର ଉତ୍ସ ଯାହା ଆତ୍ମାକୁ ଶକ୍ତିଶାଳୀ କରେ ଏବଂ ଦୃଷ୍ଟିକୁ ସ୍ପଷ୍ଟ କରେ। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଲକ୍ଷଣ ଭାବେ ଦୁଃଖ ସଙ୍କଟ କାଳରେ ସମାଜକୁ ବାନ୍ଧି ରଖେ। ରୋଗଶୋକ ଆମକୁ ସହନଶୀଳତା ଶିଖାଏ, ବିଫଳତା ନମ୍ରତାର ଜାଗରଣ କରେ, ଶୋକ ପ୍ରେମର ଗଭୀରତାକୁ ଉଦ୍ଘାଟନ କରେ ଏବଂ ଯନ୍ତ୍ରଣା ମନକୁ ଦୃଢ଼ କରେ। ରେବେକା ସୋଲନିଟ୍ଙ୍କ ପୁସ୍ତକ “ଏ ପାରାଡାଇଜ୍ ବିଲ୍ଟ ଇନ୍ ହେଲ୍” ଏହି ସତ୍ୟକୁ ଆହୁରି ସ୍ପଷ୍ଟ କରେ। ବିପର୍ଯ୍ୟୟର ଅଧ୍ୟୟନରୁ ସେ ପହଞ୍ଚିଥିବା ସିଦ୍ଧାନ୍ତ ମତରେ ଦୁଃଖ ମାନବତାର ସର୍ବୋତ୍ତମ ଗୁଣଗୁଡ଼ିକୁ ପ୍ରକାଶ କରେ, ଯେମିତିକି ଏକତା, ସାହସ, ଉଦାରତା ଓ ଆଶା। ଦୁଃଖ କେବଳ ଜୀବନର ବୋଝ ନୁହେଁ। ଏହା ଜୀବନର ଶିକ୍ଷକ ମଧ୍ୟ। ଆମେ ଦୁଃଖବିହୀନ ଜୀବନ ବାଛିପାରିବା ନାହିଁ କିନ୍ତୁ ଦୁଃଖ ଆମକୁ ଭାଙ୍ଗିଦେବ ନା ଆହୁରି ଦୃଢ଼ ଓ ସହାନୁଭୂତିଶୀଳ ମଣିଷରେ ପରିଣତ କରିବ, ସେ ଚୟନ ଆମ ହାତରେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୪୨୫୨୭
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/26/dagdgvzvc-2025-12-26-02-10-49.jpg)