ବିମାନ ନିର୍ମାଣ କାଳରେ ଯାତ୍ରୀ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆ ନ ଯାଇ ନିମ୍ନ ମାନର ଯନ୍ତ୍ରାଂଶ ଖଞ୍ଜାଯିବା ଭଳି ବିବାଦାସ୍ପଦ ବିଷୟକୁ ଲୋକକ୍ଷେତ୍ରରେ ଉଜାଗର କରି ବୋଇଂର ପୂର୍ବତନ କର୍ମଚାରୀ ଜନ ବାର୍ନେଟ ଏବଂ ସାମ ସାଲେମର ଅବଲୀଳା କ୍ରମେ କାର୍ଯ୍ୟରୁ ବହିଷ୍କୃତ ହେବା ଏବଂ ୨୦୨୪ ମସିହା ମାର୍ଚ୍ଚ ମାସରେ ଜନ ବାର୍ନେଟଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ଘଟିବା ଭଳି ଘଟଣା ବୋଇଂର ଭୂମିକାକୁ ସନ୍ଦିଗ୍ଧ କରିଛି। କେବଳ ସେତିକି ନୁହେଁ, ଏକ ଦୁର୍ଘଟଣାଗ୍ରସ୍ତ ବିମାନର ଯାତ୍ରୀମାନଙ୍କ ଦ୍ବାରା କରାଯାଇଥିବା ଅଦାଲତୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବୋଇଂ ପକ୍ଷରୁ ପ୍ରାୟ ୧ ବିଲିଅନ ଡଲାର କ୍ଷତି ଭରଣା ମଧ୍ୟ କରାଯାଇଛି। ତେଣୁ ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ଏଆର୍ ଇଣ୍ଡିଆ ଫ୍ଲାଇଟ ୧୭୧ରେ କାହିଁକି ଯେ ଏକ ଯାନ୍ତ୍ରିକ ତ୍ରୁଟି ଘଟି ନ ଥିବ, ତାହା ଦୃଢ଼ ଭାବେ କୁହାଯାଇ ନ ପାରେ!
ମାତ୍ର ପାଞ୍ଚ ଦିନ ତଳେ ଲଣ୍ଡନରୁ ବେଙ୍ଗାଲୁରୁ ଆସିଥିବା ଗୋଟିଏ ‘ବୋଇଂ ୭୮୭ ଡ୍ରିମ୍ଲାଇନର’ ବିମାନର ପାଇଲଟଙ୍କ ଦ୍ବାରା ସେହି ବିମାନର ‘ଫୁଏଲ କଂଟ୍ରୋଲ ସୁଇଚ’(ଇନ୍ଧନ ନିୟନ୍ତ୍ରଣ ସୁଇଚ)ରେ ତ୍ରୁଟି ଚିହ୍ନିତ ହେବା ପରେ ଆଠ ମାସ ତଳର ସେହି ଅତ୍ୟନ୍ତ ବିଷାଦପୂର୍ଣ୍ଣ ଅହମଦାବାଦ ବିମାନ ଦୁର୍ଘଟଣାର କାରଣ ଘେନି ସାନି ବିତର୍କର ସୂତ୍ରପାତ ଘଟିଛି। କାରଣ, ଉପରୋକ୍ତ ବିମାନ ଦୁର୍ଘଟଣା ସମ୍ବନ୍ଧରେ ଅନୁସନ୍ଧାନକାରୀ କର୍ତ୍ତୃପକ୍ଷ ‘ଡି.ଜି.ସି.ଏ.’(ଡାଇରେକ୍ଟର ଜେନେରାଲ ଅଫ ସିଭିଲ ଏଭିଏସନ) ଏବଂ ‘ଏ.ଏ.ଆଇ.ବି.’(ଏୟାରକ୍ରାଫ୍ଟ ଆକସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ) ଦ୍ବାରା ପ୍ରଦତ୍ତ ପ୍ରଥମିକ ଅନୁସନ୍ଧାନ ରିପୋର୍ଟରେ ପାଇଲଟଙ୍କ ତ୍ରୁଟି(ଇଚ୍ଛା ବା ଅନିଚ୍ଛାକୃତ) ନେଇ ତିର୍ଯ୍ୟକ୍ ଇଙ୍ଗିତ କରାଯାଇଥିବା ବେଳେ ପାଶ୍ଚାତ୍ୟ ଗଣମାଧ୍ୟମ ପକ୍ଷରୁ ଆଉ କେଇ ପାଦ ଆଗକୁ ଯାଇ ବିଧିବଦ୍ଧ ବ୍ୟାଖ୍ୟାନ ସୃଷ୍ଟି କରାଯାଇଛି ଯେ ହତଭାଗ୍ୟ ବିମାନଟି ‘ଟେକ ଅଫ’ କରିବା କ୍ଷଣି ଆତ୍ମହତ୍ୟାକାମୀ ମୁଖ୍ୟ ପାଇଲଟ୍ ସୁମିତ ସବରୱାଲ ଉଦ୍ଦେଶ୍ୟମୂଳକ ଭାବେ ‘ଫୁଏଲ କଂଟ୍ରୋଲ ସୁଇଚ’କୁ ବନ୍ଦ କରି ଦେଇ ଦୁର୍ଘଟଣା ଘଟାଇଥିଲେ। ଅବଶ୍ୟ, ଭାରତର ଅନେକ ଅଭିଜ୍ଞ ପାଇଲଟ ଏବଂ ବିମାନ ଚାଳକମାନଙ୍କ ଏକାଧିକ ସଂଘ ଓ ସଂଗଠନ ଏଭଳି ଇଙ୍ଗିତ ଓ ବ୍ୟାଖ୍ୟାନକୁ ଅସ୍ବୀକାର କରିବା ସହିତ ଏହାର କାରଣ ଯାନ୍ତ୍ରିକ ତ୍ରୁଟି ମଧ୍ୟ ହୋଇପାରେ ବୋଲି ଦର୍ଶାଇ ଅଦାଲତରୁ ଗଣମାଧ୍ୟମ ପର୍ଯ୍ୟନ୍ତ କ୍ଷେତ୍ରରେ ବିରୋଧ ଓ ପ୍ରତିବାଦ କରି ଆସୁଛନ୍ତି। ସୁତରାଂ, ସଂପ୍ରତି ଘଟିଥିବା ଘଟଣାଟି ସେମାନଙ୍କୁ ବଳ ପ୍ରଦାନ କରିଛି ଏବଂ ତା’ ସହିତ ନିଜ ପକ୍ଷ ରଖିବାକୁ ଆମ ମଧ୍ୟରେ ଆଉ ନ ଥିବା ପାଇଲଟ ସୁମିତଙ୍କ ସକାଶେ ସତେ ଯେମିତି ଛିଡ଼ା ହୋଇଯାଇଛି। ମନେ ହେଉଛି ଦୁର୍ଘଟଣା ନେଇ ଚୂଡ଼ାନ୍ତ ରିପୋର୍ଟ ଆସିଯିବା ପରେ ମଧ୍ୟ କିଛି ନିରବ ପ୍ରଶ୍ନ ଅସମାହିତ ହୋଇ ରହିଯିବେ।
ସଂପ୍ରତି ଘଟି ଯାଇଥିବା ଘଟଣାର ପୃଷ୍ଠଭୂମି ଉପରେ ପ୍ରଥମେ କ୍ଷିପ୍ର ଦୃଷ୍ଟିପାତ କରାଯାଉ। ଲଣ୍ଡନର ହିଥ୍ରୋ ବିମାନ ବନ୍ଦରରୁ ଉଡ଼ାଣ ଭରିବା ପୂର୍ବରୁ ବାଧ୍ୟତାମୂଳକ ତନଖି କ୍ରମରେ ଦେଖିବାକୁ ମିଳିଥିଲା ଯେ ‘ଫୁଏଲ କଂଣ୍ଟ୍ରୋଲ ସୁଇଚ’କୁ ‘ରନ୍’(ଇଂଜିନକୁ ଇନ୍ଧନ ଯୋଗାଣ) ପୋଜିସନ ବା ସ୍ଥିତିକୁ ଅଣାଯିବା ପରେ ତାହା ଆପଣା ଛାଏଁ ‘କଟ୍ ଅଫ୍’(ଇନ୍ଧନ ବନ୍ଦ) ସ୍ଥିତିକୁ ଚାଲି ଆସିଥିଲା। ଦୁଇ ଥର ଏଭଳି ଘଟିବା ପରେ ତୃତୀୟ ଥର ଯାଇ ସୁଇଚ୍ରେ ଲକ୍ ପଡ଼ିଥିଲା। ଏଭଳି ଏକ ବିପଦ ସୃଷ୍ଟିକାରୀ ଯାନ୍ତ୍ରିକ ତ୍ରୁଟି ସତ୍ତ୍ବେ ହିଥ୍ରୋ ବିମନ ବନ୍ଦରରେ ତା’ର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନ କରାଇ ତାକୁ ବେଙ୍ଗାଲୁରୁକୁ ଉଡ଼ାଇ ଆଣିବା ଭଳି କାର୍ଯ୍ୟ ଦ୍ବାରା ଯଦିଓ ସଂପୃକ୍ତ ପାଇଲଟ ବିବାଦାସ୍ପଦ ହୋଇ ଉଠିଛନ୍ତି; ଏହି ଘଟଣାରୁ ଆଉ ଯେଉଁ ବିତର୍କର ସୂତ୍ରପାତ ହୋଇଛି, ତାହା ‘ଫୁଏଲ କଂଟ୍ରୋଲ ସୁଇଚ’ର ସନ୍ଦିଗ୍ଧ ପ୍ରଦର୍ଶନକୁ ନେଇ; ଯାହା କସ୍ମିନ କାଳେ ତ୍ରୁଟି ଦେଖାଇବ ନାହିଁ ବୋଲି ବୋଇଂ କଂପାନି ପକ୍ଷରୁ ଦାବି କରାଯାଇଥାଏ। ଅବଶ୍ୟ, ଏଥିରେ ଦ୍ବିମତ ହେବାର ନାହିଁ ଯେ ‘ବୋଇଂ ୭୮୭ ଡ୍ରିମ୍ଲାଇନର’ ହେଉଛି ଏକ ଉଚ୍ଚକୋଟୀର ବିମାନ, ଯାହାକୁ ‘ଅତୁଳନୀୟ’ ବୋଲି ବୋଇଂ କଂପାନି ଦ୍ବାରା ବିଜ୍ଞପିତ କରାଯାଏ। ଏହା ମଧ୍ୟ ସତ ଯେ ଏହି ସିରିଜର ବିମାନ ନିର୍ମିତ ହେବା ଠାରୁ ୧୬ ବର୍ଷ ବିତି ଯାଇଥିଲେ ହେଁ ଅହମଦାବାଦ ଦୁର୍ଘଟଣା ହେଉଛି ପ୍ରଥମ ଓ ଏକ ମାତ୍ର ବୃହତ୍ ଦୁର୍ଘଟଣା, ଯେତେବେଳେ କି ବର୍ତ୍ତମାନ ସାରା ପୃଥିବୀରେ ୧୧୭୫ଟି ଡ୍ରିମ୍ଲାଇନର ଆକାଶଚରୀ ହୋଇ ଅଛନ୍ତି ଏବଂ ଦୈନିକ ୨୦୦୫ଟି ‘ଫ୍ଲାଇଟ୍’ ବା ଉଡ଼ାଣ ହିସାବରେ ସମୁଦାୟ ୫୦୦ ନିୟୁତରୁ ଅଧିକ ‘ଫ୍ଲାଇଟ୍’ ସଂପୂର୍ଣ୍ଣ କରିସାରିଲେଣି। କିନ୍ତୁ, ଆଉ ଏକ ବାସ୍ତବତା ହେଲା ସମୟ ସମୟରେ ‘ଡ୍ରିମ୍ଲାଇନର’ ବିମାନରେ କେତେକ ଯାନ୍ତ୍ରିକ ତ୍ରୁଟି ମଧ୍ୟ ଦେଖିବାକୁ ମିଳିଛି, ଯଦିଓ ତଦ୍ଦ୍ବାରା କୌଣସି ବୃହତ୍ ଦୁର୍ଘଟଣା ଘଟିନାହିଁ।
Health: ଡବା ଖାଦ୍ୟରେ ବଞ୍ଚିଛି ୧୭ ବର୍ଷୀୟ ନାବାଳକର ଜୀବନ
ଏହି ମର୍ମରେ ଡ୍ରିମ୍ଲାଇନର ଚାଳନା କରିଥିବା ପୁରୁଖା ପାଇଲଟମାନଙ୍କ ମତ ହେଲା ଏହି ବିମାନରେ ଯାନ୍ତ୍ରିକ ତ୍ରୁଟିର ସମ୍ଭାବନା ବିରଳତମ ପର୍ଯ୍ୟାୟର ହେଲେ ମଧ୍ୟ ସଂପୂର୍ଣ୍ଣ ଶୂନ୍ୟ ହୋଇ ନ ପାରେ। ବିଶେଷତଃ, ‘ଫୁଏଲ୍ କଂଟ୍ରୋଲ ସୁଇଚ୍’ରେ ଥିବା ଅତ୍ୟନ୍ତ ଉତ୍କୃଷ୍ଟ ମାନର ସ୍ପ୍ରିଂ ସୁଇଚକୁ ଉପରକୁ ଠେଲି ରଖି ଯଦିଓ ତାକୁ ଉଦ୍ଦିଷ୍ଟ ସ୍ଥାନରେ ଲକ୍ କରି ପର୍ବତ ସମ ଅଚଳ କରିଦିଏ, ବାରମ୍ବାର ପ୍ରୟୋଗ ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାବରେ ଏକ ସାମାନ୍ୟ ଶିଥିଳ ସ୍ପ୍ରିଂ ହେତୁ ସୁଇଚର ପ୍ରଦର୍ଶନ ତ୍ରୁଟିଯୁକ୍ତ ମଧ୍ୟ ହୋଇପାରେ। ଏଠାରେ ପ୍ରକାଶ ଥାଉ କି ଏୟାର ଇଣ୍ଡିଆ କଂପାନିକୁ ଡି.ଜି.ସି.ଏ. ପକ୍ଷରୁ ଉପଯୁକ୍ତ ରକ୍ଷଣାବେକ୍ଷଣ ସକାଶେ ଅତୀତରେ ତାଗିଦା ମଧ୍ୟ କରାଯାଇଛି। ଅବଶ୍ୟ, ଶଂସିତ ବିମାନର ତୁରନ୍ତ ଟିକିନିଖି ଯାଞ୍ଚ ପରେ ତାହା ସଂପୂର୍ଣ୍ଣ ତ୍ରୁଟିମୁକ୍ତ ବୋଲି ‘ଡି.ଜି.ସି.ଏ.’ ପକ୍ଷରୁ କୁହାଗଲାଣି; କିନ୍ତୁ ପ୍ରଶ୍ନ ହେଲା କେଉଁ ପରିସ୍ଥିତିରେ ସେହି ବିମାନର ଦୁଇ ଜଣ ଯାକ ପାଇଲଟ ଏବଂ ଇଂଜିନିଅରଙ୍କ ପକ୍ଷରୁ ଯାନ୍ତ୍ରିକ ତ୍ରୁଟି ନେଇ ଧ୍ୟାନ ଆକର୍ଷଣ କରାଗଲା? ଯଦି ବିମାନ ‘ଟେକ ଅଫ’ କରିବା ପୂର୍ବରୁ ‘ଫୁଏଲ କଂଟ୍ରୋଲ ସୁଇଚ’ ଚାଲୁ ସ୍ଥିତିରେ ଥିବାର ଧାରଣା ସୃଷ୍ଟି କରି ଠିକ୍ ଉଡ଼ାଣ ଭରିବା େବଳେ ସ୍ଥିତି ଚ୍ୟୁତ ହୋଇ ବନ୍ଦ ବା ‘କଟ୍ ଅଫ୍’ ହୋଇ ଯାଇଥାଆନ୍ତା, ତେବେ? ସୌଭାଗ୍ୟବଶତଃ, ହିଥ୍ରୋ ଛାଡ଼ିବା ପୂର୍ବର ତନଖି ବେଳେ ଏହା ଜଣାପଡ଼ିଥିଲା। ପ୍ରକାଶ ଥାଉ କି ପାଇଲଟଙ୍କ ଦ୍ବାରା ଏହି ନିରୀକ୍ଷଣ ବ୍ୟବସ୍ଥାକୁ ଅହମଦାବାଦ ଟ୍ରାଜେଡି ପରେ ବାଧ୍ୟତାମୂଳକ କରାଯାଇଛି। ହତଭାଗ୍ୟ ବୋଇଂ ୧୭୧ ବିମାନର କକ୍ପିଟ୍ ରେକର୍ଡରରୁ ଶୁଭିଥାଏ ଦୁଇ ପାଇଲଟଙ୍କ ଅନ୍ତିମ କ୍ଷଣର କଥୋପକଥନରେ ହଠାତ୍ ‘ଫୁଏଲ କଂଟ୍ରୋଲ ସୁଇଚ’ ବନ୍ଦ ହୋଇଯିବା ନେଇ ଘୋର ଉଦ୍ବେଗ, ସଂଶୟ ଓ କିଂକର୍ତ୍ତବ୍ୟବିମୂଢ଼ତା। ତେଣୁ, ଏକ ସମ୍ଭାବ୍ୟ ଯାନ୍ତ୍ରିକ ତ୍ରୁଟିର ଅଭିଯୋଗକୁ ସଂପୂର୍ଣ୍ଣ ନାକଚ କରିଦେବା ଯୁକ୍ତିସଂଗତ କି?
ବୋଇଂର ବିଡ଼ମ୍ବନାଟି ହେଲା ଯାତ୍ରୀବାହୀ ବିମାନ ଉତ୍ପାଦନ କରୁଥିବା ଅନ୍ୟତମ ସର୍ବବୃହତ୍ ଓ ସୁଖ୍ୟାତ କଂପାନି ହୋଇଥିଲେ ହେଁ ଏହି କଂପାନି ବ୍ୟାବସାୟିକ ନୈତିକତାକୁ ପଛକୁ ଠେଲି ଦେଇ ଲାଭାର୍ଜନକୁ ମାତ୍ରାଧିକ ଅଗ୍ରାଧିକାର ଦେଉଥିବାର ଅଭିଯୋଗ ବାରମ୍ବାର ଶୁଣିବାକୁ ମିଳିଥାଏ। ବିମାନ ନିର୍ମାଣ କାଳରେ ଯାତ୍ରୀ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆ ନ ଯାଇ ନିମ୍ନ ମାନର ଯନ୍ତ୍ରାଂଶ ଖଞ୍ଜାଯିବା ଭଳି ବିବାଦାସ୍ପଦ ବିଷୟକୁ ଲୋକକ୍ଷେତ୍ରରେ ଉଜାଗର କରି ବୋଇଂର ପୂର୍ବତନ କର୍ମଚାରୀ ଜନ ବାର୍ନେଟ ଏବଂ ସାମ ସାଲେମର ଅବଲୀଳା କ୍ରମେ କାର୍ଯ୍ୟରୁ ବହିଷ୍କୃତ ହେବା ଏବଂ ୨୦୨୪ ମସିହା ମାର୍ଚ୍ଚ ମାସରେ ଜନ ବାର୍ନେଟଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ଘଟିବା ଭଳି ଘଟଣା ବୋଇଂର ଭୂମିକାକୁ ସନ୍ଦିଗ୍ଧ କରିଛି। କେବଳ ସେତିକି ନୁହେଁ, ଏକ ଦୁର୍ଘଟଣାଗ୍ରସ୍ତ ବିମାନର ଯାତ୍ରୀମାନଙ୍କ ଦ୍ବାରା କରାଯାଇଥିବା ଅଦାଲତୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବୋଇଂ ପକ୍ଷରୁ ପ୍ରାୟ ୧ ବିଲିଅନ ଡଲାର କ୍ଷତି ଭରଣା ମଧ୍ୟ କରାଯାଇଛି। ତେଣୁ ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ଏଆର୍ ଇଣ୍ଡିଆ ଫ୍ଲାଇଟ ୧୭୧ରେ କାହିଁକି ଯେ ଏକ ଯାନ୍ତ୍ରିକ ତ୍ରୁଟି ଘଟି ନ ଥିବ, ତାହା ଦୃଢ଼ ଭାବେ କୁହାଯାଇ ନ ପାରେ!
ମାତ୍ରାଧିକ ଲାଭାର୍ଜନର ଲାଳସା ଦ୍ବାରା ନୈତିକତା ପଦାନତ ହେଲେ କିଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ, ତାହାର ଏକ ହୃଦୟସ୍ପର୍ଶୀ ଅବତାରଣା ଦେଖିବାକୁ ମିଳିଥାଏ ପ୍ରଖ୍ୟାତ ଆମେରିକୀୟ ନାଟ୍ୟକାର ଆର୍ଥର ମିଲରଙ୍କ ଯୁଗାନ୍ତକାରୀ ନାଟକ ‘ଅଲ ମାଇ ସନ୍ସ’ରେ। ନାଟକରେ ବର୍ଣ୍ଣିତ ହୋଇଛି କିଭଳି ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିପୁଳ ବ୍ୟାବସାୟିକ ଲାଭ ସକାଶେ ନାୟକ ଜୋ କେଲର ନିମ୍ନ ଗୁଣବତ୍ତା ସଂପନ୍ନ ବିମାନ ଯନ୍ତ୍ରାଂଶ ଯୋଗାଇ ଦେଇଥିବା ହେତୁ ଅନେକ ବିମାନ ଦୁର୍ଘଟଣାଗ୍ରସ୍ତ ହୁଅନ୍ତି; ଯହିଁରେ ୨୧ ଜଣ ଲଢୁଆ ବିମାନ ପାଇଲଟଙ୍କ ମୃତ୍ୟୁ ଘଟେ। ଏହି ବିଷୟରେ ଅବଗତ ହେବା ପରେ ଜୋ କେଲରଙ୍କ ପାଇଲଟ୍ ପୁତ୍ର ଲାରି କେଲର ଜାଣିଶୁଣି ନିଜ ଯୁଦ୍ଧ ବିମାନକୁ ‘କ୍ରାସ୍’ କରି ଆତ୍ମହତ୍ୟା କରେ। ଏହି କ୍ଷୁଦ୍ର ବିୟୋଗାନ୍ତ ନାଟକର ପରିସମାପ୍ତି ଘଟିଛି ମ୍ରିୟମାଣ ଜୋ କେଲରର ଆତ୍ମହତ୍ୟା ସହିତ। ନାଟକରେ ନିହିତ ନୀତିଶିକ୍ଷାଟି ଅତ୍ୟନ୍ତ ସରଳ। ତାହା ହେଲା, ଆମ ଯେ କୌଣସି କୁକାର୍ଯ୍ୟର ଶିକାର ଆମ ଅଲକ୍ଷ୍ୟରେ ଆମ ପ୍ରିୟତମମାନେ ମଧ୍ୟ ହୋଇପାରନ୍ତି! ଅବଶ୍ୟ, ଏହି ନୀତିଶିକ୍ଷାଟି ସବୁ ସଂଦର୍ଭରେ ପ୍ରଜୁଯ୍ୟ। କିନ୍ତୁ ବୋଇଂ ଭଳି ଏକ ବିମାନ ନିର୍ମାଣକାରୀ କଂପାନି ସକାଶେ ‘ଅଲ ମାଇ ସନ୍ସ’ ହେଉଛି ଏକ ପଥ ପ୍ରଦର୍ଶକ ନକ୍ଷତ୍ର ଭଳି!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/OAnDiWZ5zjRDfuWfWgMX.jpg)