ଶ୍ୟାମାପ୍ରସାଦ ଚୌଧୁରୀ

ଟ୍ରୋଜାନ୍ ଘୋଡ଼ାର ଗ୍ରୀକ୍ ଗପ ପରେ କହିବି। ପ୍ରଥମେ କହେ ଗୋଟେ ବ୍ରିଟେନୀ ଘୋଡ଼ାର ଗୂଢ଼ ମନସ୍ତତ୍ତ୍ବ। ୧୮୩୩-୩୪ ବେଳକୁ ଇଂଲାଣ୍ଡ ନିଜର ବ୍ୟାବସାୟିକ ବୁଦ୍ଧି ଓ ବଳରେ ଅଧିକୃତ ଭାରତକୁ ଶାସନ କରୁ ନ ଥିଲା, କରୁଥିଲା ବରଂ ଗୋଟେ ବ୍ରିଟିସ କଂପାନି। ବ୍ରିଟେନର ତତ୍‌କାଳୀନ ରାଜା ଚତୁର୍ଥ ଉଇଲିଅମ୍ ପ୍ରକୃତରେ ଭାରତର ରାଜା ନ ଥିଲେ, ଥିଲେ ବ୍ରିଟିସ ଇଣ୍ଡିଆ କଂପାନିର ସର୍ବୋଚ୍ଚ କର୍ତ୍ତା ଉଇଲିଅମ୍ ବେଣ୍ଟିକ୍। ମୋଗଲ ସାମ୍ରାଜ୍ୟ କେବଳ ନାମକୁ ମାତ୍ର ନିଜର ଶାସକୀୟ କାୟା ବିସ୍ତାର କରି ନିସ୍ତେଜ ହେଇ ପଡ଼ିଥିଲା। ୧୮୩୩ରେ ବ୍ରିଟିସ ପାର୍ଲାମେଣ୍ଟରେ ‘ଚାର୍ଟର ଆକ୍‌ଟ’ ପାରିତ ହେବା ପରେ ବେଣ୍ଟିକ୍‌ଙ୍କୁ ମିଳିଥିଲା ଭାରତର ସାର୍ବଭୌମତ୍ବ। ତାଙ୍କୁ ହିଁ କୁହାଗଲା ପ୍ରଥମ ଥର ପାଇଁ ଗଭର୍ନର ଜେନେରାଲ ଅଫ୍ ଇଣ୍ଡିଆ ଓ ତାଙ୍କର ପ୍ରଶାସନଙ୍କୁ ‘‘ଗଭ୍‌ମେଣ୍ଟ ଅଫ୍ ଇଣ୍ଡିଆ’’ ଅର୍ଥାତ୍ ଭାରତ ସରକାର। ଏଇ ସରକାରଙ୍କୁ ଚଳପ୍ରଚଳ କରିବା ପାଇଁ ଥିଲା ଇଣ୍ଡିଆ କାଉନ୍‌ସିଲ ବା ଗୋଟେ ଉପଦେଷ୍ଟା ମଣ୍ଡଳୀ। ସେଇ ପରିଷଦ ଭିତରେ ଆଇନ ସଦସ୍ୟ ଭାବରେ ଥିଲା ଗୋଟେ ପ୍ରଚଣ୍ଡ ପ୍ରତିଭାର ମୁଣ୍ଡ। ଭାରତ ଇତିହାସକୁ ଓଡ଼ିଆରେ ପଢ଼ିଥିବା ବେଳେ ଯଦିଓ ଲୋକଟିକୁ ‘ମାକଲେ’ ବୋଲି ପଢ଼ିଥିଲେ, ପ୍ରକୃତରେ କୁଆଡ଼େ ସେ ଶବ୍ଦର ଉଚ୍ଚାରଣ ହେଉଛି ‘ମକଲି’।
ଦିନେ ହଠାତ୍ ଏଇ ମକଲି ସ୍ଥିର କଲେ ଯେ, ବ୍ରିଟେନର ରାଜାଙ୍କର ଚଳନ୍ତି ପ୍ରତିମା ବେଣ୍ଟିକ୍‌ଙ୍କ ଅଧୀନସ୍ଥ ‘‘ପ୍ରଜା’’ମାନେ କ’ଣ ଭାବିବେ ଓ କ’ଣ କରିବେ, ଏମିତିକି କ’ଣ ପଢ଼ିବେ ଓ କ’ଣ ଲେଖିବେ, ସେ କଥା ସେ ନିର୍ଣ୍ଣୟ କରିବେ। ମକଲି ଅତି ଛୋଟ ବୟସରୁ ପରିପକ୍ବ ଥିଲେ ଏବଂ ଏମିତି ଯୁଗାନ୍ତକାରୀ କଥା ଚିନ୍ତା କଲାବେଳକୁ କୁଆଡ଼େ ସବୁ ଗ୍ରୀକ୍, ରୋମାନ୍ ଓ ଇଂରେଜୀ ବହି ପଢ଼ି ସାରିଥିଲେ, ବିଜ୍ଞାନ, ସାହିତ୍ୟ, ସଭ୍ୟତା ଓ ସଂସ୍କୃତି ସଂପର୍କରେ। ଏ କଥା ତାଙ୍କର ଜୀବନୀକାରମାନେ ଲେଖିଛନ୍ତି।

Advertisment

Distribution of blankets to helpless elderly: ଅସହାୟଙ୍କ ମୁହଁରେ ହସ ଫୁଟେଇବାକୁ ସ୍ୱାକ୍‌ର ଛୋଟିଆ ପ୍ରୟାସ: ଗରିବ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

ମକଲି ସ୍ଥିର କଲେ, ବେଣ୍ଟିକ୍‌ଙ୍କ ସହ ‘‘ପ୍ରଜା’’ମାନଙ୍କର ଯୋଗସୂତ୍ର ସ୍ଥାପନା ପାଇଁ ଦରକାର ଗୋଟେ ଏଭଳି ସ୍ତାବକ ବର୍ଗ ଯେଉଁମାନଙ୍କର ରକ୍ତ ଓ ରଙ୍ଗ ସିନା ହେଇଥିବ ଭାରତୀୟ, କିନ୍ତୁ ରୁଚି, ବିଚାର, ବିବେକ ଓ ବୁଦ୍ଧି ହେଇଥିବ ବା ହେଇଯିବ ବିଲାତି। ତତ୍‌କାଳୀନ କାନୁନୀ ଭାଷା ମୁଖ୍ୟତଃ ଥିଲା ପାର୍ସୀ ଏବଂ ବୌଦ୍ଧିକ ଭାଷା ଭାବରେ ସଂସ୍କୃତ ଓ ଆରବୀକୁ ଗଣା ଯାଉଥିଲା। ମକଲିଙ୍କ ମତରେ ଏସବୁ ଭାଷା ଓ ଅନ୍ୟ ସମସ୍ତ ପ୍ରାନ୍ତୀୟ ଓ ଦେଶଜ ଭାଷା ସାଧାରଣ ଜ୍ଞାନୋଦୟ ପାଇଁ ବି ଠିକ୍ ନ ଥିଲା। କୁଆଡ଼େ ଗୋଟେ ୟୁରୋପୀୟ ବହି ଥାକର ଜ୍ଞାନ ସବୁତକ ଦେଶୀ ଜ୍ଞାନ ଠାରୁ ଅଧିକ ଓଜନିଆ ଓ ଓଜସ୍ବୀ ଥିଲା। ଏମିତି ବଦ୍ଧମୂଳ ଧାରଣାକୁ କାଟିବା ପାଇଁ ଅସମର୍ଥ ହେଇଥିଲେ ଉଇଲସନ ଓ ପ୍ରିନସେପ୍ ଆଦି ସେତେବେଳର ଅନେକ ପ୍ରାଚ୍ୟବାଦୀ। ବରଂ ତାଙ୍କର ଧାରଣାକୁ ଦୃଢ଼ୀଭୂତ କରେଇଥିଲେ ଅନେକ ଇଂରେଜୀବାଦୀ ଚିନ୍ତକ। ମକଲିଙ୍କ ଭିଣୋଇ ଟ୍ରେଭଲିଆନ ଥିଲେ ସେମାନଙ୍କ ମଧ୍ୟରୁ ଜଣେ। ମକଲି ପ୍ରସ୍ତୁତ କରିଥିଲେ ତାଙ୍କର ବହୁ ବିତର୍କିତ ଓ ଅପଖ୍ୟାତ ପ୍ରସ୍ତାବ, ଯାହାକୁ ‘‘ଶିକ୍ଷା ସଂପର୍କିତ ଚିଠା’’ ବୋଲି କୁହାଯାଇପାରେ। ବେଣ୍ଟିକ୍‌ ବି ତାଙ୍କୁ ଗୋଟାପଣେ ଆଦରି ନେଇଥିଲେ। ଏମିତି ବି, ଆଧୁନିକତାର ଓ ସଂସ୍କାରର ପକ୍ଷପାତୀ ବେଣ୍ଟିକ୍ ସତୀଦାହ ପ୍ରଥାର ଉଚ୍ଛେଦ ଓ ଠଗ ଦମନର ପ୍ରଚେଷ୍ଟା ପାଇଁ ଅନେକଙ୍କର ପ୍ରିୟ ହେଇ ସାରିଥିଲେ। ତେଣୁ, ମକଲିଙ୍କ ଚିଠାରେ ଥିବା ଇଂରେଜୀ ଭାଷାକୁ ଉଚ୍ଚ ଶିକ୍ଷାରେ ଅନୁପ୍ରବେଶ କରେଇବାର ଇଚ୍ଛା ବି ସହଜରେ ପୂରଣ ହେଇ ପାରିଥିଲା।
ମୁଁ ଏଇ କଥାକୁ ନିନ୍ଦା କରୁଛି। ସେତେବେଳର ପ୍ରାୟ ସତର କୋଟି ପ୍ରଜାଙ୍କ ପାଇଁ ଏଇ ମଗଜିଆ ନିର୍ଣ୍ଣୟକୁ ବୌଦ୍ଧିକ ସ୍ବେଚ୍ଛାଚାରିତା ବୋଲି କହୁଛି।
ଆମର ଅଦ୍ଭୁତ ହୀନମନ୍ୟତା ସନ୍ତର୍ପଣରେ ସତରେ କେମିତି ଗୋଟେ ଦୁର୍ବୋଧ୍ୟ ଅଥଚ ଆତ୍ମ-ପ୍ରବଞ୍ଚିତ ଆତ୍ମ-ଶ୍ଳାଘାକୁ ଗ୍ରହଣ କରିନେଇ ପାରିଲା? ମୁଁ କହୁନି, ଇ‌ଂରେଜୀ ଭାଷା ଆମର ‌େକୗଣସି ଭାଷା ଠାରୁ କମ୍ ମାନର। ମୁଁ କହୁନି ବି ଇଂରେଜୀ ସାହିତ୍ୟ ଓ ପଶ୍ଚିମୀ ସଂସ୍କୃତି ଏକବାରେ ଅନନୁକରଣୀୟ ବା ଅଗ୍ରହଣୀୟ। କେବଳ ଭାବୁଛି, କିଛି ‘‘ସରକାରୀ’’ ସୁବିଧାର ଘାସ ପକେଇ ଜଣେ ତଥାକଥିତ ରଖୁଆଳ କେମିତି ତା’ ଇଚ୍ଛାର ଚାରା ଖାଇବାକୁ ଠକି ଦେଇ ପାରିଲା। ମୁଁ ଭାବୁଛି, ଆମେ କ’ଣ ପାଇଁ ପ୍ରତାରିତ ହେଲୁ ଓ କେମିତି?

Bus Services: ୬୦ ବର୍ଷ ପ୍ରତୀକ୍ଷାର ଅନ୍ତ: ୨ ପଞ୍ଚାୟତକୁ ସ୍କୁଲବସ୍ ସେବା ଆରମ୍ଭ


ଏଇଠି ମୋ ମୁଣ୍ଡକୁ ଆସୁଛି ଟ୍ରୋଜାନ୍ ଘୋଡ଼ାର ଗପ। ଗ୍ରୀସ୍ ଦେଶର ସ୍ପାର୍ଟାର ସୁନ୍ଦରୀ ରାଣୀ ହେଲେନକୁ ଅପହରଣ କରି ନିଅନ୍ତି ଏଜିଆନ ସମୁଦ୍ର କୂଳର ରାଜ୍ୟ ଟ୍ରୟର ରାଜକୁମାର। ସେଥି ପାଇଁ ଦଶ ବର୍ଷର ଯୁଦ୍ଧ ଚ‌ାଲେ। କିନ୍ତୁ ଗ୍ରୀକ୍‌ମାନେ ଟ୍ରୟବାସୀଙ୍କୁ ଠକିବା ପାଇଁ ଗୋଟେ କାଠ ଘୋଡ଼ାର ଯୋଜନା କରନ୍ତି। ତାଙ୍କୁ ହିଁ ସତେ ଅବା ଗୋଟେ ଉପହାର ଭାବରେ ଛାଡ଼ି ସମର୍ପଣ କରୁଥିବାର ଛଳନା କରି ଯୁଦ୍ଧରୁ ବିରତ ନେଇ ଚାଲିଯିବାର ନାଟକ କରନ୍ତି। କିନ୍ତୁ, ସେଇ ଘୋଡ଼ା ଭିତରେ ଲୁଚେଇ ରଖିଥାନ୍ତି ସଶସ୍ତ୍ର ସିପାହୀଙ୍କୁ ଯେଉଁମାନେ ପରେ ନିଦ୍ରାଚ୍ଛନ୍ନ, ନିଶାସକ୍ତ ଟ୍ରୟ ଯୋଦ୍ଧାଙ୍କୁ ଅନାୟାସରେ ପରାସ୍ତ କରନ୍ତି।
ମୁଁ ଭାବେ ମୋଗଲ-ପୀଡ଼ିତ ଅସହାୟ ଭାରତୀୟଙ୍କୁ ଶାସନ ବ୍ୟବସ୍ଥାରେ ଭାଗ ନେବା ପାଇଁ ସୁଯୋଗ ଦେବା ସେଇ ଟ୍ରୋଜାନ୍ ଘୋଡ଼ା ପରି ଗୋଟେ ବ୍ରିଟେନୀ ଘୋଡ଼ା। ତା’ ଭିତରେ ଲୁଚି ରହିଥିଲେ ୟୁରୋପୀୟ ସଂସ୍କୃତି, ମନୋବୃତ୍ତି ଓ ଇଂରେଜୀ ଭାଷା ପରି କପଟୀ ଯୋଦ୍ଧା, ଯୋଉମାନେ ଭାରତୀୟ ଐତିହ୍ୟକୁ ନଷ୍ଟ କରିଦେବାରେ ସମର୍ଥିତ ହେଇ ପାରିଥିଲେ। ଭାରତ ହରେଇ ଥିଲା ନିଜର ଅସ୍ମିତା।
ପରେ ୧୮୫୮ରେ ଇଂଲାଣ୍ଡ ପ୍ରତ୍ୟକ୍ଷରେ ନିଜର ରାଜନୈତିକ ପ୍ରଭୁତା ସାବ୍ୟସ୍ତ କଲା ବେଳକୁ ଅବଶ୍ୟ ମକଲି ଭାରତରେ ନ ଥିଲେ। ବେଣ୍ଟିକ୍‌ଙ୍କର ମୃତ୍ୟୁ ଘଟି ସାରିଥିଲା ୧୮୩୯ରେ। କିନ୍ତୁ, ୧୮୩୪ରେ ସେଇ ମକଲି ଲେଖିଥିବା ଭାରତୀୟ ଦଣ୍ଡବିଧିକୁ ରାଣୀ ଭିକ୍‌ଟୋରିଆ ୧୮୬୨ରୁ ଲାଗୁ କରେଇଥିଲେ ଭାରତରେ। ଅର୍ଥାତ୍ ଜଣେ କ’ଣ କ’ଣ ଭୁଲ୍‌ କରିପାରିବ, ତା’ର ତାଲିକା ଓ ତା’ ପାଇଁ ଶାସ୍ତିର ବିଧାନ ବି କରିଥିଲେ ସେଇ ମକଲି। ପରେ, ପ୍ରାୟ ନବେ ବର୍ଷ ପରେ ଭାରତକୁ ତା’ ନିଜ ସ୍ବାତନ୍ତ୍ର୍ୟରେ ରହିବା ପାଇଁ ଛାଡ଼ି ଦେଇଥିଲେ ବି ଛାଡ଼ି ଯାଇଥିଲେ କପଟୀ ଘୋଡ଼ାକୁ।
ଏବେ ଅବଶ୍ୟ, ସେଇ ଦଣ୍ଡବିଧିକୁ ବଦଳେଇ ଦିଆ ସାରିଲାଣି। ଏବର ଭାରତ ସରକାର ୨୦୨୪ରୁ ପ୍ରଣୟନ କରି ସାରିଲେଣି ଭାରତୀୟ ନ୍ୟାୟ ସଂହିତା। ଜାତୀୟ ଶିକ୍ଷାନୀତି ବି ଘୋଷଣା କରି ସାରିଲେଣି ୨୦୨୦ରୁ। ମୁଁ କିନ୍ତୁ ଚିନ୍ତିତ, ଆମର ମାନସିକତା ସଂପର୍କରେ। ଏବକାର ଏଇ ମାନସିକତା କ’ଣ ଆଉ କେବେ ବି ବିହ୍ବଳିତ ହେବ ନାହିଁ? ପୁଣି କେବେ ବି‌ସ୍ଫାରିତ କି ବିସ୍ଫୋରିତ ହେଇ ଯିବନି ତ! ଆଉ କେବେ ପୁଣି ବିସ୍ମୟାଭିଭୂତ ହେଇ ବଦଳି ଯିବନି ତ!
ଥରେ ଥରେ ନିଜକୁ ପ୍ରଶ୍ନ କରେ, ରୁଗ୍‌ଣ ମାନସିକତାରେ ମୁମୂର୍ଷୁ କେହି ଜଣେ, ଗୋଟେ ବୌଦ୍ଧିକ ଅ‌େସ୍ତ୍ରାପଚାର ପରେ କେବଳ କିଛି ସମୟ ପାଇଁ ସୁସ୍ଥ ନ େହାଇ, କ’ଣ ଏକବାରେ ନୂଆ କରି ଜନ୍ମ ନିଏ?
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୮୯୦୨୧୯୪୯୪୯