ବର୍ତ୍ତମାନ ଚୀନ୍ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ‘ଡବ୍ଲ୍ୟୁଟିଓ’ର ଦ୍ବାରସ୍ଥ ହେବା ତାତ୍ପର୍ଯ୍ୟପୂର୍ଣ୍ଣ, କାରଣ ଆଉ ମାତ୍ର ତିନି ମାସ ମଧ୍ୟରେ ମାର୍ଚ୍ଚ ୨୦୨୬ରେ ଭାରତରେ ବଳବତ୍ତର ଥିବା ସ୍ମାର୍ଟ ଫୋନ୍ ସଂପର୍କିତ ‘ପିଏଲ୍ଆଇ’ ସ୍କିମ୍‌ର ଅବଧି ସମାପ୍ତ ହେବାକୁ ଯାଉଛି। ଭାରତ ଯେପରି ଏହାର ସଂପ୍ରସାରଣ ନ ଘଟାଏ କିମ୍ବା ନୂତନ କିଛି ପ୍ରୋତ୍ସାହନ ପ୍ରଦାନ ବ୍ୟବସ୍ଥା ନ କରେ, ତାହା ନିଶ୍ଚିତ କରିବା ହେଉଛି ଚୀନ୍‌ର ଏହି ପଦକ୍ଷେପର ଉଦ୍ଦେଶ୍ୟ।

Advertisment

Family Conflict: କୀଟନାଶକ ପିଇ ଦମ୍ପତି ମୃତ,୫ ବର୍ଷର ଶିଶୁପୁତ୍ର ଗୁରୁତର

ଚୀନାମାନଙ୍କର ବ୍ୟକ୍ତିଗତ ଓ ପାରିବାରିକ ଆଚରଣରୁ ଆରମ୍ଭ କରି ରାଷ୍ଟ୍ରନୀତି ପର୍ଯ୍ୟନ୍ତ ଏବେ ବି ଖ୍ରୀ.ପୂ. ପଞ୍ଚମ ଶତାବ୍ଦୀର ଦାର୍ଶନିକ କନ୍‌ଫୁସିଅସ୍‌ଙ୍କର ବିଜ୍ଞ ଉପଦେଶାବଳୀ ଦ୍ବାରା ବିଶେଷ ଭାବରେ ପ୍ରଭାବିତ ହୋଇଥାଏ। କନ୍‌ଫୁସିଅସ୍‌ଙ୍କର ଏହି ଉପଦେଶମାନଙ୍କ ମଧ୍ୟରୁ ଯେଉଁ ଗୋଟିଏ ‘ସ୍ବର୍ଣ୍ଣିମ ନିୟମ’ ରୂପେ ଖ୍ୟାତ, ତାହା ବାଇବ୍‌ଲରେ ଲିଖିତ ଯୀଶୁଙ୍କ ଦ୍ବାରା ପ୍ରଦତ୍ତ ସୁପରିଚିତ ‘ସ୍ବର୍ଣ୍ଣିମ ନିୟମ’ର ଏକ ଓଲଟ ସଂସ୍କରଣର ରୂପ ପରିଗ୍ରହଣ କରିଥାଏ। ଏଇ ଖ୍ରୀଷ୍ଟିଆନ୍ ‘ସ୍ବର୍ଣ୍ଣିମ ନିୟମ’ ହେଉଛି: ‘‘ତୁମେ ଅନ୍ୟମାନେ ‌ତୁମ ପ୍ରତି ଯେଉଁଭଳି ଆଚରଣ ପ୍ରଦର୍ଶନ କରିବା ଚାହୁଁଛ, ଅନ୍ୟମାନଙ୍କ ପ୍ରତି ତୁମେ ସେଇଭଳି ଆଚରଣ ପ୍ରଦର୍ଶନ କର।’’
ଯୀଶୁଙ୍କର ଏଇ ଉପଦେଶଟି ସକାରାତ୍ମକ ଶୈଳୀରେ ରଚିତ ହୋଇଥିବା ବେଳେ, ତାହାର ପାଞ୍ଚ ଶତାବ୍ଦୀ ପୂର୍ବରୁ କନ୍‌ଫୁସିଅସ୍ ସେଇ ମର୍ମରେ ଯେଉଁ ଉପଦେଶ ପ୍ରଦାନ କରିଥିଲେ, ତାହାର ରଚନାଶୈଳୀ ଥିଲା ନକାରାତ୍ମକ। କନ୍‌ଫୁସିଅସ୍‌ଙ୍କର ଏଇ ‘ସ୍ବର୍ଣ୍ଣିମ ନିୟମ’ ହେଲା: ‘‘ତୁମେ ତୁମ ପ୍ରତି ଅନ୍ୟମାନେ ଯେଉଁଭଳି ଆଚରଣ ପ୍ରଦର୍ଶନ କରିବା ଚାହୁଁ ନାହଁ, ସେମାନଙ୍କ ପ୍ରତି ତୁମେ ସେଇଭଳି ଆଚରଣ ପ୍ରଦର୍ଶନ କର ନାହିଁ।’’ ଯୀଶୁଙ୍କର ‘ସ୍ବର୍ଣ୍ଣିମ ନିୟମ’ କ’ଣ କରିବା ଉଚିତ ଉପରେ ପ୍ରତିଷ୍ଠିତ ହୋଇଥିବା ବେଳେ କନ୍‌ଫୁସିଅସ୍‌ଙ୍କର ‘ସ୍ବର୍ଣ୍ଣିମ ନିୟମ’ କ’ଣ ନ କରିବା ଉଚିତ ଉପରେ ପ୍ରତିଷ୍ଠିତ ହୋଇଥାଏ।
୨୦୦୧ରେ ଚୀନ୍ ‘ବିଶ୍ବ ବାଣିଜ୍ୟ ସଂଗଠନ’ (‘ଡବ୍ଲ୍ୟୁଟିଓ’)ର ଏକ ବିଧିବଦ୍ଧ ସଦସ୍ୟରେ ପରିଣତ ହେବା ପରଠାରୁ ସେଠାରେ ତା’ର ଏକ ନିର୍ଦ୍ଦିଷ୍ଟ ଆଚରଣରେ କନ୍‌ଫୁସିଅସ୍‌ଙ୍କର ଏଇ ‘ସ୍ବର୍ଣ୍ଣିମ ନିୟମ’ ଊଣାଅଧିକେ ପ୍ରତିଫଳିତ ହୋଇ ଆସିଥିବା ଦେଖାଯାଇଛି। ସେ ସେଠାରେ ଅନ୍ୟ ଦେଶମାନଙ୍କ ବିରୁଦ୍ଧରେ ସେମାନେ ଅନୁସରଣ କରୁଥିବା ଅର୍ଥନୈତିକ କିମ୍ବା ବାଣିଜ୍ୟିକ ନୀତିକୁ ନେଇ ବି‌େଶଷ ଅଭିଯୋଗ କରିବା ଦେଖାଯାଇ ନାହିଁ। ଏହାର କାରଣ, ଚୀନ୍ ଚାହେଁ ନାହିଁ ଯେ ଅନ୍ୟ ଦେଶମାନେ ତା’ ବିରୁଦ୍ଧରେ ମଧ୍ୟ ସେଇଭଳି ଅଭିଯୋଗ ଆଗତ କରନ୍ତୁ।

Donald Trump : ଆମେରିକା ହିଁ ପ୍ରକୃତ ଜାତିସଂଘ : ଟ୍ରମ୍ପ

ପୃଥିବୀରେ ନ୍ୟାୟୋଚିତ, ଅବାଧ ବାଣିଜ୍ୟ ପ୍ରବାହ ନିଶ୍ଚିତ କରିବା ହେଉଛି ‘ଡବ୍ଲ୍ୟୁଟିଓ’ର ମୌଳିକ ଲକ୍ଷ୍ୟ। କୌଣସି ଦେଶର ସରକାର ଯଦି ନିଜ ଦେଶର ଶିଳ୍ପବାଣିଜ୍ୟ ସଂସ୍ଥା କିମ୍ବା କୃଷି ଉତ୍ପାଦନକାରୀମାନଙ୍କୁ ଅତ୍ୟଧିକ ସହାୟତା ପ୍ରଦାନ କରି ସେମାନଙ୍କର ରପ୍ତାନି ପ୍ରତିଯୋଗିତା କ୍ଷମତାରେ ଉନ୍ନତି ସାଧନ କରନ୍ତି, ତାହା ଏଇ ସଂଗଠନର ମୌଳିକ ନିୟମ ଉଲ୍ଲଂଘନ ରୂପେ ବିବେଚିତ ହୋଇଥାଏ ଏବଂ ଅନ୍ୟ ସଦସ୍ୟ ଦେଶମାନେ ତା’ ବିରୁଦ୍ଧରେ ଅଭିଯୋଗ ଆଣିଥାନ୍ତି। ଚୀନ୍ ଏବେ ଯେଉଁ ଚମକପ୍ରଦ ଅର୍ଥନୈତିକ ପ୍ରଗତି ହାସଲ କରିବାରେ ସମର୍ଥ ହୋଇଛି, ତାହା ଅନେକାଂଶରେ ଏଇଭଳି ବିଭିନ୍ନ ସରକାରୀ ସହାୟତା ପ୍ରଦାନ ଦ୍ବାରା ସମ୍ଭବ ହୋଇଛି, ଯେଉଁଥିରେ ସବ୍‌ସିଡି ପ୍ରଦାନରୁ, ଅଗ୍ରାଧିକାର ଭିତ୍ତିରେ ଭୂମି ଆବଣ୍ଟନ, ଶକ୍ତି ସଂଯୋଗ ପ୍ରଦାନ ଓ ରପ୍ତାନି ସଂପର୍କିତ ସହାୟତା ପ୍ରଦାନ ଆଦି ଅନ୍ତର୍ଭୁକ୍ତ। ଚୀନ୍ ଚାହେଁନା ଅନ୍ୟ ଦେଶମାନେ ଏହାକୁ କେନ୍ଦ୍ର କରି ‘ଡବ୍ଲ୍ୟୁଟିଓ’ରେ ତା’ ବିରୁଦ୍ଧରେ ଅଭିଯୋଗ ଦାଖଲ କରନ୍ତୁ; ତେଣୁ ସେ ମଧ୍ୟ ସେମାନଙ୍କର ଏଭଳି କୌଣସି ଆଚରଣ ବିରୁଦ୍ଧରେ ସାଧାରଣତଃ ସେଠାରେ ଅଭିଯୋଗ ଆଣି ନ ଥାଏ।
ଏବେ ତେଣୁ ଚୀନ୍ ତା’ର ସେଇ ପାରମ୍ପରିକ କନ୍‌ଫୁସୀୟ ଆଦର୍ଶ ଆଚରଣବିଧିର ଉଲ୍ଲଂଘନ କରି ବିଗତ କେତେ ମାସ ମଧ୍ୟରେ ‘ଡବ୍ଲ୍ୟୁଟିଓ’ରେ ଭାରତ ବିରୁଦ୍ଧରେ ବିଭିନ୍ନ ଅଭିଯୋଗମାନ ଆଗତ କରିବା ପର୍ଯ୍ୟବେକ୍ଷକମାନଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଦେଇଛି। ଆମ ଦେଶ ଭିତରେ ଶିଳ୍ପ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତ ସରକାର କାର୍ଯ୍ୟକାରୀ କରିଥିବା ‘ପ୍ରଡକ୍‌ସନ୍-ଲିଙ୍କ୍‌ଡ ଇନ୍‌ସେଣ୍ଟିଭ୍’ (‘ପିଏଲ୍ଆଇ’) ସ୍କିମ୍ ଓ କେତେକ ଆମଦାନି ଉପରେ ଭାରତ ଲାଗୁ କରୁଥିବା ଟାରିଫ୍ ଆଦି ଚୀନ୍‌ର ଏଇ ଅଭିଯୋଗ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଦେଖାଯାଏ। ଉଦାହରଣ ସ୍ବରୂପ ଅକ୍‌ଟୋବରରେ ଆଗତ ହୋଇଥିବା ଏକ ଅଭିଯୋଗରେ ଚୀନ୍ ଏଠାରେ ଇଲେକ୍ଟ୍ରିକ୍ ଗାଡ଼ି (‘ଇଭି’), ଉନ୍ନତ କେମିଷ୍ଟ୍ରି ସେଲ୍, ଓ ମଟରଗାଡ଼ି ଯନ୍ତ୍ରାଂଶ ନିର୍ମାଣ ପାଇଁ ପ୍ରଦାନ କରାଯାଉଥିବା ପ୍ରୋତ୍ସାହନକୁ ନିଶାଣ କରିଥିଲା। ଚଳିତ ମାସରେ ସେ ଦାଖଲ କରିଥିବା ଆଉ ଏକ ଅଭିଯୋଗରେ ସୂଚନା ଓ ଯୋଗାଯୋଗ ପ୍ରବିଧି (ଇନ୍‌ଫର୍ମେସନ୍ ଆଣ୍ଡ୍ କମ୍ୟୁନିକେସନ୍ ଟେକ୍‌ନୋଲୋଜି) ସଂପର୍କିତ ଦ୍ରବ୍ୟମାନଙ୍କର ଆମଦାନି ଉପରେ ଭାରତ ଲାଗୁ କରୁଥିବା ଟାରିଫ୍ ଏବଂ ସୌରଶକ୍ତି କ୍ଷେତ୍ରରେ ବ୍ୟବହୃତ ହେବା ପାଇଁ ‘ସୋଲାର୍ ‌ଫଟୋ ଭୋଲ୍‌ଟାଇକ୍ ସେଲ୍’ ଉତ୍ପାଦନ ଲାଗି ପ୍ରଦାନ କରାଯାଉଥିବା ସବ୍‌ସିଡିକୁ ଚୀନ୍ ପ୍ରବଳ ବିରୋଧ କରିବା ଦେଖାଯାଇଛି। ଭାରତ ୨୦୧୮ରେ ମୋବାଇଲ୍ ଫୋନ୍ ଆମଦାନି ପ୍ରତି ଲାଗୁ କରିଥିବା ଟାରିଫ୍ ବିରୁଦ୍ଧରେ ଚୀନ୍ ଆଣିଥିବା ଯେଉଁ ଏକ ଅଭିଯୋଗ ବିଚାରାଧୀନ ଅବସ୍ଥାରେ ରହିଛି, ତାହାର ମଧ୍ୟ ତୁରନ୍ତ ବିଚାର କରାଯିବା ନିମିତ୍ତ ଚୀନ୍ ଏବେ ପୁନଃଆବେଦନ କରିଛି। ଔପଚାରିକ ଭାବରେ ଭାରତ ଟାରିଫ୍‌ର ପୂର୍ବ ନିର୍ଦ୍ଧାରିତ ସର୍ବୋଚ୍ଚ ସୀମା ଉଲ୍ଲଂଘନ କରିଛି ଏବଂ ଆମଦାନି ପ୍ରତିସ୍ଥାପନ ପାଇଁ ଉଦ୍ଦିଷ୍ଟ ସବ୍‌ସିଡି ପ୍ରଦାନ ପ୍ରତି ଲାଗୁ ହୋଇଥିବା ନିଷେଧାଦେଶର ଉଲ୍ଲଂଘନ କରିଛି ବୋଲି ଚୀନ୍ ଅଭିଯୋଗ କରିଛି।
ଚୀନ୍ ପାରମ୍ପରିକ କନ୍‌ଫୁସିଅସ୍ ନିର୍ଦ୍ଦେଶିତ ପଥ ପରିତ୍ୟାଗ କରି ଭାରତ ବିରୁଦ୍ଧରେ ଏଭଳି ଅଭିଯୋଗ ଆଗତ କରିବା ଆନ୍ତର୍ଜାତିକ ଅର୍ଥନୀତି ପାଇଁ ଏକ ଗଭୀରତର ତାତ୍ପର୍ଯ୍ୟ ବହନ କରିଥାଏ। ନିର୍ଦ୍ଦିଷ୍ଟ ଭାବରେ କହିଲେ ଆନ୍ତର୍ଜାତିକ ମାନୁଫାକ୍‌ଚରିଙ୍ଗ୍ ଅର୍ଥନୀତି ପାଇଁ। ଏ ପର୍ଯ୍ୟନ୍ତ ସାରା ପୃଥିବୀର କାରଖାନା ରୂପେ ଏକାଧିପତ୍ୟ ଉପଭୋଗ କରି ଆସିଥିବା ଚୀନ୍ ଏଥର ବୋଧହୁଏ ଏ କ୍ଷେତ୍ରରେ ଭାରତ ତା’ର ଏକ ପ୍ରତିଦ୍ବନ୍ଦ୍ବୀ ରୂପେ ଆବିର୍ଭୂତ ହେବାର ସମ୍ଭାବନାକୁ ଗୁରୁତ୍ବର ସହିତ ବିଚାର କରିବାକୁ ଆରମ୍ଭ କରିଛି।
ଯେଉଁ କ୍ଷେତ୍ର ଚୀନ୍‌ର ଏହି ଅଣପାରମ୍ପରିକ ପ୍ରତିକ୍ରିୟାର କେନ୍ଦ୍ରସ୍ଥଳରେ ରହିଛି, ତାହା ଅବଶ୍ୟ ହେଉଛି ଇଲେକ୍ଟ୍ରୋନିକ୍‌ସ ମାନୁଫାକ୍‌ଚରିଙ୍ଗ୍। ବିଗତ ପ୍ରାୟ ତିନି ଦଶନ୍ଧି ଧରି ଏଇ କ୍ଷେତ୍ର ପ୍ରାୟ ପୂରାପୂରି ଚୀନ୍‌ର ଦଖଲରେ ରହି ଆସିଛି। ଏବେ ଭାରତର ‘ପିଏଲ୍ଆଇ’-ପରିପୁଷ୍ଟ ଇଲେକ୍ଟ୍ରୋନିକ୍‌ସ ଉତ୍ପାଦନର ବିଶାଳ ଆକାର ଚୀନ୍‌ର ଏହି ଆଧିପତ୍ୟ ପାଇଁ ଏକ ଗୁରୁତର ଆହ୍ବାନ ସୃଷ୍ଟି କରିବା ଆରମ୍ଭ କରିଛି। ଉଦାହରଣ ସ୍ବରୂପ ୨୦୧୫ ବିତ୍ତ ବର୍ଷରେ ଭାରତରେ ସ୍ମାର୍ଟ ଫୋନ୍ ଉତ୍ପାଦନ ମାତ୍ର ୩ ବିଲିଅନ୍ ଡଲାର୍ ମଧ୍ୟରେ ସୀମିତ ଥିବାବେଳେ ଚଳିତ ୨୦୨୬ ବିତ୍ତ ବର୍ଷରେ ତାହା ୭୧ ବିଲିଅନ୍ ଡଲାର୍ ଛୁଇଁବାକୁ ଯାଉଛି ବୋଲି ଆକଳନ କରାଯାଇଛି। ଭାରତ ୨୦୧୬ରେ ମାତ୍ର ୨ ବିଲିଅନ୍ ଡଲାର୍ ମୂଲ୍ୟର ମୋବାଇଲ୍ ଫୋନ୍ ରପ୍ତାନି କରିଥିବା ବେଳେ, ତାହା ଏବେ ୨୮ ବିଲିଅନ୍ ଡଲାର୍‌ରେ ପହଞ୍ଚି ସାରିଲାଣି। ଦଶ ବର୍ଷ ତଳେ ଭାରତରେ ବ୍ୟବହୃତ ମୋବାଇଲ୍ ଫୋନ୍‌ମାନଙ୍କର ୮୦ ଶତାଂଶ ଚୀନ୍‌ରୁ ଆମଦାନି ହେଉଥିଲା; ଭାରତ ବର୍ତ୍ତମାନ ଏଥିରେ ପ୍ରାୟ ସଂପୂର୍ଣ୍ଣ ସ୍ବାବଲମ୍ବୀ ହୋଇ ସାରିଲାଣି।
ଜଣାଶୁଣା ଭାବରେ ଏହାର କେନ୍ଦ୍ରରେ ରହିଛି- ‘ଆପ୍‌ଲ’। ଯାହା ଚୀନ୍‌କୁ ଶେଳବିଦ୍ଧ କରୁଥିବ, ତାହା ହେଲା ଏକଦା ଚୀନ୍‌ରେ ତା’ର ଶତପ୍ରତିଶତ ‘ଆଇଫୋନ୍’ ଉତ୍ପାଦନ ସଂଘଟିତ ‌କରୁଥିବା ‘ଆପ୍‌ଲ’ ଏବେ କ୍ରମେ ତା’ର ଏକ ବିଶେଷ ଅଂଶ ଭାରତକୁ ସ୍ଥାନାନ୍ତରିତ କରିସାରିଲାଣି ଏବଂ ଏଇ ପ୍ରକ୍ରିୟା ଅବ୍ୟାହତ ରହିଛି। ଚୀନ୍ ପରୋକ୍ଷ ଭାବରେ ଏହାକୁ କିପରି ପ୍ରତିହତ କରିବାକୁ ଚେଷ୍ଟା କରିଛି, ତାହା ଆମେ ଦେଖିଛୁ- ଇଞ୍ଜିନିଅର୍ ପ୍ରତ୍ୟାହାରରୁ ବିରଳ ମୃତ୍ତିକା ରପ୍ତାନି ନିଷେଧ ପର୍ଯ୍ୟନ୍ତ। ବର୍ତ୍ତମାନ ଚୀନ୍ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ‘ଡବ୍ଲ୍ୟୁଟିଓ’ର ଦ୍ବାରସ୍ଥ ହେବା ତାତ୍ପର୍ଯ୍ୟପୂର୍ଣ୍ଣ, କାରଣ ଆଉ ମାତ୍ର ତିନି ମାସ ମଧ୍ୟରେ ମାର୍ଚ୍ଚ ୨୦୨୬ରେ ଭାରତରେ ବଳବତ୍ତର ଥିବା ସ୍ମାର୍ଟ ଫୋନ୍ ସଂପର୍କିତ ‘ପିଏଲ୍ଆଇ’ ସ୍କିମ୍‌ର ଅବଧି ସମାପ୍ତ ହେବାକୁ ଯାଉଛି। ଭାରତ ଯେପରି ଏହାର ସଂପ୍ରସାରଣ ନ ଘଟାଏ କିମ୍ବା ନୂତନ କିଛି ପ୍ରୋତ୍ସାହନ ପ୍ରଦାନ ବ୍ୟବସ୍ଥା ନ କରେ, ତାହା ନିଶ୍ଚିତ କରିବା ହେଉଛି ଚୀନ୍‌ର ଏହି ପଦକ୍ଷେପର ଉଦ୍ଦେଶ୍ୟ।
ଚୀନର ଏଭଳି ପଦକ୍ଷେପ କିନ୍ତୁ ସ୍ପଷ୍ଟ ରୂପେ କନ୍‌ଫୁସିଅସ୍‌ଙ୍କର ଉପରୋକ୍ତ ‘ସ୍ବର୍ଣ୍ଣିମ ନିୟମ’ର ଉଲ୍ଲଂଘନ କରିଥାଏ। ଯଦି କନ୍‌ଫୁସିଅସ୍‌ ବଞ୍ଚିଥାନ୍ତେ, ଏଥିପାଇଁ ଦାୟୀ ଚୀନ୍‌ର ନେତା ସି ଜିନ୍‌ପିଙ୍ଗ୍‌ଙ୍କୁ ସେ ଛାଟ ମାରି ବାଟକୁ ଆଣନ୍ତେ। ଭାରତ କିନ୍ତୁ କନ୍‌ଫୁସିଅସ୍‌ଙ୍କର ଏହି ଅବାଧ୍ୟ ସନ୍ତାନର ଏଇ ଚାଲ୍ ଦ୍ବାରା ପରାସ୍ତ ନ ହୋଇ ସେଇ କନ୍‌ଫୁସିଅସ୍‌ଙ୍କୁ ଅନୁସରଣ କରି ତ‌ାଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଚୀନ୍ ବିରୁଦ୍ଧରେ ‘ଡବ୍ଲ୍ୟୁଟିଓ’ରେ ପ୍ରତିଅଭିଯୋଗମାନ କରିବା ସହିତ ନିଜର ଆତ୍ମନିର୍ଭରତା ଓ ବିକାଶ ଲକ୍ଷ୍ୟ ହାସଲ ନିମିତ୍ତ ପ୍ରୋତ୍ସାହନ ପ୍ରଦାନ ବ୍ୟବସ୍ଥାକୁ କଳେ ବଳେ କୌଶଳେ ଅବ୍ୟାହତ ରଖିବା ଜରୁରି।