ଭାରତରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଥିବା ପ୍ରକୃତ ସମସ୍ୟାମାନ ହେଲେ ବିଶେଷଜ୍ଞମାନଙ୍କର ଅଭାବ, ଖାଲି ପଡ଼ିଥିବା ସିଟ୍, ଆଞ୍ଚଳିକ ବୈଷମ୍ୟ ଆଦି। ଉପଯୁକ୍ତ ପ୍ରାର୍ଥୀ ପ୍ରସ୍ତୁତ ନ କରି ଯୋଗ୍ୟତା ମାନଦଣ୍ଡରେ ହ୍ରାସ ଘଟାଇ ଛଣାର କଣାଗୁଡ଼ିକୁ ବଡ଼ କରିଦେବା ହେଉଛି ଏଇ ସମସ୍ତ ସମସ୍ୟାର ମିଛିମିଛିକା ସମାଧାନର ସହଜ ଉପାୟ।

Advertisment

ଯେଉଁ ନୈତିକ ନିୟମ ଚିକିତ୍ସା ବୃତ୍ତିର ମୂଳାଧାର ରୂପେ ବିବେଚିତ ହୋଇଥାଏ, ଲାଟିନ୍‌ରେ ତାହା ହେଉଛି: ‘ପ୍ରିମମ୍ ନନ୍ ନୋକେରେ’, ଯାହାର ଅର୍ଥ ହେଉଛି: ‘ପ୍ରଥମେ, କୌଣସି କ୍ଷତି କର ନାହିଁ’। ଏହି ନିୟମ ଅନୁସାରେ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀମାନେ ଯାହାକୁ ସର୍ବାଗ୍ରେ ପ୍ରାଥମିକତା ପ୍ରଦାନ କରିଥାନ୍ତି, ତାହା ହେଉଛି ରୋଗୀର ନିରାପତ୍ତା। ଚିକିତ୍ସକ ଯେଉଁ ପଦକ୍ଷେପ ନେବା ଦ୍ବାରା ରୋଗୀର ଲାଭ ଅପେକ୍ଷା କ୍ଷତି ଅଧିକ ହେବାର ସମ୍ଭାବନା ଥାଏ, ଏହି ନିୟମ ତାଙ୍କୁ ସେଭଳି ପଦକ୍ଷେପ ନେବାକୁ ବାରଣ କରିଥାଏ। ଜଣେ ନୀତିବାନ ଚିକିତ୍ସକ ନିଜର ବୃତ୍ତିରେ ନିୟୋଜିତ ଥିବାବେଳେ ସର୍ବଦା ଏଇ ନୀତି ଅନୁପାଳନ କରି ରୋଗୀର କ୍ଷତି ସାଧନ ସମ୍ଭାବନା ପ୍ରତି ନିରନ୍ତର ସତର୍କ ରହିଥାନ୍ତି, ଯେପରି ତା’ର ଚିକିତ୍ସା ସମ୍ବନ୍ଧରେ ଭଲ ଉଦ୍ଦେଶ୍ୟରେ ନିଆଯାଇଥିବା କୌଣସି ନିଷ୍ପତ୍ତି ମଧ୍ୟ ରୋଗୀ ପାଇଁ ଭଲ ଅପେକ୍ଷା ଅଧିକ ମନ୍ଦ ଫଳାଫଳ ସୃଷ୍ଟି ନ କରେ।

Fish Death: ଖଡଖାଇ ନଦୀରେ କଇଁଛ, ମାଛ ମଡ଼କ

ମନେ ହେଉଛି ଆମ ଦେଶରେ ଡାକ୍ତରମାନେ ଏଇ ନୈତିକ ଆଦର୍ଶ ଦ୍ବାରା ପରିଚାଳିତ ହେଉଥିବା ବେଳେ ଏକ ବିପଜ୍ଜନକ ବିଡ଼ମ୍ବନା ଭଳି ଯିଏ ଏବେ ଏହାର ନଗ୍ନ ଉଲ୍ଲଂଘନ କରିବା ଦେଖାଯାଇଛି, ସିଏ ହେଉଛି ଡାକ୍ତରୀ ଶିକ୍ଷା ପାଇଁ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ ଦାୟିତ୍ବ ନିର୍ବାହ କରୁଥିବା ସଂସ୍ଥା ‘ନେସନାଲ୍ ବୋର୍ଡ ଅଫ୍ ଏଗ୍‌ଜାମିନେସନ୍‌ସ ଇନ୍ ମେଡିକାଲ୍ ସାଇନ୍‌ସେସ୍’ (‘ଏନ୍‌ବିଇ’)। ସଂକ୍ଷେପରେ କହିଲେ, ଜଣେ ରୋଗୀର ଯାହା ସର୍ବାଧିକ କ୍ଷତି ସାଧନ କରିପାରେ, ତାହା ହେଉଛି ସେ ଜଣେ ଅଦକ୍ଷ ବା ଅଯୋଗ୍ୟ ଡାକ୍ତରଙ୍କ ଦ୍ବାରା ଚିକିତ୍ସିତ ହେବା; ଆଉ ଏବେ ଏଇ ବୋର୍ଡ ନେଇଥିବା ଏକ ନିଷ୍ପତ୍ତି ଅନୁସାରେ ବର୍ତ୍ତମାନ ହଜାର ହଜାର ଅଯୋଗ୍ୟ ପ୍ରାର୍ଥୀ ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷା ଲାଭ କରିବା ପାଇଁ ଦେଶର ବିଭିନ୍ନ ମେଡିକାଲ୍ କଲେଜମାନଙ୍କରେ ପ୍ରବେଶ କରିବେ।
ଉକ୍ତ ବୋର୍ଡ ଦ୍ବାରା ଅନୁଷ୍ଠିତ ହେଉଥିବା ‘ନେସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍‌ସ ଟେଷ୍ଟ-ପିଜି’ (‘ନିଟ୍-ପିଜି’) ମାଧ୍ୟମରେ ଦେଶରେ ଥିବା ମେଡିକାଲ୍ କଲେଜମାନଙ୍କରେ ପୋଷ୍ଟ ଗ୍ରାଜୁଏଟ୍ ଡାକ୍ତରୀ ଶିକ୍ଷା ଲାଭ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କର ଚୟନ କରାଯାଇଥାଏ। ଏଥର ଏଥିପାଇଁ କାଉନ୍‌ସେଲିଙ୍ଗ ପ୍ରକ୍ରିୟା ପ୍ରାୟ ଅଧା ହେବା ବେଳକୁ ଜଣାପଡ଼ିଲା ଯେ ଦେଶରେ ଉପଲବ୍‌ଧ ମୋଟ ପ୍ରାୟ ୬୮,୦୦୦ ପିଜି ମେଡିକାଲ୍ ସିଟ୍ ମଧ୍ୟରୁ ପ୍ରାୟ ୧୮,୦୦୦ଟି ସିଟ୍ ଉପଯୁକ୍ତ ପ୍ରାର୍ଥୀ ଅଭାବରୁ ପୂରଣ ନ ହୋଇ ଖାଲି ପଡ଼ିବାକୁ ଯାଉଛି। ଏଭଳି ସମ୍ଭାବନାକୁ ଟାଳିବା ପାଇଁ କେନ୍ଦ୍ର ସରକାରଙ୍କର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯେଉଁ ସହଜ ଉପାୟ ଉଦ୍ଭାବନ କରିଛି, ତାହା ହେଲା- ‘ନିଟ୍-ପିଜି’ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ନିମିତ୍ତ ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ମାନରେ ହ୍ରାସ ଘଟାଇ ଦେବା। ସରକାରଙ୍କର ନିର୍ଦ୍ଦେଶରେ ‘ଏନ୍‌ବିଇ’ ଏବେ ତାହା ହିଁ କରିଛି।
ସରକାର ତଥା ‘ଏନ୍‌ବିଇ’ର ଏଇ ନିଷ୍ପତ୍ତି କିପରି ସଂପୂର୍ଣ୍ଣ ଉଦ୍ଭଟ, ଅବାଞ୍ଛନୀୟ ଓ ବିପଜ୍ଜନକ ଫଳାଫଳ ସୃଷ୍ଟି କରିବାକୁ ଯାଉଛି, ଦେଖାଯାଉ। ସର୍ବନିମ୍ନ ଯୋଗ୍ୟତା ମାନରେ ହ୍ରାସ ଘଟାଇ ଦିଆଯିବା ପରେ ଯେଉଁ ‘ଏସ୍‌ସି’, ‘ଏସ୍‌ଟି’ ଓ ‘ଓବିସି’ ଶ୍ରେଣୀର ପ୍ରାର୍ଥୀମାନେ ‘ନିଟ୍-ପିଜି’ ପରୀକ୍ଷା ଫଳର ମାନ୍ୟତା ତାଲିକାରେ ଜିରୋ ପର୍ସେଣ୍ଟାଇଲ୍ ସ୍ଥାନରେ ରହିଥିଲେ - ଅର୍ଥାତ୍ ସବା ତଳ ପାହାଚରେ - ସେମାନେ ବର୍ତ୍ତମାନ ପୋଷ୍ଟ ଗ୍ରାଜୁଏଟ୍ ଡାକ୍ତରୀ ଶିକ୍ଷା ଲାଭ କରି ବିଶେଷଜ୍ଞ ଡାକ୍ତର ବୋଲାଇବାକୁ ଯୋଗ୍ୟ ବିବେଚିତ ହେବେ। ଅବିଶ୍ବାସ୍ୟ ଭାବରେ ମୂଳରୁ ଧାର୍ଯ୍ୟ କରାଯାଇଥିବା ‘ନିଟ୍-ପିଜି’ କଟ୍-ଅଫ୍ ସ୍କୋର୍ ୨୩୫ ହୋଇଥିବା ବେଳେ ଏଇ ପ୍ରାର୍ଥୀମାନଙ୍କ ପାଇଁ ତାହା (-)୪୦କୁ ଖସି ଆସିଥାଏ। ଅନୁରୂପ ଭାବରେ ଜେନେରାଲ୍ କାଟିଗରି ସମେତ ଅନ୍ୟ ସମସ୍ତ ଶ୍ରେଣୀର ପୂର୍ବରୁ ଅଯୋଗ୍ୟ ବିବେଚିତ ଅନେକ ପ୍ରାର୍ଥୀ ବର୍ତ୍ତମାନର ହୁଗୁଳା ମାନଦଣ୍ଡ ଅନୁସାରେ ଯୋଗ୍ୟ ବିବେଚିତ ହେବେ। ଭବିଷ୍ୟତରେ ଯେଉଁ ରୋଗୀମାନେ ଏଇ ‘ବିଶେଷଜ୍ଞ’ ଡାକ୍ତରମାନଙ୍କ ଦ୍ବାରା ଚିକିତ୍ସିତ ହେବେ, ସେମାନଙ୍କ ଜୀବନ ଯେ ବିପଦାପନ୍ନ ହେବ, ଏଥିରେ କୌଣସି ସନ୍ଦେହ ନାହିଁ।
ଏଠାରେ ସ୍ବାଭାବିକ ଭାବରେ ଯେଉଁ ପ୍ରଶ୍ନ ଉଙ୍କି ମାରିଥାଏ, ତାହା ହେଲା- ‌ସରକାର ଏଭଳି ଏକ ଜନସ୍ବାର୍ଥବିରୋଧୀ ନିଷ୍ପତ୍ତି ନେଲେ କାହିଁକି? ଏଠାରେ ଯାହା ଏକ ସନ୍ଦେହର କୁହେଳି ସୃଷ୍ଟି କରିଥାଏ, ତାହା ହେଲା ଉପରୋକ୍ତ ଖାଲି ପଡ଼ିବାର ସମ୍ଭାବନା ଥିବା ଅନେକ ସିଟ୍ ହେଉଛି ଘରୋଇ ମେଡିକାଲ୍ କଲେଜମାନଙ୍କରେ ଥିବା ସିଟ୍। ଜଣାଶୁଣା ଭାବରେ ଏଇ ସିଟ୍‌ଗୁଡ଼ିକ ହେଉଛନ୍ତି ଅତ୍ୟନ୍ତ ବ୍ୟୟବହୁଳ ଏବଂ ସେଗୁଡ଼ିକ ଭର୍ତ୍ତି ନ ହେଲେ ସଂପୃକ୍ତ କଲେଜମାନଙ୍କ‌ର ଘୋର ଆର୍ଥିକ କ୍ଷତି ଘଟିବ। ସେମାନେ ତେଣୁ ସରକାରୀ ନୀତିକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବାର ଦୃଢ଼ ସମ୍ଭାବନା ରହିଛି। କାରଣ ଯାହା ହୋଇଥାଉନା କାହିଁକି, ନାଗରିକମାନଙ୍କର ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ମୌଳିକ ଆବଶ୍ୟକତା ରୂପେ ବିବେଚିତ ସ୍ବାସ୍ଥ୍ୟ ସେବାର ମାନରେ ହ୍ରାସ ଘଟାଇବାର କ୍ଷମତା ବହନ କରୁଥିବା ଏଭଳି ଏକ ନିଷ୍ପତ୍ତି ନେବା ଉଭୟ ସରକାର ଓ ‘ଏନ୍‌ବିଇ’ ପକ୍ଷରେ ଏକ ସମ୍ବେଦନାହୀନ ଅବିମୃଶ୍ୟକାରିତା ବୋଲି କହିଲେ ଯଥେଷ୍ଟ ହେବ ନାହିଁ।
ଯେଉଁ ଉଦ୍ଦେଶ୍ୟରେ ‘ନିଟ୍-ପିଜି’ର ପରିକଳ୍ପନା କରାଯାଇଥିଲା, ତାହା ହେଲା ଏହା ଏକ ମେଧା ଛଣା ରୂପେ କାର୍ଯ୍ୟ କରିବ, ଧାନରୁ ଅଗାଡ଼ିକୁ ଅଲଗା କରିଦେବ। ଏହାଦ୍ବାରା ଛାଣି ହୋଇ ଆସିଥିବା ଡାକ୍ତରମାନେ ସ୍ବାଭାବିକ ଭାବରେ ସମାଜର ବିଶ୍ବାସ ଭାଜନ ହୋଇଥାନ୍ତି। ବର୍ତ୍ତମାନ ସେଇ ଛଣାର କଣା ବଡ଼ କରିଦେବାକୁ ନିଷ୍ପତ୍ତି ନେଇ ସରକାର ସମାଜର ସେଇ ବିଶ୍ବାସ ଉପରେ କୁଠାରାଘାତ କରିଛନ୍ତି। ହୁଏତ ଅର୍ଥଶାସ୍ତ୍ରର ଛାତ୍ରମାନେ ଏଠାରେ ଆଉ ଏକ ଭିନ୍ନ ନିୟମ କାର୍ଯ୍ୟ କରୁଥିବା ଆବିଷ୍କାର କରୁଥାଇ ପାରନ୍ତି। ସେମାନଙ୍କ ଶାସ୍ତ୍ରର ଏକ ପ୍ରାଥମିକ ନିୟମର ନାମ ହେଉଛି- ‘କ୍ରମହାସମାନ ସୀମାନ୍ତ ଉପଯୋଗିତା’। କୌଣସି ଦ୍ରବ୍ୟର ପରିମାଣରେ ବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ତା’ର ଅତିରିକ୍ତ ଉପଯୋଗିତାରେ ହ୍ରାସ ଘଟିବାକୁ ଲାଗେ। ଭାରତର ଜନସଂଖ୍ୟା ହେଉଛି ବର୍ତ୍ତମାନ ପୃଥିବୀରେ ସର୍ବବୃହତ୍। ତେଣୁ ଏଇ ନିୟମ ଅନୁସାରେ ସରକାରଙ୍କ ଦୃଷ୍ଟିରେ ଜଣେ ନାଗରିକର ଜୀବନର ମୂଲ୍ୟବୋଧ ହୁଏତ ହ୍ରାସ ପାଇ ପାଇ ଏପରି ତୁଚ୍ଛ ହୋଇଯାଇଛି ଯେ ତାକୁ ଉଚ୍ଚମାନର ସ୍ବାସ୍ଥ୍ୟ ସେବା ଯୋଗାଇବା ଦରକାର ନାହିଁ ବୋଲି ସରକାର ବିଚାର କରୁଛନ୍ତି।

Bhadrak Politics: ମୁକ୍ତି-ମଞ୍ଜୁଙ୍କ ବିଜେପିରେ ମିଶ୍ରଣ ରାସ୍ତାରେ କିଏ ସାଜିଛି କଣ୍ଟା?

ଯଦି କେବଳ ବିଶୁଦ୍ଧ ନୀତି ନିର୍ଦ୍ଧାରଣ ଦୃଷ୍ଟିକୋଣରୁ ଦେଖାଯାଏ, ତେବେ ଏହା ଚିରାଚରିତ ସରକାରୀ କାମଚଳା ବ୍ୟବସ୍ଥାର ଏକ ଉଦାହରଣ ରୂପେ ପ୍ରତୀୟମାନ ହୋଇଥାଏ। ଏଭଳି ପ୍ରଶାସନିକ ବ୍ୟବସ୍ଥାରେ ରୋଗର କାରଣର ଚିକିତ୍ସା ପରିବର୍ତ୍ତେ ତା’ର ଲକ୍ଷଣର ଚିକିତ୍ସା କରାଯାଇଥାଏ। ଭାରତରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଥିବା ପ୍ରକୃତ ସମସ୍ୟାମାନ ହେଲେ ବିଶେଷଜ୍ଞମାନଙ୍କର ଅଭାବ, ଖାଲି ପଡ଼ିଥିବା ସିଟ୍, ଆଞ୍ଚଳିକ ବୈଷମ୍ୟ ଆଦି। ଉପଯୁକ୍ତ ପ୍ରାର୍ଥୀ ପ୍ରସ୍ତୁତ ନ କରି ଯୋଗ୍ୟତା ମାନଦଣ୍ଡରେ ହ୍ରାସ ଘଟାଇ ଛଣାର କଣାଗୁଡ଼ିକୁ ବଡ଼ କରିଦେବା ହେଉଛି ଏଇ ସମସ୍ତ ସମସ୍ୟାର ମିଛିମିଛିକା ସମାଧାନର ସହଜ ଉପାୟ।
ଏହା ଅନ୍ୟ ଯେଉଁ ଏକ ଗୁରୁତର ଚିନ୍ତାକୁ ଜନ୍ମ ଦେଇଥାଏ, ତାହା ହେଲା, ଆମର ମେଡିକାଲ୍ କଲେଜମାନଙ୍କରୁ ଶିକ୍ଷା ଲାଭ କରି ଉତ୍ତୀର୍ଣ୍ଣ ହୋଇଥିବା ‘ଏମ୍‌ବିବିଏସ୍’ ଡିଗ୍ରିଧାରୀ ଯୁବ ଡାକ୍ତରମାନେ ‘ନିଟ୍-ପିଜି’ ପରୀକ୍ଷାରେ ଏତେ ସଂଖ୍ୟାରେ ଅକୃତକାର୍ଯ୍ୟ ହେଉଛନ୍ତି କାହିଁକି? ଯେଉଁ ବୃତ୍ତି ନିଜର ମାନ ରକ୍ଷା କରିବାରେ ବିଫଳ ହୁଏ, ସେଠାରେ ବାହ୍ୟ ହସ୍ତକ୍ଷେପର ଅନୁପ୍ରବେଶ ଘଟିଥାଏ, ଯାହା ଯୋଗୁଁ ସେ ବୃତ୍ତି ଜନସାଧାରଣଙ୍କ ମଧ୍ୟରେ ନିଜର ବିଶ୍ବସନୀୟତା ହରାଇଥାଏ। ଡାକ୍ତରମାନେ ଭଲ ରୂପେ ଜାଣିଥାନ୍ତି ଯେ ରୋଗୀର ଚିକିତ୍ସାରେ ସର୍ଟକଟ୍ ପଦ୍ଧତି ଅବଲମ୍ବନ ସର୍ବଦା ତା’ ପାଇଁ ବିପଜ୍ଜନକ ହୋଇଥାଏ। ଠିକ୍ ସେଇଭଳି ଭାରତରେ ଡାକ୍ତରୀ ଶିକ୍ଷାର ମାନରେ ଉନ୍ନତି ସାଧନ ପାଇଁ ସଂସ୍କାରମୂଳକ ପଦକ୍ଷେପ ନେବା ପରିବର୍ତ୍ତେ ସରକାର ଯଦି ସମସ୍ୟାର ଆଶୁ ସମାଧାନ ପାଇଁ ‘ନିଟ୍-ପିଜି’ ପରୀକ୍ଷାର ମାନରେ ହ୍ରାସ ଘଟାଇବା ଭଳି ଏକ ସର୍ଟକଟ୍ କୌଶଳ ପ୍ରୟୋଗ କରନ୍ତି, ତାହା ସମଗ୍ର ଦେଶବାସୀଙ୍କ ପାଇଁ ବିପଜ୍ଜନକ ‌ସାବ୍ୟସ୍ତ ହେବ।