Editorial: ଅନ୍ନଦାତା, ଜୟ ହୋ!

Advertisment

ଆମ ଦେଶର ଚାଷୀମାନେ ଧାନ ବ୍ୟତୀତ ଡାଲି, ତୈଳବୀଜ ଓ ପନପରିବା ଆଦି ମଧ୍ୟ ଚାଷ କରନ୍ତି, କିନ୍ତୁ ନିଜ ଉତ୍ପାଦର ଯଥୋଚିତ ମୂଲ୍ୟ ପ୍ରଦାନ କରୁଥିବା ବଜାରର ସନ୍ଧାନ ସେମାନେ ଏ ଯାବତ୍‌ ପାଇନାହାନ୍ତି।

ଆମ ଦେଶର ଚାଷୀମାନେ ଧାନ ବ୍ୟତୀତ ଡାଲି, ତୈଳବୀଜ ଓ ପନପରିବା ଆଦି ମଧ୍ୟ ଚାଷ କରନ୍ତି, କିନ୍ତୁ ନିଜ ଉତ୍ପାଦର ଯଥୋଚିତ ମୂଲ୍ୟ ପ୍ରଦାନ କରୁଥିବା ବଜାରର ସନ୍ଧାନ ସେମାନେ ଏ ଯାବତ୍‌ ପାଇନାହାନ୍ତି।

samp1

ଆମ ଦେଶର ଚାଷୀମାନେ ଧାନ ବ୍ୟତୀତ ଡାଲି, ତୈଳବୀଜ ଓ ପନପରିବା ଆଦି ମଧ୍ୟ ଚାଷ କରନ୍ତି, କିନ୍ତୁ ନିଜ ଉତ୍ପାଦର ଯଥୋଚିତ ମୂଲ୍ୟ ପ୍ରଦାନ କରୁଥିବା ବଜାରର ସନ୍ଧାନ ସେମାନେ ଏ ଯାବତ୍‌ ପାଇନାହାନ୍ତି। ଏଣେ, ସ୍ବାଭିମାନୀ ଚାଷୀ ବଜାର ମୂଲଚାଲର ନୀତିହୀନ ପ୍ରକରଣରେ ପଶୁ ନ ଥିବାରୁ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି; ଯାହାର ସୁଯୋଗ ନେଇ ଲାଭାନ୍ବେଷୀ ମଧ୍ୟସ୍ଥି ବର୍ଗର ଆବିର୍ଭାବ ଘଟିଛି। ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ଚାଷୀମାନଙ୍କୁ ଏକ ମଧ୍ୟସ୍ଥି ମୁକ୍ତ ତଥା ନ୍ୟାଯ୍ୟ ମୂଲ୍ୟ ପ୍ରଦାନକାରୀ ବଜାର ଉପଲବ୍‌ଧ କରାଇବା ହେବ ସେମାନଙ୍କ ପ୍ରତି ଏ ଦେଶର କୃତଜ୍ଞତା। ଅନ୍ୟଥା ‘ଅନ୍ନଦାତା, ଜୟ ହୋ’ ଭଳି ସ୍ଲୋଗାନ ଅନ୍ତଃସାରଶୂନ୍ୟ ଭଳି ବୋଧ ହେବ।

Editorial: କର୍ମହୀନ ଜୀବନ!

ସଦ୍ୟ ପ୍ରାପ୍ତ ତଥ୍ୟାନୁଯାୟୀ ଚୀନକୁ ଅତିକ୍ରମ କରି ଭାରତ ପୃଥିବୀର ବୃହତ୍ତମ ଧାନ(ଚାଉଳ) ଉତ୍ପାଦନ ଓ ରପ୍ତାନି କରୁଥିବା ରାଷ୍ଟ୍ରରେ ପରିଣତ ହୋଇଛି। ସ୍ବାଧୀନତା ଲାଭ କରିବାର ମାତ୍ର ୪ ବର୍ଷ ପୂର୍ବେ ଅର୍ଥାତ୍‌ ୧୯୪୩ ମସିହାରେ ଅତ୍ୟନ୍ତ ହୃଦୟ ବିଦାରକ ବଙ୍ଗଳା ଦୁର୍ଭିକ୍ଷରେ ପ୍ରାୟ ୩ ନିୟୁତ ପ୍ରାଣହାନି ଦେଖିଥିବା ଏକ ରାଷ୍ଟ୍ର ସକାଶେ ଏହି ଉପଲବ୍‌ଧି ଯେ ଦୃଷ୍ଟାନ୍ତ ସ୍ଥାପନକାରୀ, ତହିଁରେ କୌଣସି ସନ୍ଦେହ ନାହିଁ ଏବଂ ଏ ପରିପ୍ରେକ୍ଷୀରେ ଯାହା ପରମ ସନ୍ତୋଷ ପ୍ରଦାନ କରିଥାଏ ତାହା ହେଲା ସପ୍ତମ ଦଶକରେ ବିଦେଶରୁ ଅନ୍ନ ଭିକ୍ଷା କରିବାର ଦୁଃସ୍ଥିତିରେ ପହଞ୍ଚି ଯାଇଥିବା ଏହି ଦେଶ ବର୍ତ୍ତମାନ ପୃଥିବୀର ସମୁଦାୟ ଧାନ ଉତ୍ପାଦନର ୨୮% ଅକ୍ତିିଆର କରିଛି। ତେବେ, ଏହି ସୁସମ୍ବାଦଟି ତା’ ସହିତ କେତେକ ଚିନ୍ତା ଓ ଚିନ୍ତନକୁ ମଧ୍ୟ ଜନ୍ମ ଦେଇଛି, ଯେଉଁ ସଂପର୍କରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ପ୍ରକାଶ ଥାଉ କି ଚଳିତ ବର୍ଷ ଧାନ ଉତ୍ପାଦନ ଏକ ସର୍ବକାଳୀନ ରେକର୍ଡ ୧୫ କୋଟି ମେଟ୍ରିକ ଟନରେ ପହଞ୍ଚିଛି। କେବଳ ସେତିକି ନୁହେଁ, ଚଳିତ ବର୍ଷ ଦେଶର ଧାନ ରପ୍ତାନିର ପରିମାଣ ମଧ୍ୟ ରେକର୍ଡ ସୃଷ୍ଟି କରିଛି, ଯାହା ହେଉଛି ୨ କୋଟି ୩୫ ଲକ୍ଷ ଟନ। ଏହା ମଧ୍ୟ ପ୍ରଣିଧାନଯୋଗ୍ୟ ଯେ କେବଳ ଅମଳରେ ନୁହେଁ, ଧାନ ଚାଷ ହେଉଥିବା ଜମିର ପରିମାଣରେ ମଧ୍ୟ ବୃଦ୍ଧି ଘଟିବାରେ ଲାଗିଛି। ପ୍ରକାଶ ଥାଉ ଯେ ଭାରତୀୟମାନେ ହାରାହାରି ବାର୍ଷିକ ୧୦ କୋଟି ଟନ ଚାଉଳ ଖାଦ୍ୟ ରୂପେ ବ୍ୟବହାର କରନ୍ତି। ‌ସେହି ହିସାବରେ ଗଲା କିଛି ବର୍ଷ ଧରି ହୋଇ ଆସୁଥିବା ବଂପର ଧାନ ଅମଳର ଆକାରକୁ ହୃଦବୋଧ କରିବାକୁ ହେଲେ କେବଳ ଏତିକି ଜାଣିବା ଆବଶ୍ୟକ ଯେ ରପ୍ତାନି ସହିତ ଭାରତୀୟଙ୍କ ଖାଦ୍ୟ ଚାହିଦା ମେଣ୍ଟାଇବା ପରେ ଏଫ.ସି.ଆଇ.(ଫୁଡ୍‌ କର୍ପୋରେସନ ଅଫ ଇଣ୍ଡିଆ)ର ଗୋଦାମରେ ମହଜୁଦ ଅଛି ୩ କୋଟି ୩୦ ଲକ୍ଷ ଟନ ଚାଉଳ, ଯାହା ଦୁର୍ବିପାକ ଓ ଦୁଃସମୟର ମୁକାବିଲାକୁ ଦୃଷ୍ଟିରେ ରଖି ‘ବଫର ଷ୍ଟକ ନିୟମ’ ଅନୁସାରେ ନିର୍ଦ୍ଧାରିତ ୧ କୋଟି ୩୫ ଲକ୍ଷ ଟନର ପ୍ରାୟ ତିନି ଗୁଣ। ସଂପ୍ରତି ଭାରତରୁ ୧୭୨ଟି ଦେଶକୁ ଚାଉଳ ରପ୍ତାନି ହେଉଛି ଏବଂ ପୃଥିବୀର ସମୁଦାୟ ଚାଉଳ ରପ୍ତାନିରେ ଭାରତର ଅଂଶ ହେଉଛି ୨୮ ପ୍ରତିଶତ। ଏହାର ଅର୍ଥ ଭାରତ ଏକ ଚାଉଳ ମହାଶକ୍ତିରେ ପରିଣତ ହେଲାଣି ଏବଂ ସ୍ମରଣଯୋଗ୍ୟ ଯେ ୨୦୨୩ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ଚାଉଳ ରପ୍ତାନିରେ କଟକଣା କିଭଳି ଅନ୍ତର୍ଜାତୀୟ ବଜାରରେ ଚାଉଳ ଦରରେ ତୀବ୍ର ବୃଦ୍ଧି ଘଟାଇଥିଲା। 
ଭାରତରେ ଉତ୍ପାଦିତ ବାସମତୀ ଚାଉଳର ବୃହତ୍ତମ କ୍ରେତା ହେଉଛନ୍ତି ଆରବୀୟ ରାଷ୍ଟ୍ରଗଣ(ସାଉଦୀ ଆରବ, ଇରାନ, ଇରାକରୁ ନେଇ ୟେମେନ ପର୍ଯ୍ୟନ୍ତ), ଯେଉଁଠି କିଂବଦନ୍ତୀୟ ‘ବିରିଆନୀ’ ଓ ‘ପଲାଉ’ ସକାଶେ ‘ଭାରତୀୟ ବାସମତୀ’ ଅପରିହାର୍ଯ୍ୟ ହୋଇଥାଏ। ଅଣବାସମତୀ ଚାଉଳ, ଯାହା ଭାରତୀୟ ଚାଉଳ ରପ୍ତାନିର ୭୦%, ଯଦିଓ ପୃଥିବୀର ଅଧିକାଂଶ ରାଷ୍ଟ୍ରକୁ ଯାଇଥାଏ, ଏହାର ମୁଖ୍ୟ ଗ୍ରାହକ ହେଉଛନ୍ତି ଆଫ୍ରିକୀୟ ରାଷ୍ଟ୍ରମାନ। ତେବେ, କ୍ରମ ବର୍ଦ୍ଧିଷ୍ଣୁ ଚାଉଳ ଉତ୍ପାଦନ ପରିପ୍ରେକ୍ଷୀରେ ରପ୍ତାନି ବୃଦ୍ଧି ଯେ ନିତାନ୍ତ ଆବଶ୍ୟକ, ସେଥିରେ ଦ୍ବିରୁକ୍ତି ନାହିଁ। ଏଥି ସକାଶେ ଜାପାନ, ଭିଏତନାମ, ଇଣ୍ଡୋନେସିଆ ଓ ମେକସିକୋ ଭଳି ୨୬ଟି ଦେଶକୁ ରପ୍ତାନି ବୃଦ୍ଧିର ଲକ୍ଷ୍ୟ ରଖାଯାଇଛି, ଯେଉଁ ରାଷ୍ଟ୍ରଗୁଡ଼ିକ ମୁଖ୍ୟତଃ ଅନ୍ୟାନ୍ୟ ଚାଉଳ ଉତ୍ପାଦନକାରୀ ଦେଶରୁ ଆମଦାନି କରିଥାଆନ୍ତି। ଏହି କ୍ରମରେ ସେ ସବୁ ଦେଶର ବ୍ୟଂଜନକୁ ଅନୁଧ୍ୟାନ କରି ସେଠାରେ ବ୍ୟବହୃତ ହେଉଥିବା ଭଳି ଚାଉଳର ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯିବ। ଏକ ଆକଳନ ଅନୁସାରେ ଆସନ୍ତା ବର୍ଷ ବେଳକୁ ଭାରତର ଚାଉଳ ରପ୍ତାନିକୁ ୩ କୋଟି ଟନରେ ପହଞ୍ଚାଇବାର ଲକ୍ଷ୍ୟ ରହିଛି।

editorial: ମଣି-କାଞ୍ଚନ ସଂଯୋଗ

ଏହା ସୁବିଦିତ ଯେ ବେଶ କିଛି ବର୍ଷ ହେଲାଣି ଧାନ ଚାଷ ତା’ର ପାରଂପରିକ ମୌସୁମୀ ବୃଷ୍ଟିପାତ ଅଧୀନସ୍ଥ କ୍ଷେତ୍ରକୁ ଅତିକ୍ରମ କରି ଉତ୍ତରପ୍ରଦେଶ, ପଞ୍ଜାବ ଓ ହରିଆଣା ଭଳି ରାଜ୍ୟରେ ପ୍ରାଧାନ୍ୟ ବିସ୍ତାର କଲାଣି, ଯାହାର ଜଳବାୟୁ ପ୍ରାକୃତିକ ରୂପେ ଗହମ ଅନୁକୂଳ ହୋଇଥାଏ। କିନ୍ତୁ, ସେ ସବୁ ଅଞ୍ଚଳରେ ଗହମରୁ ଧାନ ଆଡ଼କୁ ଆଗ୍ରହର ଗତି ପଛରେ ଥିବା ପ୍ରମୁଖ କାରଣଟି ହେଉଛି ସର୍ବନିମ୍ନ ସହାୟକ ମୂଲ୍ୟ ବା ‘ଏମ.ଏସ.ପି.’ ଦେଇ ସରକାର ଧାନର ବୃହତ୍ତମ କ୍ରେତା ରୂପେ ଅବତୀର୍ଣ୍ଣ ହେବା; ଯଦ୍ଦ୍ବାରା ଚାଷୀ ସକାଶେ ଉତ୍ପାଦିତ ଶସ୍ୟର ବିକ୍ରି ଏବଂ କାମଚଳା ହେଉ ପଛକେ କିଛି ଆୟ ସୁନିଶ୍ଚିତ ହୋଇଥାଏ। ଉଳ୍ଲେଖଯୋଗ୍ୟ, ଯେ ସଂପ୍ରତି ଧାନ ଉତ୍ପାଦନରେ ପଞ୍ଜାବ ଓ ହରିଆଣାର ସ୍ଥାନ ହେଉଛି ଯଥାକ୍ରମେ ଚତୁର୍ଥ ଓ ଏକାଦଶ। ଏଠାରେ ଏ ସବୁ କହିବାର ତାତ୍ପର୍ଯ୍ୟ ହେଲା, ଧାନ ଚାଷର ପ୍ରାବଲ୍ୟକୁ ସ୍ପଷ୍ଟ କରିବା। 
କିନ୍ତୁ, ଅନ୍ୟ ପକ୍ଷରେ ଏହା କୃଷି ବିଶେଷଜ୍ଞମାନଙ୍କୁ ଦୁଇ ଭାଗରେ ବିଭକ୍ତ କଲାଣି, ଯହିଁରେ ଗୋଟିଏ ପକ୍ଷ ଧାନ ଚାଷର ଏଭଳି ସଫଳତାରେ ସତର୍କତାର ସହିତ ସନ୍ତୋଷ ବ୍ୟକ୍ତ କରନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରସିଦ୍ଧ କୃଷି ବିଜ୍ଞାନୀ ଅଶୋକ ଗୁଲାଟି, ଯିଏ ଏହି ପରିପ୍ରେକ୍ଷୀରେ, ଭାରତ ସମ୍ମୁଖରେ ଉପସ୍ଥିତ ହେବାକୁ ଯାଉଥିବା ପାରିବେଶିକ ବିପଦ ଆଡ଼କୁ ଧ୍ୟାନ ଆକର୍ଷଣ କରନ୍ତି। ଧାନ ଚାଷ ଲାଗି ପ୍ରଚୁର ଜଳ ଆବଶ୍ୟକ ହେଉଥିବାରୁ ପଞ୍ଜାବ ଓ ହରିଆଣାରେ ଭୂଗର୍ଭସ୍ଥ ଜଳର ଅବିଚାରିତ ଉତ୍ତୋଳନ କିଭଳି ସେଠାରେ ଭୂଗର୍ଭ ଜଳ ପତ୍ତନରେ ଉଦ୍‌ବେଗଜନକ ସଂକୋଚନ ଘଟାଇଲାଣି, ତାହା ସମସ୍ତଙ୍କୁ ଅବଗତ। ଗୁଲାଟିଙ୍କ ମତରେ ଗୋଟିଏ କିଲୋଗ୍ରାମ ଧାନ ଉତ୍ପାଦନ ଲାଗି ଆବଶ୍ୟକ ହୋଇଥାଏ ପ୍ରାୟ ୩୦୦୦ ଲିଟର ଜଳ। କେବଳ ସେତିକି ନୁହେଁ, ଧାନ ଚାଷରୁ ନିର୍ଗତ ହେଉଥିବା ‘ସବୁଜ କୋଠରି ବାଷ୍ପ’ ବା ‘ଗ୍ରିନ ହାଉସ ଗ୍ୟାସ’ ହେଉ ବା ପ୍ରତି ଶୀତ ଋତୁ ପ୍ରାରମ୍ଭରେ ଉତ୍ତର ପ୍ରଦେଶ ଓ ହରିଆଣାରେ ହେଉଥିବା ଧାନ କ୍ଷେତରେ ନଡ଼ା ପୋଡ଼ି ହେଉ; ପରିବେଶକୁ ବିପନ୍ନ କରୁଛି। ଗୁଲାଟି କହନ୍ତି ଯେ ଧାନର ଆଗ୍ରହାତିଶଯ୍ୟରୁ ଓହରି ଚାଷୀମାନେ ଡାଲି ଜାତୀୟ ଉତ୍ପାଦନ ଲାଗି ଅଧିକ ବ୍ୟଗ୍ର ହେବା ଜରୁରି; କାରଣ ତଦ୍ଦ୍ବାରା ଭାରତର ମାତ୍ରାତିରିକ୍ତ ଡାଲି ଆମଦାନିରେ ହ୍ରାସ ଘଟି ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରର କ୍ଷୟକୁ କମାଇବ। କେବଳ ସେତିକି ନୁହେଁ, ଗୋଟିଏ ଶ୍ବେତସାର-ପ୍ରଧାନ ଦେଶରୁ ବଦଳି ଭାରତ ଯଦି ଗୋଟିଏ ପୁଷ୍ଟିସାର-ପ୍ରଧାନ ଦେଶରେ ପରିଣତ ହୁଏ, ତେବେ ସାଧାରଣ ନାଗରିକଙ୍କ ସ୍ବାସ୍ଥ୍ୟ ସକାଶେ ମଧ୍ୟ ତାହା ଅନୁକୂଳ ହେବ। ସେ ଆହୁରି କହନ୍ତି ଯେ ଅତିରିକ୍ତ ଧାନର ଭଣ୍ଡାରଣରେ ବ୍ୟୟର ପରିମାଣ କେଜି ପ୍ରତି ପ୍ରାୟ ୪୨ ଟଙ୍କା ହୋଇଥିବାରୁ ତହିଁରୁ ଇଥାନଲ ପ୍ରସ୍ତୁତ କରାଗଲେ ମଧ୍ୟ ଲାଭର ଆଶା ନ ଥାଏ। କିନ୍ତୁ ଗୁଲାଟିଙ୍କ ସହିତ ଅନେକ ବିଶେଷଜ୍ଞ ମତାନୈକ୍ୟ ପୋଷଣ କରନ୍ତି। ସେମାନେ କହନ୍ତି ଯେ ଖାଦ୍ୟ ସୁରକ୍ଷା ଆଇନ ପ୍ରେକ୍ଷାପଟରେ ଧାନ ଅମଳରେ ବୃଦ୍ଧି ଜରୁରି। ଦ୍ବିତୀୟରେ, ପାରଂପରିକ ତଳି ରୁଆ ପଦ୍ଧତି ବଦଳରେ ଯଦି ସିଧାସଳଖ ମଞ୍ଜି ବୁଣା ପଦ୍ଧତିରେ ‘ଡାଇରେକ୍‌ଟ ସିଡ ରାଇସ’ (‘ଡି.ଏସ.ଆର.’)ର ଉପଯୋଗ କରାଯାଏ, ତେବେ ‘ଗ୍ରିନ ହାଉସ ଗ୍ୟାସ’ ନିର୍ଗମନରେ ପ୍ରାୟ ୩୦% ହ୍ରାସ ଘଟିବ ଏବଂ ସହଳ ଅମଳ ହେଉଥିବାରୁ ନଡ଼ା ପୋଡ଼ିର ଆବଶ୍ୟକତା ମଧ୍ୟ ରହିବ ନାହିଁ। ପ୍ରକାଶ ଥାଉ କି ଭାରତୀୟ କୃଷି ବିଜ୍ଞାନୀମାନେ ଉନ୍ନତ କିସମର ‘ଡି.ଏସ.ଆର.’ ପ୍ରସ୍ତୁତ କରି ସାରିଲେଣି। ଆମ ଲୋକକ୍ଷେତ୍ରର ପରିବେଶକୁ ଏଭଳି ମତ ବୈବିଧ୍ୟ ଆଳାପ-ଉଷ୍ମ କରି ରଖିଥିବା ବେଳେ ଜର୍ମାନ କବି ବେଟଲ୍‌ଟ ବ୍ରେଟ୍‌ଙ୍କ ବିଚାର ଆଧାରରେ ହୃଦ୍‌ବୋଧ କରି ହୋଇଥାଏ ଯେ ଭରପୂର ପେଟରେ କେବଳ ଏଭଳି ଆଲୋଚନାମାନ ସମ୍ଭବ ହୋଇଥାଏ; କ୍ଷୁଧାରେ ଜଠରାଗ୍ନି ଜଳୁଥିଲେ ଯାହା ଆଦୌ ସମ୍ଭବ ହୁଅନ୍ତା ନାହିଁ। 
ଏଭଳି ସ୍ଥଳେ ଯେଉଁ ଗୋଟିଏ ବର୍ଗର ସଦସ୍ୟ, ସମଗ୍ର ଦେଶର ଶ୍ରଦ୍ଧା, ସମ୍ମାନ ଓ କୃତଜ୍ଞତାର ପାତ୍ର, ସେମାନେ ହେଉଛନ୍ତି କୃଷକ ବା ଅନ୍ନଦା‌ତା। କିନ୍ତୁ ଅସଂଗତିଟି ହେଲା ଏମା‌ନେ ହିଁ ସଂପ୍ରତି ଦେଶର ଦରିଦ୍ରତମ ଓ ହେୟଗଣ୍ୟ ଗୋଷ୍ଠୀରେ ଯାଆନ୍ତି। ସର୍ବାଧିକ ଅନିଶ୍ଚିତ ଓ ବିପଦଯୁକ୍ତ ବୃତ୍ତିରେ ନିୟୋଜିତ ଏହି ଗୋଷ୍ଠୀ କଠିନ ପରିଶ୍ରମରେ ଅସ୍ଥି ଚୂର୍ଣ୍ଣ କରନ୍ତି ସତ, ସେମାନଙ୍କ ବାର୍ଷିକ ହାରାହାରି ଆୟ ଅତ୍ୟନ୍ତ ସ୍ବଳ୍ପ; ଜଣେ ଧାନ ଚାଷୀ ବାର୍ଷିକ ହାରାହାରି ଏକର ପିଛା ମାତ୍ର ୩୫ ହଜାରୁ ୭୦ ହଜାର ଟଙ୍କା ଉପାର୍ଜନ କରିଥାନ୍ତି, ଯହିଁରୁ ଗୋଟିଏ ଅଂଶ ‘ଏମ.ଏସ.ପି.’ରୁ ଆସେ ଓ ଯେଉଁ କାରଣରୁ ସେମାନେ ‘ଏମ.ଏସ.ପି.’ ଭଳି ସର୍ବ ନିମ୍ନ ମୂଲ୍ୟ ପ୍ରଦାନ କରୁଥିବା ଏକ ବ୍ୟବସ୍ଥା ଉପରେ ନିର୍ଭରଶୀଳ। ଆମ ଦେଶର ଚାଷୀମାନେ ଧାନ ବ୍ୟତୀତ ଡାଲି, ତୈଳବୀଜ ଓ ପନପରିବା ଆଦି ମଧ୍ୟ ଚାଷ କରନ୍ତି, କିନ୍ତୁ ନିଜ ଉତ୍ପାଦର ଯଥୋଚିତ ମୂଲ୍ୟ ପ୍ରଦାନ କରୁଥିବା ବଜାରର ସନ୍ଧାନ ସେମାନେ ଏ ଯାବତ୍‌ ପାଇନାହାନ୍ତି। ଏଣେ, ସ୍ବାଭିମାନୀ ଚାଷୀ ବଜାର ମୂଲଚାଲର ନୀତିହୀନ ପ୍ରକରଣରେ ପଶୁ ନ ଥିବାରୁ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି; ଯାହାର ସୁଯୋଗ ନେଇ ଲାଭାନ୍ବେଷୀ ମଧ୍ୟସ୍ଥି ବର୍ଗର ଆବିର୍ଭାବ ଘଟିଛି। ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ଚାଷୀମାନଙ୍କୁ ଏକ ମଧ୍ୟସ୍ଥି ମୁକ୍ତ ତଥା ନ୍ୟାଯ୍ୟ ମୂଲ୍ୟ ପ୍ରଦାନକାରୀ ବଜାର ଉପଲବ୍‌ଧ କରାଇବା ହେବ ସେମାନଙ୍କ ପ୍ରତି ଏ ଦେଶର କୃତଜ୍ଞତା। ଅନ୍ୟଥା ‘ଅନ୍ନଦାତା, ଜୟ ହୋ’ ଭଳି ସ୍ଲୋଗାନ ଅନ୍ତଃସାରଶୂନ୍ୟ ଭଳି ବୋଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe