ବର୍ତ୍ତମାନ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(‘ଏମ୍ଏସ୍ଏମ୍ଇ’)ମାନଙ୍କୁ ପ୍ରଦାନ କରାଯାଉଥିବା ଗୁରୁତ୍ବ ପରିପ୍ରେକ୍ଷୀରେ ସେମାନଙ୍କ ପାଇଁ ବନ୍ଧକମୁକ୍ତ ଋଣ ସୀମାକୁ ଦ୍ବିଗୁଣିତ କରି ୧୦ ଲକ୍ଷ ଟଙ୍କା ସ୍ଥାନରେ ୨୦ ଲକ୍ଷ ଟଙ୍କା କରିଦେଇ ରିଜର୍ଭ ବ୍ୟାଙ୍କ୍ ଏଇ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରକୁ ଯେଉଁ ସହାୟତାର ହାତ ବଢ଼ାଇଛି, ତାହା ସେମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ।
ଗତ ୬ ତାରିଖ ଶୁକ୍ରବାର ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଗଭର୍ନର ସଞ୍ଜୟ ମାଲହୋତ୍ରା ଯେତେବେଳେ ଏହି କେନ୍ଦ୍ରୀୟ ବ୍ୟାଙ୍କ୍ର ମୁଦ୍ରା ନୀତି ନିର୍ଦ୍ଧାରଣକାରୀ କମିଟି (‘ଏମ୍ପିସି’)ର ଅଧ୍ୟକ୍ଷ ରୂେପ ଏଇ କମିଟିର ସଦ୍ୟସମାପ୍ତ ଦ୍ବିମାସିକ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସମ୍ବନ୍ଧରେ ଘୋଷଣା କଲେ, ତାହା ଦୁଇଟି ଅସଂପର୍କିତ କାରଣ ଯୋଗୁଁ ରୋଚକ ଥିଲା: ୨୦୨୫ ଫେବ୍ରୁଅାରି ୭ରେ ସେ ରିଜର୍ଭ ବ୍ୟାଙ୍କ୍ ଗଭର୍ନର ରୂପେ ତାଙ୍କର ସର୍ବପ୍ରଥମ ଏଭଳି ‘ଏମ୍ପିସି’ ନିଷ୍ପତ୍ତି ଘୋଷଣା କଲାପରେ ଏଥରର ଘୋଷଣା ସହିତ ତାହାର ଏକ ବର୍ଷ ପୂରଣ ହୋଇଥିଲା; ଏଇ ଘୋଷଣା କରିବା ପାଇଁ ମାଲହୋତ୍ରା ନେଇଥିବା ୨୭ ମିନିଟ୍ ସମୟ ଥିଲା ଏଥିପାଇଁ ନିଆଯାଇଥିବା ସଂକ୍ଷିପ୍ତତମ ଅବଧିମାନଙ୍କ ମଧ୍ୟରୁ ଅନ୍ୟତମ।
ଗଭର୍ନର ମାଲହୋତ୍ରାଙ୍କର ଏଇ ଘୋଷଣା ଏଥର ଏଭଳି ସଂକ୍ଷିପ୍ତ ହେବାରେ ଅବଶ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ମୁଦ୍ରା ନୀତିରେ କୌଣସି ପରିବର୍ତ୍ତନ ନ ଘଟାଇ ସମସ୍ତେ ଆଶା କରୁଥିବା ଭଳି ‘ଏମ୍ପିସି’ ସେଥିରେ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ନିଷ୍ପତ୍ତି ନେଇଛି, ଯାହା କୌଣସି ବିଶଦ ବ୍ୟାଖ୍ୟାନ ଆବଶ୍ୟକ କରି ନ ଥାଏ। ଏହା ଅନୁସାରେ ‘ଏମ୍ପିସି’ ଉଭୟ ‘ରେପୋ ରେଟ୍’ ଓ ‘ଷ୍ଟାନ୍ସ’କୁ ଅପରିବର୍ତ୍ତିତ ରଖିବା ଉଚିତ ମନେ କରିଛି। ‘ରେପୋ ରେଟ୍’ ହେଉଛି ନିର୍ଣ୍ଣାୟକ ସୁଧ ହାର ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ୍ ଅନ୍ୟ ବ୍ୟାଙ୍କ୍ମାନଙ୍କୁ ଋଣ ପ୍ରଦାନ କରିଥାଏ, ଯାହା ସେମାନେ ପ୍ରଦାନ କରୁଥିବା ଋଣ ଉପରେ ଆଦାୟ କରୁଥିବା ସୁଧ ହାରକୁ ପ୍ରଭାବିତ କରିଥାଏ। ଏବେ ଅନ୍ତତଃ ଆସନ୍ତା ଏପ୍ରିଲରେ ଅନୁଷ୍ଠିତ ହେବାକୁ ଯାଉଥିବା ପରବର୍ତ୍ତୀ ଦ୍ବିମାସିକ ‘ଏମ୍ପିସି’ ବୈଠକ ପର୍ଯ୍ୟନ୍ତ ‘ରେପୋ ରେଟ୍’ ୫.୨୫ ଶତାଂଶରେ ଅପରିବର୍ତ୍ତିତ ରହିବାକୁ ଯାଉଥିବା ବେଳେ ରିଜର୍ଭ ବ୍ୟାଙ୍କ୍ର ‘ଷ୍ଟାନ୍ସ’ ମଧ୍ୟ ବର୍ତ୍ତମାନର ନିରପେକ୍ଷ (ନିଉଟ୍ରାଲ୍) ଶ୍ରେଣୀରେ ଅପରିବର୍ତ୍ତିତ ରହିବ।
Jammu Kashmir: ଜମ୍ମୁ-କାଶ୍ମୀରରେ ୩୧ଟି ପଥର କ୍ରସର ନେତା ଓ ବାବୁଙ୍କ ମାଲିକାନାରେ ରହିଛି : ଖଣିମନ୍ତ୍ରୀ
‘ନିଉଟ୍ରାଲ୍ ଷ୍ଟାନ୍ସ’ ସୂଚାଉଥିବା ନୀତିଗତ ନମନୀୟତା ରିଜର୍ଭ ବ୍ୟାଙ୍କ୍କୁ ଭବିଷ୍ୟତରେ ଉପଲବ୍ଧ ଅର୍ଥନୈତିକ ସୂଚନା ଆଧାରରେ ସୁଧ ହାରରେ ହ୍ରାସ କିମ୍ବା ବୃଦ୍ଧି ଘଟାଇବାର ସ୍ବାଧୀନତା ପ୍ରଦାନ କରିଥାଏ। ଏଥିସତ୍ତ୍ବେ ଗଭର୍ନର ସଞ୍ଜୟ ମାଲହୋତ୍ରା ତାଙ୍କର ଘୋଷଣାରେ ଆସନ୍ତା ନ’ରୁ ବାର ମାସ କାଳ ‘ରେପୋ ରେଟ୍’ରେ କୌଣସି ପରିବର୍ତ୍ତନ ଘଟିବାକୁ ଯାଉ ନାହିଁ ବୋଲି ଆଶା ପ୍ରକାଶ କରିଛନ୍ତି। ତାଙ୍କର ଏହି ଆଶା ଅବଶ୍ୟ ଏକ ସିଧାସଳଖ ଯୁକ୍ତି ଉପରେ ଆଧାରିତ ହୋଇଥାଏ। ଆଗାମୀ ସମୟରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଧାରା ଏମିତିରେ ଅବ୍ୟାହତ ରହିବ ବୋଲି ପୂର୍ବାନୁମାନ କରାଯାଉଥିବା ବେଳେ, ‘ୟୁରୋପିଆନ୍ ୟୁନିଅନ୍’ ଓ ଆମେରିକା ସହିତ ସଦ୍ୟ ସଂପାଦିତ ବାଣିଜ୍ୟ ଚୁକ୍ତିମାନ ତାହାକୁ ଆହୁରି ଶକ୍ତି ଯୋଗାଇବ ବୋଲି ଏବେ ବିଶ୍ବାସ କରାଯାଉଛି। ଏଣୁ ଅଭିବୃଦ୍ଧିକୁ ସହାୟକ ହେବା ନିମିତ୍ତ ନିକଟ ଭବିଷ୍ୟତରେ ‘ରେପୋ ରେଟ୍’ରେ ଆଉ ହ୍ରାସ ଘଟାଯିବାର ଆବଶ୍ୟକତା ନାହିଁ ବୋଲି ମାଲହୋତ୍ରା ସ୍ବାଭାବିକ ଭାବରେ ଅନୁଭବ କରୁଛନ୍ତି। କେନ୍ଦ୍ର ବଜେଟ୍ ମଧ୍ୟ ତାଙ୍କୁ ଏଭଳି ଏକ ଆଭିମୁଖ୍ୟ ଗ୍ରହଣ କରିବାରେ ସହାୟକ ହୋଇଛି। ଏଥିରେ ରାଜକୋଷୀୟ ବ୍ୟୟ ସଂକୋଚନକୁ ସୀମିତ କରାଯିବା ସହିତ ପୁଞ୍ଜି ବ୍ୟୟରେ ଏକ ତୀକ୍ଷ୍ଣ ବୃଦ୍ଧି ସାଧନ କରାଯାଇ ତାହାକୁ ୧୨.୨ ଲକ୍ଷ କୋଟି ଟଙ୍କା ସ୍ତରରେ ପହୁଞ୍ଚା ଯାଇଛି, ଯାହା ହେଉଛି ଏକ ଅଭିବୃଦ୍ଧି-ଅନୁକୂଳ ପଦକ୍ଷେପ।
ଚଳିତ ବିତ୍ତ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ୍ ଭାରତୀୟ ଅର୍ଥନୀତି (‘ଜିଡିପି’)ର ଅଭିବୃଦ୍ଧି ହାର ଏକ ଉଚ୍ଚ ୭.୪ ଶତାଂଶ ହେବ ବୋଲି କରିଥିବା ପୂର୍ବାନୁମାନକୁ ଅପରିବର୍ତ୍ତିତ ରଖିଥିବା ବେଳେ ଆଗାମୀ ବିତ୍ତ ବର୍ଷର ପ୍ରଥମାର୍ଦ୍ଧରେ ତାହା ପୂର୍ବରୁ ଅନୁମାନ କରାଯାଇଥିବା ୬.୮ ଶତାଂଶ ନ ହୋଇ ୭ ଶତାଂଶ ହେବ ବୋଲି ଏବେ ନୂତନ ପୂର୍ବାନୁମାନ ପ୍ରକାଶ କରିଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଚଳିତ ମାସ ଶେଷ ଆଡ଼କୁ ଉଭୟ ନୂତନ ‘ଜିଡିପି’ ଓ ‘ମୁଦ୍ରାସ୍ଫୀତି’ ଡେଟା ଶୃଙ୍ଖଳା ଉନ୍ମୋଚିତ ହେବାକୁ ଯାଉଥିବା ବେଳେ ରିଜର୍ଭ ବ୍ୟାଙ୍କ୍ ତା’ ପୂର୍ବରୁ ଏହି ପୂର୍ବାନୁମାନ ପ୍ରକାଶ କରିବାକୁ କୁଣ୍ଠିତ ହୋଇ ନାହିଁ।
ସେ ପୁନଃପୌନିକ ଭାବରେ ‘ରେପୋ ରେଟ୍’ରେ ଏ ପର୍ଯ୍ୟନ୍ତ ମୋଟ ୧୨୫ ବେସିସ୍ ପଏଣ୍ଟ ହ୍ରାସ ଘଟାଇବା ପରେ ଏବଂ ତାହାର ଫଳସ୍ବରୂପ ଅନ୍ୟ ବ୍ୟାଙ୍କ୍ମାନେ ସେମାନଙ୍କ ଦ୍ବାରା ପ୍ରଦତ୍ତ ଋଣ ପ୍ରତି ଲାଗୁ ହେଉଥିବା ସୁଧ ହାରରେ ଡିସେମ୍ବର ସୁଦ୍ଧା ପ୍ରାୟ ୧୦୦ ବେସିସ୍ ପଏଣ୍ଟ ହ୍ରାସ ଘଟାଇବା ପରେ ରିଜର୍ଭ ବ୍ୟାଙ୍କ୍ ‘ରେପୋ ରେଟ୍’ରେ ଆଉ ଏବେ ହ୍ରାସ ଘଟାଇବା ରୂପକ ପ୍ରୋତ୍ସାହନ ପ୍ରଦାନର ଆବଶ୍ୟକତା ଅନୁଭବ କରିନାହିଁ।
Horoscope 2026 February 11 : ଜାଣନ୍ତୁ ଆଜିର ରାଶିଫଳ
ବର୍ତ୍ତମାନ ମୁଦ୍ରାସ୍ଫୀତି ମଧ୍ୟ ଯେଉଁଭଳି ନିରାପଦ ସ୍ତରରେ ଆୟତ୍ତାଧୀନ ରହିଛି, ତାହା ‘ରେପୋ ରେଟ୍’ରେ ଏବେ କୌଣସି ବୃଦ୍ଧି ଘଟାଇବାକୁ ଅନାବଶ୍ୟକ କରିଦେଇଛି। ଅବଶ୍ୟ ଚଳିତ ବିତ୍ତ ବର୍ଷର ଶେଷ ଚଉଠରେ ମୁଦ୍ରାସ୍ଫୀତିରେ ସାମାନ୍ୟ ବୃଦ୍ଧି ଘଟି ତାହା ୩.୨ ଶତାଂଶ ଏବଂ ଆସନ୍ତା ବିତ୍ତ ବର୍ଷର ପ୍ରଥମାର୍ଦ୍ଧରେ ତାହା ୪ ଶତାଂଶରୁ ସାମାନ୍ୟ ଅଧିକ ହେବାକୁ ଯାଉଛି ବୋଲି ପୂର୍ବାନୁମାନ ପ୍ରକାଶ ପାଇଛି। ଏହା ଅବଶ୍ୟ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ସର୍ବଦା ଅଗ୍ରାଧିକାର ଦେଉଥିବା ରିଜର୍ଭ ବ୍ୟାଙ୍କ୍ର ନିଦ ହଜାଇବା ଭଳି ନୁହେଁ।
ଏଭଳି ଏକ ସନ୍ତୁଳିତ ପରିବେଶ ‘ଏମ୍ପିସି’କୁ ସ୍ଥିତାବସ୍ଥା ବଜାୟ ରଖିବା ନିମିତ୍ତ ପ୍ରବୃତ୍ତ କରିଥିଲେ ହେଁ, ସେମାନେ ଯେ କୌଣସି ବାହ୍ୟ କାରଣ ଯୋଗୁଁ ଏଇ ସନ୍ତୁଳନ ବିଗିଡ଼ି ଯିବାର ମଧ୍ୟ ସମ୍ଭାବନା ରହିଛି ବୋଲି ସଚେତନ ଅଛନ୍ତି, ତାହା ଗଭର୍ନର ମାଲହୋତ୍ରା ତାଙ୍କର ଘୋଷଣାରେ ପ୍ରଦାନ କରିଥିବା ଇଙ୍ଗିତରୁ ଜଣାପଡ଼ିଥାଏ। ସେ ସତର୍କ କରି ଦେଇଛନ୍ତି େଯ ଭୂ-ରାଜନୈତିକ ଅସ୍ଥିରତା କିମ୍ବା ଆନ୍ତର୍ଜାତିକ ବିତ୍ତୀୟ ବଜାରରେ କୌଣସି ଅପ୍ରତ୍ୟାଶିତ ଚଳନ କିମ୍ବା ଆନ୍ତର୍ଜାତିକ ବାଣିଜ୍ୟ ନକ୍ସାରେ ପରିବର୍ତ୍ତନ ଆମର ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି ସମ୍ବନ୍ଧୀୟ ପ୍ରତ୍ୟାଶା ପ୍ରତି ବିପଦ ସୃଷ୍ଟି କରିପାରେ। ଏଭଳି ସମ୍ଭାବନାକୁ ଦୃଷ୍ଟିରେ ରଖି ହିଁ ‘ଏମ୍ପିସି’ ତା’ର ‘ଷ୍ଟାନ୍ସ’କୁ ଉପରେ କୁହାଯାଇଥିବା ଭଳି ‘ନିଉଟ୍ରାଲ୍’ ରଖିଛି।
ଅର୍ଥନୀତିରେ ନଗଦ ଅର୍ଥ ବା ‘ଲିକ୍ବିଡିଟି’ର ଉପଲବ୍ଧତା ସମ୍ବନ୍ଧରେ ରିଜର୍ଭ ବ୍ୟାଙ୍କ୍ ଏକ ସାବଧାନ ଆଭିମୁଖ୍ୟ ଗ୍ରହଣ କରିବାକୁ ପସନ୍ଦ କରିଛି। ଏହା ଅନୁଯାୟୀ ଗଭର୍ନର ମାଲହୋତ୍ରା ଚିରାଚରିତ ‘ଓପନ୍ ମାର୍କେଟ୍ ଅପରେସନ୍’ ସମ୍ବନ୍ଧରେ ଘୋଷଣା କରିବାରୁ ନିବୃତ୍ତ ରହି କେବଳ ଆଶ୍ବାସନା ପ୍ରଦାନ କରିଛନ୍ତି ଯେ ଅର୍ଥନୀତିର ଉତ୍ପାଦନଶୀଳ ଆବଶ୍ୟକତା ପୂରଣ ନିମିତ୍ତ ଦରକାର ଲିକ୍ବିଡିଟି ନିଶ୍ଚିତ କରିବା ପ୍ରତି ରିଜର୍ଭ ବ୍ୟାଙ୍କ୍ ସର୍ବଦା ଜାଗ୍ରତ ରହିବ। ସାଧାରଣ ନାଗରିକମାନଙ୍କ ପାଇଁ ଗଭର୍ନର ମାଲହୋତ୍ରା ଯାହା ଘୋଷଣା କରିଛନ୍ତି, ତାହା ହେଲା- ଗ୍ରାହକ ସୁରକ୍ଷାର ଦୃଢ଼ୀକରଣ, ବିତ୍ତୀୟ ଅନ୍ତର୍ଭୁକ୍ତୀକରଣର ସମ୍ପ୍ରସାରଣ, ଋଣ ପ୍ରବାହରେ ଉନ୍ନତି, ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ୍ମାନଙ୍କର ଦୃଢ଼ୀକରଣ, ଅଣବ୍ୟାଙ୍କ୍ ବିତ୍ତୀୟ ଅନୁଷ୍ଠାନ(‘ଏନ୍ବିଏଫ୍ସି’)ମାନଙ୍କର ବ୍ୟବସାୟର ସୁଗମକରଣ ଇତ୍ୟାଦି। ବର୍ତ୍ତମାନ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(‘ଏମ୍ଏସ୍ଏମ୍ଇ’)ମାନଙ୍କୁ ପ୍ରଦାନ କରାଯାଉଥିବା ଗୁରୁତ୍ବ ପରିପ୍ରେକ୍ଷୀରେ ସେମାନଙ୍କ ପାଇଁ ବନ୍ଧକମୁକ୍ତ ଋଣ ସୀମାକୁ ଦ୍ବିଗୁଣିତ କରି ୧୦ ଲକ୍ଷ ଟଙ୍କା ସ୍ଥାନରେ ୨୦ ଲକ୍ଷ ଟଙ୍କା କରିଦେଇ ରିଜର୍ଭ ବ୍ୟାଙ୍କ୍ ଏଇ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରକୁ ଯେଉଁ ସହାୟତାର ହାତ ବଢ଼ାଇଛି, ତାହା ସେମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ।
ମୋଟ ଉପରେ ଗଭର୍ନର ମାଲହୋତ୍ରାଙ୍କର ସଂକ୍ଷିପ୍ତ ଘୋଷଣା ଏକ ସୁସ୍ଥ ଅର୍ଥନୀତିର ପରିଚାୟକ ବୋଲି କୁହାଯାଇପାରେ।
Follow Us