ଭାରତୀୟ ନାଗରିକରେ ପରିଣତ ହୋଇଥିବା ବେଲଜିଆନ ସମାଜ ବିଜ୍ଞାନୀ ଓ ଜନ ବିଦ୍ବାନ ଜ୍ୟାଁ ଡ୍ରେଜଙ୍କ ମତରେ ନୂଆ ଆଇନଟି ପୁରୁଣାର ରୂପାନ୍ତର ନୁହେଁ; ଏହା ଏକ ନୂତନ ଆଇନ, ଯହିଁରେ ଜୀବିକା ପ୍ରଦାନର ଗ୍ୟାରେଣ୍ଟି ନାହିଁ। ସେ କହନ୍ତି ଯେ ଦରିଦ୍ର ନାଗରିକଙ୍କୁ ରୋଜଗାରର ଗ୍ୟାରେଣ୍ଟି ଦେଉଥିବା ପୃଥିବୀର ଏକ ମାତ୍ର େଦଶ ରୂପେ ଭାରତର ସୁପରିଚିତି ବର୍ତ୍ତମାନ କ୍ଷୁଣ୍ଣ ହେବାକୁ ଯାଉଛି; ଅନ୍ୟଥା ଏହି କ୍ଷେତ୍ରରେ ଭାରତ ବାସ୍ତବରେ ବିଶ୍ବଗୁରୁ ରୂପେ ପ୍ରତିଭାତ ହେଉଥିଲା।
Bangladesh : ଭାରତ ବିରୋଧୀ ବାଂଲାଦେଶୀ ଛାତ୍ରନେତା ଉସମାନ ହାଦି ମୃତ
ଗଲା ବୁଧବାର ଦିନ କେନ୍ଦ୍ର ସରକାରଙ୍କ ଦ୍ବାରା ଆଗତ ନୂତନ ଗ୍ରାମୀଣ କର୍ମ ନିଯୁକ୍ତି ବିଲ୍ - ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଜୀବିକା ମିସନ(ଗ୍ରାମୀଣ) ବା ‘ଭିବି-ଜି ରାମ ଜି’ - ଲୋକକ୍ଷେତ୍ରରେ ତୀବ୍ର ଓ ବ୍ୟାପକ ବିତର୍କ ସୃଷ୍ଟି କରିଛି। ଏଭଳି ବିତର୍କ ସୃଷ୍ଟି କରିଥିବା ‘ପ୍ରାକ୍ଟିକାଲ’ ବା ‘ଉପଯୋଗିତାମୂଳକ’ କାରଣଟି ହେଲା ୨୦୦୬ ମସିହାରୁ ପ୍ରଚଳିତ ଥାଇ ଗ୍ରାମ ସ୍ତରରେ ପ୍ରତ୍ୟେକ ସାବାଳକ ସକାଶେ ରୋଜଗାରର ଗ୍ୟାରେଣ୍ଟି ଦେଉଥିବା ଯୁଗାନ୍ତକାରୀ ଆଇନ ‘ମନରେଗା’କୁ ଏହି ନୂତନ ଆଇନ(ବିଲ୍ ପାରିତ ହେବା ପରେ) ବିସ୍ଥାପିତ କରି ଦେବ, ଯହିଁରେ ସରକାରଙ୍କ ଦ୍ବାରା ପ୍ରଦତ୍ତ ସୁନିଶ୍ଚିତ ରୋଜଗାରର ପ୍ରତିଶ୍ରୁତି ହୀନବଳ ହୋଇ ପଡ଼ିବାର ଆଶଙ୍କା ଉପୁଜିଛି ଏବଂ ଭାବୋଦ୍ଦୀପକ କାରଣଟି ହେଲା, ନୂତନ ଆଇନର ନାମରୁ ମହାତ୍ମା ଗାନ୍ଧୀ ଅନ୍ତର୍ହିତ ହୋଇଯାଇଛନ୍ତି, ଯାହା ରାଜନୈତିକ ପ୍ରତିପକ୍ଷଙ୍କ ଦୃଷ୍ଟିରେ ଗାନ୍ଧୀଜୀଙ୍କ ପଦଚିହ୍ନ ଲିଭାଇ ଦେବା ଲାଗି ସୁନିୟୋଜିତ ଏଜେଣ୍ଡାର ଏକ ଅଂଶ। ତେବେ, ସେ ଯାହା ହେଉ, ପ୍ରାୟ ୧୦୦ କୋଟିରୁ ଅଧିକ ଭାରତୀୟଙ୍କ ଜୀବନ ଓ ଜୀବିକା ସହିତ ସଂଶ୍ଳିଷ୍ଟ ଏହି ବିଲ୍ର ଚରିତ୍ର ଓ ନାମକୁ ନେଇ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରଥମେ ନୂତନ ବିଲ୍ରେ ଥିବା ନୂତନ ପ୍ରାବଧାନଗୁଡ଼ିକ ଉପରେ କ୍ଷିପ୍ର ଦୃଷ୍ଟିପାତ କରାଯାଉ। ପ୍ରଥମ କଥା ହେଲା, ଏହି ବିଲ୍ ଆଇନରେ ପରିଣତ ହେବା ପରେ ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ବର୍ଷକୁ ୧୨୫ ଦିନର କାର୍ଯ୍ୟ-ସୁଯୋଗ ଉପଲବ୍ଧ ହେବ, ଯାହା ପୂର୍ବରୁ ୧୦୦ ଦିନ ସକାଶେ ଥିଲା। ଦ୍ବିତୀୟରେ ଫସଲ ଅମଳ କାଳରେ ୬୦ ଦିନ ଲାଗି ଏହି ଯୋଜନାରେ ବିରତି ଲାଗିବ, ଅର୍ଥାତ୍ ଏହି ଆଇନ ଆନୁକୂଲ୍ୟରେ କାହାକୁ ହେଲେ କାର୍ଯ୍ୟ ମିଳିବ ନାହିଁ। ତୃତୀୟରେ, ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମି ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ମୁକାବିଲା ସଂବଳିତ କେବଳ ଚାରିଟି କ୍ଷେତ୍ରରେ ଏହି ଆଇନ ମାଧ୍ୟମରେ ଶ୍ରମବଳ ବିନିଯୁକ୍ତ ହୋଇପାରିବେ ଏବଂ କେଉଁ କାର୍ଯ୍ୟ ହେବ, ତାହା କେନ୍ଦ୍ର ସରକାର ସ୍ଥିର କରିବେ, ଯେଉଁ ନିଷ୍ପତ୍ତି ପୂର୍ବ ଆଇନରେ ପଞ୍ଚାୟତ ସ୍ତରରେ ହେଉଥିଲା। ଚତୁର୍ଥରେ, ପୂର୍ବ ଆଇନ ଅନୁସାରେ ପ୍ରାୟ ପୂର୍ଣ୍ଣ ବ୍ୟୟ ଭାର(୯୦%) କେନ୍ଦ୍ର ସରକାର ବହନ କରୁଥିଲେ; ଅଥଚ ନୂଆ ବ୍ୟବସ୍ଥାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବ୍ୟୟ ଭାର ୬୦% ଓ ୪୦% ଅନୁପାତରେ ଆବଣ୍ଟିତ ହେବ। ତେବେ ନୂଆ ଆଇନରେ ବାୟୋମେଟ୍ରିକ୍ସ, ଏ.ଆଇ. ଓ ଅନ୍ୟ ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର ମାଧ୍ୟମରେ ଦୁର୍ନୀତିମୁକ୍ତ, ପାରଙ୍ଗମ ଏବଂ ହିତାଧିକାରୀଙ୍କୁ ଶୀଘ୍ର ପାଉଣା ପ୍ରଦାନକାରୀ(ଏକ ସପ୍ତାହ ମଧ୍ୟରେ) ବ୍ୟବସ୍ଥାର ସୃଷ୍ଟି ଦିଗରେ ଉଦ୍ୟମ ମଧ୍ୟ କରାଯାଇଛି।
ଏଭଳି ସ୍ଥିତିରେ ପ୍ରତିପକ୍ଷ ବା ଭିନ୍ନ ମତବାଦୀଙ୍କ ଆପତ୍ତିର ମୂଳ କାରଣଟି ହେଲା ନୂଆ ଆଇନର ଭାଷା ଓ ଭାବ ଅନୁସାରେ ପୂର୍ବ ଆଇନରେ ସନ୍ନିହିତ ‘ସୁନିଶ୍ଚିତ ରୋଜଗାର’ ଭଳି ପ୍ରସଙ୍ଗ ‘ଅନିଶ୍ଚିତତା’ ମଧ୍ୟକୁ ଠେଲି ହୋଇଯାଇଛି; ଅର୍ଥାତ୍ ବର୍ଷର ଯେ କୌଣସି ସମୟରେ ଜଣେ ସକ୍ଷମ ସାବାଳକ କାର୍ଯ୍ୟ ଦାବି କରି ପାଇବାର ଗ୍ୟାେରଣ୍ଟି ନାହିଁ। କାରଣ ଫସଲ ଅମଳ କାଳରେ ଆଇନର କାର୍ଯ୍ୟକାରିତାରେ ୬୦ ଦିନିଆ ବିରତି ଲାଗିବ। ତା’ ସହିତ କେନ୍ଦ୍ର ପକ୍ଷରୁ କାର୍ଯ୍ୟ ପ୍ରଦାନର ବ୍ୟବସ୍ଥାରେ ତୃଣମୂଳ ସ୍ତରରେ ଅନେକ ଅସଂଗତି, ଅସମନ୍ବୟ ଓ ଅବ୍ୟବସ୍ଥା ଦେଖାଦେବାର ସମ୍ଭାବନା ଅଧିକ। ଏହା ମଧ୍ୟ ଜୀବିକା ଲାଗି ସୁଯୋଗ ଶୂନ୍ୟତାର କାରଣ ହେବ। ପ୍ରକାଶ ଥାଉ କି ‘ଜିଏସଟି’ ପ୍ରଚଳନ ପରେ ରାଜ୍ୟ ରାଜକୋଷଗୁଡ଼ିକ ବିତ୍ତୀୟ ଅଭାବର ସମ୍ମୁଖୀନ ହେଉଥିବା ବେଳେ ନୂଆ ଆଇନର ପ୍ରାବଧାନ ଅନୁଯାୟୀ ବ୍ୟୟ ଭାରର ୪୦% ବହନ ଝାରଖଣ୍ଡ ଭଳି କିଛି ରାଜ୍ୟ ସକାଶେ ଅସହନୀୟ ହୋଇପାରେ, ଯେଉଁଠି ଦୈନନ୍ଦିନ ସରକାର ପରିଚାଳନା ଲାଗି ମଧ୍ୟ ବିତ୍ତୀୟ ସଂକଟ ତୀବ୍ର। ସୁତରାଂ, ଏଭଳି ରାଜ୍ୟର ନାଗରିକମାନେ ଜୀବିକାର ସୁନିଶ୍ଚିତତା ହରାଇ ବସିବେ। ଫସଲ ଅମଳକାଳୀନ ବିରତି ସଂଦର୍ଭରେ କୁହାଯାଇପାରେ ଯେ ଯାନ୍ତ୍ରିକୀକରଣର ପ୍ରସାରରୁ କୃଷି କ୍ଷେତ୍ରରେ ମାନବ ଶ୍ରମର ଆବଶ୍ୟକତା ହ୍ରାସ ପାଇଲାଣି। ଏଭଳି ସ୍ଥଳେ କେବଳ ମଧ୍ୟମ ଓ କ୍ଷୁଦ୍ର ଚାଷୀମାନେ ହୁଏତ ଅଧିକ ସଂଖ୍ୟକ କୃଷି ଶ୍ରମିକ ଲୋଡ଼ି ପାରନ୍ତି, ଯେଉଁ ସ୍ଥିତିରେ ମଜୁରି ନ୍ୟୂନତା ନେଇ ମଧ୍ୟ ସମସ୍ୟା ସୃଷ୍ଟି ହେବ।
ତେବେ, ବିଲ୍ର ସମର୍ଥକ ପକ୍ଷ କହିଥାଆନ୍ତି ଯେ ପୂର୍ବ ଆଇନରେ ଅମଳ ସମୟକୁ ମିଶାଇ ବର୍ଷକୁ ମାତ୍ର ଶହେ ଦିନର କାର୍ଯ୍ୟର ସୁଯୋଗ ଥିବା ବେଳେ ନୂଆ ଆଇନରେ ପ୍ରକୃତରେ ତାହା ୧୨୫ ଦିନ ସହିତ ଅତିରିକ୍ତ ୬୦ ଦିନକୁ ମିଶାଇ ୧୮୫ ଦିନର କାର୍ଯ୍ୟ ସମ୍ଭାବନା ସୃଷ୍ଟି କରିଛି। ଦ୍ବିତୀୟରେ, ଚାରିଟି ନିର୍ଦ୍ଦିଷ୍ଟ କ୍ଷେତ୍ରରେ କାର୍ଯ୍ୟ ସୃଷ୍ଟିର ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ବିକାଶକୁ ଉଭୟ ଦିଗ ଓ ବେଗ ପ୍ରଦାନ କରିବା ଏବଂ ସ୍ଥାୟୀ ସଂପଦ ସୃଷ୍ଟି କରିବା, ଯାହା ପୂର୍ବରୁ ‘ଗାତ ଖୋଳା ଓ ଗାତ ପୋତା’ ଭଳି ଅର୍ଥହୀନ କାର୍ଯ୍ୟରେ ବିପୁଳ ଅର୍ଥ ବ୍ୟୟ ଓ ଦୁର୍ନୀତି ଲାଗି ପଥ ପରିଷ୍କାର କରିଥିଲା। ସେମାନେ କହିଥାଆନ୍ତି ଯେ ବ୍ୟୟରେ ରାଜ୍ୟ ସରକାରଙ୍କ ଭାଗୀଦାରିର ଉଦ୍ଦେଶ୍ୟ ହେଲା ଯୋଜନାର କାର୍ଯ୍ୟାନ୍ବୟନରେ ରାଜ୍ୟ ସରକାରଙ୍କ ଦାୟିତ୍ବପୂର୍ଣ୍ଣ ସଂପୃକ୍ତିର ଅଙ୍ଗୀକାର, ଯାହା ଏକଦା ୟୁପିଏ ଅମଳର ଅର୍ଥମନ୍ତ୍ରୀ ପି. ଚିଦମ୍ବରମ ପ୍ରକାଶ୍ୟରେ ଲୋଡ଼ି ଥିଲେ ଏବଂ ଫସଲ ଅମଳକାଳୀନ ବିରତି ସକାଶେ ପୂର୍ବରୁ ଏନ.ସି.ପି.ର ମୁଖ୍ୟ ଶରଦ ପାୱାର ଦୃଢ଼ ଯୁକ୍ତି ପୋଷଣ କରିଥିଲେ, ଯେଉଁ ଦୁଇ ଜଣ ସଂପ୍ରତି ନୂତନ ଆଇନର ବିରୋଧୀ ପକ୍ଷଭୁକ୍ତ।
Editorial: ସତ କହୁଛି: ଯଥା ଶୀଘ୍ର ସମ୍ଭବ
ତେବେ, ରାଜନୈତିକ ବାଦାନୁବାଦ ଅତିକ୍ରମ କରି ଏ କ୍ଷେତ୍ରରେ ସଂପୃକ୍ତ ବିଶେଷଜ୍ଞମାନଙ୍କ ମତ ଲୋଡ଼ିଲେ ଯେଉଁ ବିଷୟଟି ପ୍ରକୃତ ଉଦ୍ବେଗର କାରଣ ହୋଇଛି, ତାହା ହେଲା ନୂଆ ଆଇନରେ କାର୍ଯ୍ୟ ଯୋଗାଇବା ନେଇ ନିର୍ଭର ପ୍ରତିଶ୍ରୁତିର ଅଭାବ। ଭାରତୀୟ ନାଗରିକରେ ପରିଣତ ହୋଇଥିବା ବେଲଜିଆନ ସମାଜ ବିଜ୍ଞାନୀ ଓ ଜନ ବିଦ୍ବାନ ଜ୍ୟାଁ ଡ୍ରେଜଙ୍କ ମତରେ ନୂଆ ଆଇନଟି ପୁରୁଣାର ରୂପାନ୍ତର ନୁହେଁ; ଏହା ଏକ ନୂତନ ଆଇନ, ଯହିଁରେ ଜୀବିକା ପ୍ରଦାନର ଗ୍ୟାରେଣ୍ଟି ନାହିଁ। ସେ କହନ୍ତି ଯେ ଦରିଦ୍ର ନାଗରିକଙ୍କୁ ରୋଜଗାରର ଗ୍ୟାରେଣ୍ଟି ଦେଉଥିବା ପୃଥିବୀର ଏକ ମାତ୍ର େଦଶ ରୂପେ ଭାରତର ସୁପରିଚିତି ବର୍ତ୍ତମାନ କ୍ଷୁଣ୍ଣ ହେବାକୁ ଯାଉଛି; ଅନ୍ୟଥା ଏହି କ୍ଷେତ୍ରରେ ଭାରତ ବାସ୍ତବରେ ବିଶ୍ବଗୁରୁ ରୂପେ ପ୍ରତିଭାତ ହେଉଥିଲା। ସେହିଭଳି ଏକ ସାକ୍ଷାତ୍କାରରେ ଲେଖକ ଓ ରାଜନୈତିକ ଅର୍ଥନୀତି ବିଶାରଦ ଶଙ୍କର ଆୟର କହିଥାନ୍ତି ଯେ କୌଣସି ବିକାଶର ଯୋଜନା ସ୍ଥାନୀୟ ଜନସାଧାରଣଙ୍କ ଆବଶ୍ୟକତା ଓ ନିଷ୍ପତ୍ତି ଆଧାରିତ ହେବା ଉଚିତ, ଯାହା ଏହି ନୂଆ ଆଇନରେ ଦେଖିବାକୁ ମିଳିବ ନାହିଁ। ଏ କ୍ଷେତ୍ରରେ କେନ୍ଦ୍ରର ଏକାଧିପତ୍ୟ ରହିଲେ, ବିରୋଧୀ ରାଜ୍ୟରେ ଯୋଜନାର ରୂପାୟନ ସଫଳ ହୋଇ ନ ପାରେ, ଯାହାକୁ ରାଜ୍ୟର ବିଫଳତା ବୋଲି ଦର୍ଶାଇ କେନ୍ଦ୍ର ସରକାର ନିଜ ପକ୍ଷରେ ଜନମତ ସୃଷ୍ଟି କରିପାରନ୍ତି। ୨୦୦୪ ମସିହାରେ ଉତ୍ତର ପ୍ରଦେଶର ଶାମଲୀ ଜିଲ୍ଲାରେ ମରୁଡ଼ି ଜନିତ ଅନାହାରର ମୁକାବିଲା ଲାଗି ହାତକୁ ନିଆଯାଇଥିବା ‘କାମ ପାଇଁ ଖାଦ୍ୟ ଯୋଜନା’ର ଦୃଷ୍ଟାନ୍ତ ଦେଇ ଆୟର କହିଥାଆନ୍ତି ଯେ ପ୍ରାୟତଃ ବୃହତ୍ ସାମାଜିକ ସଂସ୍କାରର ବୀଜ ତୃଣମୂଳ ସ୍ତରରେ ପଡ଼ିଥାଏ, େଯମିତି ଶାମଲୀର କାର୍ଯ୍ୟକ୍ରମ ଅବଲୀଳା କ୍ରମେ ଯୁଗାନ୍ତକାରୀ ‘ମନରେଗା’ର ଦ୍ରୁମକୁ ଜନ୍ମ ଦେଇଥିଲା। ତେଣୁ ଏ ସଂଦର୍ଭରେ ନିର୍ଦ୍ଦିଷ୍ଟ ମତ ଶୁଭିଥାଏ ଯେ ଏଭଳି ଏକ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଆଇନକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ ବ୍ୟାପକ ବିତର୍କ, ବିଶେଷଜ୍ଞଙ୍କ ପରାମର୍ଶ ଓ ଜନ ମତର ଆହ୍ବାନ କରାଯିବା ଯଥାର୍ଥ ହୁଅନ୍ତା।
ପରିଶେଷରେ ନାମକୁ କେନ୍ଦ୍ର କରି ସୃଷ୍ଟ ବିବାଦର ଉଚ୍ଚାଟ; ଯେଉଁ ସଂଦର୍ଭରେ ଖୁବ୍ କମ୍ କୁହାଯିବା ହିଁ ସମୀଚୀନ। କାରଣ ପ୍ରଭୁ ରାମଙ୍କ ନାମକୁ ଅଧିକ ଭାସ୍ବର କରିବାର ବୈକଲ୍ୟ ହେଉ ବା ଗାନ୍ଧୀଜୀଙ୍କ ନାମର ଉଚ୍ଛେଦରେ ଉତ୍ପନ୍ନ ଉଦ୍ବେଗ ହେଉ; ଉଭୟ ସମାନ ସ୍ତରର ଏବଂ ତୀବ୍ର ଅସୁରକ୍ଷା ଭାବ ଓ ଅପରିପକ୍ବତାର ପ୍ରମାଣ। ଭାରତୀୟଙ୍କ ହୃଦୟ କନ୍ଦରରେ ଶ୍ରଦ୍ଧା ଓ ସମ୍ମାନର ସହିତ ଅବସ୍ଥାନ କରୁଥିବା ଜଣେ ହେଉଛନ୍ତି ସର୍ବକାଳୀନ ମର୍ଯ୍ୟାଦା-ପୁରୁଷ ଏବଂ ଅନ୍ୟ ଜଣେ ଆଧୁନିକ କାଳର ଅନନ୍ୟ ମହାପୁରୁଷ; ସୁତରାଂ, ଏମାନଙ୍କୁ ଅମରତ୍ବ ପ୍ରଦାନ କରିବା ଲାଗି ସଡ଼କ ବା ଭବନ ବା ଯୋଜନାକୁ ସେମାନଙ୍କ ନାମରେ ସୂଚିତ କରିବାର ଉଦ୍ୟମ ହାସ୍ୟାସ୍ପଦ ଶ୍ରେଣୀର। ଇତିମଧ୍ୟରେ ଦେଶରେ ଅସଂଖ୍ୟ ‘ମହାତ୍ମ ଗାନ୍ଧୀ ରୋଡ୍’ ଅବଲୀଳା କ୍ରମେ ‘ଏମ.ଜି. େରାଡ୍’ରେ ପରିଣତ ହେବା କିମ୍ବା ଆମ ଚତୁଃପାର୍ଶ୍ବରେ ରାମ ନାମ ବହନକାରୀ ଅଗଣିତଙ୍କୁ ସଂବୋଧନ କଲା ବେଳେ ସେହି ଦିବ୍ୟ ନାମଟିକୁ ସଂପୂର୍ଣ୍ଣ ହେୟ କରି ପକାଇବା ହେଉଛି ସେହି ‘ସାଧାରଣୀକରଣ ପ୍ରକ୍ରିୟା’ର ଅଂଶ, ଯହିଁରେ ନାମର ମହିମା ସଂପୂର୍ଣ୍ଣ ଭୂଲୁଣ୍ଠିତ ହୋଇଥାଏ। ତେଣୁ କୌଣସି ସରକାରୀ ଯୋଜନାର ଏଭଳି ନାମକରଣକୁ କେନ୍ଦ୍ର କରି ବିବାଦ ଅର୍ବାଚୀନଙ୍କ ତର୍କ ଭଳି ଶୁଭିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)