Editorial: ଶୁଣିବାର ଆନନ୍ଦ

Advertisment

ଜନ୍ମ ଠାରୁ ୭-୮ ବର୍ଷ ଲାଗିଯାଏ, ଆମକୁ ସ୍ପଷ୍ଟ ଭାବେ କଥା କହିବା ପାଇଁ। ତା’ ପରଠାରୁ ଲମ୍ବା ଜୀବନରେ - ପରିବାରରେ, ସାଙ୍ଗ, ସାଥୀଙ୍କ ମେଳରେ, ସ୍କୁଲରେ, କଲେଜରେ, ଚାକିରି କ୍ଷେତ୍ରରେ - ଉଚ୍ଚ ସ୍ବରରେ କଥା କହି ନିଜକୁ ସାବ୍ୟସ୍ତ କରିବାରେ ହିଁ ଆମେ ସନ୍ତୋଷ ପାଇଥାଉ।

ଜନ୍ମ ଠାରୁ ୭-୮ ବର୍ଷ ଲାଗିଯାଏ, ଆମକୁ ସ୍ପଷ୍ଟ ଭାବେ କଥା କହିବା ପାଇଁ। ତା’ ପରଠାରୁ ଲମ୍ବା ଜୀବନରେ - ପରିବାରରେ, ସାଙ୍ଗ, ସାଥୀଙ୍କ ମେଳରେ, ସ୍କୁଲରେ, କଲେଜରେ, ଚାକିରି କ୍ଷେତ୍ରରେ - ଉଚ୍ଚ ସ୍ବରରେ କଥା କହି ନିଜକୁ ସାବ୍ୟସ୍ତ କରିବାରେ ହିଁ ଆମେ ସନ୍ତୋଷ ପାଇଥାଉ।

dgdagazcv

ଜୟନ୍ତ କୁମାର ବିଶ୍ବାଳ

ଜନ୍ମ ଠାରୁ ୭-୮ ବର୍ଷ ଲାଗିଯାଏ, ଆମକୁ ସ୍ପଷ୍ଟ ଭାବେ କଥା କହିବା ପାଇଁ। ତା’ ପରଠାରୁ ଲମ୍ବା ଜୀବନରେ - ପରିବାରରେ, ସାଙ୍ଗ, ସାଥୀଙ୍କ ମେଳରେ, ସ୍କୁଲରେ, କଲେଜରେ, ଚାକିରି କ୍ଷେତ୍ରରେ - ଉଚ୍ଚ ସ୍ବରରେ କଥା କହି ନିଜକୁ ସାବ୍ୟସ୍ତ କରିବାରେ ହିଁ ଆମେ ସନ୍ତୋଷ ପାଇଥାଉ। ଏହା ଆମର ଦକ୍ଷତା ବୋଲି ଧରାଯାଏ। କିନ୍ତୁ ପ୍ରାୟ ୫୦-୬୦ ବର୍ଷ ଲାଗିଯାଏ ଧୀରେ କଥା କହିବା ପାଇଁ ଏବଂ ଅନ୍ୟକୁ ଶୁଣିବା ପାଇଁ। ବୋଧହୁଏ ଉତ୍ତରଣର ଶେଷ ପର୍ଯ୍ୟାୟରେ ଅାସେ, ଅନ୍ୟକୁ ଶୁଣିବା। ଅନ୍ୟକୁ ଶୁଣିବା ଗୋଟିଏ ଅତି ପବିତ୍ର ଅନୁଭବ। କିନ୍ତୁ ସଂସାରରେ ସମସ୍ତେ କହିବା ପାଇଁ ବ୍ୟଗ୍ର। ହାକିମ କର୍ମଚାରୀମାନଙ୍କୁ, ମାଲିକ ଭୃତ୍ୟକୁ, ନେତା ସାଧାରଣ ଜନତାକୁ, ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ, ବାପାମା’ମାନେ ପିଲାମାନଙ୍କୁ- ସମସ୍ତେ କହିବାରେ ବ୍ୟସ୍ତ। କାହିଁକି କହିବା ପାଇଁ ଏତେ ଆତୁରତା ଥାଏ ଆଉ ଶୁଣିବା ପାଇଁ ଥାଏ ଏତେ ଅନିଚ୍ଛ‌ା? ଏହାର କାରଣ, ଜଣେ ଯେତେବେଳେ ନିଜକୁ ହିଁ କେବଳ ପ୍ରାଧାନ୍ୟ ଦେଉଥାଏ, ଅହାଂଚ୍ଛନ୍ନ ହୋଇଥାଏ, ସେତେବେଳେ ସେ ଖାଲି କହିବାକୁ ଚାହେଁ। ଅନ୍ୟ ମଣିଷକୁ ସେ ଗୌଣ ବୋଲି ଭାବେ; ଅନ୍ୟ ପାଇଁ ତା’ ହୃଦୟରେ ସ୍ଥାନ ନ ଥାଏ; ଅନେକ ସମୟରେ ଅନ୍ୟର ଯେ ଗୋଟିଏ ମାନବୀୟ ସ୍ଥିତି ଅଛି, ତାହା ସେ ଗ୍ରହଣ କରି ନ ଥାଏ। ଅନ୍ୟକୁ ନ ଶୁଣିବା, ଏକ ଅସମାନ, ଶ୍ରେଣୀ ବିଭକ୍ତ ସମାଜର ଲକ୍ଷଣ। ବଡ଼ ହାକିମ, ତାଙ୍କ ଅଫିସରେ କାମ କରୁଥିବା ପିଅନଟିର କଥାକୁ କେବେ ସଂପୂର୍ଣ୍ଣ ଆଗ୍ରହ ସହ ଶୁଣୁଥିବେ- ଏ ତ କେବେ ଦେଖାଯାଇନି! ଏମିତି କେତେ ଶିକ୍ଷକ ଅଛନ୍ତି, ଯାହା ପାଖରେ ଛାତ୍ରଟିଏ ନିଜ ମନକଥା ଖୋଲି କହିଥାଏ! ଏମିତି କେତେ ମାଲିକ, ମାଲିକାଣୀ ଅଛନ୍ତି ଯିଏ ଶ୍ରଦ୍ଧାର ସହ ଘରେ ବାସନ ମାଜୁଥିବା ବା ରୋଷେଇ କରୁଥିବା ସ୍ତ୍ରୀଲୋକର ନିଜସ୍ବ ଦୁଃଖ, ସୁଖକୁ ଶୁଣୁଥିବେ! କିନ୍ତୁ ସମାଜରେ ବହୁତ କଥାବାର୍ତ୍ତା, ହୋହଲ୍ଲା ହୁଏ। ମାତ୍ର ସେଥିରେ ଭାବ ବିନିମୟ ଅପେକ୍ଷା କ୍ଷମତା, ପ୍ରତିପତ୍ତିର ସ୍ବରଟି ଅଧିକ ଶୁଭୁଥାଏ। ସେଥିପାଇଁ ସମାଜର ବିଭିନ୍ନ କ୍ଷେତ୍ରରେ ଏକ ରୁଦ୍ଧ, ନିଷ୍ପନ୍ଦ ପରିବେଶ ସୃଷ୍ଟି ହୋଇ ରହିଥାଏ, ତାହା ଅଫିସ ହେଉ ବା ଶ୍ରେଣୀଗୃହ ହେଉ। ସେଥିରେ ପ୍ରାଣ ଚଞ୍ଚଳତା ନ ଥାଏ। କଳ୍ପନା କରାଯାଉ, ହାକିମ ତାଙ୍କର ତଳିଆ କର୍ମଚାରୀମାନଙ୍କୁ, ଶିକ୍ଷକ ଛାତ୍ରମାନଙ୍କୁ, ବଡ଼ମାନେ ସାନମାନଙ୍କୁ, ବାପାମା’ମାନେ ପିଲାମାନଙ୍କୁ, ସେମାନଙ୍କର ଆବେଗ, ଉଦ୍‌ବେଗ ସବୁକୁ ଶ୍ରଦ୍ଧାର ସହ ଶୁଣୁଛନ୍ତି- ତେବେ ଜୀବନର ସମସ୍ତ ଅଗଣା ତ ଉତ୍ସାହଭରା ହୋଇଯିବ। ଗଣମାଧ୍ୟମରେ ଏବେ ଗୋଟିଏ ଫଟୋ ସମସ୍ତଙ୍କୁ ମୁଗ୍‌ଧ କରିଛି। ଜିଲ୍ଲାର କଲେକ୍ଟର, ରାସ୍ତାକଡ଼ରେ ରହୁଥିବା ଗୋଟିଏ ନିରାଶ୍ରୟା ଆଦିବାସୀ ସ୍ତ୍ରୀଲୋକ, ଯିଏ ତା’ର ପାଳିତ ବାରବୁଲା ଗାଈମାନଙ୍କୁ ହଜେଇ ଦେଇଛି, ତା’ର ଦୁଃଖକୁ ତା’ ପାଖରେ ବସି ପରମ ଆତ୍ମୀୟଟି ପରି ଶୁଣୁଛନ୍ତି। ଶୁଣିବାର ଚିତ୍ର ବି ଏତେ ସୁନ୍ଦର, ମାର୍ମିକ ‌େହାଇପାରେ!

Horoscope 2025 December 23: ଜାଣନ୍ତୁ ଆଜିର ରାଶିଫଳ


ଶୁଣିବାର ପ୍ରକୃତ ଅର୍ଥ କ’ଣ? କ’ଣ ଜଣେ କେବଳ କିଛି ଶବ୍ଦ କହେ ଏବଂ ଅନ୍ୟ ଜଣେ ସେହି ଶବ୍ଦକୁ ଶୁଣେ? ଅନେକ ସମୟରେ ଆମେ ଅନ୍ୟକୁ ଶୁଣୁ, କାରଣ ସେଠି ଶୁଣିବାର ବାଧ୍ୟବାଧକତା ଥାଏ; ମାତ୍ର ଶୁଣିଲା ବେଳେ ଆମେ ସେଠି ପ୍ରକୃତରେ ଉପସ୍ଥିତ ନ ଥାଉ। ପ୍ରକୃତ ଶୁଣିବା ହୋଇଥାଏ, ଜଣେ ଯେତେବେଳେ ଶବ୍ଦ ଅନ୍ତରାଳରେ ଥିବା ଆବେଗକୁ ଶୁଣିପାରେ। ଏହା ସମ୍ଭବ ହୁଏ, ଯେତେବେଳେ ଦୁଇ ଜଣଙ୍କ ଭିତରେ ବଡ଼-ସାନ, ଧନୀ-ଗରିବ ପରି କୌଣସି ସାମାଜିକ ତାରତମ୍ୟର ବିଚାର ନ ଥାଏ; ଏହା ଯେପରି ଦୁଇଟି ମଣିଷଙ୍କ ମୌଳିକ ସତ୍ତା ଭିତରେ, ସଂସାରରେ ଦୁଇଟି ସହଯାତ୍ରୀଙ୍କ ଭିତରେ ଏକ ଆତ୍ମିକ ବନ୍ଧନ। ଯେତେବେଳେ ଏହା ହୁଏ, ଯିଏ କହେ, ତା’ର ଅନ୍ତରର ସମସ୍ତ ଶୃଙ୍ଖଳ ଛିନ୍ନ ହୋଇଯାଏ ଏବଂ ସେ ନିଜର ହୃଦୟକୁ ଶଙ୍କାହୀନ, ଦ୍ବିଧାହୀନ ଭାବେ ଉନ୍ମୁକ୍ତ କରିଦିଏ ଶୁଣିବା ଲୋକର ଆପଣାପଣ ପାଖ‌େର। ଅନେକ ସମୟରେ ବହୁତ କଥା ଅନ୍ତର ଭିତରେ ଚାପି ହୋଇ ରହିଥାଏ, ମନକୁ ହନ୍ତସନ୍ତ କରୁଥାଏ; କାହାକୁ କହିବାର ସାହସ ନ ଥାଏ ବା ସୁଯୋଗ ନ ଥାଏ। ମାତ୍ର ଯେତେବେଳେ କେଉଁ ସମ୍ବେଦନଶୀଳ ମଣିଷଟିଏ ତା’ କଥା ଶୁଣେ, ସେତେବେଳେ ତା’ର ଅସ୍ଥିରତା, ଅସହାୟତା ମଧ୍ୟ ଅନେକ ଲାଘବ ହୋଇଯାଏ, କାରଣ ତା’ର ଅନୁଭବ ହୁଏ ଯେ, ଏ ସଂସାରରେ ତା’ର ବି କିଏ ଅଛି, ଯିଏ ତା’ କଥା ଶୁଣୁଛି। କେହି ଜଣେ ତା’ କଥାକୁ ଶୁଣିଲା- ଏହା ତା’ର ପୂର୍ବରୁ ଥିବା ହୀନମନ୍ୟତାକୁ ଦୂର କରି ଏକ ଅପୂର୍ବ ଆତ୍ମବିଶ୍ବାସ ମଧ୍ୟ ଦେଇଥାଏ। ଏହି ଆତ୍ମବିଶ୍ବାସ ତା’ ଭିତରେ ବି ଏକ ସୁନ୍ଦର ପରିବର୍ତ୍ତନ ଆଣିପାରେ। ଏହି ପ୍ରସଙ୍ଗରେ ଗୋଟିଏ ବ୍ୟକ୍ତିଗତ ଅଭିଜ୍ଞତା ଉଲ୍ଲେଖ କରୁଛି। ଆମର ଏମ୍.ଏ. ଶ୍ରେଣୀରେ ଗୋଟିଏ ମୁସଲିମ ଛାତ୍ରୀ ଥିଲା, ଯିଏ ତା’ର ପଢ଼ାପଢ଼ି, ବ୍ୟବହାର, କଥାବାର୍ତ୍ତା, ଏପରିକି ବେଶପୋଷାକରେ ପୂରା ମାନ୍ଦା ଥିଲା। ଅନ୍ୟ ପିଲାମାନଙ୍କ ପାଖରେ ସେ ପୂରା ନିଷ୍ପ୍ରଭ ଦେଖାଯାଉଥିଲା। ଦିନେ ପ୍ରୋଜେକ୍‌ଟ ପାଇଁ ପ୍ରତି ପିଲା ସାଥିରେ ଜଣ ଜଣ କରି ଆଲୋଚନା କରୁଥିଲା ବେଳେ, ମୁଁ ଏହି ଝିଅକୁ ତା’ର ସବୁଥିରେ ନିରୁତ୍ସାହ ବିଷୟରେ ପ୍ରଶ୍ନ କଲି। ସେ କିଛି ସମୟ ପାଇଁ ସ୍ତବ୍‌ଧ ହୋଇ ରହିଗଲା। ମୁଁ ତା’ ଭିତରେ ଘଟୁଥିବା କମ୍ପନର କିଛି ଆଭାସ ପାଇ ପାରୁଥିଲି ଏବଂ ସେଥିପାଇଁ ତା’ ସହ ଧୀରେ, ଶ୍ରଦ୍ଧାର ସହ କଥାବାର୍ତ୍ତା କଲି। କେବେ ଶିକ୍ଷକଙ୍କ ସହ କଥା ହେବାକୁ ସାହସ କରି ନ ଥିବା ଝିଅଟି, ପାହାଡ଼ୀ ଝରଣାଟି ପଥରର ବନ୍ଧନକୁ ଭାଙ୍ଗିଦେଇ ମୁକୁଳି ଗଲା ପରି, ହଠାତ୍ ପ୍ରଗଳ୍‌ଭ ‌େହାଇ ଗପି ଚାଲିଲା କିପରି କିଛିଟା କାରଣରୁ ତା’ ପରିବାର ଭିତରେ ସେ ରୁନ୍ଧି ହୋଇଯାଉଛି। ଭାବୁଥିଲି, ଏଇ ସାଧାସିଧା, କେବେ କଥା କହୁ ନ ଥିବା ଝିଅଟି ଭିତରେ ଏତେ ଅଗ୍ନି ଅଛି; ଚିନ୍ତା କରିବାର, ଅନୁଭବ କରିବାର ଏତେ ଶକ୍ତି ଅଛି! ସେହି ଦିନ ଠାରୁ ହଠାତ୍ ଯେମିତି ସେ ବଦଳିଗଲା; ସବୁ କାମରେ, ପଢ଼ାରେ, କଥାରେ, ବେଶଭୂଷାରେ ତା’ର ଆଗ୍ରହ, ସ୍ଫୂର୍ତ୍ତି ଆସିଗଲା। ଏହି ଘଟଣା ପରେ ଅନୁଭବ ହେଲା, ଜଣକୁ କେବଳ ଶୁଣିଲେ, ଆମେ ତା’ ଭିତରେ ଅନେକ ପରିବର୍ତ୍ତନ ଆଣିପାରୁ; ତା’ ଭିତରେ ଥିବା ସମ୍ଭାବନାକୁ ସାକାର କରିପାରୁ। ଆତ୍ମୀୟମାନଙ୍କ ଦ୍ବାରା ପରିତ୍ୟକ୍ତ ହୋଇ ଏକ ଜରାଶ୍ରମକୁ ଆସିଥିବା ଏବଂ ସେହି ଦୁଃଖରେ ସଂପୂର୍ଣ୍ଣ ନିରବ ହୋଇଯାଇଥିବା କେତେକ ସ୍ତ୍ରୀଲୋକଙ୍କୁ ଶୁଣିବାର ପର୍ଯ୍ୟାୟରେ ମୋର ଅନୁଭବ ହେଉଛି ଯେ ସେମାନଙ୍କୁ ଖାଲି ଶୁଣିଲେ, ସେମାନଙ୍କର ଅବସାଦ ଅନେକ ଦୂର ହୋଇଯାଏ।
ଯିଏ ଶୁଣେ, ତା’ ଭିତରେ ବି ଅନୁରୂପ ପରିବର୍ତ୍ତନ ହୁଏ। ଅନ୍ୟକୁ ଶୁଣିବା ମାନେ, ଅନ୍ୟକୁ ସ୍ବୀକାର କରିବା, ଗ୍ରହଣ କରିବା। ଯେତେବେଳେ ଜଣେ ଅନ୍ୟକୁ ନିରୋଳା ଭାବେ ଶୁଣେ, ‌େସ ତା’ ସହ ଏକାତ୍ମ ହୋଇଯାଏ; ତା’ର ସୁଖ, ଦୁଃଖକୁ ମଧ୍ୟ ଅନୁଭବ କରେ। ସେତେବେଳେ ତା’ ନିଜ ଭିତରେ ପୂର୍ବରୁ ବରଫ ହୋଇଯାଇଥିବା ସୂକ୍ଷ୍ମ ଭାବଗୁଡ଼ିକ ମଧ୍ୟ ତରଳିବାକୁ ଆରମ୍ଭ କରେ। ନିଜ ଭିତରେ ଏକ ଦରଦୀ ଆତ୍ମାକୁ ସେ ଆବିଷ୍କାର କରେ ଏବଂ ଏହି ଅବବୋଧଟି ତାକୁ ସାର୍ଥକତାର ଅନୁଭବ ଦେଇଥାଏ। ନିଜ ଭିତରେ ସମ୍ବେଦନଶୀଳତାର ଫଲ୍‌ଗୁ ଆବିଷ୍କାର କରିବା ଏକ ସୁନ୍ଦର, କୋମଳ ଅନୁଭବ। ପୂର୍ବରୁ, ଆମକୁ ଅନ୍ୟମାନେ ଯେପରି ଅପର ଲାଗୁଥିଲେ, ତାହା ଆଉ ଲାଗେ ନାହିଁ‌; ବରଂ ଅନ୍ୟମାନେ ଆତ୍ମୀୟ ପରି ଲାଗନ୍ତି। କେବଳ କହିବାଟି ବିଭକ୍ତ କରାଏ; ଶୁଣିବାଟି ସଂପୃକ୍ତ କରାଏ; ଅନ୍ତରଙ୍ଗତାର ପରିସର ବଢ଼ିଯାଏ।

Editorial: ଢିଙ୍କିଶାଳରୁ ଢେଙ୍କାନାଳ: ‘‘ଗାନ୍ଧୀ’’ ବଦଳରେ ‘‘ରାମ’’


ଅନ୍ୟକୁ ଶୁଣିବା ଦ୍ବାରା ନିଜର ଦୁଃଖ ବି ଲାଘବ ହୋଇଯାଏ। ଅନ୍ୟ ମଣିଷଟି ଭିତରେ ଲୁଚି ରହିଥିବା ଦୁଃଖ, ଅସହାୟତା, ସଂଘର୍ଷକୁ ଜାଣିଲା ପରେ ନିଜର ଦୁଃଖ, କଷ୍ଟକୁ ଗ୍ରହଣ କରିବାର ସହନଶୀଳତା, ଧୈର୍ଯ୍ୟ ମଧ୍ୟ ଆସିଯାଏ। ବେଳେବେଳେ ଉପରକୁ ସାମାନ୍ୟ, ଦୁର୍ବଳ ପ୍ରତୀତ ହେଉଥିଲେ ମଧ୍ୟ ଅନ୍ୟ ମଣିଷର ପାହାଡ଼ ପରି ଦୁଃଖ ଏବଂ ତାହା ସହ ଯୁଝିବାର ତା’ର ଯୋଦ୍ଧାପଣ ଆମକୁ ବିସ୍ମିତ କରାଇଥାଏ ଏବଂ ଆମ ଜୀବନକୁ ସେମିତି ଜିଇବାର ପ୍ରେରଣା ଦେଇଥାଏ। ଅନ୍ୟକୁ ପ୍ରକୃତରେ ଜାଣିବାକୁ ହେଲେ, ତାକୁ ଶୁଣିବାକୁ ହୁଏ। ଯିଏ କେବେ କାହାକୁ ଶୁଣିନାହିଁ, ବା ଯାହା ପାଖରେ କିଏ କେବେ ନିଜ କଥା କହିନାହିଁ, ସେ ଜୀବନରେ ସଂପୂର୍ଣ୍ଣ ଅପୂର୍ଣ୍ଣ ରହିଯାଇଛି। କାରଣ, ଯିଏ ଭଲ ପାଏ, ସେ ହିଁ ଶୁଣେ।
ପ୍ରତିଟି କ୍ଷେତ୍ରରେ, ପ୍ରତି ମୁହୂର୍ତ୍ତରେ ଆମ ଚାରିପାଖରେ ଲୋକମାନେ ଅଛନ୍ତି, ଯେଉଁମାନେ କିଛି କହନ୍ତି ନାହିଁ, କାରଣ ସେମାନଙ୍କୁ ଶୁଣିବା ପାଇଁ କେହି ନ ଥାଏ। ସେମାନଙ୍କୁ କେବଳ ଶୁଣିବା ହିଁ ସେମାନଙ୍କର ନିଶ୍ଚଳ ଜୀବନରେ କିଛିଟା ତରଙ୍ଗ ସୃଷ୍ଟି କରିବା, ଜଡ଼ତାରୁ ଜୀବନ୍ୟାସ ଦେବା। ଏପଟେ, ଆମର ଚେତନାର ଝରକା ସବୁ ମଧ୍ୟ ଖୋଲିଯ‌ାଏ। ଅନ୍ୟମାନଙ୍କୁ ଶୁଣିଲା ପରେ ଲାଗେ, ସଂସାରରେ ଏତେ ଗଭୀର ଜୀବନ କାହାଣୀମାନ - ଭଲ ପାଇବାର, ଦୁଃଖର, ତ୍ୟାଗର, ଧୈର୍ଯ୍ୟର - ଅଛି, ଯାହା ଆମେ, ଆମ ଅଳ୍ପର ଜୀବନକୁ ଏକମାତ୍ର ସତ୍ୟ ବୋଲି ଭାବି ନେଇଥିବା ମଣିଷମାନେ, ଜାଣି ନ ଥିଲୁ। ଆଉ ଯେତେବେଳେ ଆମେ ସେହି ଗଭୀରତାଗୁଡ଼ିକର ଝଲକ ପାଉ, ସେତେବେଳେ ଆମ ପାଇଁ ମଧ୍ୟ ଆମର ଜୀବନ ନୂଆ ରୂପରେ ଉଦ୍‌ଭାସିତ ହୋଇ ଉଠେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୨୯୨୧୧୩

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe