ଚିକିତ୍ସା ବିଜ୍ଞାନୀଙ୍କ ମତ‌େର ସମନ୍ବିତ ଆହାର ପରେ ପ୍ରାୟ ସମାନ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ବ୍ୟାୟାମ ଏବଂ ଉତ୍ତମ ନିଦ୍ରା। ପ୍ରତ୍ୟହ ଅଧଘଣ୍ଟାର ବ୍ୟାୟାମ ସହିତ କର୍ମ ତତ୍ପର ଜୀବନ ଏବଂ ସର୍ବନିମ୍ନ ସାତ ଘଣ୍ଟାର ନିଦ୍ରା ହେଉଛି ଏକ ସୁସ୍ଥ ଜୀବନ ଶୈଳୀର ଚିହ୍ନ, ଯଦ୍ଦ୍ବାରା ପାଚନ, ‘ମେଟାବଲିଜମ’, ରକ୍ତ ସଂଚାଳନ, ଚର୍ବି ଦହନ ଏବଂ ହରମୋନ ସୃଷ୍ଟି ଓ କ୍ଷରଣ ଭଳି ସୁସ୍ବାସ୍ଥ୍ୟ ଅନୁକୂଳ କ୍ରିୟା ସୃଷ୍ଟି ହୋଇଥାଏ।

Advertisment

Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ

ଆଜିର ଦିନ ଅର୍ଥାତ୍ ଡିସେମ୍ବର ମାସ ୨୭ ତାରିଖକୁ ‘ୱର୍ଲଡ ଏପିଡେମିକ ପ୍ରିପେର୍‌ଡନେସ ଡେ’ ବା ‘ବିଶ୍ବ ମହାମାରୀ ପ୍ରସ୍ତୁତି ଦିବସ’, ଭାବେ ପାଳନ କରାଯାଉଛି, ଯାହାର ଘୋଷଣା ଆଜିକୁ ମାତ୍ର ପାଞ୍ଚ ବର୍ଷ ତଳେ ଜାତିସଂଘ ଦ୍ବାରା କରାଯାଇଥିଲା। ୨୦୨୦ ମସିହା ବେଳକୁ ମାନବ ଜାତିକୁ କିଂକର୍ତ୍ତବ୍ୟବିମୂଢ଼ କରି ‘କୋଭିଡ୍‌-୧୯’ ମହାମାରୀର ଆବିର୍ଭାବ ଘଟିଥିଲା, ଯାହାର ତାଣ୍ଡବ ପ୍ରାୟ ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲି ରହି ୭୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ହୋଇଥିଲା। ସୁତରାଂ, ଏଭଳି ବିଭୀଷିକାର ମୁକାବିଲା ଯେ ପ୍ରାକ୍‌ ପ୍ରସ୍ତୁତି ଲୋଡ଼ିଥାଏ, ତାହା ସେହି ସମୟ‌େର ହୃଦ୍‌ବୋଧ ହୋଇଥିଲା। କିନ୍ତୁ, ସତ କହିଲେ ୧୯୨୦ରେ ଅର୍ଥାତ୍‌ ଶହେ ବର୍ଷ ତଳେ ‘ସ୍ପାନିସ ଫ୍ଲୁ’ ପୃଥିବୀ ସାରା କୋଭିଡ୍‌ ତୁଲ୍ୟ ଭୟାବହତା ସୃଷ୍ଟି କରିଥିଲା ଏବଂ ଏକବିଂଶ ଶତାବ୍ଦୀରେ ସ୍ବାଇନ ଫ୍ଲୁ ଓ ସାର୍ସ ଇତ୍ୟାଦି ‘ପାନଡେମିକ’ରେ ପରିଣତ ହୋଇ ବିଶ୍ବବ୍ୟାପୀ ଗଣସଂହାର କରିବାର ସମସ୍ତ ସାମର୍ଥ୍ୟ ବହନ କରିଥିଲେ ହେଁ ପୃଥିବୀ ଅଳ୍ପକେ ବର୍ତ୍ତି ଯାଇଥିଲା। ସୁତରାଂ, ପଶ୍ଚାତ୍ ଦୃଷ୍ଟିରେ ଦେଖିଲେ ବେଳେ ବେଳେ ବିସ୍ମିତ ହେବାକୁ ପଡ଼େ ଯେ ଏକ ‘ପାନ୍‌ଡେମିକ’ର ଆଶଙ୍କାକୁ ନଜରଅନ୍ଦାଜ କରାଯାଉଥିଲା କାହିଁକି? ଏକ ‘ଏପିଡେମିକ’ ବା ‘ପାନଡେମିକ’ ନେଇ ଯେ ସର୍ବକାଳୀନ ପ୍ରସ୍ତୁତି ଅନିବାର୍ଯ୍ୟ, ତହିଁରେ ସନ୍ଦେହ ନାହିଁ। ଏବଂ ଏହି ପରିପ୍ରେକ୍ଷୀରେ ଆଉ ଯାହା ମନକୁ ଆସିଥାଏ, ତାହା ହେଲା ହୃଦ୍‌ଘାତ, ମଧୁମେହ, ‘ଫ୍ୟାଟି ଲିଭର’(କଲିଜା ଉପରେ ବହଳ ଚର୍ବିର ପରସ୍ତ) ଇତ୍ୟାଦି ଭଳି ରୋଗ, ଯାହା ବୀଜାଣୁ ବା ଭୂତାଣୁ ଜନିତ ନ ହୋଇ ସୁଦ୍ଧା ଅତି ସନ୍ତର୍ପଣରେ ‘ଏପିଡେମିକ’ ସୁଲଭ ପ୍ରାଣହାନି ଘଟାଇ ଚାଲିଛି, ତାହାର ମୁକାବିଲା ସକାଶେ ମଧ୍ୟ ଆଜିର ଦିବସରେ ଚିନ୍ତନ ଓ ଚର୍ଚ୍ଚାର ଆବଶ୍ୟକତା ରହିଛି। ପ୍ରକାଶ ଥାଉ କି ‘ଡବ୍ଲୁ.ଏଚ୍.ଓ.’ ପକ୍ଷରୁ ମଧ୍ୟ ଏସବୁ ରୋଗକୁ ‘ଏପିଡେମିକ’ ବୋଲି ଆଖ୍ୟାୟିତ କରାଗଲାଣି ଏବଂ ଦୁର୍ଭାଗ୍ୟକୁ ଭାରତରେ ଏହାର ଭୀଷଣତା ଅତ୍ୟନ୍ତ ବିସ୍ଫୋରକ ସ୍ଥିତିରେ!

India Vs SriLanka T-20 : ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା ଭାରତୀୟ ମହିଳା ଦଳ

ଏଭଳି ପରିସ୍ଥିତି ଲାଗି ଜୀବନଶୈଳୀ ଜନିତ ବିଭ୍ରାଟକୁ ଦାୟୀ କରାଯାଉଥିଲେ ହେଁ ଏହା ପଛରେ ଥିବା ସୂକ୍ଷ୍ମ ବା ଗୂଢ଼ ଜ୍ଞାନର ଅଭାବ ହେତୁ ଏ ସଂପର୍କିତ ସଚେତନତା ଓ ସତର୍କତା ସୃଷ୍ଟି ହୋଇପାରୁନାହିଁ। ତେଣୁ ଏ ସମ୍ବନ୍ଧରେ କେତେକ ସ୍ପଷ୍ଟ ଧାରଣାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ‘ଏପିଜେନେଟିକ୍‌ସ’(ଜିନ୍‌ର ଗଢ଼ଣ ଓ ବିବର୍ତ୍ତନରେ ପରିବେଶ ଓ ପରିସ୍ଥିତିର ପ୍ରଭାବ) କ୍ଷେତ୍ରରେ ଉଚ୍ଚକୋଟୀର ଓ ଦୀର୍ଘକାଳୀନ ଅନେକ ଗବେଷଣାର ନିଷ୍କର୍ଷ କହିଥାଏ ଯେ ବ୍ରିଟିସ ଶାସନ କାଳରେ ହାରାହାରି ପ୍ରତି ଛଅ ବର୍ଷରେ ହେଉଥିବା ଭୟାବହ ଦୁର୍ଭିକ୍ଷ ଏବଂ ସାଧାରଣ ସମୟରେ ମଧ୍ୟ ଯଥେଷ୍ଟ ଖାଦ୍ୟର ଅନୁପଲବ୍‌ଧତା ହେତୁ ଆମ ଶରୀର ‘କ୍ଷୁଧା ସହଣି’ ହେବା ଦିଗରେ ବିବର୍ତ୍ତିତ ହୋଇଥିଲା; ଯେଉଁ କାରଣରୁ ଭାରତୀୟମାନଙ୍କ ଅଙ୍ଗ ସୌଷ୍ଠବ, ଶରୀରରେ ମାଂସପେଶୀ ଓ ଚର୍ବିର ଆନୁପାତିକ ପରିମାଣ, ଅଗ୍ନ୍ୟାଶୟ (ପାନକ୍ରିଏଜ)ରୁ ଇନସୁଲିନ କ୍ଷରଣର ମାତ୍ରା ଇତ୍ୟାଦି ୟୁରୋପୀୟମାନଙ୍କ ଠାରୁ ଭିନ୍ନ ହୋଇଥାଏ। ପ୍ରକାଶ ଥାଉ କି ସ୍ବାଧୀନତାର ୭୮ ବର୍ଷ ପରେ, ଅର୍ଥାତ୍‌ ତିନି ପିଢ଼ିର ଭାରତୀୟ ଭୂମିଷ୍ଠ ହୋଇ ସାରିଥିଲେ ହେଁ ବର୍ତ୍ତମାନ ଜନ୍ମ ନେଉଥିବା ଭାରତୀୟ ନବଜାତକମାନଙ୍କ ଶରୀର ପୂର୍ବବତ୍‌ ‘କ୍ଷୁଧା ସହଣି’ ଚରିତ୍ର ବହନ କରି ଚାଲିଛି। କିନ୍ତୁ ସଂପ୍ରତି ଯଥେଷ୍ଟ ଖାଦ୍ୟର ଉପଲବ୍‌ଧତା ସହିତ ଅସନ୍ତୁଳିତ, ଅବିଚାରିତ ଓ ଅତିରିକ୍ତ ଭୋଜନ ଅଭ୍ୟାସ ହେତୁ ଶରୀରରେ ‘ମେଟାବଲିଜମ’(ଆୟୁର୍ବେଦୀୟ ଅଭିବ୍ୟକ୍ତି ଅନୁସାରେ ‘ଚ୍ୟାପଚୟ’)ରେ ବିଶୃଙ୍ଖଳା ସୃଷ୍ଟି ହୋଇଛି, ଯହିଁରୁ ଏଭଳି ବ୍ୟାଧିଗୁଡ଼ିକର ଜନ୍ମ। ତେଣୁ କେବଳ ଖାଦ୍ୟ ବା ଖାଦ୍ୟର ସ୍ବାଦ ନୁହେଁ, ଖାଦ୍ୟର ‘ସାର ’ ବା ‘ନ୍ୟୁଟ୍ରିସନ’ ସଂପର୍କିତ ଧାରଣା ରହିବା ଯେ ଅତ୍ୟନ୍ତ ଆବଶ୍ୟକ, ତାହା ନିଃସନ୍ଦେହ। ତା’ ସହିତ ଭୋଜନର ପରିମାଣ ନେଇ ସଚେତନତା ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହା ହେବ ମୁକାବିଲା ଲାଗି ପ୍ରସ୍ତୁତିରେ ପ୍ରଥମ ପଦକ୍ଷେପ। 
କୌଣସି ଭୋଜନ ‘ସାର’ଗର୍ଭକ ହେବାର ଅର୍ଥ ହେଲା ତହିଁରେ ପୁଷ୍ଟିସାର, ଶ୍ବେତସାର ଓ ସ୍ନେହସାର ସହିତ ଜୀବନିକା(ଭିଟାମିନ), ତନ୍ତୁ ଏବଂ ଧାତବ ଲବଣର ସମନ୍ବିତ ଉପସ୍ଥିତି। ଜଣେ ସାଧାରଣ ବ୍ୟକ୍ତି ସକାଶେ ଆଦର୍ଶ ସ୍ଥାନୀୟ ଭୋଜନରେ ୪୦% ଶ୍ବେତସାର, ୩୫% ପୁଷ୍ଟିସାର ଓ ୨୫% ସ୍ନେହସାରର ଉପସ୍ଥିତି କାମ୍ୟ ହୋଇଥାଏ। କିନ୍ତୁ ଆମ ଦେଶରେ ପାରଂପରିକ ଖାଦ୍ୟ ଅତ୍ୟନ୍ତ ଶ୍ବେତସାର-କୈନ୍ଦ୍ରିକ ହେବା ସହିତ ତହିଁରେ ପୁଷ୍ଟିସାରର ଅନୁପାତ କମ୍‌ ହୋଇଥାଏ। ଏହା ସମସ୍ତଙ୍କୁ ଜଣା ଯେ ମାଂସପେଶୀର ଗଠନରେ କେବଳ ପୁଷ୍ଟିସାରର ଅବଦାନ ହିଁ ଥାଏ ଏବଂ ଉତ୍କୃଷ୍ଟ ମାଂସପେଶୀର ଅର୍ଥ ଅଧିକ ଜୀବକୋଷର ଉପସ୍ଥିତି, ଯାହା ଉତ୍ତମ ‘ମେଟାବଲିଜମ’ର କାରଣ ହୋଇଥାଏ। ଏଣେ, ଖାଦ୍ୟରେ ଅଧିକ ଶ୍ବେତସାରର ଅଂଶ ରହିଲେ ରକ୍ତ ଶର୍କରାରେ ବୃଦ୍ଧି ଘଟେ; ଯେଉଁ ପରିସ୍ଥିତିରେ ସୁସ୍ଥ ଭାରସାମ୍ୟ ରକ୍ଷା କରିବା ଲାଗି ଅଧିକ ଇନସୁଲିନ କ୍ଷରଣ କରିବାକୁ ‘ପାନକ୍ରିଏଜ’ ବା ଅଗ୍ନ୍ୟାଶୟ ବାଧ୍ୟ ହୁଏ। ଏଭଳି ଦୀର୍ଘ କାଳ ଧରି ଚାଲିଲେ ‘ପାନକ୍ରିଏଜ’ କ୍ରମେ କ୍ଳାନ୍ତ ଓ ଦୁର୍ବଳ ହୋଇପଡ଼ି ଆବଶ୍ୟକ ପରିମାଣର ଇନସୁଲିନ ଝରାଇ ପାରେନାହିଁ ଏବଂ ଅବଲୀଳା କ୍ରମେ ମଧୁମେହ ସୃଷ୍ଟି ଲାଗି ପଥ ପ୍ରସ୍ତୁତ ହୋଇଯାଏ। ତେଣୁ ଖାଦ୍ୟ ସାର ବିଶାରଦମାନେ ପରାମର୍ଶ ଦିଅନ୍ତି ଯେ ଆମ ଖାଦ୍ୟରୁ ମାତ୍ରାତିରିକ୍ତ ଶ୍ବେତସାରର ଅପସାରଣ ଘଟାଯାଇ ପୁଷ୍ଟିସାରର ପ୍ରବେଶ କରାଯିବା ଆବଶ୍ୟକ। ଚିକିତ୍ସା ବିଜ୍ଞାନୀମାନଙ୍କ ମତରେ ଜୀବନଶୈଳୀ ଜନିତ ବିଭ୍ରାଟକୁ ସଜାଡ଼ିବାରେ ଖାଦ୍ୟର ପ୍ରକାର ଓ ପରିମାଣ ପ୍ରାଥମିକତା ପାଇବା ଆବଶ୍ୟକ, ଯାହାର ଗୁରୁତ୍ବ ୫୦ ପ୍ରତିଶତ। ସେମାନଙ୍କ ମତରେ ସମ୍ୟକ ଆହାରର ଅର୍ଥ ହେଉଛି ମାତ୍ର ସେତିକି ଖାଦ୍ୟ, ଯେତିକିରେ କ୍ଷୁଧା ମୋଚନ ହେବ ସତ, କିନ୍ତୁ ପରିପୂର୍ଣ୍ଣ ଉଦରର ଭାରର ଆଭାସ ଶରୀରକୁ ମିଳିବ ନାହିଁ। ଚିକିତ୍ସା ବିଜ୍ଞାନୀଙ୍କ ମତ‌େର ସମନ୍ବିତ ଆହାର ପରେ ପ୍ରାୟ ସମାନ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ବ୍ୟାୟାମ ଏବଂ ଉତ୍ତମ ନିଦ୍ରା। ପ୍ରତ୍ୟହ ଅଧଘଣ୍ଟାର ବ୍ୟାୟାମ ସହିତ କର୍ମ ତତ୍ପର ଜୀବନ ଏବଂ ସର୍ବନିମ୍ନ ସାତ ଘଣ୍ଟାର ନିଦ୍ରା ହେଉଛି ଏକ ସୁସ୍ଥ ଜୀବନ ଶୈଳୀର ଚିହ୍ନ, ଯଦ୍ଦ୍ବାରା ପାଚନ, ‘ମେଟାବଲିଜମ’, ରକ୍ତ ସଂଚାଳନ, ଚର୍ବି ଦହନ ଏବଂ ହରମୋନ ସୃଷ୍ଟି ଓ କ୍ଷରଣ ଭଳି ସୁସ୍ବାସ୍ଥ୍ୟ ଅନୁକୂଳ କ୍ରିୟା ସୃଷ୍ଟି ହୋଇଥାଏ। 
ନିକଟରେ କରଣ ସରିନଙ୍କ ଲିଖିତ ଏକ ଉଚ୍ଚାଙ୍ଗ ଗବେଷଣା ସଂବଳିତ ପୁସ୍ତକ ପ୍ରକାଶିତ ହୋଇ ଲୋକପ୍ରିୟ ହେବାରେ ଲାଗିଛି, ଯାହାର ନାମ ହେଉଛି ‘ଦ ସିକ୍‌ ନେସନ’ ବା ‘ରୁଗ୍‌ଣ ରାଷ୍ଟ୍ର’। ତାଙ୍କ ଅନୁସାରେ ଭାରତ ହେଉଛି ସେହି ରୁଗ୍‌ଣ ରାଷ୍ଟ୍ର, ଯାହାର ଅଧିବାସୀମାନେ ଉଦ୍‌ବେଗଜନକ ସଂଖ୍ୟାରେ ଜୀବନଶୈଳୀ ଜନିତ ବ୍ୟାଧିର ଶିକାର। ସରିନ କହିଛନ୍ତି ଯେ କେବଳ ଭାରତରେ ନୁହେଁ, ପୃଥିବୀର ସର୍ବତ୍ର ରୋଗ ପରିଚାଳନାର ବ୍ୟବସ୍ଥା ଚିକିତ୍ସା-ପ୍ରଧାନ ଅର୍ଥାତ୍ ରୋଗ ହେବା ପରେ ଔଷଧ ବା ଅସ୍ତ୍ରୋପଚାର ମାଧ୍ୟମରେ ନିରାକରଣର ଉଦ୍ୟମ। ତାଙ୍କ ମତରେ ଶରୀରକୁ ରୋଗ ପ୍ରତିରୋଧ୍ୟ କରିବା ଅଧିକ ଜରୁରି, କାରଣ ଚିକିତ୍ସା ବଳରେ ଜୀବନଶୈଳୀ ଜନିତ ବିଭ୍ରାଟରୁ ସୃଷ୍ଟ ରୋଗ ସମୂହର ଉପଶମ ହୁଏତ ସମ୍ଭବ, କିନ୍ତୁ ତହିଁରୁ ସ୍ଥାୟୀ ମୁକ୍ତି ମିଳି ନ ଥାଏ; ପୁଣି କେବଳ ସେତିକି ନୁହେଁ, ରୋଗ ଠଉରାଇ ଡାକ୍ତରଙ୍କ ନିକଟକୁ ଆସିବା ବେଳକୁ ରୋଗର ଧକ୍‌କା ଶରୀରକୁ ଦୁର୍ବଳ କରିବା ଆରମ୍ଭ କରି ଦେଇଥାଏ। ଉଲ୍ଲେଖଯୋଗ୍ୟ ଯେ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଦୁଇ ଭିନ୍ନ ଧାରାର ଦର୍ଶନ ସୃଷ୍ଟି କରିଥିବା ଚୀନର ଦୁଇ ମହାନ ଦାର୍ଶନିକ ଲାଓତ ସେ ଓ କନଫୁସିଅସଙ୍କ ଭିତରେ ମଧ୍ୟ ଏ ନେଇ ବୈଚାରିକ ବୈସାଦୃଶ୍ୟ ଥିଲା। ଲାଓତ ସେ ରୋଗ ଦୁର୍ଭେଦ୍ୟ ଦୁର୍ଗ ଭଳି ଶରୀର ନିର୍ମାଣ କରିବାର ପ୍ରୋତ୍ସାହନ ଦେଉଥିବା ବେଳେ କନଫୁସିଅସ ଶରୀର ସହିତ ରୋଗର ଅନିବାର୍ଯ୍ୟତାକୁ ସ୍ବୀକାର କରି ଚିକିତ୍ସା ଉପରେ ମହତ୍ତ୍ବ ପ୍ରଦାନ କରୁଥିଲେ। ତେବେ ପରିଶେଷରେ କନଫୁସିଅସଙ୍କ ମାର୍ଗରେ ରୋଗ ପରିଚାଳନା ବ୍ୟବସ୍ଥା ଗତି କଲା, ଯାହାର କାରଣ ହେଲା ସୁସଂହତ ଜୀବନଚର୍ଯ୍ୟା ଲାଗି ଆବଶ୍ୟକ ସମନ୍ବୟ, ସଂଯମ ଓ ଶୃଙ୍ଖଳା ରକ୍ଷା କରିବା ଏକ ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପାର। କିନ୍ତୁ, ଏହା ସତ୍ତ୍ବେ ହୃଦ୍‌ବୋଧ କରି ହୋଇଥାଏ ଯେ ‘ଏପିଡେମିକ୍‌’ ଭଳି ହୋଇ ସାରିଥିବା ଜୀବନଶୈଳୀ ଜନିତ ବ୍ୟାଧିଗୁଡ଼ିକର ମୁକାବିଲାର ପ୍ରସ୍ତୁତି ସକାଶେ ଲାଓତ ସେଙ୍କ ପ୍ରଦର୍ଶିତ ମାର୍ଗ ଅଧିକ ଉପଯୋଗୀ। କରଣ ସରିନ ମଧ୍ୟ ଏଥିରେ ଏକମତ। ସୁତରାଂ, ଏହା ଆଜିର ଦିବସର ଅନୁଚିନ୍ତା ହେଉ।