ରାୟ ପ୍ରକାଶ ପାଇବା ପରେ ଭାବପ୍ରବଣ କେଜ୍ରିୱାଲ କହିପକାନ୍ତି ଯେ ଜେଲରେ ଭୋଗିଥିବା ଯାତନା ଠାରୁ ଅଧିକ ଯନ୍ତ୍ରଣାଦାୟକ ହୋଇଛି ସମ୍ମାନର ଅପହରଣ। କାରଣ ଅପହୃତ ସମ୍ମାନକୁ ଫେରସ୍ତ ପାଇବା ସତରେ ଏକ ଦୁରୂହ ବ୍ୟାପାର! କୋଳାଶ୍ରିତ ଗଣମାଧ୍ୟମର ତୀବ୍ର ଉଚ୍ଚାଟରେ ସୃଷ୍ଟ ବ୍ୟାଖ୍ୟାନ ହେତୁ କୋର୍ଟର ରାୟ ସତ୍ତ୍ବେ ଜନ ଧାରଣାରେ କେଜ୍ରିୱାଲ ଓ ସିସୋଦିଆ ନିଜକୁ ‘ବିଶ୍ବାସ-ଅବିଶ୍ବାସ’ର କରୁଣ ସଂଧ୍ୟାରେ ପାଇପାରନ୍ତି। କଂଗ୍ରେସ ପକ୍ଷରୁ କୁହାଗଲାଣି ‌େଯ ଏହା ହେଉଛି ବିଜେପି ସହିତ ଏକ ଗୋପନ ‘ଡିଲ’ର ଫଳ। କଂଗ୍ରେସ ତ ହେଉଛି ଏକ ରାଜନୈତିକ ଦଳ! ପ୍ରକୃତ ବିଡ଼ମ୍ବନାଟି ହେଲା, ଅଗଣିତ ଭାରତୀୟ ମଧ୍ୟ ସେଭଳି ସନ୍ଦେହର ବଶବର୍ତ୍ତୀ ହେଉଥିବେ। ଯଦି ଜଣେ ପ୍ରକୃତ‌େର ନିରୀହ; ତେବେ ତା’ ସକାଶେ ଏହା ଠାରୁ ଦୁର୍ବିଷହ ନର୍କ ଆଉ କେଉଁଠି ନ ଥାଏ!

Advertisment

Editorial: ଜଗଦୀଶ ଚନ୍ଦ୍ର ମହାନ୍ତିଙ୍କ ସଂପାଦକୀୟ ‘ଏମ୍ଏସ୍‌ପି ୩,୧୦୦ ଟଙ୍କା; ଅସୁବିଧା କେଉଁଠି?’

ଗଲା ଶୁକ୍ରବାର ଦିନ ସି.ବି.ଆଇ.ର ଏକ ସ୍ବତନ୍ତ୍ର ଟ୍ରାଏଲ୍‌ କୋର୍ଟ ପକ୍ଷରୁ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ସ୍ପର୍ଶକାତର ଦିଲ୍ଲୀ ଲିକର୍ ପଲିସି ସ୍କାମ୍‌ (ମଦ ନୀତି ଭ୍ରଷ୍ଟାଚାର)କୁ ସଂପୂର୍ଣ୍ଣ ନିରାଧାର ବୋଲି ଦର୍ଶାଇ ତହିଁରେ ଅଭିଯୁକ୍ତ ସମସ୍ତ ୨୩ ଜଣଙ୍କୁ ଅଭିଯୋଗ-ମୁକ୍ତ କରି ଦେଇଛନ୍ତି। ଏହା ସୁବିଦିତ ଯେ ଜାତୀୟ ଓ ଆନ୍ତର୍ଜାତିକ ଗଣମାଧ୍ୟମର ଶିରୋନାମା ଦଖଲ କରିଥିବା ଏହି ଘଟଣାର ଦୁଇ ମୁଖ୍ୟ ଚକ୍ରାନ୍ତକାରୀ ଭାବେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପୂର୍ବତନ ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ ଯଥାକ୍ରମେ ଛଅ ଓ ସତର ମାସ ଜେଲରେ ବିତାଇଛନ୍ତି। ଏଭଳି ଆରୋପ କାରଣରୁ ସେମାନଙ୍କ ଦଳ ଆମ ଆଦ୍‌ମି ପାର୍ଟି ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜିତ ହୋଇ ଶାସନ କ୍ଷମତା ହରାଇଛି। ପ୍ରକାଶ ଥାଉ କି ଏହି ରାୟ ଆସିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ସି.ବି.ଆଇ. ପକ୍ଷରୁ ଦିଲ୍ଲୀ ଉଚ୍ଚ ଅଦାଲତରେ ଅପିଲ କରାଯାଇ ସାରିଲାଣି; ସୁତରାଂ, ଏହି ପ୍ରକରଣ ହୁଏତ ଆଗକୁ ଲମ୍ବି ପାରେ। ତା’ ସତ୍ତ୍ବେ ଟ୍ରାଏଲ କୋର୍ଟର ଏହି ରାୟ ଅନେକ ଦୃଷ୍ଟିରୁ ଦୃଷ୍ଟାନ୍ତ ସ୍ଥାପନକାରୀ ହୋଇଥିବାରୁ ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରେ। 
ଏହା ସୁବିଦିତ ଯେ ଦିଲ୍ଲୀରେ ନୂତନ ମଦ ନୀତି ପ୍ରଣୟନ ପଛରେ ଦୁର୍ନୀତି ଓ ଲାଞ୍ଚ (କିକ୍‌ ବ୍ୟାକ୍‌)ର ଅଭିଯୋଗକୁ କେନ୍ଦ୍ର କରି ସି.ବି.ଆଇ. ପକ୍ଷରୁ ଉପରୋକ୍ତ ମାମଲା ରୁଜୁ କରାଯାଇଥିଲା। ଏହା ପରେ ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ବା ଇ.ଡି. ଅନୁସନ୍ଧାନର ଅଂଶ ବିଶେଷ ହୋଇ ଏହି ମାମଲାରେ ବେଆଇନ ଅର୍ଥ ଚାଲାଣ ବା ‘ମନି ଲଣ୍ଡରିଂ’ର ସୂତ୍ର ଆବିଷ୍କାର କରିଥିଲେ। ଅଭିଯୋଗକୁ ଅକାଟ୍ୟ କରିବା ଲାଗି ସି.ବି.ଆଇ. ପକ୍ଷରୁ ଦସ୍ତାବେଜର ଏକ ଅତିକାୟ ପାହାଡ଼ଟିଏ ସୃଷ୍ଟି କରାଯାଇଥିଲା, ଯହିଁରେ ଥିଲେ ପ୍ରାୟ ୧୪ ହଜାର ସରିକି ‘ଇ-ମେଲ’। ସାକ୍ଷ୍ୟ ପ୍ରମାଣ ସକାଶେ ଦୁଇ ଶହ ଜଣଙ୍କ ତାଲିକା ପ୍ରସ୍ତୁତ ହୋଇଥିଲା। କିନ୍ତୁ, ଏହି ସମସ୍ତ ପ୍ରୟାସକୁ ଟ୍ରାଏଲ କୋର୍ଟଙ୍କ ରାୟ ନିରର୍ଥକ କରି ଦେଇଛି; କାରଣ କୋର୍ଟଙ୍କ ଦ୍ବାରା ସମସ୍ତଙ୍କୁ ମାମଲାରୁ ‘ଡିସଚାର୍ଜଡ’ କରି ଦେବାର ଅର୍ଥ ହେଉଛି ଉପସ୍ଥାପିତ ତଥ୍ୟ ଓ ପ୍ରମାଣମାନ ଭିତ୍ତିହୀନ, ଯାହାକୁ ନେଇ ବିଚାର ପ୍ରକ୍ରିୟା ଆରମ୍ଭ କରିବା ମଧ୍ୟ କଷ୍ଟକର। ଏହି ରାୟ ପରିପ୍ରେକ୍ଷୀ‌େର ଦିଲ୍ଲୀ ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି ଯେ ‘ଡିସଚାର୍ଜଡ’ର ଅର୍ଥ ‘ଆକ୍ବିଟାଲ୍‌’ ବା ‘ନିର୍ଦୋଷ ପ୍ରମାଣିତ ହେବା’ ହୋଇ ନ ଥାଏ; ତେଣୁ ସହସା କୌଣସି ଉପସଂହାରରେ ପହଞ୍ଚିଯିବା ଅଯୌକ୍ତିକ! 
ସେହି ଦୃଷ୍ଟିରୁ ଦିଲ୍ଲୀ ହାଇକୋର୍ଟରେ ସି.ବି.ଆଇ. ପକ୍ଷରୁ ଆଗତ ଅପିଲର ଉତ୍ତରକୁ ଅପେକ୍ଷା କରାଯିବା ଉଚିତ। କିନ୍ତୁ ଆଇନ ବିଶେଷଜ୍ଞଙ୍କ ମତରେ ଅଭିଯୋଗଗୁଡ଼ିକ ସଂପୂର୍ଣ୍ଣ ନିରାଧାର ବୋଲି ଅଦାଲତଙ୍କ ହୃଦ୍‌ବୋଧ ହେଲେ ଯାଇ କୌଣସି ମାମଲାକୁ ‘ଡିଜଚାର୍ଜଡ୍‌’ କରି ଦିଆଯାଏ, ଯହିଁରେ ଅଭିଯୁକ୍ତ ନିଜକୁ ନିର୍ଦୋଷ ବୋଲି ପ୍ରମାଣିତ କରିବାର ଦାୟ ନ ଥାଏ। ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ଏକ ରାୟକୁ ଦର୍ଶାଇ ସେମାନେ କହି ଥାଆନ୍ତି ଯେ ‘ଡିସଚାର୍ଜଡ’ ହୋଇଯାଉଥିବା ମାମଲାଗୁଡ଼ିକ ବିରୋଧରେ ଅପିଲ ପ୍ରାୟତଃ ଖାରଜ ହୋଇଯାଇଥାଏ। ତଥାପି, ଏହାକୁ ଗ୍ରହଣ କରିବା ବା ନ କରିବା ହାଇକୋର୍ଟଙ୍କ ଅଧିକାର କ୍ଷେତ୍ରଭୁକ୍ତ ହୋଇଥିବାରୁ ଅପିଲର ଶୁଣାଣି ନ ହେବା ପର୍ଯ୍ୟନ୍ତ ହୁଏତ ଦୃଶ୍ୟପଟ ଅସ୍ପଷ୍ଟ ରହିପାରେ! 

Editorial: ସୁବ୍ରତ ବାଗ୍‌ଚୀଙ୍କ ସଂପାଦକୀୟ କାଲି ପାଇଁ କଥାଟିଏରେ ‘ଉପେନ୍ଦ୍ର ଭଣ୍ଡାରୀ ଓ ନୋଲାନ ବଢ଼େଇ’...

କହିବା ଅନାବଶ୍ୟକ ଯେ ଏହି ରାୟ ପ୍ରଦାନ କରି ଅତିରିକ୍ତ ସେସନ୍‌ସ ଜଜ ଜିତେନ୍ଦ୍ର ସିଂହ ବିରଳ ସାହସ, ଉତ୍କୃଷ୍ଟ ବିବେଚନାବୋଧ ଏବଂ ଭାରତୀୟ ନ୍ୟାୟ ବ୍ୟବସ୍ଥାର ମେରୁଦଣ୍ଡର ପ୍ରମାଣ ଦେଇଛନ୍ତି; କାରଣ, ଏହି ମାମଲାରେ ଅତ୍ୟନ୍ତ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିବିଶେଷ, ଦୁଇଟି ବଳିଷ୍ଠ ସ୍ବାୟତ୍ତ ତଦନ୍ତକାରୀ ଅନୁଷ୍ଠାନ ଏବଂ ‘ପି.ଏମ.ଏଲ.ଏ.’ (ମନି ଲଣ୍ଡରିଂ ଆକ୍‌ଟ) ଭଳି ଏକ କଠୋର ଆଇନ ସଂଶ୍ଳିଷ୍ଟ ଥିଲା। ଉଲ୍ଲେଖଯୋଗ୍ୟ ଯେ ଛଅ ଶହ ପୃଷ୍ଠା ବିଶିଷ୍ଟ ଏକ ସୁଲିଖିତ ରାୟରେ ବିଚାରପତି ମହୋଦୟ ଦର୍ଶାଇଛନ୍ତି କିଭଳି ଉପସ୍ଥାପିତ ଦସ୍ତାବେଜର ବିପୁଳତା ମଧ୍ୟରୁ ସତ୍ୟାସତ୍ୟର ମଞ୍ଜି ଠାବ କରିବା ଥିଲା ପାଳଗଦା ଭିତରୁ ଛୁଞ୍ଚି ଖୋଜିବା ସହିତ ସମତୁଲ ବ୍ୟାପାର। ତେଣୁ, ଶଂସିତ ମାମଲାରେ ବିଚାର ପ୍ରକ୍ରିୟା ପ୍ରାରମ୍ଭ ହେବା ନେଇ ପରିଦୃଷ୍ଟ ମାତ୍ରାଧିକ ବିଳମ୍ବ ଯେ ଅହେତୁକ ନୁହେଁ, ତାହା ହୃଦ୍‌ବୋଧ କରିହୁଏ। ଏହା ଏକ ସାଧାରଣ ଜ୍ଞାନର କଥା ଯେ, ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ଥିବା ଏଭଳି ଏକ ବହୁ ଚର୍ଚ୍ଚିତ ମାମଲାକୁ ଏକ ନିମ୍ନ ଅଦାଲତର ବିଚାରପତି ପୁଙ୍ଖାନୁପୁଙ୍ଖ ଅଧ୍ୟୟନ ଏବଂ ସୂକ୍ଷ୍ମ ତର୍ଜମା ବିନା ଏକାବେଳକେ ଭିତ୍ତିହୀନ ବୋଲି କହି ଦିଅନ୍ତେ ନାହିଁ। ଏହି ପରିପ୍ରେକ୍ଷୀରେ ଦୁଇଟି ବିଶେଷ ଉଦାହରଣ ଦ୍ରଷ୍ଟବ୍ୟ। ସି.ବି.ଆଇ. ପକ୍ଷର ମୂଳ ଅଭିଯୋଗ ଥିଲା ଯେ ୨୦୨୧ ମସିହା, ମାର୍ଚ୍ଚ ମାସ ୧୫ ଓ ୧୯ ତାରିଖରେ ଅନୁଷ୍ଠିତ ଦୁଇଟି ମନ୍ତ୍ରୀ ସ୍ତରୀୟ ବୈଠକରେ ମଦ ଯୋଗାଣ ଲାଗି କମିସନ ବା ଲାଭକୁ ୫%ରୁ ୧୨%କୁ ବୃଦ୍ଧି କରାଯିବା ପଛରେ ଅଭିସନ୍ଧି ଥିଲା ଯେ ଏହି ବର୍ଦ୍ଧିତ କମିସନର ଲାଭାର୍ଥୀ କଂପାନିଗୁଡ଼ିକ ଠାରୁ ସେମାନଙ୍କ ଲାଭର ୫୦% ଲାଞ୍ଚ ଆକାରରେ ଆଦାୟ କରିବା, ଯାହାର ପରିମାଣ ଥିଲା ୧୦୦ କୋଟି ଟଙ୍କା ଓ ତାହା ଦଳୀୟ ପାଣ୍ଠିକୁ ଯାଇଥିଲା। କିନ୍ତୁ, ବିଚାରପତିଙ୍କ ଅନୁଶୀଳନରୁ ଜଣା ପଡ଼ିଥାଏ ଯେ ପ୍ରଥମ ବୈଠକରେ ୫% କମିସନର ସର୍ବ ନିମ୍ନ ସୀମା ରୂପେ ନିର୍ଣ୍ଣିତ ହୋଇଥିବା ବେଳେ ଦ୍ବିତୀୟ ବୈଠକରେ କମିସନର ସର୍ବୋଚ୍ଚ ସୀମାକୁ ୧୨%ରେ ଧାର୍ଯ୍ୟ କରାଯାଇଥିଲା; ଯାହା ବିଚାରପତିଙ୍କ ଦୃଷ୍ଟିରେ ଭ୍ରଷ୍ଟାଚାର ନୁହେଁ, ବରଂ ସଂସ୍କାରମୂଳକ। କାରଣ ସର୍ବୋଚ୍ଚ ସୀମା ନିର୍ଦ୍ଧାରିତ ନ ହେବା ପର୍ଯ୍ୟନ୍ତ ତାହା ସରକାରଙ୍କ ଇଚ୍ଛା ମୁତାବକ ହୋଇ ଦୁର୍ନୀତି ସୃଷ୍ଟିର କାରଣ ହୁଅନ୍ତା। ସେହିଭଳି ସି.ବି.ଆଇ. ଦ୍ବାରା ଉପସ୍ଥାପିତ ଦ୍ବିତୀୟ ଗୁରୁତର ଅଭଯୋଗ ଥିଲା ଏହା ଯେ ମଦ ବ୍ୟବସାୟ ସକାଶେ ‘ଏଲ ୧’ ଲାଇସେନ୍‌ସ ପାଇବା ଲାଗି ଯୋଗ୍ୟତାର ମାପକାଠି ରୂପେ ପୂର୍ବରୁ ସ୍ବୀକୃତ ବାର୍ଷିକ ୧୦୦ କୋଟି ଟଙ୍କାର ବ୍ୟବସାୟକୁ ଦିଲ୍ଲୀର ‘ଆପ୍‌’ ସରକାର ୧୫୦ କୋଟି ଟଙ୍କାକୁ ବୃଦ୍ଧି କରିଥିଲେ, କାରଣ ଅଭିସନ୍ଧି ଥିଲା ମଦ ବ୍ୟବସାୟରୁ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ବହିଷ୍କାର କରି କେତେକ ନିର୍ଦ୍ଦିଷ୍ଟ ବୃହତ୍‌ ମଦ ବ୍ୟାରୋନଙ୍କୁ ଲାଭାନ୍ବିତ କରିବା। କିନ୍ତୁ, ରାୟରେ କୁହାଯାଇଛି ଯେ ଏଭଳି ଅହେତୁକ ସରକାରୀ ଅନୁକଂପାର ପ୍ରାର୍ଥୀ ଭାବେ ‘ଇଣ୍ଡୋ ସ୍ପିରିଟ୍‌ସ’ ନାମକ ଏକ କଂପାନିକୁ ସି.ବି.ଆଇ. ପକ୍ଷରୁ ଏହି ମାମଲାରେ ସଂପୃକ୍ତ ବୋଲି ଦର୍ଶା ଯାଇଥିଲେ ହେଁ ସେହି କଂପାନିର ବାର୍ଷିକ ବ୍ୟବସାୟର ଆକାର ୧୫୦ କୋଟି ଟଙ୍କାରୁ ଊଣା ହୋଇଥାଏ। ସୁତରାଂ, ଏଭଳି ଚକ୍ରାନ୍ତର ଅଭିଯୋଗ ମଧ୍ୟ କାଟ ଖାଇ ଯାଇଥାଏ। ପ୍ରକାଶ ଥାଉ କି ସି.ବି.ଆଇ. ଦ୍ବାରା ପ୍ରସ୍ତୁତ ଅଭିଯୋଗର ମୁଖ୍ୟ ଅବଲମ୍ବନ ହେଉଛନ୍ତି ରାଜସାକ୍ଷୀରେ ପରିଣତ ହୋଇଥିବା ଏହି ମାମଲାର କତିପୟ ଅଭିଯୁକ୍ତ ଏବଂ ସେମାନଙ୍କ ଦ୍ବାରା ପ୍ରଦତ୍ତ ସାକ୍ଷ୍ୟ ଓ ପ୍ରମାଣ। କିନ୍ତୁ ଆଇନ ଦୃଷ୍ଟିରେ ରାଜସାକ୍ଷୀ ହେଉଛି ଦୁର୍ବଳତମ ପର୍ଯ୍ୟାୟର; ମାମଲାକୁ ସୁଦୃଢ଼ କରିବା ଲାଗି ଅନ୍ୟାନ୍ୟ ବାହ୍ୟ ସାକ୍ଷ୍ୟ ଓ ପ୍ରମାଣ ଲୋଡ଼ା ପଡ଼ିଥାଏ; ଏହି ମାମଲାରେ ଯାହାର ଘୋର ଅଭାବ। ଏହା ତୃତୀୟ କାରଣ। କେବଳ ସେତିକି ନୁହେଁ, ସି.ବି.ଆଇ.ର ଅଭିଯୋଗକାରୀ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଲାଗି ମଧ୍ୟ ଅଦାଲତ ଆଦେଶ ଦେଇଛନ୍ତି। ଜଷ୍ଟିସ ସିଂହ ତାଙ୍କ ରାୟର ଅନ୍ତିମ ବାକ୍ୟରେ କହିଥାଆନ୍ତି ଯେ ଏହାକୁ ଚଳାଇ ରଖିବା ହେବ ନ୍ୟାୟ ପ୍ରଦାନ ନାମରେ ଏକ ବିଡ଼ମ୍ବନା। 
କିନ୍ତୁ, ଅନେକଙ୍କ ମତରେ ଏଭଳି ସ୍ଥିତିରେ ପ୍ରକୃତ ବିଡ଼ମ୍ବନାଟି ଘଟୁଥାଏ ଅଦାଲତ ବାହାରେ, କୋଳାଶ୍ରିତ ଗଣମାଧ୍ୟମର ‘ନିଉଜ୍‌ ରୁମ୍‌’ରେ, ଯେଉଁଠି ଦୋଷ ନିରୂପିତ ହେବା ପୂର୍ବରୁ ଅଭିଯୁକ୍ତକୁ ‘ଫାୟାରିଂ ସ୍କ୍ବାଡ’ର ସମ୍ମୁଖୀନ କରାଇ ଦିଆଯାଏ। ତେଣୁ, ରାୟ ପ୍ରକାଶ ପାଇବା ପରେ ଭାବପ୍ରବଣ କେଜ୍ରିୱାଲ କହିପକାନ୍ତି ଯେ ଜେଲରେ ଭୋଗିଥିବା ଯାତନା ଠାରୁ ଅଧିକ ଯନ୍ତ୍ରଣାଦାୟକ ହୋଇଛି ସମ୍ମାନର ଅପହରଣ। କାରଣ ଅପହୃତ ସମ୍ମାନକୁ ଫେରସ୍ତ ପାଇବା ସତରେ ଏକ ଦୁରୂହ ବ୍ୟାପାର! କୋଳାଶ୍ରିତ ଗଣମାଧ୍ୟମର ତୀବ୍ର ଉଚ୍ଚାଟରେ ସୃଷ୍ଟ ବ୍ୟାଖ୍ୟାନ ହେତୁ କୋର୍ଟର ରାୟ ସତ୍ତ୍ବେ ଜନ ଧାରଣାରେ କେଜ୍ରିୱାଲ ଓ ସିସୋଦିଆ ନିଜକୁ ‘ବିଶ୍ବାସ-ଅବିଶ୍ବାସ’ର କରୁଣ ସଂଧ୍ୟାରେ ପାଇପାରନ୍ତି। କଂଗ୍ରେସ ପକ୍ଷରୁ କୁହାଗଲାଣି ‌େଯ ଏହା ହେଉଛି ବିଜେପି ସହିତ ଏକ ଗୋପନ ‘ଡିଲ’ର ଫଳ। କଂଗ୍ରେସ ତ ହେଉଛି ଏକ ରାଜନୈତିକ ଦଳ! ପ୍ରକୃତ ବିଡ଼ମ୍ବନାଟି ହେଲା, ଅଗଣିତ ଭାରତୀୟ ମଧ୍ୟ ସେଭଳି ସନ୍ଦେହର ବଶବର୍ତ୍ତୀ ହେଉଥିବେ। ଯଦି ଜଣେ ପ୍ରକୃତ‌େର ନିରୀହ; ତେବେ ତା’ ସକାଶେ ଏହା ଠାରୁ ଦୁର୍ବିଷହ ନର୍କ ଆଉ କେଉଁଠି ନ ଥାଏ।