Editorial: ଶୀତଦିନିଆ ଆଲୋଚନା

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଏଠାକାର ବାୟୁ ପ୍ରଦୂଷଣ ସମଗ୍ର ରାଷ୍ଟ୍ର ଲାଗି ଏକ ଭାବମୂର୍ତ୍ତିଗତ ସଂକଟ ସୃଷ୍ଟି କଲାଣି। ତେଣୁ ଦିଲ୍ଲୀବାସୀଙ୍କ ସୁସ୍ବାସ୍ଥ୍ୟ, ପ୍ରାଣ ତଥା ରାଷ୍ଟ୍ରୀୟ ସମ୍ମାନ ଲାଗି ଦିଲ୍ଲୀରେ ନିର୍ମଳ ବାୟୁମଣ୍ଡଳ ଅପରିହାର୍ଯ୍ୟ ହେବା ଜରୁରି।

samp1

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଏଠାକାର ବାୟୁ ପ୍ରଦୂଷଣ ସମଗ୍ର ରାଷ୍ଟ୍ର ଲାଗି ଏକ ଭାବମୂର୍ତ୍ତିଗତ ସଂକଟ ସୃଷ୍ଟି କଲାଣି। ତେଣୁ ଦିଲ୍ଲୀବାସୀଙ୍କ ସୁସ୍ବାସ୍ଥ୍ୟ, ପ୍ରାଣ ତଥା ରାଷ୍ଟ୍ରୀୟ ସମ୍ମାନ ଲାଗି ଦିଲ୍ଲୀରେ ନିର୍ମଳ ବାୟୁମଣ୍ଡଳ ଅପରିହାର୍ଯ୍ୟ ହେବା ଜରୁରି। କିନ୍ତୁ, ସରକାର ଏ ସଂଦର୍ଭରେ ଅସହାୟ ଭଳି ମନେ ହେଉଛନ୍ତି; ତାହା ହୋଇ ନ ଥିଲେ ପାଣି ‘ସ୍ପ୍ରେ’ କରିବା ଭଳି ନିରର୍ଥକ ଉପାୟର ଆଶ୍ରୟ ନିଅନ୍ତେ ନାହିଁ। ବୋଧହୁଏ ସରକାର ଶୀତ ଋତୁର ସମାପ୍ତିିକୁ ପ୍ରତୀକ୍ଷା କରି ବସିଛନ୍ତି, କାରଣ ତା’ ସହିତ ବାୟୁ ପ୍ରଦୂଷଣକୁ ନେଇ ଉଚ୍ଚାଟର ସ୍ବର କ୍ଷୀଣ ହୋଇଯିବ।

Editorial: ଅଟଳ ବିଶାଳ

ଦୀର୍ଘ ୧୨ ହଜାର ବର୍ଷ ପରେ, ଗଲା ୨୩ ତାରିଖରେ, ଇଥିଓପିଆର ହାୟି ଗୁବି ଆଗ୍ନେୟଗିରିର ନିଦ୍ରା ଭଙ୍ଗ ଘଟିବାର ଦୁଇ ତିନି ଦିନ ମଧ୍ୟରେ ଭାରତର ରାଜଧାନୀ ସହର ଦିଲ୍ଲୀରେ ଆତଙ୍କ ଓ ଉଦ୍‌ବେଗ ଖେଳି ଯାଇଛି, କାରଣ ସେହି ଆଗ୍ନେୟଗିରିର ଉଦ୍‌ଗିରଣରେ ଥିବା ଅପରିମେୟ କ୍ଷତିକାରକ ଗ୍ୟାସ, ପାଉଁଶ ଓ ଅସୁମାରି ବିଷାକ୍ତ ରାସାୟନିକ ଦ୍ରବ୍ୟ ବାୟୁ ବାହିତ ହୋଇ ଲୋହିତ ସାଗର ଅତିକ୍ରମ କରି ଅବଲୀଳା କ୍ରମେ ଦିଲ୍ଲୀରେ ପ୍ରବେଶ କରିଛି। ଏହାର ଅର୍ଥ ଅତ୍ୟନ୍ତ ଉତ୍କଟ ବାୟୁ ପ୍ରଦୂଷଣ ଦ୍ବାରା ରୁନ୍ଧି ହୋଇ ସାରିଥିବା ଦିଲ୍ଲୀ ସକାଶେ ଅଧିକ ପ୍ରଦୂଷଣର ଭୟ। ତେଣୁ, ପ୍ରତ୍ୟେକ ଶୀତ ଋତୁର ଆଗମନ ମାତ୍ରକେ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଆରମ୍ଭ ହୋଇ ଯାଉଥିବା ଆଲୋଚନାରେ ସ୍ବାଭାବିକ ଭାବେ ଅଧିକ ଉଦ୍‌ବେଗ ପ୍ରକଟିତ ହେବାରେ ଲାଗିଛି। ଏହା ଯେ କେହି ସ୍ବୀକାର କରିବେ ଯେ ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ଗଲା କିଛି ବର୍ଷ ଧରି ନିୟମିତ ଭାବେ ଚାଲି ଆସୁଥିବା ଶୀତକାଳୀନ ଆଲୋଚନାର ଧାରାବାହିକତା ହେତୁ ସାମାନ୍ୟତମ ସଚେତନ ଦିଲ୍ଲୀବାସୀ ସେଠାକାର ପ୍ରଦୂଷଣର କାରଣ, କାରକ, ଅଦାଲତୀ ରାୟ, ଡାକ୍ତରଙ୍କ ପରାମର୍ଶ ଏବଂ ଆୟୁରେ ସମ୍ଭାବ୍ୟ ସଂକୋଚନ ନେଇ ବିମର୍ଷକର ଚେତାବନୀ ଇତ୍ୟାଦି ଭଳି ବିଷୟରେ ସଂପୂର୍ଣ୍ଣ ଅବଗତ ଥିବେ; କିନ୍ତୁ ଅସଂଗତିଟି ହେଲା ସମସ୍ୟାଟି ଦୂର ହେବାର ନାମ ଧରୁ ନାହିଁ; ବରଂ ତାହା ଅଧିକରୁ ଅଧିକ ଗମ୍ଭୀର ହୋଇ ଚାଲିଛି। ସୁତରାଂ, ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ଶୀତ ଋତୁ ପରେ ଦିଲ୍ଲୀ ସହର ଉପରୁ ‘ସ୍ମୋଗ୍‌’ ବା ଧୂଆଁ ଓ କୁହୁଡ଼ିର ଆସ୍ତରଣ ଅପସରି ଯିବା ହେତୁ ଯେତେବେଳେ ବାତାବରଣ ଫର୍ଚ୍ଚା ଦିଶେ, ଏକ ଅପେକ୍ଷାକୃତ ନିର୍ମଳ ବାୟୁମଣ୍ଡଳର ଧାରଣା ସୃଷ୍ଟି ହୋଇଯାଏ। କିନ୍ତୁ ବାସ୍ତବତା ହେଲା, ପ୍ରଦୂଷଣର ସ୍ତର ସର୍ବଦା ‘ଅତି ଭୀଷଣ’ ପର୍ଯ୍ୟାୟରେ ରହିଥାଏ। ଶୀତ ଦିନେ ବାୟୁ ଚଳାଚଳ ହେଉ ନ ଥିବାରୁ ଏବଂ ସକାଳର ଆର୍ଦ୍ରତା ଦ୍ବାରା ଭାସମାନ କଣିକାଗୁଡ଼ିକ ତଳ ସ୍ତରରେ ରହିଯାଉଥିବାରୁ ପ୍ରଦୂଷଣ ଅଧିକ ଘନୀଭୂତ ହୋଇଛି ବୋଲି ଧାରଣା ସୃଷ୍ଟି ‌ହୋଇଥାଏ। ଅବଶ୍ୟ, ଶୀତ କାଳରେ ହରିଆଣା ଓ ଉତ୍ତର ପ୍ରଦେଶର ଚାଷୀମାନଙ୍କ ଦ୍ବାରା ବିଲରେ ନଡ଼ା ପୋଡ଼ି ବା ଦୀପାବଳିରେ ଦିଲ୍ଲୀ ନିବାସୀଙ୍କ ଦ୍ବାରା ଅସମ୍ଭାଳ ବାଣ ଫୁଟା ହେତୁ ବାୟୁ ପ୍ରଦୂଷଣର ସ୍ତରରେ ବୃଦ୍ଧି ଘଟେ, କିନ୍ତୁ ସେଭଳି କାରଣରୁ ପ୍ରଦୂଷଣର ମାତ୍ରା ହୁଏ ହାରାହାରି ପ୍ରାୟ ୨୫ ପ୍ରତିଶତ; ଏବଂ ତାହା ମଧ୍ୟ ସାମୟିକ ହୋଇଥାଏ। ଏହି ପରିପ୍ରେକ୍ଷୀରେ ‘ସେଣ୍ଟର ଫର ସାଇନ୍‌ସ ଏଣ୍ଡ୍‌ ଏନ୍‌ଭିରନ୍‌ମେଣ୍ଟ’ ବା ‘ସି.ଏସ.ଇ.’ର ମୁଖ୍ୟ ସୁନୀତା ନାରାୟଣ କହିଥାଆନ୍ତି ଯେ ଶୀତ ଛଡ଼ା ବର୍ଷର ଅବଶିଷ୍ଟ ସମୟରେ ଦିଲ୍ଲୀ ୭୫ ପ୍ରତିଶତ ପ୍ରଦୂଷଣରେ ଅଣନିଃଶ୍ବାସୀ ହେଉଥାଏ। ତେଣୁ ଦିଲ୍ଲୀ ପ୍ରଦୂଷଣ ଘେନି ଆଲୋଚନା ଓ ଉଦ୍‌ବେଗ ପ୍ରକାଶ କେବଳ ଶୀତକାଳୀନ ନ ହୋଇ ବାରମାସୀ ହେବା ହେଉଛି ପ୍ରଥମ ଆବଶ୍ୟକତା। 
ଦିଲ୍ଲୀ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ତିନିଟି; ଯାନବାହନର ଧୂଆଁ, କାରଖାନାରୁ ନିର୍ଗତ ଧୂଆଁ ଓ ପ୍ରଦୂଷକ ଏବଂ ବର୍ଜ୍ୟ ବସ୍ତୁ ପୋଡ଼ିରୁ ଉତ୍ପନ୍ନ ଧୂଆଁ(ରୋଷେଇ ଘରୁ ନିର୍ଗତ ଜାଳ ଧୂଆଁ ମଧ୍ୟ ଅନ୍ତର୍ଭୁକ୍ତ)। ଦିଲ୍ଲୀରେ ପ୍ରଦୂଷଣକୁ ଦୂର କରିବା ଲାଗି ଯୁଗ୍ମ-ଅଯୁଗ୍ମ ନମ୍ବର ଭିତ୍ତିରେ ଗାଡ଼ି ଚଳାଚଳର ବ୍ୟବସ୍ଥା ବା ଅତିକାୟ ଏୟାର ପ୍ୟୁରିଫାୟର(ବାୟୁ ବି‌ଶୋଧକ)ର ସ୍ଥାପନା ବା ପ୍ରଦୂଷଣ ଠାରୁ ଦୂରରେ ରଖିବା ଲାଗି ସ୍କୁଲ କଲେଜ ଆଦି ବନ୍ଦ ରଖିବା ଭଳି ପଦକ୍ଷେପ ଅବଶ୍ୟ ପୂର୍ବରୁ ନିଆଯାଇ ଆସୁଛି। ଗଲା ଦୀପାବଳି ପରବର୍ତ୍ତୀ ବାୟୁ ପ୍ରଦୂଷଣକୁ ଦୂର କରିବା ଲାଗି ଦିଲ୍ଲୀ ସରକାର କୃତ୍ରିମ ବୃଷ୍ଟିପାତ ଭଳି ଉପାୟ ନେଇ ମଧ୍ୟ ଚିନ୍ତା କରୁଥିଲେ। ଏବର ପ୍ରଦୂଷିତ ଦିଲ୍ଲୀ ଭଳି ୨୦୦୮ ମସିହାର ବେଜିଂ(ଚୀନର ରାଜଧାନୀ) ସହରରେ ଅଲିଂପିକ୍‌ସ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ କୃତ୍ରିମ ବୃଷ୍ଟିପାତ କରାଯାଇଥିଲା। କିନ୍ତୁ ଏଭଳି ବ୍ୟବସ୍ଥା ସ୍ଥାୟୀ ପ୍ରତିକାର ହୋଇ ନ ଥାଏ, ଯେତେବେଳେ କି ପ୍ରଦୂଷଣର ଉତ୍ସମାନ ପୂର୍ବ ଭଳି ଅକ୍ଷୁଣ୍ଣ ଥାଏ। ତେଣୁ ଅଲିଂପିକ୍‌ସ ପରେ ବେଜିଂ ମହାନଗରୀକୁ ନିର୍ମଳ କରିବା ଲାଗି ଯେଉଁ ଦୁଇଟି ପଦକ୍ଷେପକୁ ଦୃଢ଼ ମୁଷ୍ଟିରେ କାର୍ଯ୍ୟକାରୀ କରାଯାଇଥିଲା, ତାହା ଥିଲା ପ୍ରଦୂଷଣ ସୃଷ୍ଟି କରୁଥିବା କାରଖାନା ଓ ଯାନବାହନର ଉଚ୍ଛେଦ। ଏଠାରେ ପ୍ରଣିଧାନଯୋଗ୍ୟ ଯେ ପେଟ୍ରୋଲ ବା ଡିଜେଲ ଚାଳିତ ଅଟୋରିକ୍‌ସା ବଦଳରେ ସିଏନ୍‌ଜି ଚାଳିତ ଅଟୋରିକ୍‌ସାର ପ୍ରଚଳନ ଦ୍ବାରା ଦିଲ୍ଲୀରେ ବାୟୁ ପ୍ରଦୂଷଣର ବୃଦ୍ଧି ହାରରେ ଆଖି ଦୃଶିଆ ସଂକୋଚନ ଘଟିଛି। କିନ୍ତୁ, ଏହା ସତ ଯେ ଚୀନ ଭଳି ଗୋଟିଏ ଏକଛତ୍ରବାଦୀ କମ୍ୟୁନିଷ୍ଟ ଦେଶ ହୋଇ ନ ଥିବାରୁ ଆମ ଦେଶରେ ଏକା ବେଳକେ ଏଭଳି କଠୋର ପଦକ୍ଷେପ ନେବା ଏକ ଦୁଷ୍କର ବ୍ୟାପାର। ତେଣୁ ରିହାତି, କ୍ଷତିପୂରଣ ତଥା ଅନ୍ୟାନ୍ୟ ପ୍ରୋତ୍ସାହନମୂଳକ ସହଯୋଗ ମାଧ୍ୟମରେ ଏଭଳି ପଦକ୍ଷେପ ଲାଗି ପଥ ଉନ୍ମୁକ୍ତ କରାଯିବା ଜରୁରି। ଉଦାହରଣ ସ୍ବରୂପ ଅଧିକ ପ୍ରଦୂଷଣ ସୃଷ୍ଟିକାରୀ ପୁରୁଣା ଗାଡ଼ିଗୁଡ଼ିକୁ ସଡ଼କରୁ ବିସ୍ଥାପିତ କରି ନୂତନ ଗାଡ଼ିର ପ୍ରବେଶ ଘଟାଇବା ଲାଗି ସ୍ବଳ୍ପ ସୁଧ ହାର ସହିତ ସହଜ କିସ୍ତିରେ ଦୀର୍ଘମିଆଦୀ ସୁଲଭ ଋଣର ବ୍ୟବସ୍ଥା କରାଯିବା ଆବଶ୍ୟକ; ସେମିତି ନଡ଼ା ପୋଡ଼ିକୁ ପ୍ରତିହତ କରିବା ଲାଗି ଉଦ୍‌ବୃତ୍ତ ନଡ଼ାକୁ ଏଥନଲ ପ୍ରସ୍ତୁତିର କଞ୍ଚାମାଲ ରୂପେ ବ୍ୟବହାର କରାଯାଇପାରେ। ତେଣୁ ଦ୍ବିତୀୟ ଆବଶ୍ୟକତା ହେଉଛି ପ୍ରଦୂଷଣ ସୃଷ୍ଟିର ଉତ୍ସକୁ ଶୁଷ୍କ କରିବାର ଉଦ୍ୟମ। 

Editorial: ମାକଲେଙ୍କ ଉପନିବେଶ

ବାୟୁ ପ୍ରଦୂଷଣ ପରିପ୍ରେକ୍ଷୀରେ ମନୁଷ୍ୟ ସକାଶେ ଦୁଇଟି ବିଡ଼ମ୍ବନା ଦିଶିଥାଏ; ଗୋଟିଏ ହେଲା ଏହା ଯେ ମନୁଷ୍ୟ ଏକାଧାରରେ ଏହାର ସ୍ରଷ୍ଟା ଓ ଶିକାର ଏବଂ ଦ୍ବିତୀୟଟି ହେଲା ପ୍ରଭାବ, ପ୍ରତିପତ୍ତି ଓ ଧନ ବଳରେ ଏଥିରୁ ନିଷ୍କୃତି ପାଇବାର ସୁଯୋଗ ନ ଥାଏ, କାରଣ ପ୍ରଦୂଷିତ ବାୟୁ ପ୍ରତ୍ୟେକଙ୍କ ପ୍ରଶ୍ବାସରେ ପ୍ରବାହିତ ହେବାକୁ ବାଧ୍ୟ। ତେଣୁ କୁହାଯାଇପାରେ ଯେ ପ୍ରଦୂଷଣ ସୃଷ୍ଟିରେ ହ୍ରାସ ଘଟାଇବା ପ୍ରତ୍ୟେକ ଦିଲ୍ଲୀ ନିବାସୀଙ୍କ ମଧ୍ୟ ଏକ ଦାୟିତ୍ବ। ଦିଲ୍ଲୀରେ ଦୈନିକ ହାରାହାରି ୫୦୦ଟି ଚାରିଚକିଆ ଏବଂ ୧୫୦୦ଟି ଦୁଇଚକିଆ ଗାଡ଼ି ପଞ୍ଜୀକୃତ ହୋଇଥାଏ। ଚାରିଚକିଆ ଗାଡ଼ି ମଧ୍ୟରୁ ବଡ଼ ଏସ.ୟୁ.ଭି.ର ଅଂଶ ପ୍ରାୟ ୫୦ ପ୍ରତିଶତ, ଯାହା ଅଧିକ ଜୀବାଶ୍ମ ଇନ୍ଧନ ଦହନ କରିଥାଏ। ତେଣୁ, ଏଭଳି ସ୍ଥଳେ ବ୍ୟକ୍ତିଗତ ଯାନବାହନର ବ୍ୟବହାରରେ ବିଶେଷ ସଂଯମ ହିଁ ତୃତୀୟ ଆବଶ୍ୟକତା, ଅର୍ଥାତ୍‌ ମାତ୍ରାତିରିକ୍ତ ବା ଅକାରଣ ଗାଡ଼ିମଟର ବ୍ୟବହାର ପ୍ରତି ବିମୁଖତା। ଅବଶ୍ୟ, ଏକ କଟୁ ବାସ୍ତବତା ହେଲା, ଏଭଳି ସ୍ଥଳେ ଦିଲ୍ଲୀରେ ସାଧାରଣ ପରିବହନ ବ୍ୟବସ୍ଥା ନଗରବାସୀଙ୍କ ଚାହିଦା ପୂରଣ କରିବା ଲାଗି ଏକାନ୍ତ ଅସମର୍ଥ ହୋଇ ପଡ଼ିବ, ଯେଉଁ କାରଣରୁ ଦୈନନ୍ଦିନ ଜୀବନ ଜଟିଳ ଓ କଷ୍ଟପ୍ରଦ ହୋଇ ଉଠିବା। ତେଣୁ ପ୍ରକୃତ ଅର୍ଥରେ ଦିଲ୍ଲୀବାସୀଙ୍କୁ ସେମାନଙ୍କ ସଂଯମ ଲାଗି କଠିନ ତ୍ୟାଗ ସ୍ବୀକାର କରିବାକୁ ହେବ। 
ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଏଠାକାର ବାୟୁ ପ୍ରଦୂଷଣ ସମଗ୍ର ରାଷ୍ଟ୍ର ଲାଗି ଏକ ଭାବମୂର୍ତ୍ତିଗତ ସଂକଟ ସୃଷ୍ଟି କଲାଣି। ତେଣୁ ଦିଲ୍ଲୀବାସୀଙ୍କ ସୁସ୍ବାସ୍ଥ୍ୟ, ପ୍ରାଣ ତଥା ରାଷ୍ଟ୍ରୀୟ ସମ୍ମାନ ଲାଗି ଦିଲ୍ଲୀରେ ନିର୍ମଳ ବାୟୁମଣ୍ଡଳ ଅପରିହାର୍ଯ୍ୟ ହେବା ଜରୁରି। କିନ୍ତୁ, ସରକାର ଏ ସଂଦର୍ଭରେ ଅସହାୟ ଭଳି ମନେ ହେଉଛନ୍ତି; ତାହା ହୋଇ ନ ଥିଲେ ପାଣି ‘ସ୍ପ୍ରେ’ କରିବା ଭଳି ନିରର୍ଥକ ଉପାୟର ଆଶ୍ରୟ ନିଅନ୍ତେ ନାହିଁ। ବୋଧହୁଏ ସରକାର ଶୀତ ଋତୁର ସମାପ୍ତିିକୁ ପ୍ରତୀକ୍ଷା କରି ବସିଛନ୍ତି, କାରଣ ତା’ ସହିତ ବାୟୁ ପ୍ରଦୂଷଣକୁ ନେଇ ଉଚ୍ଚାଟର ସ୍ବର କ୍ଷୀଣ ହୋଇଯିବ। ଗୋଟିଏ ଗଣତନ୍ତ୍ରରେ କଠୋର ପଦକ୍ଷେପ ନେବାରେ ସରକାରଙ୍କ ଅସହାୟତାକୁ ହୃଦ୍‌ବୋଧ ମଧ୍ୟ କରି ହୁଏ। ବାକି ରହିଲା, ପ୍ରଦୂଷଣ ହ୍ରାସ କରିବା ଲାଗି ଦିଲ୍ଲୀବାସୀଙ୍କ ଦ୍ବାରା ତ୍ୟାଗ ସ୍ବୀକାର କରିବାର ସଂଦର୍ଭ; ଯେଉଁଠି ବ୍ୟକ୍ତିଗତ ଯାନଟିଏ ସାଂଭ୍ରାନ୍ତ୍ୟ, ପତିଆରା ଓ ଗର୍ବର ଚିହ୍ନ ହୁଏ, ସେଠି ସଂଯମର ଆଶା ମଧ୍ୟ ବୃଥା ହୋଇଯାଏ। ଏହା ସତ ନୁହେଁ କି, ସାଧାରଣ ପରିବହନ ବ୍ୟବସ୍ଥାରେ ଗମନାଗମନ କରିବା ଅନେକ ଭାରତୀୟଙ୍କ ସକାଶେ ନାସିକା କୁଂଚନର ବିଷୟ ହୋଇଥାଏ? ତେଣୁ ଏଭଳି ସ୍ଥଳେ ଯାହା ଦିଶିଯାଏ, ତାହା ହେଲା ଦିଲ୍ଲୀ ପ୍ରଦୂଷଣର ସ୍ତର ଉତ୍କଟରୁ ଉତ୍କଟତର ହୋଇ ଚାଲିଥିବା ବେଳେ କେବଳ ଶୀତକାଳୀନ ଆଲୋଚନାରେ ଉଦ୍‌ବେଗ ଓ ଉଚ୍ଚାଟର ସ୍ବର ତୀବ୍ରରୁ ତୀବ୍ରତର ହୋଇ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe