“ଓ’ରୋମିଓ’’ ଚଳଚ୍ଚିତ୍ରର ଟ୍ରେଲର୍‌ ଦେଖିବା ପରେ ମନରେ ଗୋଟିଏ ସଂଶୟ ସୃଷ୍ଟି ହୋଇଥିଲା- ନିର୍ଦେଶକ ବିଶାଲ ଭରଦ୍ବାଜ କ’ଣ ବ୍ୟାବସାୟିକ ସଫଳତାର ଚାପ ସମ୍ମୁଖରେ ତାଙ୍କର କଳାତ୍ମକତାକୁ ଜଳାଞ୍ଜଳି ଦେଇ ଦେଇଛନ୍ତି? ଚଳଚ୍ଚିତ୍ରଟି ଦେଖିବା ପରେ ଏହାର ଉତ୍ତର ଆଂଶିକ ହଁ ବୋଲି ମନେ ହେଉଛି। ଅପରାଧ ତାଙ୍କର ପ୍ରାୟ ସବୁ ସିନେମାର କେନ୍ଦ୍ରରେ ଥିଲେ ହେଁ ସେଗୁଡ଼ିକରେ ମୁଖ୍ୟସ୍ରୋତ ସିନେମାର ଉପାଦାନ ନ ଥାଏ। ପରଦାରେ ଜଟିଳ ପରିସ୍ଥିତି ଓ ଚରିତ୍ର ମାନଙ୍କର କାବ୍ୟିକ ଚିତ୍ରଣ ପାଇଁ ବିଶାଲଙ୍କର ସ୍ବତନ୍ତ୍ର ପରିଚୟ ରହିଛି। “ଓ’ ରୋମିଓ’’ ସହିତ ସେ ମୁଖ୍ୟସ୍ରୋତକୁ ଚାଲି ଆସିଛନ୍ତି। 

Advertisment

Hockey: ବେଲ୍‌ଜିୟମ୍‌ର ବିଜୟଧାରା ଜାରି; ଆସନ୍ତାକାଲି ଭାରତ-ବେଲ୍‌ଜିୟମ ମୁକାବିଲା

ବାସ୍ତବ କାହାଣୀ ଉପରେ ଆଧାରିତ ହୋଇଥିଲେ ହେଁ ଏହି ସିନେମାଟି ବିଶାଲଙ୍କ ‘ହୈଦର’, ବା ‘ଓମକାରା’ ବା ‘ମକବୁଲ’ ପରି ବାସ୍ତବଧର୍ମୀ ଲାଗିଲା ନାହିଁ। ୧୯୯୦ ଦଶକରେ ମୁମ୍ବାଇର ଅଣ୍ଡରଵାର୍ଲଡ୍‌ ଡନ୍ ଜଲାଲ(ଅବିନାଶ ତିଵାରୀ)ଙ୍କ ଦ୍ବାରା ଅଫଶାନ(ତୃପ୍ତି ଡିମରୀ)ର ସ୍ବାମୀ ହତ୍ୟାର ଶିକାର ହେବା ପରେ ସେ ସୁପାରି କିଲର୍‌ ହୁସେନ ଉସ୍ତରା(ଶାହିଦ କପୁର) ପାଖକୁ ଯାଇଛି, ପ୍ରତିଶୋଧ ସ୍ବରୂପ ଚାରିଜଣଙ୍କୁ ମାରିବାର ପ୍ରସ୍ତାବ ନେଇ। ଉସ୍ତରା ଏ କାମକୁ ପ୍ରତ୍ୟାଖ୍ୟାନ କରିବା ପରେ ଅଫଶାନ ନିଜେ ସମସ୍ତଙ୍କୁ ହତ୍ୟା କରିବାକୁ ବାହାରିପଡୁଛି। ଏ ପ୍ରକ୍ରିୟାରେ ଉସ୍ତରା ମନରେ ଅଫଶାନ ପ୍ରତି ପ୍ରେମ ଜାଗ୍ରତ ହେଉଛି। ଅଫଶାନର ଜୀବନ କିନ୍ତୁ ଗୋଟିଏ ଲକ୍ଷ୍ୟ ଉପରେ ନିବିଷ୍ଟ- ସ୍ବାମୀଙ୍କ ହତ୍ୟାର ପ୍ରତିଶୋଧ। ଏ ଭିତରେ ଅଛି ଇଣ୍ଟେଲିଜେନ୍‌ସ ବ୍ୟୁରୋ ଅଫିସର ଇସମାଇଲ ଖାଁ(ନାନା ପାଟେକର)ଙ୍କ ବିଚକ୍ଷଣତା, ଭ୍ରଷ୍ଟ ପୁଲିସ ଅଫିସର ଇନ୍‌ସପେକ୍ଟର ପଠାରେ ଭୂମିକାରେ ରାହୁଳ ଦେଶପାଣ୍ଡେଙ୍କ ଚମତ୍କାର ଅଭିନୟ ଏବଂ ସ୍ପେନ୍‌ର ନିର୍ଣ୍ଣାୟକ ମାଟାଡୋର ଲଢ଼େଇ। କାହାଣୀରେ କେତେକ ଅପ୍ରତ୍ୟାଶିତ ମୋଡ଼ ରହିଥିବାରୁ, ସେ ସମ୍ପର୍କରେ ଅଧିକ ଲେଖିବା ଅନୁଚିତ ହେବ। 

ଦର୍ଶକଙ୍କ ଚାହିଦାକୁ ଲକ୍ଷ୍ୟ କରି ଏ ଚଳଚ୍ଚିତ୍ରରେ ଆକ୍ସନ୍‌ ଓ ରକ୍ତପାତ ପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯାଇଥିଲେ ହେଁ ଏହାର ଉଲ୍ଲେଖନୀୟ ଦିଗ ହେଉଛି ସଂଳାପ ଓ ଅଭିନୟ। ଅଫଶାନ ଓ ଉସ୍ତରା ଭୂମିକାକୁ ନ୍ୟାୟ ଦେବାରେ ତୃପ୍ତି ଓ ଶାହିଦ ସାମାନ୍ୟ ଅବହେଳା କରିନାହାନ୍ତି। ତେବେ କାହାଣୀଟି ମୂଳତଃ ଅଫଶାନର ହୋଇଥିବାରୁ ସେ ଚରିତ୍ରକୁ ଯଥାର୍ଥ ସମୟ ଦିଆ ନ ଯିବା ଟିକେ ନିରାଶ କଲା। ମୁଖ୍ୟ ଖଳନାୟକ ଭୂମିକାରେ ଅଭିନାଶଙ୍କ ତୁଳନାରେ ପୁଲିସ ଅଫିସର ଚରିତ୍ରରେ ରାହୁଳଙ୍କ ଅଭିନୟ ଅଧିକ ଜୀବନ୍ତ ଓ ଦୁର୍ଦ୍ଧର୍ଷ ମନେ ହେଲା। ଅତିଥି ଚରିତ୍ରରେ ଫରିଦା ଜଲାଲ ଓ ବିକ୍ରାନ୍ତ ମେସୀ ପ୍ରଭାବଶାଳୀ ଅଭିନୟ କରିଛନ୍ତି। ଆଡ଼ମ୍ବରପୂର୍ଣ୍ଣ ଆକ୍ସନ୍‌ ଓ ଦିଶା ପଟାନୀଙ୍କ ଆଇଟମ୍‌ ଗୀତର ଦୃଶ୍ୟଗୁଡ଼ିକ ନଥିଲେ ବି କାହାଣୀଟି ସେତିକି(ବୋଧହୁଏ ଅଧିକ) ପ୍ରଭାବଶାଳୀ ହୋଇପାରନ୍ତା। ଚଳଚ୍ଚିତ୍ରର ପ୍ରଚ୍ଛଦପଟ ଗୀତଗୁଡ଼ିକ ତୁଳନାରେ ଅଫଶାନ ଓ ପଠାରେ ଦୃଶ୍ୟ ମଧ୍ୟରେ ଗାଉଥିବା ଗୀତଗୁଡ଼ିକ ଅଧିକ ଉପଭୋଗ୍ୟ ଲାଗିଲା। 

Export: ଗହମ, ଚିନି ରପ୍ତାନିକୁ ଅନୁମତି

ମଝି ଆଡ଼କୁ ଏକ ଦୃଶ୍ୟ ରହିଛି ଯେଉଁଟି ହାସ୍ୟରସାତ୍ମକ ଦୃଶ୍ୟର ଏକ ଅଭିନବ ଦୃଷ୍ଟାନ୍ତ। ସେହି ଦୃଶ୍ୟରେ ପ୍ରେମରେ ପ୍ରତ୍ୟାଖ୍ୟାତ ହୋଇ ଘରକୁ ଫେରିବା ପରେ ଉସ୍ତାରା ହଠାତ୍‌ ଜୋର୍‌ଜୋର୍‌ କାନ୍ଦିବାକୁ ଲାଗୁଛି। ତା’ କାନ୍ଦିବାର କାରଣ ନ ଜାଣି ମଧ୍ୟ ତା’ ଚେଲାମାନେ ତାଳ ଦେଇ କାନ୍ଦୁଛନ୍ତି। ଏହାର ବିପରୀତ ପ୍ରଭାବ ପରଦା ସମ୍ମୁଖରେ ଦର୍ଶକଙ୍କ ଉପରେ ପଡୁଛି- କ୍ରନ୍ଦନର ତୀବ୍ରତା ଯେତିକି ବଢୁଛି, ହାସ୍ୟରୋଳର ଶବ୍ଦ ମଧ୍ୟ ସେତିକି ତୀବ୍ର ହେଉଛି। ଗମ୍ଭୀରତାର ପରିବେଶରେ ହାସ୍ୟୋଦ୍ଦୀପକ ପରିସ୍ଥିତିର ଅନେକ ଦୃଶ୍ୟ ଏହି ଚଳଚ୍ଚିତ୍ରରେ ଅଛି। ଆଉ ଏକ ପ୍ରଭାବଶାଳୀ ଦୃଶ୍ୟରେ ପ୍ରେମରେ ଉନ୍ମତ୍ତ ଉସ୍ତରା ଅଫଶାନକୁ ନିର୍ବସ୍ତ୍ର ହେବାକୁ ବାଧ୍ୟ କରୁଛି, ଏହି ଆଶାରେ ଯେ ତାହା ଦ୍ବାରା ସେ ଅଫଶାନକୁ କୌଣସିମତେ ହାସଲ କରିନେବ। କିନ୍ତୁ ଅନୁଭବ କରୁଛି ଯେ ଶରୀରକୁ ହାସଲ କଲେ ବି ମନକୁ ବଳପୂର୍ବକ ହାସଲ କରିବା ସମ୍ଭବ ନୁହେଁ।

“ଓ’ରୋମିଓ’’ର ସବୁଠାରୁ ନିରାଶାଜନକ ଦିଗ ହେଉଛି ମୁଖ୍ୟସ୍ରୋତ ବଲିଉଡ୍‌ ଚଳଚ୍ଚିତ୍ର ଢଙ୍ଗରେ ଏହା ସମାପ୍ତ ହୋଇଛି- ବିଦେଶର ଏକ ପ୍ରକାଣ୍ଡ ରଣଭୂମିରେ ସୁଖଦ ପରିସମାପ୍ତି। ମନୋରଞ୍ଜନ ଦୃଷ୍ଟିରୁ ଏହି ସିନେମାଟି ଉତ୍କୃଷ୍ଟ ପର୍ଯ୍ୟାୟର ହୋଇଥିଲେ ହେଁ କ୍ଷୋଭ ଏଥିପାଇଁ ଯେ ବ୍ୟାବସାୟିକ ଚାପ ସମ୍ମୁଖରେ ଜଣେ ବିଚକ୍ଷଣ ନିର୍ଦେଶକଙ୍କୁ କଳାତ୍ମକ ଦିଗ ସହିତ ସାଲିସ କରିବାକୁ ପଡ଼ିଛି। ଖରାପ ଭାଷା ଓ ବିଚଳିତକାରୀ ଦୃଶ୍ୟ ଥିବାରୁ ଏହା କେବଳ ପ୍ରାପ୍ତବୟସ୍କଙ୍କ ଦେଖିବା ପାଇଁ ଉଦ୍ଦିଷ୍ଟ।