Singer Abhijit Bhattacharya seeks help Photograph: (sambad.in)
ମୁମ୍ବାଇ: ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ଆକ୍ରମଣ ପରେ ୟୁଏଇର ପରିସ୍ଥିତି ସଙ୍କଟ ଜନକ ରହିଛି। ଅନେକ ସ୍ଥାନରେ ଆକାଶ ମାର୍ଗ ବନ୍ଦ ଏବଂ ବିମାନ ବାତିଲ ହେବା ଯୋଗୁ ବଲିଉଡ ତଥା ଆନ୍ତର୍ଜାତୀୟ ସେଲିବ୍ରିଟିଙ୍କ ସମେତ ଶହ ଶହ ଯାତ୍ରୀ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ତଥା ଜାୟଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଫସି ରହିଛନ୍ତି। ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ପୁଅ ଜୟ ଭଟ୍ଟାଚାର୍ଯ୍ୟ ମଧ୍ୟ ଦୁବାଇରେ ଫସି ରହିଛନ୍ତି। ଅଭିଜିତ ଏନେଇ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ସେ ତାଙ୍କ ପୁଅକୁ ଫେରାଇ ଆଣିବାରେ ସାହାଯ୍ୟ ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରି ସୋସିଆଲ ମିଡିରେ ଏକ ପୋଷ୍ଟ୍ ସେୟାର କରିଥିଲେ। କିନ୍ତୁ, ଅଭିଜିତ ପରେ ପୋଷ୍ଟ୍ଟି ଡିଲିଟ୍ କରିଦେଇଥିବା କୁହାଯାଉଛି।
ମୋ ପୁଅ ଜୟ ଭଟ୍ଟାଚାର୍ଯ୍ୟ ବର୍ତ୍ତମାନ ଦୁବାଇରେ ଫସି ରହିଛି
ପୁଅର ସୁରକ୍ଷା ପାଇଁ ଚିନ୍ତିତ ଏବଂ ତାଙ୍କ ଫେରିବା ପାଇଁ ସାହାଯ୍ୟ ଲୋଡ଼ି ଅଭିଜିତ ଭଟ୍ଟାଚାର୍ଯ୍ୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଥିଲେ, "ମୋ ପୁଅ ଜୟ ଭଟ୍ଟାଚାର୍ଯ୍ୟ ବର୍ତ୍ତମାନ ଦୁବାଇରେ ଫସି ରହିଛି। ଜଣେ ପିତା ଭାବରେ, ଏହା ଆମ ପରିବାର ପାଇଁ ଏକ ବହୁତ କଷ୍ଟକର ସମୟ। ମୁଁ ଭାରତ ସରକାର ଏବଂ ବୈଦେଶିକ ମନ୍ତ୍ରଣାଳୟକୁ ବିନମ୍ରତାର ସହ ଅନୁରୋଧ କରୁଛି ଯେ, ଦୟାକରି ମୋ ପରିସ୍ଥିତି ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଯଥାଶୀଘ୍ର ସମ୍ଭବ ମୋ ପୁଅକୁ ଭାରତକୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିବାରେ ସହାୟତା କରନ୍ତୁ। ଏହି କ୍ଷେତ୍ରରେ ଆମେ ଆପଣଙ୍କ ତୁରନ୍ତ ସହଯୋଗ ଏବଂ ହସ୍ତକ୍ଷେପ ଆଶା କରୁଛୁ। ଦୟାକରି ମୋ ପୁଅକୁ ସୁରକ୍ଷିତ ଭାବରେ ଘରକୁ ଫେରାଇ ଆଣିବାରେ ସାହାଯ୍ୟ କରନ୍ତୁ।"
କିଛି ସମୟ ପରେ ହଟାଇଲେ ପୋଷ୍ଟ
ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ପୋଷ୍ଟକୁ ନେଇ ପ୍ରଶଂସକମାନେ ଅନେକ ମନ୍ତବ୍ୟ ଦେଇଥିଲେ। କେତେକ ତାଙ୍କୁ ମନ ଦୃଢ଼ ରଖିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନେ କହିଥିଲେ ଯେ, ଦୁବାଇ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସେଠାରେ ଗାୟକଙ୍କ ପୁଅର କିଛି ହେବ ନାହିଁ। ତଥାପି, ଅଭିଜିତ୍ କାରଣ ପ୍ରକାଶ ନକରି ପରେ ତାଙ୍କ ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ।
ଆହୁରି ପଢ଼ନ୍ତୁ: ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ; ଇରାନ ଉପରେ ଆକ୍ରମଣ ପାଇଁ ଆମେରିକା ଭାରତୀୟ ବନ୍ଦର ବ୍ୟବହାର କରୁଥିବା ଦାବି ଉପରେ MEAର ସ୍ପଷ୍ଟୀକରଣ
Follow Us