Stampede At Temples In 20Years Photograph: (sambad.in)
ଆଜି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକାଦଶୀ ଅବସରରେ କାସିବୁଗାସ୍ଥିତ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ କ୍ଷମତାଠାରୁ ଅଧିକ ଭକ୍ତଙ୍କ ସମାଗମ ହେବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ହଠାତ୍ ଦଳାଚକଟା ଘଟିବାରୁ ଏପର୍ଯ୍ୟନ୍ତ ୯ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଦଳାଚକଟା ହେବାରୁ ଅଣନିଶ୍ବାସୀ ହୋଇ ଅନେକ ଭକ୍ତଙ୍କ ଜୀବନ ଯାଇଥିବା କହିଛି ପୁଲିସ। ତେବେ ମନ୍ଦିରରେ ଏପରି ଦୁର୍ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ। ପୂର୍ବରୁ ମଧ୍ୟ ସମାନ ଦୁଃଖଦ ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ଆଜି ଆମେ ଏପରି ଘଟଣାଗୁଡ଼ିକ ବିଷୟରେ ବର୍ଣ୍ଣନା କରିବୁ ଯେଉଁ ଦୁର୍ଘଟଣାରେ ହଜାର ହଜାର ଲୋକ ଏକ ଧାର୍ମିକ କାର୍ଯ୍ୟକ୍ରମ କିମ୍ବା ସ୍ଥାନରେ ଏକାଠି ହୋଇଥିଲେ ଏବଂ ଦଳାଚକଟାରେ ପ୍ରାଣ ହରାଇଥିଲେ।
ମନ୍ଦିର ଦଳାଚକଟାରେ ୧୨୯୫ଜଣଙ୍କ ମୃତ୍ୟୁ
୨୭ ଜୁଲାଇ, ୨୦୨୫: ୨୭ ଜୁଲାଇ, ୨୦୨୫ରେ ହରିଦ୍ୱାରର ମନସା ଦେବୀ ମନ୍ଦିରରେ ଅଧିକ ଭକ୍ତଙ୍କ ଭିଡ଼ ଜମା ହେବା ପରେ ଦଳାଚକଟା ହୋଇଥିଲା, ଯାହା ଫଳରେ ୬ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ।
୩ ମେ’, ୨୦୨୫: ଗୋଆର ଶିରଗାଓଁ ଗ୍ରାମର ଶ୍ରୀ ଲୈରାଇ ଦେବୀ ମନ୍ଦିରରେ ବାର୍ଷିକ ଉତ୍ସବ ସମୟରେ ଦଳାଚକଟା ହୋଇଥିଲା, ଯେଉଁଥିରେ ୬ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
୨୯ ଜାନୁଆରି, ୨୦୨୫: ଜାନୁଆରି ୨୯ରେ ପ୍ରୟାଗରାଜରେ ମହାକୁମ୍ଭ ମେଳା ସମୟରେ ବିଳମ୍ବିତ ରାତିରେ ଝଗଡ଼ା ହୋଇ ଦଳାଚକଟା ହୋଇଥିଲା। ଝଗଡ଼ା ପରେ ଠେଲାପେଲା ହେବାରୁ ତଳେ ଶୋଇଥିବା ଲୋକଙ୍କ ଉପରେ ଏକାଧିକ ଲୋକ ଚଢ଼ିଯାଇଥିଲେ। ଏହି ଘଟଣାରେ ଚାପି ହୋଇ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬୦ ଜଣ ଆହତ ହୋଇଥିଲେ।
ଜାନୁଆରି ୮, ୨୦୨୫: ହଜାର ହଜାର ଭକ୍ତ 'ବୈକୁଣ୍ଠ ଦ୍ୱାର ଦର୍ଶନମ୍' ପାଇଁ ଟିକେଟ୍ ସଂଗ୍ରହ କରିବାକୁ ତିରୁମାଲା ପାହାଡ଼ରେ ଥିବା ଭଗବାନ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରକୁ ଧାଇଁ ଆସିଥିଲେ। ଅତ୍ୟଧିକ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିଲା, ଯାହା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ।
ଜୁଲାଇ ୨, ୨୦୨୪: ଉତ୍ତରପ୍ରଦେଶର ହାଥରସରେ ନାରାୟଣ ସାକାର ହରି ନାମରେ ଜଣାଶୁଣା ବାବାଙ୍କ ସତସଙ୍ଗରେ ପ୍ରସାଦ ନେବା ପାଇଁ ଦଳାଚକଟା ଆରମ୍ଭ ହୋଇଥିଲା। କ୍ଷମତାଠାରୁ ଅଧିକ ଭକ୍ତ ଏକତ୍ରିତ ହୋଇଥିବାରୁ ଅନେକ ଲୋକ ଅଚେତ୍ ହୋଇ ତଳେ ପଡ଼ିଯାଇଥିଲେ, ଯାହା ଫଳରେ ମହିଳା ଏବଂ ପିଲାମାନଙ୍କ ସମେତ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।
୩୧ ମାର୍ଚ୍ଚ, ୨୦୨୩: ରାମ ନବମୀ ପାଳନ କରିବା ପାଇଁ ଇନ୍ଦୋରର ଏକ ମନ୍ଦିରରେ ହଜାର ହଜାର ଭକ୍ତ ପହଞ୍ଚିଥିଲେ। ଏହି ସମୟରେ ମନ୍ଦିର ଭିତରେ ଥିବା କୂଅର ସ୍ଲାବ୍ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୩୬ ଜଣଙ୍କର ମୃତ୍ୟୁ ହୋଇଥିଲା।
୧ ଜାନୁଆରି, ୨୦୨୨: ଜମ୍ମୁ ଏବଂ କଶ୍ମୀରର ମାତା ବୈଷ୍ଣୋ ଦେବୀ ମନ୍ଦିରରେ ଦଳାଚକଟା ଘଟି ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୦ରୁ ଅଧିକ ଆହତ ହୋଇଥିଲେ।
୧୪ ଜୁଲାଇ, ୨୦୧୫: ଆନ୍ଧ୍ରପ୍ରଦେଶର ରାଜାମଣ୍ଡ୍ରୀରେ ଗୋଦାବରୀ ନଦୀ କୂଳରେ 'ପୁଷ୍କରମ' ମହୋତ୍ସବ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା। ଏହି ସମୟରେ ଦଳାଚକଟା ହେବାରୁ ୨୭ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିଲା।
୧୩ ଅକ୍ଟୋବର, ୨୦୧୩: ମଧ୍ୟପ୍ରଦେଶର ଦତିଆର ରତନଗଡ଼ ମନ୍ଦିର ନିକଟରେ ହଜାର ହଜାର ଭକ୍ତ ଏକାଠି ହୋଇଥିଲେ, ଯାହା ଫଳରେ ଦଳାଚକଟା ହୋଇଥିଲା। ନବରାତ୍ରି ଉତ୍ସବ ସମୟରେ ଘଟିଥିବା ଏହି ଦଳାଚକଟାରେ ୧୧୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ।
୮ ନଭେମ୍ବର, ୨୦୧୧: ହରିଦ୍ୱାରର ପ୍ରସିଦ୍ଧ ହର-କି-ପୌରୀ ଘାଟରେ ଗଙ୍ଗା ନଦୀରେ ସ୍ନାନ କରିବା ସମୟରେ ଦଳାଚକଟା ଘଟି ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା।
୧୪ ଜାନୁଆରି, ୨୦୧୧: କେରଳର ଇଡୁକ୍କି ଜିଲ୍ଲାରେ ଏକ କାର ହଠାତ୍ ତୀର୍ଥଯାତ୍ରୀଙ୍କ ଉପରେ ଚଢ଼ିଯିବାରୁ ଜୀବନ ବଞ୍ଚାଇବା ପାଇଁ ଲୋକେ ଦୌଡ଼ିବା ଆରମ୍ଭ କରିଥିଲେ। ଏହି ସମୟରେ ଦଳାଚକଟା ଘଟି ୧୦୪ ଜଣ ସାବରୀମାଳା ଭକ୍ତଙ୍କ ମୃତ୍ୟୁ ହୋଇଥିଲା।
୪ ମାର୍ଚ୍ଚ, ୨୦୧୦: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଥିବା ରାମ ଜାନକୀ ମନ୍ଦିରରେ ମାଗଣା ଖାଦ୍ୟ ଏବଂ ପୋଷାକ ପାଇଁ ଦଳାଚକଟା ଘଟି ୬୩ ଜଣଙ୍କର ମୃତ୍ୟୁ ହୋଇଥିଲା।
୩୦ ସେପ୍ଟେମ୍ବର, ୨୦୦୮: ରାଜସ୍ଥାନର ଯୋଧପୁରର ଚାମୁଣ୍ଡା ଦେବୀ ମନ୍ଦିରରେ ଏକ ବୋମା ବିସ୍ଫୋରଣ ଗୁଜବ ପ୍ରଚାରିତ ହୋଇଥିଲା, ଯେଉଁଠାରେ ଶହ ଶହ ଭକ୍ତ ଉପସ୍ଥିତ ଥିଲେ। ବୋମା ଥିବା ଜାଣି ଜୀବନ ବଞ୍ଚାଇବାକୁ ଲୋକେ ଦୌଡ଼ିବା ଆରମ୍ଭ କରିଥିଲେ। ଏହି ସମୟରେ ଦଳାଚକଟାରେ ପ୍ରାୟ ୨୫୦ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିଲା।
୩ ଅଗଷ୍ଟ, ୨୦୦୮: ହିମାଚଳ ପ୍ରଦେଶର ବିଳାସପୁରର ନୈନା ଦେବୀ ମନ୍ଦିରରେ ହଜାର ହଜାର ଭକ୍ତ ଏକତ୍ରିତ ହୋଇଥିବା ବେଳେ କେହି ଜଣେ ପଥର ଧସିବା ନେଇ ମିଛ ଖବର ପ୍ରଚାର କରିଦେଇଥିଲା। ଏହା ଶୁଣି ଲୋକେ ଏଣେତେଣେ ଦୌଡ଼ିବାରୁ ଦଳାଚକଟା ଘଟିଥିଲା ଏବଂ ୧୬୨ ଜଣଙ୍କର ମୃତ୍ୟୁ ହୋଇଥିଲା।
ଜାନୁଆରି ୨୫, ୨୦୦୫: ମହାରାଷ୍ଟ୍ରର ସତାରାର ମନ୍ଧରାଦେବୀ ମନ୍ଦିରରେ, ଲୋକମାନେ ନଡ଼ିଆ ଭାଙ୍ଗିବାକୁ ଚେଷ୍ଟା କରିବା ସମୟରେ ସିଡ଼ିରୁ ଖସି ପଡ଼ିଥିଲେ, ଯାହା ଫଳରେ ଦଳାଚକଟା ହୋଇଥିଲା ଏବଂ ୩୪୦ ଜଣଙ୍କର ମୃତ୍ୟୁ ହୋଇଥିଲା।
ଆହୁରି ପଢ଼ନ୍ତୁ: Rohan Bopanna Retirement: ୨୨ବର୍ଷର ସଫଳ କ୍ୟାରିୟର ପରେ ଅବସର ଘୋଷଣା କଲେ ରୋହନ ବୋପନ୍ନା
ଆହୁରି ପଢ଼ନ୍ତୁ: La-nina impact: ନଭେମ୍ବର ମାସରେ ଥଣ୍ଡା ପଡ଼ିବ ନା ଶୀତ ଫେରାର ହେବ ? IMD ଦେଲା ସୂଚନା
Follow Us