ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ ଓ ଆମେରିକା ମିଳିତଭାବେ ସାମରିକ ଆକ୍ରମଣ କରିବା ପରେ ମଧ୍ୟପ୍ରାଚ୍ୟ ସ୍ଥିତି ଭୟଙ୍କର ରୂପ ନେଇଛି। ବିଶ୍ବର ଗୁରୁତ୍ବପୂର୍ଣ୍ଣ ତୈଳ ଧମନୀ କୁହାଯାଉଥିବା ହରମୁଜ୍‌ ପ୍ରଣାଳୀକୁ ବନ୍ଦ କରିବା ଲାଗି ଇରାନ ନିର୍ଦ୍ଦେଶ ଦେଇଛି। ଏହି ପ୍ରଣାଳୀର ଚଉଡ଼ା ମାତ୍ର ୨୧ ମାଇଲ। କିନ୍ତୁ ଏହି ଅଣଓସାରିଆ ଓ ଅଗଭୀର ଜଳମାର୍ଗ ଦେଇ ଦୈନିକ ପ୍ରାୟ ୨୦ ନିୟୁତ ବ୍ୟାରେଲ୍‌ ତେଲ ପରିବହନ ହୋଇଥାଏ। ବିଶ୍ବର ୨୦ ପ୍ରତିଶତ ତୈଳ ଓ ଏଲ୍‌ଏନ୍‌ଜି ଏହି ବାଟେ ବିଶ୍ବ ବଜାରକୁ ଯାଇଥାଏ। ବିଶେଷଜ୍ଞଙ୍କ କହିବାନୁଯାୟୀ, ଇରାନ ସଂପୂର୍ଣ୍ଣ ଭାବେ ଏହି ପ୍ରଣାଳୀକୁ ବନ୍ଦ କରିବା ସମ୍ଭାବନା କମ୍‌। ମାତ୍ରା ଯାହା ହେଉ ନା କାହିଁକି ବିଶ୍ବର ଶକ୍ତି ଯୋଗାଣ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବ। 

Advertisment

ଆହୁରି ପଢନ୍ତୁ: Maoist Goods Seized: ୪୬ ଲକ୍ଷ ଟଙ୍କା ସହ ବନ୍ଧୁକ, ବିସ୍ଫୋରକ ଜବତ

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଘଟିବ। ହରମୁଜ୍‌ ପ୍ରଣାଳୀରେ ତେଲ ଓ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେଲେ ଆଇଓସିଏଲ୍‌, ବିପିସିଏଲ୍‌ ଏବଂ ଏଚ୍‌ପିସିଏଲ୍‌ ଭଳି ଭାରତର ତୈଳ କମ୍ପାନିଗୁଡ଼ିକ କ୍ଷତି ସହିବେ। କାରଣ ଏହି କମ୍ପାନିଗୁଡ଼ିକର ଲାଭ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଉପରେ ନିର୍ଭରଶୀଳ। ଅଶୋଧିତ ତେଲ ଦର ଯଦି ବ୍ୟାରେଲ ପିଛା ୧ ଡଲାର ବୃଦ୍ଧି ଘଟେ ତାହେଲେ ତୈଳ କମ୍ପାନିଗୁଡ଼ିକର ଲାଭ ଲିଟର ପିଛା ୫୦ ପଇସା କମିବ। ଯଦି ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୦ ଡଲାର ଉପରେ ଦୀର୍ଘଦିନ ଧରି ରହେ ତାହେଲେ ଭାରତୀୟ ତୈଳ କମ୍ପାନିଗୁଡ଼ିକ କରୁଥିବା ସ୍ବାଭାବିକ ଲାଭ (ଲିଟର ପିଛା ୩ ଟଙ୍କା ୫୦ ପଇସା) ସଂପୂର୍ଣ୍ଣ ଧୋଇଯିବ। 

ଆହୁରି ପଢନ୍ତୁ: US-Israel attack: ଆମେରିକା-ଇସ୍ରାଏଲ ଆକ୍ରମଣ: ଇରାନର ସାମରିକ ନେତୃତ୍ୱ ସମ୍ପୂର୍ଣ୍ଣ ଧ୍ୱଂସ, ସର୍ବୋଚ୍ଚ ନେତାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ନିହତ

ତେଲ ଦର ବୃଦ୍ଧି ଏବଂ ଆକାଶ ମାର୍ଗ ବନ୍ଦ କାରଣରୁ ଭାରତର ବିମାନ ସେବା ଶିଳ୍ପ ପ୍ରଭାବିତ ହେବ। ଏୟାରଲାଇନ୍ସଗୁଡ଼ିକର ମୋଟ ପରିଚାଳନା ଖର୍ଚ୍ଚର ୪୦ ପ୍ରତିଶତ ହେଉଛି ବିମାନ ଇନ୍ଧନ ବା ଏଟିଏଫ୍‌। କ୍ରମାଗତଭାବେ ୩ ମାସ ‌ହେଲା ଏଟିଏଫ୍‌ ଦର ବୃଦ୍ଧି ଘଟୁଛି। ସଂପ୍ରତି ଦିଲ୍ଲୀରେ ଏହାର ଦର କିଲୋଲିଟର ପିଛା ୧ ଲକ୍ଷ ଟଙ୍କା ରହିଛି। ଯଦି ଏଟିଏଫ୍‌ ଅଧିକ ବଢ଼େ ତାହେଲେ ଏୟାରଲାଇନ୍ସଗୁଡ଼ିକ ସେ ବାବଦ ଆର୍ଥିକ ବୋଝକୁ ଗ୍ରାହକଙ୍କ ଉପରେ ଲଦିବେ। ଏହାହେଲେ ବିମାନ ଯାତ୍ରା ମହଙ୍ଗା ହେବା ଆଶଙ୍କା ରହିଛି।

ଆହୁରି ପଢନ୍ତୁ: Air Services:ଏୟାରସ୍ପେସ୍ ବନ୍ଦ ଯୋଗୁ ମାର୍ଚ୍ଚ ୧ରେ ୪୪୪ ବିମାନ ଉଡ଼ାଣ ବାତିଲ ହେବା ଆଶଙ୍କା: ଡିଜିସିଏ

ଅଶୋଧିତ ତେଲ ଦରବୃଦ୍ଧି ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଅଶୋଧିତ ତେଲ ଦର ବୃଦ୍ଧି ଘଟିଲେ ସରକାର ଗ୍ରାହକଙ୍କୁ ସୁରକ୍ଷା ଦେବାପାଇଁ ଉତ୍ପାଦ ଶୁଳ୍କ ହ୍ରାସ କରିପାରନ୍ତି। କିନ୍ତୁ ଏହା ହେଲେ ସରକାରଙ୍କ ରାଜସ୍ବ ହ୍ରାସ ପାଇ ବିତ୍ତୀୟ ନିଅଣ୍ଟ ବଢ଼ିବ। ଅନ୍ୟପକ୍ଷରେ ସରକାର ଯଦି ଉତ୍ପାଦ ଶୁଳ୍କ ନକମାଇବେ ତାହେଲେ ଖାଉଟି ଅଧିକ ଦାମରେ ପେଟ୍ରୋଲ, ଡିଜେଲ କିଣିବେ। ଏହାଦ୍ବାରା ଦେଶରେ ଦରଦାମ ବା ମୁଦ୍ରାସ୍ଫୀତି ବଢ଼ିବ। ତେଣୁ ଉତ୍ପାଦ ଶୁଳ୍କ ହ୍ରାସ କିମ୍ବା ଖାଉଟିଙ୍କ ଉପରେ ବୋଝ ଲଦାଯିବ ସେ ନେଇ ନିଷ୍ପତ୍ତି ନେବା ଲାଗି ସରକାର ଦ୍ବନ୍ଦ୍ବରେ ପଡ଼ିପାରନ୍ତି।