2 Primary Suspects In India Photograph: (sambad.in)
ଢ଼ାକା: ନିହତ ବାଂଲାଦେଶୀ ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟାକାରୀ ଏବେ ଭାରତରେ। ଏଭଳି ଦାବି କରିଛି ଢାକା ମେଟ୍ରୋପଲିଟାନ୍ ପୁଲିସ (DMP)। ଡିଏମପି ଦାବି କରିଛି ଯେ, ସରିଫ ଓସମାନ ହାଦିଙ୍କ ହତ୍ୟାକାଣ୍ଡର ଦୁଇ ପ୍ରମୁଖ ଅଭିଯୁକ୍ତ ମେଘାଳୟ ସହିତ ସଂଯୁକ୍ତ ମୈମନସିଂ ଜିଲ୍ଲାର ହାଲୁଆଘାଟ ସୀମା ଦେଇ ଭାରତ ପଳାଇ ଯାଇଛନ୍ତି।
ମେଘାଳୟର ତୁରା ସହରରେ ଅଛନ୍ତି ଅଭିଯୁକ୍ତ
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଡିଏମପି ଅତିରିକ୍ତ କମିଶନର ଏସଏନ ନଜରୁଲ ଇସଲାମ କହିଛନ୍ତି ଯେ, ସନ୍ଦିଗ୍ଧ ବ୍ୟକ୍ତି ଫୈଜଲ କରିମ୍ ମାସୁଦ ଏବଂ ଆଲମଗିର ଶେଖ ସ୍ଥାନୀୟ ସହଯୋଗୀଙ୍କ ସହାୟତାରେ ଭାରତର ମେଘାଳୟ ରାଜ୍ୟକୁ ପ୍ରବେଶ କରିଥିଲେ। ଆମ ସୂଚନା ଅନୁଯାୟୀ, ସନ୍ଦିଗ୍ଧମାନେ ହାଲୁଆଘାଟ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ। ପାର ହେବା ପରେ, ପ୍ରଥମେ ସେମାନଙ୍କୁ ପୂର୍ତି ନାମକ ଜଣେ ବ୍ୟକ୍ତି ସ୍ୱାଗତ କରିଥିଲେ। ପରେ, ସାମି ନାମକ ଜଣେ ଟ୍ୟାକ୍ସି ଡ୍ରାଇଭର ସେମାନଙ୍କୁ ମେଘାଳୟର ତୁରା ସହରକୁ ନେଇଯାଇଥିଲେ।"
ଅଭିଯୁକ୍ତଙ୍କୁ ଆଣିବା ପାଇଁ ଭାରତ ସହିତ ସମ୍ପର୍କରେ ଅଛନ୍ତି ବାଂଲାଦେଶ ସରକାର
ଡିଏମପି ଅଧିକାରୀ କହିଛନ୍ତି ଯେ, ଆମକୁ ଏବେ ଖବର ମିଳିଛି ଯେ, ସନ୍ଦିଗ୍ଧଙ୍କୁ ସହାୟତା କରିଥିବା ଦୁଇ ବ୍ୟକ୍ତି, ପୂର୍ତି ଏବଂ ସାମିଙ୍କୁ ଭାରତର କର୍ତ୍ତୃପକ୍ଷ ଅଟକ ରଖିଛନ୍ତି। ଏବେ ସନ୍ଦିଗ୍ଧଙ୍କୁ ଫେରାଇ ଆଣିବା ପାଇଁ ବାଂଲାଦେଶ ସରକାର ଭାରତ ସହିତ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି।
ସିଙ୍ଗାପୁରରେ ମୃତ୍ୟୁ
ଇନକିଲାବ ମଞ୍ଚର ମୁଖପାତ୍ର ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରମୁଖ ବିରୋଧୀ ଶରିଫ ଉସମାନ ହାଦି ସିଙ୍ଗାପୁର ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଇନକିଲାବ ମଞ୍ଚ ଏକ ଫେସବୁକ୍ ପୋଷ୍ଟରେ ତାଙ୍କ ମୃତ୍ୟୁ ନିଶ୍ଚିତ କରିଥିଲା। ଡିସେମ୍ବର ୧୨ ତାରିଖରେ ଢାକାର ପୁରୁଣା ପଲଟନ ଅଞ୍ଚଳରେ ବ୍ୟାଟେରୀ ଚାଳିତ ରିକ୍ସାରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ମୋଟରସାଇକେଲ ଆତତାୟୀମାନେ ଗୁଳି କରିଥିଲେ। ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା, ଯାହା ଫଳରେ ହାଦି ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ପ୍ରଥମେ ଢାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କୁ ଲାଇଫ୍ ସପୋର୍ଟରେ ରଖାଯାଇଥିଲା। ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ସିଙ୍ଗାପୁରକୁ ଏୟାରଲିଫ୍ଟ କରାଯାଇଥିଲା, କିନ୍ତୁ ସେ ବଞ୍ଚି ପାରି ନଥିଲେ।
ଆହୁରି ପଢ଼ନ୍ତୁ: Digvijaya Singh's U-Turn: ପ୍ରଥମେ ଆରଏସଏସ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ, ଏବେ ନେଲେ ୟୁ-ଟର୍ଣ୍ଣ
Follow Us