ଜୟପୁର: ଜୟପୁର ଜିଲ୍ଲାର ଚୌମୁ ସହରରେ ଶୁକ୍ରବାର ସକାଳେ ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ପୁଲିସ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ବସ୍ ଷ୍ଟାଣ୍ଡ ନିକଟରେ ଅବସ୍ଥିତ ଏକ ମସଜିଦର ରେଲିଂ ସ୍ଥାପନକୁ ନେଇ ବିବାଦ ଏତେ ତୀବ୍ର ହୋଇଥିଲା ଯେ ଦୁର୍ବୃତ୍ତମାନେ ପୁଲିସ ଉପରକୁ ଟେକାପଥର ଫିଙ୍ଗିଥିଲେ। ଏହି ହିଂସାତ୍ମକ ସଂଘର୍ଷରେ ପ୍ରାୟ ୧୦ ଜଣ ପୁଲିସ କର୍ମଚାରୀ   ଆହତ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସକୁ   ଲୁହବୁହା ଗ୍ୟାସ୍ ଛାଡ଼ିବାକୁ ପଡ଼ିଥିଲା।

Advertisment

Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ

ବିବାଦର ମୂଳ ମସଜିଦ ବାହାରେ ରାସ୍ତା କଡ଼ରେ ଥିବା ପଥର ହଟାଇବା ସହ ଜଡିତ। ପ୍ରଶାସନ ସହ ହୋଇଥିବା ଆଲୋଚନାରେ ସମ୍ପ୍ରଦାୟର ଲୋକମାନେ ନିଜେ ପଥର ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଶୁକ୍ରବାର ଭୋର ପ୍ରାୟ ୩ଟା ସମୟରେ ପଥର ହଟାଇବା ପରେ ସେଠାରେ ଲୁହା ରେଲିଂ ଲଗାଇ ବାଉଣ୍ଡାରି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପୁଲିସ କର୍ମଚାରୀମାନେ ନିର୍ମାଣ କାର୍ଯ୍ୟକୁ ରୋକିବାକୁ ଉଦ୍ୟମ କରିବାରୁ ମସଜିଦ ସହ ଜଡ଼ିତ ଲୋକମାନେ ଉତ୍ତେଜିତ ହୋଇ ପୁଲିସ ଉପରେ ଆକ୍ରମଣ କରିଥିଲେ। ହଠାତ୍ ପଥର ଫିଙ୍ଗିବାରୁ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀମାନେ ନିଜକୁ ରକ୍ଷା କରିବାର ସୁଯୋଗ ପାଇନଥିଲେ। ଆହତ ୬ ଜଣ ଯବାନଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ସେମାନଙ୍କ ମଧ୍ୟରୁ କେତେକଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି।

Editorial: ମହାମାରୀ ଅନୁଚିନ୍ତା

ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜୟପୁରର ଅତିରିକ୍ତ ପୁଲିସ କମିସନର ଡ. ରାଜୀବ ପାଚର ଓ ପଶ୍ଚିମ ଡିସିପି ହନୁମାନ ପ୍ରସାଦ ଘଟଣାସ୍ଥଳରେ ପହଞ୍ଚିଥିଲେ। ଚୌମୁ, ହରମଦା, ବିଶ୍ୱକର୍ମା ଓ ଦୌଲତପୁରା ଥାନାରେ ପୁଲିସ ମୁତୟନ କରାଯାଇଛି। ପଥରମାଡ଼କାରୀଙ୍କୁ ଚିହ୍ନଟ କରିବା ପାଇଁ ଭିଡିଓ ଫୁଟେଜ୍ ସ୍କାନ କରାଯାଉଛି। ଏହି ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ   ଫ୍ଲାଗ୍ ମାର୍ଚ୍ଚ  କରାଯାଉଛି। ଯେଉଁମାନେ ଆଇନକୁ ନିଜ ହାତକୁ ନେବେ ସେମାନଙ୍କୁ ରକ୍ଷା କରାଯିବ ନାହିଁ ବୋଲି ପୁଲିସ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ପ୍ରଶାସନ ସ୍ଥାନୀୟ ନାଗରିକଙ୍କୁ ଶାନ୍ତି ବଜାୟ ରଖିବାକୁ ଏବଂ କୌଣସି ପ୍ରକାର ଗୁଜବକୁ ଧ୍ୟାନ ନ ଦେବାକୁ ନିବେଦନ କରିଛି। ବର୍ତ୍ତମାନ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ କିନ୍ତୁ ନିୟନ୍ତ୍ରଣରେ ଅଛି।