Dharmendra passes away at 89: ପରପାରିରେ ବଲିଉଡ୍‌ ‘ହି ମ୍ୟାନ୍‌’: ୮୯ ବର୍ଷରେ ଧର୍ମେନ୍ଦ୍ରଙ୍କ ପରଲୋକ

ବଲିଉଡ୍‌ର ବର୍ଷିଆନ ଅଭିନେତା ଧର୍ମେନ୍ଦ୍ର ଆଉ ନାହାନ୍ତି।  ମୁମ୍ବାଇର ଜୁହୁସ୍ଥିତ ବାସଭବନରେ ୮୯ ବର୍ଷ ବୟସରେ ସୋମବାର ତାଙ୍କର ପରଲୋକ ଘଟିଛି। ଅସୁସ୍ଥତା କାରଣରୁ କିଛିଦିନ ତଳେ ସେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

dharmendra

ମୁମ୍ବାଇ: ବଲିଉଡ୍‌ର ବର୍ଷିଆନ ଅଭିନେତା ଧର୍ମେନ୍ଦ୍ର ଆଉ ନାହାନ୍ତି।  ମୁମ୍ବାଇର ଜୁହୁସ୍ଥିତ ବାସଭବନରେ ୮୯ ବର୍ଷ ବୟସରେ ସୋମବାର ତାଙ୍କର ପରଲୋକ ଘଟିଛି। ଅସୁସ୍ଥତା କାରଣରୁ କିଛିଦିନ ତଳେ ସେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୧୨ ଦିନ ଧରି ଚିକିତ୍ସିତ ହେବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। ଏହା ପରେ ସେ ଘରେ ଥିଲେ। ବଲିଉଡ୍‌ର ‘ହି ମ୍ୟାନ୍‌’ ଭାବେ ପରିଚିତ ଧର୍ମେନ୍ଦ୍ର ଛଅ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖି ପାରିଥିଲେ। ଧର୍ମେନ୍ଦ୍ର ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ୧୯୬୦ ମସିହାରେ ‘ଦିଲ୍‌ ଭି ତେରା ହମ୍‌ ଭି ତେରେ’ ଚଳଚ୍ଚିତ୍ର ମାଧ୍ୟମରେ ସେ ବଲିଉଡ୍‌ରେ ପାଦ ଥାପିଥିଲେ। ସେତେବେଳେକୁ ତାଙ୍କର ବିବାହ ହୋଇସାରିଥିଲା ଓ ସେ ଗୋଟିଏ ପୁଅ (ସନ୍ନି ଦେଓଲ)ର ବାପା ହୋଇସାରିଥିଲେ। ପ୍ରାରମ୍ଭିକ ସଂଘର୍ଷ ପରେ ଧର୍ମେନ୍ଦ୍ର ଆଉ ପଛକୁ ଫେରି ନଥିଲେ। ‘ଫୁଲ ଔର୍‌ ପଥର’, ‘ସୋଲେ’, ‘ଚୁପ୍‌କେ ଚୁପ୍‌କେ’, ‘ମେରା ଗାଓଁ ମେରା ଦେଶ’, ‘ଧରମ ବୀର’ ପରି ଚଳଚ୍ଚିତ୍ର ତାଙ୍କୁ ବଲିଉଡ୍‌ର ନାମୀଦାମୀ କଳାକାର ଭାବେ ପ୍ରତିଷ୍ଠିତ କରିଥିଲା। ୨୦୨୪ରେ ରୋମାଣ୍ଟିକ୍‌ କମେଡି ଚଳଚ୍ଚିତ୍ର ‘ତେରି ବା‌ତୋଁ ମେଁ ଐସା ଉଲ୍‌ଝା ଜିଆ’ରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଇକ୍କିସ’ ଆଗାମୀ ଡିସେମ୍ବରରେ ମୁକ୍ତିଲାଭ କରିବ।

ଧର୍ମେନ୍ଦ୍ରଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ‌ସେତିକି ଚର୍ଚ୍ଚିତ ରହିଥିଲା। ଅଭିନେତ୍ରୀ ହେମା ମାଳିନୀଙ୍କ ସହିତ ପ୍ରେମ ଓ ବିବାହକୁ ନେଇ ଗଣମାଧ୍ୟମରେ ସର୍ବଦା ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲେ।  ନିଜ ଜନ୍ମ ଦିନର ୧୪ ଦିନ ପୂର୍ବରୁ ସେ ସାରା ଦୁନିଆକୁ ଅଲ୍‌ବିଦା କହିଛନ୍ତି। ବଲିଉଡ୍‌ର ‘ହି ମ୍ୟାନ’ଙ୍କୁ ବିଦାୟ ଦେବାକୁ ବଲିଉଡ୍‌ ଅଭିନେତାମାନେ 
ମୁମ୍ବାଇର ପବନ ହଂସ ଶ୍ମଶାନ ଘାଟରେ ଏକାଠି ହୋଇଥିଲା। ପତ୍ନୀ ହେମା ମାଳିନୀ, ଝିଅ ଈଶା ଦେଓଲ, ସୁପରଷ୍ଟାର ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ସଲମାନ ଖାନ୍‌, ରଣବୀର-ଦୀପିକା, ଅନିଲ କପୁର, ଶାହରୁଖ ଖାନ, ଅମୀର ଖାନ ପ୍ରମୁଖ ଶ୍ମଶାନ ଘାଟ ପହଞ୍ଚି ଅଭିନେତାଙ୍କ ଶେଷ ଦର୍ଶନ କରିଥିଲେ।

Dharmendra : ବିଡ଼ି ବିଜ୍ଞାପନ କରୁଥିଲେ କି ଧର୍ମେନ୍ଦ୍ର? ଜଣେ ଓଡ଼ିଆ ପ୍ରଶଂସକଙ୍କୁ କଣ ଉତ୍ତର ଦେଇଥିଲେ ହି-ମ୍ୟାନ୍ ?

'He-Man' Dharmendra: ଧର୍ମେନ୍ଦ୍ରଙ୍କୁ କାହିଁକି କୁହାଯାଏ ହିନ୍ଦୀ ସିନେମାର ହି-ମ୍ୟାନ୍ ? ସିନେମାରୁ ରାଜନୀତି, ଜାଣନ୍ତୁ ତାଙ୍କ ବାବଦରେ ଅଜଣା କଥା…

  ସାଢ଼େ ୬ ଦଶନ୍ଧି ଧରି ଚର୍ଚ୍ଚାରେ ଥିଲେ/ପବନ ହଂସ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରୋଧୀ ‌ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଧର୍ମେନ୍ଦ୍ରଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ୧୯୩୫ ମସିହା ଡିସେମ୍ବର ୮ ତାରିଖରେ ପଞ୍ଜାବ ଲୁଧିଆନା ଜିଲ୍ଲାର ନସରାଲି ଗ୍ରାମରେ ଏକ ଶିକ୍ଷକ ପରିବାରରେ ଧର୍ମେନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ଧର୍ମେନ୍ଦ୍ରଙ୍କର ଦୁଇ ପତ୍ନୀ ଓ ଛଅ ଜଣ ପିଲା ଅଛନ୍ତି। ପ୍ରଥମ ପତ୍ନୀ ପ୍ରକାଶ କୌର। ଧର୍ମେନ୍ଦ୍ର ଓ ପ୍ରକାଶଙ୍କ ଔରସରୁ ଦୁଇ ପୁଅ ସନ୍ନି ଦେଓଲ ଓ ବବି ଦେଓଲ, ଦୁଇ ଝିଅ ବିଜେତା ଓ ଅଜିତା ଅଛନ୍ତି। ଦ୍ବିତୀୟ ପତ୍ନୀ ହେମା ମାଳିନୀଙ୍କର ଦୁଇ ଝିଅ ଈଶା ଦେଓଲ ଓ ଅହାନା ଦେଓଲ ଅଛନ୍ତି। ୧୯୫୪ ମସିହାରେ ଧର୍ମେନ୍ଦ୍ର ପ୍ରକାଶ କୌରଙ୍କୁ ପ୍ରଥମେ ବିବାହ କରିଥିଲେ। ସେତେବେଳେ ଧର୍ମେନ୍ଦ୍ରଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା ଓ ସେ ବଲିଉଡ୍‌କୁ ଆସିନଥିଲେ। ୧୯୮୦ ମସିହାରେ ହେମା ମାଳିନୀଙ୍କୁ ବିବାହ କରିଥିଲେ। 

ଭାରତୀୟ ସିନେମା ପାଇଁ ବଡ଼ କ୍ଷତି:ରାଷ୍ଟ୍ରପତି
ମହାନ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଧର୍ମେନ୍ଦ୍ରଙ୍କ ପରଲୋକ ଭାରତୀୟ ସିନେମା ପାଇଁ ବଡ଼ କ୍ଷତି ବୋଲି ସେ କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ବହୁ ଦଶକର ଲମ୍ବା କ୍ୟାରିୟରରେ ଧର୍ମେନ୍ଦ୍ର ଅଗଣିତ ସ୍ମରଣୀୟ ଭୂମିକାରେ ଅଭିନୟ କରିଛନ୍ତି। ନିଜର ଚମତ୍କାର ବ୍ୟକ୍ତିତ୍ବ ଦ୍ବାରା ସେ ବଲିଉଡ୍‌ରେ ଏକ ନୂଆ ଦିଗ ସୃଷ୍ଟି କରିପାରିଥିଲେ। ଧର୍ମେନ୍ଦ୍ର ତାଙ୍କ ଅଭିନୟର ଯେଉଁ ଛାପ ଛାଡ଼ିଛନ୍ତି, ତାହା ପରବର୍ତ୍ତୀ ପିଢ଼ିକୁ ପ୍ରେରଣା ଯୋଗାଉଥିବ। ରାଷ୍ଟ୍ରପତି ଦେଓଲ ପରିବାର, ସେମାନଙ୍କ ବନ୍ଧୁ, କୋଟିକୋଟି ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଇଛନ୍ତି। 
ଗୋଟିଏ ଯୁଗର ଅନ୍ତ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିବଂଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ବାର୍ତ୍ତାରେ ଲେଖିଛନ୍ତି ଯେ, ଧର୍ମେନ୍ଦ୍ରଙ୍କ ପରଲୋକ ଗୋଟିଏ ଯୁଗର ଅନ୍ତ ଘଟାଇଛି। ସେ କେବଳ ଜଣେ ଅଭିନେତା ନଥିଲେ, ବରଂ ଏପରି ଜଣେ କଳାକାର ଥିଲେ ଯିଏକି ପ୍ରତି ଭୂମିକାକୁ ନିଜର ସରଳ, ଗଭୀର ଓ ଅଦ୍ଭୁତ ଆକର୍ଷଣରେ ଭରି ଦେଉଥିଲେ। ଭିନ୍ନ ଭିନ୍ନ ଭୂମିକାକୁ ହୃଦୟର ସହ ଚରିତ୍ରାୟିତ କରିବା ଥିଲା ତାଙ୍କର ଭିନ୍ନତା, ଯେଉଁ କାରଣରୁ ସେ କୋଟି କୋଟି ଲୋକଙ୍କ ହୃଦୟରେ ରହିଥିଲେ। ତାଙ୍କ ବିନମ୍ରତା, ନମ୍ର ସ୍ବଭାବ ଓ ମାନବିକତା ତାଙ୍କୁ ପରଦା ବାହାରେ ମଧ୍ୟ ଲୋକପ୍ରିୟ କରିପାରିଥିଲା। ଏପରି ଦୁଃଖଦ ସମୟରେ ପ୍ରଧାନମନ୍ତ୍ରୀ ତାଙ୍କ ପରିବାର, ବନ୍ଧୁ ଓ ପ୍ରଶଂସକଙ୍କୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe