ନୂଆଦିଲ୍ଲୀ: ବ୍ରିଟେନ୍ରେ ରହୁଥିବା ଆଜମଗଡ଼ର ଜଣେ ଇସଲାମିକ ପ୍ରଚାରକ ମୌଲାନା ଶମସୁଲ ହୁଦା ଖାନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଉତ୍ତରପ୍ରଦେଶ ଏଟିଏସ୍ ଦ୍ୱାରା ପଞ୍ଜୀକୃତ ଏଫ୍ଆଇଆର୍ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲ୍ଏ) ଅନୁଯାୟୀ ଇଡି ମୌଲାନାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ଶମସୁଲ ହୁଦା ଖାନଙ୍କ ବିରୋଧରେ ଧାର୍ମିକ ଶିକ୍ଷା ଆଳରେ ମୌଳବାଦୀ ଆଦର୍ଶକୁ ପ୍ରୋତ୍ସାହିତ କରିବା ଏବଂ ବେଆଇନ ପାଣ୍ଠି ଯୋଗାଣ ନେଇ ଗୁରୁତର ଅଭିଯୋଗ ହୋଇଛି।
ରେକର୍ଡ ଅନୁଯାୟୀ, ଶମସୁଲ ହୁଦା ଖାନ ୧୯୮୪ ମସିହାରେ ଆଜମଗଡର ଏକ ସରକାରୀ ଅନୁଦାନପ୍ରାପ୍ତ ମଦ୍ରାସାରେ ସହକାରୀ ଶିକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ। ୨୦୧୩ରେ ସେ ବ୍ରିଟିସ ନାଗରିକତ୍ୱ ପାଇଥିଲେ ମଧ୍ୟ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ଭାରତରେ ଦରମା ନେଉଥିବା ଅଭିଯୋଗ ହୋଇଛି। ଏହି ସମୟରେ ସେ ଭାରତୀୟ ନାଗରିକ ନ ଥିଲେ କିମ୍ବା ଶିକ୍ଷାଦାନ କରୁ ନ ଥିଲେ। ଏହି ସମୟ ମଧ୍ୟରେ, ସେ ବ୍ରିଟେନରେ ଧାର୍ମିକ ପ୍ରବଚନ ଜାରି ରଖିଥିଲେ ଏବଂ ଭାରତର ସରକାରୀ ବ୍ୟବସ୍ଥା ଦଶ ବର୍ଷ ପର୍ଯ୍ୟନ୍ତ ତାଙ୍କ ଅନୁପସ୍ଥିତି ଉପରେ ଆଖି ବୁଜି ଦେଇଥିଲା।
Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ
ଅନୁସନ୍ଧାନରୁ ଜଣାପଡିଛି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଶମସୁଲ ହୁଦା ଖାନ ଅନେକ ଦେଶ ଭ୍ରମଣ କରିଛନ୍ତି ଏବଂ ଭାରତରେ ପରିଚାଳିତ ୭ରୁ ୮ଟି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ କୋଟି କୋଟି ଟଙ୍କା ପାଇଛନ୍ତି। ଇଡି ଅନୁଯାୟୀ, ସେ ୩୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଏକ ଡଜନରୁ ଅଧିକ ସ୍ଥାବର ସମ୍ପତ୍ତି ମଧ୍ୟ କିଣିଛନ୍ତି। ସେ ରାଜା ଫାଉଣ୍ଡେସନ ନାମକ ଏକ ଏନ୍ଜିଓ ମାଧ୍ୟମରେ ଓ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟ ମାଧ୍ୟମରେ ବିଭିନ୍ନ ମଦ୍ରାସାକୁ ପାଣ୍ଠି ପ୍ରଦାନ କରିଥିବା ଜଣାଯାଇଛି। ଶମସୁଲ ହୁଦା ଖାନ ଆଜମଗଡ଼ ଓ ସନ୍ଥ କବୀର ନଗରରେ ଦୁଇଟି ମଦ୍ରାସା ସ୍ଥାପନ କରିଥିଲେ, ଯାହାର ସ୍ୱୀକୃତି ପରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ରଦ୍ଦ କରାଯାଇଥିଲା। ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ, ଏହି ଅନୁଷ୍ଠାନ ମାଧ୍ୟମରେ ବିଦେଶୀ ପାଣ୍ଠିର ଉପଯୋଗ ଓ ମୌଳବାଦୀ କାର୍ଯ୍ୟକଳାପ ଚାଲିବାର ସମ୍ଭାବନା ରହିଛି।
ମିଳିଥିବା ସୂଚନା ମୁତାବକ, ବ୍ରିଟେନର ଆତଙ୍କୀ ସଂଗଠନ ସହ ଶାମସୁଲ ହୁଦା ଖାନଙ୍କ ସମ୍ପର୍କର ତଦନ୍ତ ଚାଲିଛି। ଏହା ବ୍ୟତୀତ ତାଙ୍କର ପାକିସ୍ତାନ ଗସ୍ତ ଓ ସେଠାରେ ଥିବା ଉଗ୍ରବାଦୀ ସଂଗଠନ ସହ ଲିଙ୍କ୍ ଥିବା ଅଭିଯୋଗ ଉପରେ ମଧ୍ୟ ତଦନ୍ତ ଚାଲିଛି। ତଦନ୍ତକାରୀ ସଂସ୍ଥା ଅନୁମାନ କରୁଛି ଯେ, ସେ ପାକିସ୍ତାନର ଉଗ୍ରବାଦୀ ସଂଗଠନ ‘ଦାୱତ-ଏ-ଇସଲାମି’ ସହ ଜଡିତ ଥାଇପାରନ୍ତି।
Fire: ନିଆଁରେ ଜଳିଗଲା ଘର, ସର୍ଟସର୍କିଟରୁ ଭୟଙ୍କର ଅଗ୍ନିକାଣ୍ଡ: ପୋଡ଼ି ପାଉଁଶ ବର୍ଷକର ପରିଶ୍ରମ ଓ ଆସବାବପତ୍ର...
ଡିସେମ୍ବର ୨୫ ତାରିଖରେ ଏହି ମାମଲାରେ ଏକ ବଡ଼ ଖୁଲାସା ହୋଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ, ଅନେକ ଅଧିକାରୀ ବେଆଇନ ଭାବରେ ଶମସୁଲ ହୁଦା ଖାନଙ୍କୁ ଦରମା, ଡାକ୍ତରୀ ଛୁଟି ଓ ଶେଷରେ ସ୍ୱେଚ୍ଛାକୃତ ଅବସର (ଭିଆର୍ଏସ୍)ର ସମସ୍ତ ସୁବିଧା ପାଇବାରେ ସମ୍ପୃକ୍ତ ଥିଲେ। ଏହା ପରେ ୟୁପି ସରକାର ଚାରି ଜଣ ବରିଷ୍ଠ ସଂଖ୍ୟାଲଘୁ କଲ୍ୟାଣ ଅଧିକାରୀ ଯଥା ନିର୍ଦ୍ଦେଶକ ଏସ୍ଏନ୍ ପାଣ୍ଡେ, ଗାଜିଆବାଦ ଡିଏମ୍ଓ ସାହିତ୍ୟ ନିକାଶ ସିଂହ, ବରେଲିର ଲାଲମନ ଓ ଆମେଥିର ପ୍ରଭାତ କୁମାରଙ୍କୁ ନିଲମ୍ବିତ କରିଛନ୍ତି। ଶମସୁଲ ହୁଦା ଖାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୩୧୮(୪) ଅନୁଯାୟୀ ଠକେଇ, ବୈଦେଶିକ ମୁଦ୍ରା ପରିଚାଳନା ଅଧିନିୟମ (ଫେମା), ୧୯୯୯ ଅନୁଯାୟୀ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଇଡି ତାଙ୍କ ପାଣ୍ଠି ନେଟ୍ୱାର୍କ, ବିଦେଶୀ ସମ୍ପର୍କ ଓ ସମ୍ପତ୍ତି ଉପରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛି।
Follow Us